Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୬

ଦନେ ଦେଖିଲାବେଳକୁ ବିକ୍ରମ ଭାଇ ଗାଁରେ ହାଜର। ସମସ୍ତେ ଟୁପୁର ଟାପୁର ହେଲେ। କାନରୁ କାନକୁ ଗଲା କଥା। ନିଜକୁ ମୁରବୀ ସଜେଇ ଦିନୁକକେଇ ଗଲେ ପଚାରିବାକୁ। ତାଙ୍କ ଖାତିର  ଟିକିଏ ଅଲଗା।ନ ପଚାରିଲେ କିଛି କହିବେନି। ସହଜେ ଗମ୍ଭୀରଲୋକ  ପୁଣି କମ୍ କଥା କୁହନ୍ତି । ତାଙ୍କୁ ଡର ଲାଗେ ସତ ,ନିଜର ବି ଲାଗେ। ସେ ଯା ହଉ, ଦିନୁ କକେଇ ଗଲେ ଆରସାହି ବିକ୍ରମ ଭାଇ ପାଖକୁ।  କେହି ନଥିଲେ ଆଖ ପାଖରେ। ତା’ ଦଳ ବଳ କୁଆଡେ ଯାଇଥିଲେ କେଜାଣି।

ଆଖି ଆଗରେ ବାଘକୁ ଦେଖି ତା’ ପାଟିରେ ଲେମ୍ବୁ ଚିପୁଡି ଦାନ୍ତ ଗୁଡିକୁ  ଖଟାମିଶା କାଲୁଆ କରିଦେଲେ ଯେମିତି ଆଉ ସେ କାମୁଡି ପାରେନାହିଁ, ଠିକ୍ ସେମିତି ସାମ୍ନାରେ ମହା ପରାକ୍ରମୀ ଭାଇକୁ ଦେଖି ପଚାରିଦେଲେ, ‘କି ରେ  ବିକୁ, ସେ ରାଧାଶ୍ଯାମ ମହାପାତ୍ର ଝିଅ ଇନ୍ଦୁକୁ କୁଆଡେ ନେଲୁ? କୋଉଠି ରଖିଚୁ ତା’କୁ ? କାହିଁ  ସେ ?’ ଆଦୌ ଡରି ନଯାଇ ଉତ୍ତର ଦେଲା ଭାଇ,   ‘ମୁଁ , ମୁଁ  ଇନ୍ଦୁକୁ କୁଆଡେ ନେଲି? ଆମ ମାଆ, ଭଉଣୀ  ଆମରି ସୁରକ୍ଷାରେ ରହିବେ ।ଆମେ ସେମାନଙ୍କ ପାଇଁ କାମ କରୁଚୁ। ଅଥଚ ମୋତେ ଏ ପ୍ରଶ୍ନ କରୁଚ ତୁମେ କାହିଁକି?’ ଦିନୁକକେଇ ଥ ଥ ମ ମ … ଆଉ କ’ଣ  କହିବେ ଯେ। ତଥାପି କହିଲେ,  ‘ସାହାଯ୍ୟ ଟିକେ କର୍,ତା’କୁ ଖୋଜିବା ପାଇଁ ।’ ତା’ଶୁଖିଲା ହସ ,ବିବଶ କରୁଥିଲା କକେଇଙ୍କୁ ଆମର। ହୁଁ, ହାଁ ରେ କଥାସାରି  ବିଫଳତାକୁ ମୁଠେଇ ଏଥର ଫେରିଆସିଲେ,ପାଦକୁ ଘୋଷାରି। ବିଶ୍ବାସ ହେଉନଥିଲା ତା’ର ନେତାଳିଆ  ସରପକା କଥାରେ। ଦମ୍ଭିଲା ମନଟା ଚୁରମାର ହୋଇଗଲା କି ଆଉ !

ଗାଁ  ମୁଖିଆ କୃଷ୍ଣ ଦଦେଇ , ମାମଲତିକାର ଟିକାଭାଇ, କୁଜିନେତା ପିତାମ୍ବର ମହାନ୍ତି  ଏମିତି ଏମିତି  କିଛି  ଜୁଟିଗଲେ ଖବର ଜାଣିବା ନିମନ୍ତେ।  ଦିନୁ ତିଆଡି କାହିଁକି ଯାଇଥିଲା, ଯଦି ଗଲା କି କଥାହେଲା,ଫଳ କ’ଣ ହେଲା ଉତ୍ସୁକତା ବହୁଗୁଣିତ ସେବେଳରେ।  ନଈ ଘାଟରେ,  ଗଡିଆ ତୁଠରେ ଫୁସୁରଫାସର । ଇନ୍ଦୁ ଭଳି ଝିଅ ସହ ଘଟଣା ଘଟିଚି। ବିଶ୍ବାସ,  ଅବିଶ୍ବାସ ମଝିରେ ତ୍ରିଶଙ୍କୁ ଅବସ୍ଥା ସମସ୍ତଙ୍କର ।

ବୈଠକଟିଏ ଡକାଗଲା। ଚା’ ଓ ପାନ ସହିତ କଥାଟି ପଡିଲା। କିଏ ଡରିଲା ,କିଏ ମୁହଁଲୁଚେଇଲା ଆଉ କିଏ   ନୀରବ ରହିଲା। ଆଗକୁ ପଞ୍ଚାୟତ ନିର୍ବାଚନ। ଏବେଳରେ କିଏ କାହିଁକି ଅପ୍ରିୟ ହେବ ଯେ।କଥା ଆଗେଇଲେ ସିନା ଶେଷ ହବ.. ପରିଣତି ଜଣାପଡିବ, ଗୋଟିଏ ନିଷ୍କର୍ଷରେ  ପହଞ୍ଚିବ। ସମସ୍ତେ ନିଜକୁ ଜଗି ଛଳନା କଲେ।ବେଶ୍ କପଟ କଲେ। କାହିଁ  ଆଉ ଏକତା  ଗାଁରେ ।ନିଜ  ସମ୍ପତ୍ତିକୁ ନିଜ ହେପାଜତରେ ନରଖି ଏତେ ସ୍ବାଧୀନତା ଦେଉଥିଲ କିଆଁ ? ଏଥର ଚିଆଁ ଲାଗିଗଲା ଦିନୁ କକେଇଙ୍କ ଛାତିରେ। ଉଠି ଆସିଲେ ସେ ଯୋଡହସ୍ତ ଯାଚନାକରି। ବିଦୁରନୀତି ଆଚରିଲେ । କୋଟିକୋଟି ପ୍ରଣାମ ସେ କୃଷ୍ଣଦ୍ବୈପାୟନ ବ୍ୟାସଦେବଙ୍କୁ। ମହାଭାରତର ପ୍ରତ୍ୟେକ ଚରିତ୍ର ନିଆରା।ପ୍ରତ୍ୟେକ ଘଟଣା ଶିକ୍ଷଣୀୟ।   ହଜାର ହଜାର ବର୍ଷ ପରେବି ଆମେ ସେଇଠୁ ଶିଖୁଚୁ ଜୀବନ ଜିଜ୍ଞାସାର ଭାଷା।କୁରୁରାଜ , ଦାସୀପୁତ୍ର କହି ଯାହାକୁ ଅବଜ୍ଞା କରୁଥିଲେ ବେଳ ଅବେଳରେ,  ସେଇ ମହାଜ୍ଞାନୀ ବିଦୁରଙ୍କ ବାପା ଥିଲେ ସ୍ବୟଂ ବ୍ୟାସଦେବ।ପ୍ରଚଣ୍ଡ ଜ୍ଞାନର ଅଧିକାରୀ ସେ। ଗୁଣସୂତ୍ର କଥା ଆଜି ଆମେ ଯେଉଁ କହି ହେଉଚୁ,  ହଜାର ହଜାର ବର୍ଷ ତଳୁ ପ୍ରମାଣ ହୋଇସାରିଥିଲା ଆମ ମାଟିରେ। ତଥାପି ଆମେ ବୁଝୁନୁ ଆମ ମାଟିକୁ, ଆମ ମାଆକୁ। ଆମ ପ୍ରତିଭାକୁ,  ଆମ ପ୍ରାଜ୍ଞ ବିଜ୍ଞ ପ୍ରବୀଣ  ମଣିଷଙ୍କୁ ।

Comments are closed.