Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୫

ତାଳପିଠା ଆଈ ଓ ଜେଜିର ଅଲଗା କିନ୍ତୁ ସୁଆଦିଆ। ଜଣେ  ରୂପନାରାୟଣର କୂଳରୁ ତ ଜଣେ ବୁଢାବଳଙ୍ଗ ତୀରରୁ। ନଦୀ ତ ଏକାଭଳି ଲାଗେ, ସର୍ପିଳ,  ଝରଝର, ବହିଯିବା ଧର୍ମ ଯା’ର। ପିଲାବେଳୁ ତା’ସହ ସମ୍ପର୍କ କେମିତି ଗୋଟାଏ  ଘନିଷ୍ଠ ହୋଇଯାଇଚି। ମଲେ ତୁଟିବ। ରୂପନାରାୟଣ, ଶୋଣ, ଗଙ୍ଗାହାର, ବୁଢାବଳଙ୍ଗ ….ସବୁ ଗୋଟିଏ ପ୍ରକାର କଥା କୁହନ୍ତି। । ରାନ୍ଧିବା  ଶୈଳୀ ଅଲଗା ଦୁହିଁଙ୍କର, ଜେଜିମା ଓ ଆଈର। ସ୍ବାଭାବିକ ଭାବରେ ଅଲଗା ହବଇ ହବ । ତାଳ ମୁଆଁ ମୋ’ର ଭାରି ପ୍ରିୟ। ଶାଳପତ୍ରକୁ କୋନଭଳି  କରି ତାଳମଣ୍ଡସହ ଚାଉଳଚୂନା ମିଶ୍ରଣରେ ବାମ୍ଫଉଠା ପାଣିରେ ନହଲେ ମଲା ଅଙ୍ଗାର ଉପରେ କେମିତି ରଖି ବନାନ୍ତି କେଜାଣି , ଖାଇବାକୁ  ବହୁତ ଭଲ ଲାଗେ । ରୁଟି, ଚକୁଳି, ବରା,କାକରା,ମଣ୍ଡା ଏମିତି ଏମିତି  ଅନେକ କିଛି ପିଠା ହୁଏ ଆମର।  ତାଳଗଜାର ଭୋଗ ଗର୍ଭଣା ସଂକ୍ରାନ୍ତି, କାର୍ତ୍ତିକ ହବିଷ ସହ ପୋଡପିଠା କଲେ ସ୍ବାଦ ଅପୂର୍ବ। ଆଉ ତାଳକନ୍ଦା ….ସୁରିଆ କି କାଠିଆ  ଖାଆନ୍ତି ସିଝେଇ, ପୋଡି। ଆଶୁ ଧାନ କୋଉ ସମସ୍ତେ  କରିପାରନ୍ତି ଯେ ! ଯାହାର ଜମିନାହିଁ  ଧାନ ସ୍ବପ୍ନ ତା’ ପାଇଁ। ମୂଲଲାଗି ଆଣିଥିବା ପଇସା ତେଲଲୁଣକୁ ନିଅଣ୍ଟ  , ତାଳପିଠା ତ ସ୍ବପ୍ନ। ବାଡିପଟେ ଗଦାହୁଏ ପାଚିଲା ତାଳ। ଆଉ ସେଥିରୁ ଗଜାହୋଇ ଗଛ ହେବାକୁ ଗଲେ ତା’ ମୂଳକୁ ଖୋଳି ଭୋକିଲା ମଣିଷ  ପେଟ ପୂରେଇବାକୁ ଖାଇଥାଏ। ଚାଖିଚି, ତା’ ସ୍ବାଦ।ଅଳ୍ପ ପିତା କଷା ମିଠାର ସମାହାର   ….ଥୁଃ କଲେ କେତେ କଷ୍ଟ ଲାଗିବ ଖାଉଥିବା ମଣିଷକୁ ,ସେଦିନ ବୁଲିମାଉସୀ ଦେଇଥିବା ତାଳକନ୍ଦା ପୋଡା ସେଇଥିପାଇଁ ଚୋବେଇକି  ଗିଳିଦେଇଥିଲି। କିଛି ଚାଉଳ ନେଇ ଦେଇଆସିଥିଲି,  ପିଠାର ପୁଡିଆ ସହିତ।

ଯୋଉଦିନ ବଡ ତାଳବରଡା ବିଞ୍ଚଣା ମିଳିଗଲା  ସେଦିନ ମାଆ, ବାପାଙ୍କ ସହ ଚନ୍ଦ୍ରାର ଖୁସି ଦେଖେ କିଏ। ଖୁବ୍ ଖୋଜୁଥିଲା ଏ ଚିଜକୁ। ମିଳିଗଲା  ଏକ ଅପୂର୍ବ ଜିନିଷ।   ଦୁଇ ହାତରେ ଧରି ବିଞ୍ଚିଦେଲେ ଘରସାରା ଲୋକ ଏକାଠି ବସିଥିଲେ ପବନ ହାଉଯାଉ।କରେଣ୍ଟ ଗଲେ ଆଉ ଡର ନାହିଁ।  କାମନା କରିବାକୁ କେହି ତତ୍ପର ହୁଅନ୍ତିନି। ଭାରିଲାଗେ।ହାତକାଟେ।ମାଆ   ଗରଗର,ବାପା ହସହସ। ମଜା ଲାଗେ ତା’ ପବନ ଦେହରେ ବାଜିଲେ।ଆଣ୍ଟିଙ୍କ କାମସହ ସ୍ବପ୍ନସବୁ ଓହଳିପଡନ୍ତି  ,ମୁକୁଳିହୁଏନା ସେଥିରୁ। ଆଉ ଭୁଲ୍ ହୋଇଗଲେ କଟିଯିବ ଅନେକ କିଛି।  ସେଇ ଆଖିକୁ ଡର, ଯିଏ ଅଦୃଶ୍ୟଭାବେ ଦେଖିନିଏ ଆଉ ପୁଳାଏ କାଟିଦିଏ। ନିଜ ବୋକାମି ଡାକିଆଣେ  ଅସମୟରେ ଅସୁବିଧାକୁ।

ଘରେ ଆଜିକାଲି  ପ୍ରତ୍ୟେକ କଥାରେ ଅଶାନ୍ତି। ବାପା ଦିନକୁଦିନ ଅସହିଷ୍ଣୁ, ମାଆ ଅସହାୟ ,ଆଉ ଦୁଇ ଭାଇଭଉଣୀଙ୍କର ପ୍ରତିଯୋଗିତା ସବୁକଥାରେ। ଚିତ୍ରା  ବୁଝେ ସବୁ। ଆକଟ କରିବାକୁ ଯାଇ ବାଡେଇବା ଭଲନୁହେଁ କହିଲେ ଶୁଣେନା।  ପ୍ରତିକ୍ରିୟାରେ ଲିପୁନ ଫିଙ୍ଗିଦିଏ ଅନେକ ଦରକାରୀ  ଜିନିଷ। କିଛି ଭାଙ୍ଗେ,କିଛି ବହେ  ,କିଛି ଚିରେ …ନଷ୍ଟ ହୁଏସବୁ।ଏକା ଏକା କେତେ ସମ୍ଭାଳିବ ଏମାନଙ୍କ ଦୌରାତ୍ମ୍ୟ।  ଘର ନା ସେଇଟା  ଯୁଦ୍ଧକ୍ଷେତ୍ର।

ଅନେକ କାମ ସହ ଅମୃତାର ଝିଙ୍ଗାସ ବରଂ ଭଲ , ଏଇ ଘର ତ ସ୍ବର୍ଗ ସତରେ !ଭାରି ଭଲ ଲାଗେ ନିଜ ହାତରନ୍ଧା। କିଛି ସମୟ ମିଳେ ନିଜପାଇଁ। ଆଉ କ’ଣ ଦରକାର ଯେ ବଞ୍ଚିବା ପାଇଁ।

ନିଜର ପାର୍ଲୋର ହବ, ଆଧୁନିକୀକରଣ ହବ ନୂଆଯନ୍ତ୍ରପାତିରେ। କିଛି ଲୋକ ରହିବେ କାମ କରିବାକୁ। ବହୁତ ସୁନ୍ଦର ସଜେଇବ।ରିସେପସନରେ ଚିତ୍ରା ବସିବ…ନା ନା। ସେ  ପାଠପଢିବ , ଡାକ୍ତରୀ  ବା ଇଞ୍ଜିନିୟରିଂ କରିବ। ହର୍ବାଲ କାମ କରିବ। ଗାଁରୁ ଶିଖିଥିବା ଅନେକ ଔଷଧୀୟ ଗୁଳ୍ମ ଲତାପତ୍ର,ଫୁଲଫଳର ତ୍ବଚାର ,କେଶର ଯତ୍ନ ନେବ।ରୋଜଗାର ଢେରହବ।ବସ୍ତିରୁ ନିଜଘରକୁ ଉଠିଆସିବ।ମାଆ  ସମ୍ପୂର୍ଣ୍ଣ  ଭଲ ହୋଇଯିବ। ଆଉ ବାପା….ସୁସ୍ଥମାନସିକତା ମଣିଷ…ଦେଖାଯାଉ… । ବହୁତ ପରିଶ୍ରମ, ବହୁତ ଯୋଜନା, ନିଷ୍ଠା ଏବଂ ସାଧନା  ଦରକାର …ଭାଗ୍ୟ  ବଦଳିବ ନିଶ୍ଚୟ । ଭାଇ ବହୁତ ଆଗକୁ ଯିବ। ଆଉ ନିଜେ…ହଃ ।

 

Leave A Reply

Your email address will not be published.