ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୧
ଆଜି ସକାଳୁ ସକାଳୁ ଏତେ ଶବ୍ଦ, ଏତେ ଧାଁ ଧପଡ, ଏତେ ଗଣ୍ଡଗୋଳ କାହିଁକି ଯେ । ପୋଲିସ ଆସିଥାଇ ପାରେ। ବେକ ଭାଙ୍ଗି ଝରକା ପଟୁ ଉହୁଁକି ଦେଖିଲା ପର୍ଦ୍ଦା ଆଡେଇ ଜବା। କିଛି ତ ଦିଶୁ ନଥିଲା ସେମିତି। କେବଳ ଶବ୍ଦ ଯାହା।ଭାରି ପାଦର ଶବ୍ଦ, ଦୌଡାଦୌଡି ଶବ୍ଦ ସହ ସୁଁ ସୁଁ ଶବ୍ଦ ମିଶୁଥିଲା । ଅଳସ ଭାଙ୍ଗିବାକୁ ତରନାହିଁ, ବିଛଣାରୁ ହିଁ ଆଜି କ’ଣ ଏମିତି ଆସିଲାଣି ସକାଳ।
ଭୋର ସମୟରେ ନିଦଟା ବଢିଆ ଧରେ।ଥକ୍କା ଲାଗୁଚି, ମୁଣ୍ଡଟା ଦିକଦିକ୍ କରୁଚି। ନିଦ ଠିକ୍ ହେଲେ ସବୁଭଲରେ କଟେ। ସେପଟେ ଚନ୍ଦ୍ରାପାଇଁ ଠିକ୍ ସମୟରେ ପହଞ୍ଚିବାକୁ ପଡିବ। ଆଃ , ସେତକ ସମୟ ପ୍ରିୟ, ଏକଦମ୍ ନିଜର। ବାକି ତ କାଠ କଣ୍ଢେଇର ଜୀବନ।କାହା ଇଶାରାରେ ନାଚ, ନହଲେ ହାତ ଗୋଡ ହଲାଅ ଆଉକାହାର ସୂତାରେ। ବାହାରିବାକୁ ପଡିବ ନିତ୍ୟକର୍ମ ସାରି , ଠିକ୍ ସମୟରେ।
ଗ୍ରିଲ ବନ୍ଦ, ବାହାରପଟୁ ତାଲା ପଡିଚି।ଆଜି ଯାଇ ହବନିକି ଆଉ, କେଜାଣି। ଏଥର ହ୍ବାଟସଆପ ଖୋଲିଲା। ଜଣାଇ ଦବକି ଯାଇ ହବନି ବୋଲି। ନା, ଥାଉ। ଅନିଚ୍ଛା ସତ୍ତ୍ବେ କାନରେ ହେଡଫୋନ ଗୁଞ୍ଜି ଶୁଣିଲା ଗୀତ ଆଖିବୁଜି ମୋବାଇଲରୁ।
ହାତଧରି ହଲେଇଲା ମାଆ। ଚା କପେ ଧରେଇଲା। ଗୁଣ୍ଡଦୁଧର ଅଦା ପକା ପାଣିଚିଆ ଚା’ । ବେକେରି ବିସ୍କୁଟ ଥିଲେ ଦିଏ। ଆଜି ନଥିବ । ‘କ’ଣ ହେଲା ମାଆ ଆଜି’, ପଚାରିଲି। ମାଆର ସେଇଭଳି ଚିରାଚରିତ ଉତ୍ତର, ‘କିଛି ନାହିଁ ।’ ‘ହୁଁ,’ ବନ୍ଦ କାହିଁକି ଯେ, କିଛି ଝମେଲା ହୋଇଥିବ। ଚାଚା କି ଭାଇ ପାଖରେ କେହି ନାହିଁ। ମିଥିଳା ଦିଦିର ଇଚ୍ଛା ସବୁ।ଏ ମାଆକୁ କାହିଁକି ପଚାରିଲି ଯେ। ସେ ତ କହିବାକୁ ନାରାଜ ସବୁଦିନ । କାହା ବିଷୟରେ କିଛି ବି କହିବନି। ଝିଅକୁ ବି ନୁହେଁ। ଏଭଳି ଲୋକକୁ କେବେ କିଛି ହେଲେ ପଚାରିବା କଥାନୁହେଁ।
ମନଟା ମୋ’ର ସାରା ସକାଳୁ ଖରାପ ହୋଇଗଲା। କେଜାଣି ଦିନଟି କେମିତି କଟିବ ଆଜି ?
ଗ୍ରିଲ ଖୋଲିଲେ ଆଜି ନହଲେ କାଲି ଜାଣିହବ ସବୁ । ସାଙ୍ଗମାନେ କହିବେନି କି କ’ଣ ହେଲା କାହାର। ନୂଆ କିଏ ଆସିଲେ, କିଏ ପଳାଇବାକୁ ଚେଷ୍ଟାକରି ଧରାପଡିଲେ, ପୋଲିସ ଚଢାଉକଲେ, ଏମିତି ତାଲାପଡେ । ଘଟଣା ଫଇସଲା ହେଲେ ସବୁକିଛି ପୁଣି ଠିକଠାକ୍ ଚାଲେ ନିୟମିତ ଭାବରେ। କେତେ କେତେ ଘଟଣା ଘଟେ ଏଇଠି। କେବେ କିଛି ଜଣାପଡେ, କେବେ ଜାଣିହୁଏନି । କିଏ ମଲେ ଗଲେ ବି କାହାର କି ଯାଏ ଏଇଠି..। ସମସ୍ତେ ଏକ ପୁଣି ସମସ୍ତେ ଅନେକ। ସମସ୍ତେ ନିଜର, ପୁଣି ସବୁ ସାତପର।
ସକାଳୁ ସକାଳୁ ଏମିତି ଘଟଣା। ହଃ, ଯାହା ହଉଚି ହଉ, କଟିଯିବ ସମୟ। କାହା ପାଇଁ କିଛି ଅଟକିନି କି ଅଟକିବ ନାହିଁ ଜମା।
ମାଆ ଶୁଖିଲା ଶାଗକୁ ମନଦେଇ ଖରଡୁଥିଲା। ଭାତ ଫୁଟୁଥିଲା ଗବଗବ। ଚିନ୍ତା ଫିଟୁଥିଲା ପରସ୍ତ ପରସ୍ତ। ଆଜି ପାସ୍ତା ଖାଇଲେ କେମିତି ହୁଅନ୍ତା । ଖୋଜି ଖୋଜି ନୟାନ୍ତ ପରେବି ଡବା ମିଳିଲାନି କି ପାସ୍ତା ପକେଟ ପାଇଲିନି। ଏଇଠି ଥିଲା ତ। ମାଆ କାହାକୁ ଦେଲାକି କ’ଣ ? ଆଜି ନାସ୍ତା କିଛି ମିଳିବନି। ଆଉ ଏଇ ଭାତ , ନା ପଖାଳ ଖାଇ ରହିବାକୁ ହବ। ଇଚ୍ଛା ହେଉନି। ଦୁଇଥର ଭାତ, ଉହୁଁ । ଚାଉଳଭଜା ଡବାଟା ମିଳିଗଲା ଶେଷରେ। ଦୁଇମୁଠା ସେଥିରୁ ଖାଇଲେ ହୁଅନ୍ତା, ଚା’ ସହିତ। ଚୂଲିରେ ତ ଭାତ ଆଉ ଶାଗ, ଆଉ ଚା ହବ ବା କେମିତି? ନା ଖାଲି ଚାଉଳଭଜା ଚୋବେଇଲେ ହବ। ଦାନ୍ତର ବଳ ପରୀକ୍ଷା !
ଯିବାକୁ ପଡିବ ନିଶ୍ଚୟ । ବହୁତ ଭଲ ଲାଗେ ପରିଷ୍କାର ପରିଚ୍ଛନ୍ନ ବିଜୟା ଆପାର୍ଟମେଣ୍ଟର ଥାର୍ଡ ଫ୍ଲୋର ଏନ. ତିରିଶ ଘର। ସେଇଠି ସବୁବେଳେ ରହିଗଲେ ହୁଅନ୍ତାନି ଚନ୍ଦ୍ରା ଆଉ ତିଥିର କାମ କରି ହବନି କି । କି କାମ ମ। ଅଧା ମେସିନ୍ କରେ, ଆଉ ଜଗିରଖି ଔଷଧପତ୍ର ଦବାକଥା। ବେକାର, ଏତେ ଜଣଙ୍କୁ ରଖି କେତେ ଟଙ୍କା ଖର୍ଚ୍ଚ କରୁଚନ୍ତି ଜଣେ କଲେ କ’ଣ ଖରାପ ହୁଅନ୍ତା ଯେ। ଯାହାର ଟଙ୍କା ନଥିବ, ସେ କେମିତି ରଖିବ ଏଭଳି ରୋଗୀଙ୍କୁ । ତାଙ୍କର ନିଜର କେହି ନାହିଁ, ଯିଏକି କରନ୍ତା ଶ୍ରଦ୍ଧା ସହକାରେ । ଏସବୁ ଭାବନା ଫାଲତୁ। କିଛି ଫଳ ମିଳିବାର ନାହିଁ। ତଥାପି ମନକୁ ଆସେ । ନା କିଛି କରିହେବ ନା କିଛି ପରିବର୍ତ୍ତନ ହବ , ଚାଲୁଥାଉଯେମିତି ଥିଲା ସବୁ ସେମିତି ଥାଉ।
ବିଗିଡା ସକାଳ, ନିଶ୍ଚିତ ଭାବରେ କିଛି ଗୋଟାଏ ହବ ଆଜି। ମାଆ ଗୋ ରକ୍ଷାକର। ହେ ପ୍ରଭୁ ଭଲରେ କଟୁ ଦିନ ଆମର। ପ୍ରାର୍ଥନା ଶୁଣନ୍ତି ସେ। କିନ୍ତୁ, ସବୁଦିନ ଗୁହାରି କଲେ ଶୁଣିବେ କି, ଦିନେ ଅଧେ କଲେ ଶୁଣିବେ ନା। ସେଇ ବିଶ୍ବାସରେ ଏତେ ବଡ ଜଗତରେ ଏକା ବଞ୍ଚିବାକୁ ଶିଖିଚି। ଦମ୍ଭ ଦରକାର। ଦବ କିଏ ? ଏଇ ମନ ଦିଏ। ଏଇ ଶିକ୍ଷା ଦିଏ। ଏଇ ମାଆ, ଦାଦାଭାଇ ଗପଛଳରେ ଯେଉଁ ସବୁ କଥା ଶୁଣେଇଚନ୍ତି ସେସବୁ ପାଖେପାଖେ ରହି ସବୁ ଝଡତୋଫାନକୁ ଫୁଃ କରି ଉଡେଇବା ଶିଖେଇଦେଛି।
ଧପଧପ ଶବ୍ଦ କରି ଦିଦି ଧାଉଁଥିଲା। ପାଖେ ପାଖେ ମକବୁଲ୍ ଭାଇ ।ଚାଚା ଟିକିଏ ପଛରେ ପଡିଯାଇଥିଲା। ପର୍ଦ୍ଦାଆଡେଇ ଟିକିଏ ଦେଖିଲି। ଅପଶବ୍ଦରେ ଗାଳି ବର୍ଷୁଥିଲା। ହେତ୍, ଛି, ଛି , କେଜାଣି କିଏ କ’ଣ କଲା, ମୋ’ ମୁଣ୍ଡରେ ଚିନ୍ତା ପଶୁଥିଲା। ଯିବିନା, ଯିବିନି । ମନା କଲେ ମୋ’ କାମ କିଏ ହୁଏତ କରିନବ, କିନ୍ତୁ, କିଛି ସମୟ ପ୍ରିୟ ଜାଗା ସହ ଅସହାୟ ମଣିଷ ପାଖରେ କଟେଇଲେ ମନରେ ଯେଉଁ ଖୁସି ଆସେ ସେଇଟା କିଏ ଆଣିଦବ ମୋତେ। କିଏ , କିଏ ପ୍ରତିଧ୍ବନି ତୋଳୁଥିଲା କାନରେ। ନୀରବରେ ଗୁମୁଟି ଘରେ ବସି ଭାବୁଥିଲି ଅନେକ କିଛି।
ଠିକ୍ ସମୟରେ ନ ଖୋଲିଲେ ଆଉ ଯାଇହବନି। ତଥାପି, ମୋତେ ଧୈର୍ଯ୍ୟରଖିବାକୁ ପଡିବ। କିପ୍ରକାର ଜୀବନ ,କି ବନ୍ଧନ ଇଏ ! ସ୍ବାଧୀନ ଭାରତର ପରାଧୀନ ପ୍ରାଣୀ ! ଆଗରୁ ଜାଣିଲେ ତ ଜଣେଇବ ମଣିଷ ।ଓଃ , ସବୁ ଗଡବଡ ଆଜି। ଲେଖିଦେଲେ ଯାଆନ୍ତା। ବାଃ, ବାଦୁଡି ଭଳି ଝୁଲିଥିଲି ଯାହା ।
Comments are closed.