ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୩
ଦାଦା ଭାଇଙ୍କର କୋଣିକିଆ ହୋଇ ସୁନ୍ଦର ବଙ୍ଗଳା ଭଳି ଘର। ବଡବଡ ଝରକା, ଖୋଲା ମେଲା। ପବନ, ଆଲୋକ ଆତଯାତ ହୁଅନ୍ତି ଠିକ୍ ଅନୁପାତରେ। ପତଳା ଧଳାକନାରେ ହାଲୁକା ହଳଦିଆ ରଙ୍ଗର ବଡ ବଡ ଧାଡିଏ ଫୁଲ ତଳ ପଟେ, ଆଉ ଉପରକୁ ପାଖୁଡା ଓ ପତ୍ର, ଯେମିତି ଝରିପଡୁଚି ଫୁଟନ୍ତା ଗଛରୁ।ଖୁବ୍ ସୁନ୍ଦର। ଦିଦିର ଖାସ ମଣିଷ। ସେଇଲାଗି ସବୁ ଅଲଗା ତାଙ୍କର। ଏ.ସି ଥିଲେ ବି ସେ ଲଗାଇବାକୁ ପସନ୍ଦ କରନ୍ତିନି। ପବନ ପିଟିହେଲେ ଢେର ଖୁସି। ଆମ ପାଚେରୀ ଶେଷରେ କୋଏଲ ନଈ। ଥଣ୍ଡା ପବନ ବଢିଆ ଆସେ। ବଢିଆ ଗାଧୁଆ ତୁଠ ଅଛି। ପାଚେରୀରେ କବାଟ ଅଛି। ବିଶେଷ ଦିନରେ ଦିଦି ସହ ଯିବାକୁ ଭଲ ଲାଗେ। ଭାଗ୍ୟରେ ଥିଲେ ଜୁଟେ ସେ ସୁଯୋଗ । ନହେଲେ ନାହିଁ।
ପୂର୍ଣ୍ଣିମା ରାତିରେ ନୌବିହାର ପାଇଁ ସଜବାଜ ହୁଅନ୍ତି କିଛି ବଛାବଛା ଖାସ ମଣିଷ ଦିଦିର। ଚମ୍ପା , ମଲ୍ଲୀ,ରଜନୀଗନ୍ଧାର ମହକ ଖେଳିଯାଏ। ସବୁ ନିର୍ଦ୍ଦିଷ୍ଟ ଥାଏ ଆଗରୁ। କିଏ ବସିବ, କୋଉଠି ବସିବ । ଜହ୍ନରାତି ଆଉ ସୁବାସିତ ପବନ ଶିହରଣ ଖେଳେ ଦେହରେ ମନରେ। ତୁଠରେ ଗ୍ୟାସଲାଇଟ ସହ କିଛି ବସି ରୁହନ୍ତି ଫେରିବା ବାଟକୁ ଚାହିଁ। ପଦ୍ୟାନ୍ତ ପ୍ରତିଯୋଗିତା ସହ ଛୋଟ ଛୋଟ ପୁରସ୍କାର ମିଳେ। ଜହ୍ନ କିରଣ ନଈକୁ ରୂପାର ଚାଦରରେ ଢାଙ୍କି ଦେଇଥାଏ। କେବେକେବେ ପାଣିରୁ ଟିକିଏ ଆଣି ପରସ୍ପରକୁ ଛଟାଛଟି। ହସର ଫୁଆରା ଫିଟେ। ପୋଲିସ ତ ହାତମୁଠାରେ। ନିର୍ଭୟରେ ନୈଶ୍ୟ ବିହାର ହୁଏ। ସତେକି ଗନ୍ଧର୍ବ ଆଉ ଅପସରା ଓହ୍ଲାଇ ଆସିଛନ୍ତି ! ଏସବୁ ମଜା ସହିତ ଭୋଜି ହୁଏ, ବେଶ ବଡ ଆକାରରେ। ପିଲା ବେଳୁ ଦେଖି ଆସୁଚି। ଦାଦା ଭାଇ ଅସୁସ୍ଥ, ଏବେ ଏସବୁ ବନ୍ଦ। କେବଳ ଭୋଜି ଓ ନଈ ଗାଧୁଆ ହେଉଚି।
ମନଟା ହୀରା ନା ଖାଣ୍ଟି ସୁନା। ଖାଣ୍ଟି ପୁଣି କ’ଣ ? ସବୁତ ଭେଜାଲ। ଖାଦ ଟିକିଏ ମିଶିଲେ ତ ଗଢିହବ କିଛି । ହୋଇପାରେ ଅଳ୍ପ ଖାଦ କି ବେଶୀ। ମନର ଗଢଣ ସେଇ ଅନୁସାରେ ଭାବନା ଉଡେ ସେଇଭଳି ଭାବରେ ନା । ଦାଦାଭାଇ ସମସ୍ତଙ୍କ ମନକୁ ଛୁଇଁ ପାରନ୍ତି, କିନ୍ତୁ ତାଙ୍କମନକୁ କିଏ ପାରିବ ଛୁଇଁ । ଫିଟି ପଡନ୍ତି ଅଧିର ହୋଇ ଆପଣାଛାଏଁ। ଆତ୍ମହରା ହୁଅନ୍ତି ପୁରୁଣା କଥାର ଖିଅଟେ ଧରି। ଘୁଙ୍ଗୁର ବାନ୍ଧି କଥକ ଶିଖାଉଥିଲାବେଳେ ଏକସଙ୍ଗରେ ରାଧା ଓ କୃଷ୍ଣଙ୍କୁ ଯେଉଁଭଳି ଫୁଟେଇ ପାରୁଥିଲେ, ଝିଅଟେ ସେତକ କରିବା କାଠିକର ପାଠ। ହାତଦୁଇଟି ସତେକି ନରମ ଲତା, ଆଉ ଆଖି କଥାକୁହା, ନିମଗ୍ନ ସେ ନିଜଭିତରେ। ଦେହଟା ବୋଲ ମାନେ ତାଙ୍କର। ଯେତେବେଳେ ଯେମିତି ଚାହିଁବେ ସେମିତି ଅଙ୍କେଇ ବଙ୍କେଇ ସୁନ୍ଦର ଭାବରେ ପ୍ରକଟି ପାରନ୍ତି।
ପଖଉଜ ବଜାନ୍ତି, ହାରମୋନିୟମ ବି, କିଏ ତାଙ୍କ ଗୁରୁ କେଜାଣି, ସେ ସମସ୍ତଙ୍କର ଗୁରୁ ଏଠାରେ। ପାଠ ସେ ହିଁ ପଢାନ୍ତି। ଛୋଟ ବେଳୁ ସେହିଁ ଆମକୁ ଜୀବନ, ଜଗତ, ସଂସାର ସହିତ ପରିଚିତ କରାଇବା ସହ ଆଧ୍ୟାତ୍ମିକ କଥା, ଆତ୍ମିକ ଶିକ୍ଷା,ନୈତିକ ଶିକ୍ଷା ଦେଇଛନ୍ତି ।ବିଜ୍ଞାନ ଓ ବୈଷୟିକ ଜ୍ଞାନକଥା ସେହିଁ କେବଳ କହିଥାଆନ୍ତି। ସେ ଏକାଧାରରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଆମ ପାଇଁ। ଏଭଳି ଜ୍ଞାନୀ ଗୁଣି କାହିଁକି ଜୀବନକୁ ନେଇ ଏମିତି ପଡିରହିଚନ୍ତି ଏ ଅପନ୍ତରାରେ , ବାରମ୍ବାର ମୋତେ ଏଇକଥା ଦଂଶିଥାଏ।
ମାଆ ଡାକରେ ଫେରିଲି ବର୍ତ୍ତମାନକୁ। ଖାଇବାକୁ ଇଚ୍ଛା ନଥିଲା ଆଜି। ଲୁହା ଗ୍ରିଲ ଖୋଲିବାର ଶୁଭ ଖବରରେ ପେଟ ପୂରିଗଲା ମୋ’ର। ଆସନ୍ନ ବର୍ଷାର ଘନ ଘୋର ପାଗ କଟି ସୂର୍ଯ୍ୟ ମୁହଁ ଦେଖାଇଲେକି ଆଉ ! ଫୋନକରି ମନା କରିଥାଆନ୍ତି। ଆଉ ସେ ଲିଜା ତ ଜବା ନୁହେଁ ଯେ ପ୍ରିୟ ମଣିଷଙ୍କୁ ଗୀତ ଗାଇ ଶୁଣଉ ଶୁଣଉ ଖୁଏଇବ ଆଦରରେ। ସେ ତା’ର ସେଇ ଡାକ୍ତରଖାନା କାଇଦାରେ ଯାହାକିଛି କରିବ। ମୁହଁ ଖୋଲୁନଥିବା ମଣିଷ ଇଚ୍ଛା ହେଲେ ଖାଇବେ ନହେଲେ ନାହିଁ। ତାଙ୍କୁ ଔଷଧ ଦବା ଆହୁରି କଷ୍ଟକର । ଡାକ୍ତର ଆଣ୍ଟି ଜଣାନ୍ତି ଏସବୁ। ଭାରି କଷ୍ଟ ହୁଏ ଏସବୁ ଶୁଣିବାପରେ। ସମ୍ପର୍କ ଗାଢ ହେଉଚି ତାଙ୍କ ସହିତ। ଭଲ କଥା, ହେଉଥାଉ। କିଛି ସମୟ ବାହାରେ କଟୁଚି, ସେଇ ବାହାନାରେ। ମନଖୋଲି ହସିପାରୁଚି। ଆଣିପାରୁଚି ଛୋଟ ମୋଟ ଦରକାରୀ ଜିନିଷ। ସାଙ୍ଗମାନଙ୍କ ବରାଦିଆ ଜିନିଷ ତଥା ଔଷଧ ଆଣିବାକୁ ଯାଇ ଘେରାଏ ବୁଲି ପାରୁଚି। ଆଃ , ମୁକ୍ତିର ଆନନ୍ଦ ପରା ! ନିଜ ନଜର ଲାଗି ଯିବକି ଆଉ, ଥାଉ ଥାଉ , ଏତେ ବେଶି ଖୁସି ହଜମ ହବନି । ବୁରି ନଜରୱାଲି ତେରି ମୁହଁ କାଲା ଏତକ ନିଜଆଡକୁ କହି ହସିଲି ମନେମନେ ।
Comments are closed.