କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୦
ଯେତେବେଳେ ସମଗ୍ର ପୃଥିବୀ ନୀରବ ନିଶ୍ଚଳ ସେତେବେଳେ ହିଁ ଦେବୀ ହୃଦୟରେ ଝଙ୍କୁରିତ ହୁଏ ଏକ ବିଚିତ୍ର ସ୍ୱର। ସତେ ଯେମିତି ସଂସାରର ସମସ୍ତ ନିପୂଣ କଣ୍ଠଶିଳ୍ପୀ ଏକ ସ୍ୱର – ଲୟ – ତାଳରେ ଗାଇଛନ୍ତି ଏକ ସ୍ୱର୍ଗୀୟ ରାଗ।
ଦେବୀ ଭିତରେ ଜନ୍ମନିଏ ଏକ ଅଦ୍ଭୁତ କଳ୍ପନା। ସେ କଳ୍ପନାରେ ତା ଚାରିପାଖେ ତିଆରିହୁଏ ଫୁଲର ମନ୍ଦିର। ସେ ମନ୍ଦିର ଭିତରେ ପବନ ଆସନରେ ବସିଥାଏ ଜଣେ ଅପେକ୍ଷାରତ ନାରୀ ମୂର୍ତ୍ତୀ। ତା’ ଚରିଦିଗ ଝଲସୁଥାଏ ଅପୂର୍ବ ରଶ୍ମି ମଣ୍ଡଳ। ଦେବୀ ନିଜ ଆଖିରେ ଦେଖେ ନିଜକୁ।ସଂସାରର ସମସ୍ତ କଳ୍ପନା ଯେତେବେଳେ ଶାନ୍ତ,ସେତିକିବେଳେ ହିଁ ତା ଭିତରେ ଗୋଟେ ଗୋପନ ଦ୍ଵାରା ଖୋଲେ। ସେ ଦ୍ଵାର ଦେଇ ପଶିଆସେ ଜଣେ ଅମୃତ ମଣିଷ।ହାତରେ ତାରା ଫୁଲ,ଜହ୍ନର ଘଣ୍ଟ,ପବନର ପଖୋଜ। ଓଠରେ ଆବହାନ, ହୃଦୟରେ ସଂସ୍ଥାପନ, ଦେହରେ ବିସର୍ଜନର ମୁଦ୍ରାରେ ହୁଏ ମନ୍ତ୍ରପାଠ।
ଦେବୀ ଦେଖେ ଆଗନ୍ତୁକ ପୂଜକର ପ୍ରତିଟି ଶବ୍ଦ ପାଲଟି ଯାଉଛି ଦେବୀର ଦେବୀତ୍ଵ ହୋଇ। ତାର ପ୍ରତ୍ୟେକ କର୍ମମୁଦ୍ରା ପରମ ପ୍ରଶାନ୍ତିର ମହାବେଦୀ ହୋଇ ବ୍ୟାପି ଯାଉଛି ସଚରାଚର। ଦେବୀର କଳ୍ପନା ପ୍ରତିଥର ସତ ହୁଏ। ସେ ସତକୁ ସତ ସେ ଅଦିତୀୟ ପୂଜକ ଶବ୍ଦର ମନ୍ତ୍ର ମାୟାରେ ତାର ବଞ୍ଚିଥାଉଥାଉ ଦ୍ୱିତୀୟ ଜନ୍ମ ହୁଏ।
ବିଗତ ପନ୍ଦର ବର୍ଷରେ ସେ ଅନେକ ବାର ଏଇ କଳ୍ପନା କରିଥାଏ। ଏଇ କଳ୍ପନା ତକ ହିଁ ତା ଜୀବନର ଅମୂଲ୍ୟ ଅମୃତ ପ୍ରାପ୍ତି।
ଦେବୀ ଭିତରେ ଗୋଟେ କିଛି ହେଉଥିଲା। ରାତି ବଢ଼ିବାରେ ଲାଗିଛି। କେଉଁ କେତୋଟି ଶବ୍ଦ ତାର ନିହାତି ଦରକାର ସେତକ ବାଦ ସବୁ ସବୁକିଛି ଅସ୍ପୃଶ୍ୟ ଲାଗୁଛି। ସେ ଧିରେ ଧିରେ ଭୁଲି ଯାଉଛି ନିଜର ପ୍ରଶ୍ନ।ନିର୍ବାକ ପଥର ଖଣ୍ଡରେ ପରିଣତ ହେଉଛି ସେ ଦେଖୁଥିବା ମଣିଷ ଟିଏ। ଦେବୀ ଆଉଥରେ ଗଲା ବାରିପଛକୁ।କାହିଁକି ମନ ଏତେ ବିଚଳିତ,ବିଭ୍ରାନ୍ତ ତାର। ସେ କଣ ନିଜ ପାଦରେ ନିଜେ ବାନ୍ଧିଥିବା ଶିକୁଳିଟିକୁ ଛିଣ୍ଡେଇ ଦେଉଛି। ମହିମାମୟ ହୋଇ ଉଠୁଛି।
ହେଇ ଅନ୍ଧାର ଭିତରୁ ଦିଶୁଛି ଜଣେ ବୁଢୀ ମା ।ହାତରେ ଗୋଟିଏ ପାଚିଲା କରମଙ୍ଗା ଧରି ଡାକୁଛି ” ନେ ମାଆ ନେ।” ଆଠ ବର୍ଷ ହେଲା ମୋହିନୀ ଖୁଡି ମରିଗଲେଣି। ଯେତେବେଳେ ବି ଦେବୀର ମୋହିନୀ ଖୁଡିଙ୍କ କଥା ମନେପଡେ ସେତେବେଳେ ତା’ ଆଖି ଲୁହସଜଳ ହୁଏ। କେତେ ଭଲ ମଣିଷ ସେ ଥିଲେ।ତାଙ୍କ ହୃଦୟରେ ଥିଲା ପ୍ରେମର ସମୁଦ୍ର।
ଦେବୀକୁ କାନ୍ଦ ଲାଗିଲା । ଦିନ ଦିନେ ସେ ଖିଆଲି ମନରେ ଚାଲିଯାଉଥିଲା ଦେବର ଘରକୁ। କଳ୍ପନାରେ ସଜାଉଥିଲା ଅଗଣା।ସକାଳ ଓ ସଞ୍ଜରେ ଦେଉଥିଲା ଉଦୟ ଓ ଅସ୍ତ ସୂର୍ଯ୍ୟଙ୍କୁ ଦିନ ଆଉ ରାତିର ଉପହାର।
କ୍ରମଶଃ…..
Comments are closed.