ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୫
ସବୁ ଚାଲିଛି ନିର୍ଦ୍ଦିଷ୍ଟ ଭାବରେ। ଯେମିତି ପୃଥିବୀ ଘୂରୁଛି, ଜହ୍ନ ହସୁଚି, ମେଘ ଝୁଲୁଚି, ସମୁଦ୍ର କଡଲେଉଟଉଚି ତାଳ ଆଉ ଛନ୍ଦରେ । ସୂର୍ଯ୍ୟ ସ୍ଥିର , ସେମିତି ମନଟା ହୁଅନ୍ତାନି ! ସାଇକେଲ ନୂଆ ଆସିବା ଦିନ, ଖୁସିରେ ଆତ୍ମହରା ମୁଁ। କିନ୍ତୁ ଶିଖିବାକୁ ଡର ଭୀଷଣ। ପଡିଗଲେ ଖଣ୍ଡିଆ ହବ, କଷ୍ଟ ହବ। ବାପା ହିଁ ଶିଖେଇଥିଲେ ବାଲାନ୍ସିଂ । ପାଣିକୁ ଡରୁଥିବା ମୁଁ , ପହଁରା ଶିଖିଲା ବାପାଙ୍କଠାରୁ। ଫ୍ଲଟିଂ ବାଲାନ୍ସିଂ ଜୀବନସାରା ଭାସିବା, ସନ୍ତୁଳନ ରଖିବା ଏଇ ଖେଳ ଖେଳିବାକୁ ପଡିବ ଏବେ । ଡର ଭାଙ୍ଗିଗଲା ସେଦିନରୁ । ବାଇକରୁ ପଡିଲି। ତଥାପି ତୁମେ କହିଲ, ଶିଖିବାକୁ, ନଡରିବାକୁ। ଦୁହେଁ ମାଆ ବାପା କେମିତି ମ , “ଶିଖିବା ସମୟରେ ପଡିବା ସ୍ବାଭାବିକ ” , କହୁଥିଲ। ସତରେ ସେଦିନ ଡରିଥିଲେ ,ଆଉ ଆଗକୁ ପାରିନଥାନ୍ତି। ଥରେ ଭରସା ଗଲେ ଆଉ ଫେରିନଥାନ୍ତା ସହଜରେ। ସବୁଠିକ୍ ଥିବାବେଳେ ଏମିତି କେମିତି ହେଲା? ଭରସା କରିପାରିଲନି ସନ୍ତୁଳନ ରଖିପାରିଲନି ଟିକିଏ,ବିଶ୍ବାସରେ ଭାସିଲନି ନୀରବି ଗଲ କାହିଁକି? ଆଉ ଜଣେ ରୋଗିଣା । ଉଁ ହୁଁ, କାହିଁକି କୁହତ ଆସିଯାଉଚ ଏକଲା ଥିବା ସମୟରେ।
ତିଳ ତିଳକରି ଗଢିଥିବା ସନ୍ତାନର ସୁଖ ଦେଖିବାକୁ ମାଆ,ବାପା ରହିବା ନିହାତି ଦରକାର। ସେମାନେ ବଳ। ଅନୁଭୂତି ସହ ଶକ୍ତି ପ୍ରବୀଣ ସହ ନବୀନ ମିଶିଗଲେ ସୁଦୃଶ୍ୟ ମୀନାର ତିଆରି ହୋଇପାରନ୍ତା। ବାପା ଥିଲା ପୁଅ ସଭାରେ ହାରେନା ଏଇ ଅଭାବବୋଧ ଖାଇଗୋଡାଏ। ଥାଉ ,ସେସବୁ କେଉଁ ଭିତରେ, ଲିଭିବନି ତ କେବେ ।
ଗୋଟା ଆମ୍ବ ଚୂଷିକି ଖାଇବାର କଳା କୌଶଳ, ଡିକ୍ସନାରୀ ଦେଖିବାର ଉପାୟ , ମୁଣ୍ଡଧୋଇବାର ବୁଦ୍ଧି ସବୁ ମୂଳରେ ଜଣେ ମଣିଷ। ଆଜି ଯେତେବେଳେ ସାକ୍ଷାତକାର ଦେବାକୁ ପଡୁଚି, ବାପା, ମାଆଙ୍କର କଥା ପ୍ରଶ୍ନରେ ଆସୁଚି, ଆଖି ଓଦା ଆଉ ତଣ୍ଟି ଶୁଖିଯାଉଚି। ନିଃଶ୍ବାସ ପ୍ରଖର ହେଉଚି କେତେ ଆଉ କହିବି କୁହ । କେତୋଟି ଦିନ,କେତେବା ସମୟ, ସେତିକି ସମ୍ବଳ , ଅମୂଲ୍ୟ ସମ୍ପଦ ଆଜୀବନ।
ଝଗଡା ଲାଗିବାକୁ ଇଚ୍ଛାହୁଏ ସମୟ ସହିତ। ସବୁ ଅତୀତରେ କାହିଁକି, କାହିଁକି ବର୍ତ୍ତମାନ ନୁହେଁ। ଥିଲା ଅଛି କାହିଁକି ନୁହେଁ। ଏଇଆ ଜୀବନ ଏଇଆ ସଂସାର । ପ୍ରଶ୍ନ ଅନେକ, ଉତ୍ତର ସେଇ ଗୋଟିଏ ଭାଗ୍ୟ, କର୍ମଫଳ। ଏସବୁ ତୁଚ୍ଛା ଭାବନା।ଲଦିଦେଇଚି କିଏ ସେ ? ସାମାନ୍ୟ ଧୈର୍ଯ୍ୟ ଧରିଥିଲେ, ଫଳ ଭଲ ଆସିଥାଆନ୍ତା। କିଏ ଶୁଣିବ ଯେ ଏସବୁ କଥା। ପାଗଳର ପ୍ରଳାପ ହୁଏତ କହିପାରେ କିଏ । କୁହନ୍ତୁ, କାହା ପାଟିରେ ତାଲା ପକେଇବା ଆଉ। ବାକ୍ ସ୍ବାଧୀନତା ଅଛି ସଭିଙ୍କର ।
ଅଞ୍ଜୁ ପାଠ ପଢିଲା ମାମୁଘରେ। ସମସ୍ତଙ୍କୁ ଛାଡିକି ରହେ କେମିତି ସେ? ଧିରେ ଧିରେ ତା’ର ଆସିବା କମିଲା। ପାଠର ଚାପ ବଢିଲା। ମିଳାମିଶା ବହୁତ କମିଲା। ଥରେ ଥରେ ଲାଗେ ସେ ଆଉ କାହା ଘରର ପିଲା । ତା’ ଦୁଷ୍ଟାମୀ ଅନ୍ୟମାନଙ୍କ ଭଳି ଆଦୌ ନୁହେଁ। ଅଲଗା ବହୁତ। ଇଏ କ’ଣ ମ , ଇଏ କି କଥା। ମନ ହେଲେ ସାଙ୍ଗ ହବ ନହଲେ ନାହିଁ , ଧରା ଛୁଆଁ ଦବନି। ଏମିତି ବି ସେ କୋଉ କଥା ମାନୁଥିଲା ଯେ ! ଅବାଗିଆଟେ। କହିଲେ ତ ନିସ୍ତୁକ ପିଟେ, କାମୁଡେ, ଆମ୍ପୁଡେ ସେ ସବୁ କରିପାରେ। ସେଦିନରୁ ତା’ ପ୍ରତି ଡର ରହିଯାଇଚି ମୋ’ର। ଅଯଥା କାନ୍ଦ , ଅଯଥା କଳି ବେକାରିଆ କାମ ସବୁ।
Comments are closed.