ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୩
ରୂପାନ୍ତରିତ ହେଉଥିଲା ମଣିଷ। ପୋଷାକ ପରିବର୍ତ୍ତନ ନା ଖୋଳପାର ବିବର୍ତ୍ତନ । ଦ୍ବିଧା ବିଭକ୍ତ ସତ୍ତା ସେବେଳରେ । ପାଦତଳେ ଥିଲା ମାଟି, ଆକାଶରେ ରହୁଥିଲା ମନ।
ମନରେ ମନରେ ଝିଅର ସ୍ବପ୍ନ ,କିନ୍ତୁ, ଦେହରେ ପୁଅଟିଏ ହେଲା ବିକାଶ । ତା’ ଚାଲି, ତା’ ଆଖି, ତା’ ନାଚ,ତା’ କଥା ସବୁଥିରେ କେମିତି ଏକ ନୂତନତାର ଛାପ। ସେ ଯେମିତି ଚିଡିଆଖାନାର ଏକ ନୂଆ ପ୍ରଜାତିର ଜୀବ। ସମସ୍ତଙ୍କ ଆଖିରେ କେମିତି ଏକ ଅଜବ ଭାବ ତା’ ପ୍ରତି। ସେ କ’ଣ ଏକ ବସ୍ତୁ। ସେ ମଣିଷ। ସେଇ ପରିଚୟହିଁ ଯଥେଷ୍ଟ। କାହିଁକି ଖେଳନ୍ତି ତା’ସହ ,ଯିଏ ଯେତେବେଳେ ପାରିଲା ଯେମିତି। ସେ କ’ଣ ଖେଳନା? ସେ ପିଙ୍ଗପଙ୍ଗ ବଲ୍ କି? ଥରେ ଏପଟରୁ ତ ଥରେ ସେପଟରୁ ଖେଳ, ଫିଙ୍ଗ, ମନଇଚ୍ଛା ମନ ମାନିଗଲେ ଫୋପାଡି ଦେଇ ଚାଲିଯାଅ। ଆଉ ବଲର ମନ ଅଛି ନା ପ୍ରାଣ , ନୀରବରେ ସହିଯିବା କଥା। ସ୍ବର ଉଠେଇଲେ ପୀଡା ବଢିଯାଏ।
ଦିନେ ମିଟୁକାକା ଆସିଲେ ,ବାପାଙ୍କ ମାଉସୀପୁଅ ଭାଇ । ଛୁଟି କଟିବ ବଡ ମଜାରେ ବୋଲି ଭାବି ନାଚିଗଲି ଭିତରେ ଭିତରେ ପରସ୍ତେ , ମୁଁ ବିକାଶ। ଅଜସ୍ର ଖୁସିରେ ଫାଟି ପଡୁଥିଲି ସେବେଳରେ। ମୋ’ର ଚତୁର୍ଥ ଶ୍ରେଣୀ ଆଉ ତାଙ୍କର ନବମ କି ଦଶମ। ରହୁରହୁ ରହିଗଲେ ସେ ଢେର ଦିନ। ଯେମିତି ପାଠର ଚିନ୍ତା ନାହିଁ କି ଦକ ନାହିଁ । ମୋ’ ଦିଦି କଲେଜ ଗଲାଣି ସେତେବେଳକୁ। ସେ ସମୟରେ ମୁଁ ବହୁତ ଏକଲା , ଏକଦମ ନିଃସଙ୍ଗ ହୋଇଯାଉଥିଲି। ଯା’ହେଉ ସାଙ୍ଗ ମିଳିଗଲେ, ମିଟୁକାକା। ମୋ’ ମନ ବଡ ଖୁସି।
ଖେଳ ଚାଲିଲା ଆମର ସବୁଦିନ। ନଡା ଥାକ(କୁଟା ପୁଞ୍ଜି) ପଛପଟେ କେବେ ଗଡିଆ ପାଖ ଆମ୍ବଗଛ ମୂଳେ। ପ୍ରତିଦିନ ଗୋଟିଏ ଖେଳ। ସେ ବାପା ଆଉ ମୁଁ ବୋଉ। ଦିନେ ଦିନେ ମୁଁ ପ୍ରତିବାଦକରେ । ‘ମୁଁ ବି ବାପା ହେବି’ , କହେ। କାକା କୁହନ୍ତି, ‘ ଉହୁଁ, ବୋଉ ପରା ବାପାଙ୍କଠାରୁ ସାନ । ଏକଥା କେମିତି ହବ ଯେ । ତୁ ବୋଉ ଆଉ ମୁଁ ବାପା ।’ ତାପରେ ସବୁ କଟକଣା, ଆକଟ ବାପାଙ୍କ ଭଳି। ‘ଆକାଶରେ ବଗ ଦେଖ କାକା’ , କହିଲେ , ସେ କହିବେ, ‘ ନା , ନା କାଉ ସେଗୁଡା।’ ଧଳା ହୋଇଯାଏ କଳା। ମୁଁ ରାଗ ଦେଖେଇଲେ ସେ କାନ ଧରି ଟାଣିନେବେ ଆଉ କହିବେ, ‘ବୋଉ କଥା କ’ଣ ବାପା ମାନିବେ କି ? ‘ କି ଅଦ୍ଭୁତ ସେ ବେଳ। ସେ କେମିତି ଏକ ନିଆରା ଢଙ୍ଗରେ ସ୍ପର୍ଶୀ ଯାଆନ୍ତି ମୋତେ , ଅଶ୍ବସ୍ତି ଲାଗେ। ବିରକ୍ତ ଲାଗେ ଭୀଷଣ ଭାବରେ। ମୁଁ ଆମ୍ପୁଡି ପକାଏ।କାମୁଡି ପକାଏ। ଚଟକଣି ଖାଏ ତା’ ବଦଳରେ। ସେ ବୋଉକୁ ଦେଖାନ୍ତି, ମୋ’ ଦ୍ବାରା ହୋଇଥିବା କାମୁଡା, ଆମ୍ପୁଡା ଦାଗକୁ। ମାଡ,ଗାଳି ଥୁଆ ହୁଏ ପ୍ରତିବଦଳରେ । ମୁଁ ଦେଖାଇପାରେନା ରକ୍ତାକ୍ତ ହୃଦୟକୁ ମୋ’ର। ଥପଥପ ଅନବରତ ଝରୁଥିବା କଅଁଳିଆ ଛାତିତଳର କ୍ଷତକୁ।
ଏତେ ଲୋକ, ଏତେ ପିଲା ଭିତରେ ମୁଁ ହିଁ କେବଳ ହସର ଉପାଦାନ ଥିଲି। କିଏ କେଉଁ ସବୁ ଶବ୍ଦରେ ମୋତେ ଡାକୁଥିଲେ ତା’ର ଠିକ ଠିକଣା ନଥିଲା। ସେ ସବୁ ଶବ୍ଦ ମୋତେ ନୂଆ ଲାଗୁଥିଲା। ମୋ’ ମନକୁ ନବୁଝି ଯେଉଁ ଆରୋପ ଲଗାଯାଉଥିଲା , ସେଇଟା ବହୁତ କଷ୍ଟ ଦେଉଥିଲା। ଅତିଷ୍ଠ ହୋଇ ଯାଉଥିଲି ଶୁଣି ଶୁଣି ଅପଶବ୍ଦସବୁ। ଫଳରେ ରାଗ ତମତମ ହୋଇ ମୁଁ କାମୁଡି ଦେଉଥିଲି, ଆମ୍ପୁଡି ଦେଉଥିଲି। ବହି ,ଖାତା ଫିଙ୍ଗିଦେଉଥିଲି । ଦଣ୍ଡ ମିଳୁଥିଲା ବଡ ଆକାରରେ। ଲାଜ ଲାଗୁଥିଲା ସେ ବେଳରେ। ବିଦ୍ରୋହ କରୁଥିଲା ମନ। ଉତ୍ୟକ୍ତ କରୁଥିବା ଲୋକ ନିର୍ଦୋଷ, ଆଉ ମୁଁ ପଦାରେ ପଡି ମାଡ,ଗାଳି ଖାଉଥିଲି। ସାଙ୍ଗ ବୋଲି କେହି ନଥିଲେ ମୋ’ର। ଦିଦି ଟିକିଏ ବୁଝୁଥିଲା। ଆଉ ଜଣଜଣକରି ସମସ୍ତେ ବିରକ୍ତ ହେଉଥିଲେ ମୋ’ ଉପରେ।
ସବୁକିଛି ଦେହସୁହା ହୋଇଗଲେ ଭଲ ହୁଅନ୍ତା।କିନ୍ତୁ, ସେଭଳି କିଛି ଘଟୁନଥିଲା। ଦିନକୁ ଦିନ ମୁଁ ଉଗ୍ର ହେଉଥିଲି। ତଦନୁଯାୟୀ ଦଣ୍ଡ ମିଳୁଥିଲା। ସମାଧାନ ନଥିଲା ଏ ସବୁ ସମସ୍ୟାର।
କିଏ କେତେ ପ୍ରକାର ଟାହି ଟାପରା କରୁଥିଲେ। ଥଟ୍ଟାତାମସା କରୁଥିଲେ। ଦେଖଣାହାରିଙ୍କ ମତରେ ମୋ’ ନାଚ ଗୀତରେ ପୁଅ ନୁହେଁ ଝିଅମାନଙ୍କର ଢଙ୍ଗରଙ୍ଗ ପ୍ରକାଶିତ ହେଉଥିଲା। ମୁଁ ମନଖୁସିରେ ଆତ୍ମହରା ହୋଇ କରୁଥିଲି, ମୋତେ ଭଲଲାଗୁଥିବା ଜିନିଷ। କଣ୍ଢେଇ ଖେଳ ହେଉ କି , ଖପରା ଖେଳ ମନଲଗେଇ ଖେଳୁଥିଲି। ମୋ’ ଚାରିପାଖର ମଣିଷମାନେ ରଖେଇ ଦେଉନଥିଲେ ମୋତେ। ନା ବଦଳେଇ ପାରୁଥିଲି ନିଜକୁ, ନା ସହିପାରୁଥିଲି ସେମାନଙ୍କ ଆକ୍ଷେପକୁ। ସେମାନଙ୍କ କଥାରେ ବିବଶ ହୋଇପଡୁଥିଲି। ପ୍ରତିକଥାରେ ବିଦ୍ରୁପ, ପ୍ରତି କଥାରେ ଚେତାବନୀ। ସହିବା ସୀମା ଟପୁଥିଲା। ଅଧେ କଥା ବୁଝିବି ପାରୁନଥିଲି। ଅନେକ ପ୍ରକାର ପ୍ରଶ୍ନ ଉବୁଟୁବୁ ହେଉଥିଲା ମନରେ। ପଚାରିବି କାହାକୁ ଉତ୍ତର ଦେବେନି କେହି ଜାଣିଥିଲି। ଭରସା ଉଠି ଯାଉଥିଲା, ନଥିଲା ପ୍ରାୟ କହିଲେ ଚଳେ। ଘରେ, ବାହାରେ ସବୁଠି ମୋ’ପ୍ରତି ଯେଉଁ ଘୃଣାଭାବ ଫୁଟିଉଠୁଥିଲା ତା’ର ଜବାବ ଦେବାକୁ ଶକ୍ତି କୁଳଉନଥିଲା। ସାହସ ଜୁଟୁନଥିଲା।
ସେଦିନରୁ ଧରିନେଇଥିଲି , ମୁଁ ନିଆରା ମଣିଷ। ମୋ’ ଭାବନା ଅଲଗା। ଏମାନେ ଯାହା କହିଲେ କୁହନ୍ତୁ, ମୁଁ ମୋ’ ଭଳି ହେବି।ଭାବୁଥିଲି, ଖାପଖୁଆଇ ଏମାନଙ୍କ ସହ ରହିବି ନା ବେଖାପିଆ ହୋଇ ଥରେ ଭାଗ୍ୟ ପରୀକ୍ଷା କରିବି ? ଦେଖାଯାଉ , ନ ଡରି କିଛି ଗୋଟାଏ ନିଷ୍ପତ୍ତି ନେବାକୁ ହବ ମୋତେ। କାହାର ସହମତି ସେଥିରେ ଥାଉ କି ନଥାଉ। ମୁଁ ମୋ’ର ବାହୁବଳ ସହିତ ମନୋବଳକୁ ପରଖୁଥିଲି। କହିବାକୁ ଗଲେ ଏକରକମ ଦୁଇବଳର ସାହାଯ୍ୟରେ ଜିତିଯିବି ବୋଲି ସ୍ଥିରନିଶ୍ଚିତ ହୋଇସାରିଥିଲି। ପୁଣି, ଅଧା ବୁଝି ଅଧା ନବୁଝି ଭାବୁଥିଲି, ମୁଁ ହାରିଯାଉଚି କି ମୋ’ ପାଖରେ, ବା ହାରିବା ରାସ୍ତାରେ ପାଦଥାପିବାକୁ ବାହାରିଛି ।
ବଦଳିଯାଉଥିଲା ମୋ’ ପୃଥିବୀର ରଙ୍ଗ । ବଦଳିଯାଉଥିଲା ଦେହ ମନର ଢଙ୍ଗ। ମୁଁପଣ ସେମିତି ଧିରସ୍ଥିର।ବାରମ୍ବାର କହୁଥିଲି
ମନେମନେ ସେଇ ଗୋଟିଏ କଥା,ମୁଁ ମୋ’ପରି ମଣିଷ। ମୋତେ ବଦଳାଇବାକୁ କାହିଁକି ଚେଷ୍ଟା କରୁଚ ସମସ୍ତେ। ହାରିଯିବ .ହାରିଯିବ, ହାରିଯିବ ନିଶ୍ଚୟ।
Comments are closed.