Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୧୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୮

ସମସ୍ତ ଆଶଙ୍କାକୁ ସତ ପ୍ରମାଣିତ କରି ପଶ୍ଚିମ ଦିଗରୁ ଭାସି ଆସୁଥିଲା ବିଶାଳ ଏକ ଘନ କୃଷ୍ଣ ବାଦଲ। କିଛି ସମୟ ପରେ ତାହା ସ୍ଵତଃ କଳେବର ବୃଦ୍ଧିକରି ସାରା ଆକାଶକୁ ବ୍ୟାପିଗଲା। ଏକ ଅସହ୍ୟ ନିରବତା ସଞ୍ଚରିଗଲା ଚାରିଆଡ଼େ।

କିଛି ସମୟ ପରେ ଶୁଣାଗଲା କ୍ରୋଧୀ ବାଦଲର ସଶସ୍ତ୍ର ଧମକ। ପ୍ରଥମେ ଏହା ବିରୁଦ୍ଧରେ ପ୍ରତିବାଦ କଲେ କେତୋଟି କାଉ।ସେମାନେ ନିଜେ ନିଜର ଜନ୍ମଜାତ କଣ୍ଠସ୍ଵରରେ ଚେତେଇ ଦେଲେ କେତୋଟି ବଗଙ୍କୁ। ଅବଶ୍ୟ ବଗମାନେ ସେମାନଙ୍କର ଚିରାଚରିତ ଶଠ ଧ୍ୟାନରେ ବସି ଆଗନ୍ତୁକ ମାଛମାନଙ୍କୁ କେଉଁ ଏକ ବ୍ରହ୍ମଜ୍ଞାନ ଦେବାର ପ୍ରଚେଷ୍ଟା କରୁଥିଲେ।ନଈ ଆରପଟେ ଭ୍ରମଣ – ଗାୟନ – ଦ୍ୱନ୍ଦ୍ଵ-ଯୁଦ୍ଧ ପ୍ରବୀଣ କିଶୋର ସ୍ୱାନ କେତୋଟି ସହସା ପରିବର୍ତ୍ତିତ ସମୟକୁ ସଂଜବୁଡ଼ ଭାବି ବିଲୁଆ ମାନଙ୍କ ଉଦ୍ଦେଶ୍ୟରେ ଗାୟନ କଲେ ଅପୂର୍ବ ରାଗ ସଙ୍ଗୀତ।

ପରେପରେ ଆରମ୍ଭ ହେଲା ବର୍ଷା। ଏହାର ପ୍ରତିଟି ବର୍ଷା ଟୋପା ଥିଲା ତୀର ପରି ତୀକ୍ଷ୍ଣ । ପ୍ରକୃତିର ଏ ଅତର୍କିତ ଆକ୍ରମଣରେ ପ୍ରାଚୀ କୂଳର ସେ ନିସଂଗ ତାଳଗଛଅଟି କାନ୍ଦକାନ୍ଦ ଦେଖାଗଲା।ଚାରିଆଡ଼େ ଖେଳିଗଲା ଏକ ପ୍ରାକୃତିକ କୋଳାହଳ।

ଦେବୀକୁ ଆଉ କିଛି ଦେଖାଗଲା ନାହିଁ। ତା ଆଗରେ ଠିଆ ହୋଇଥିଲା ଏକ ବର୍ଷଣବ୍ୟାକୁଳ ଅନ୍ଧାର । ସେ କିଛି ନଭାବି ଦୌଡିଲା।
ଦୀର୍ଘ ସମୟ ଦୌଡ଼ିବା ଭିତରେ ସେ ଅନେକ ଥର ପଡିଯାଇଥିଲା। ସାରା ଦେହ କାଦୁଅ।କ୍ରମଶଃ ତାକୁ ଖୁବ୍ ଭୟ ଲାଗିଲା।ଆଗ ପଛ ବାଆଁ ଡାହାଣରେ କେହି ନଥିଲେ।ଚାରିଆଡ଼େ କେବଳ ଅନ୍ଧାର ଓ ବର୍ଷା।

ୟା ଭିତରେ ଅନେକ ସମୟ ବିତିଯାଇଥିଲା। ବହୁକଷ୍ଟରେ କିଛି ବାଟ ଗଲାପରେ ସେ ଗୋଟିଏ କୁଦ ଉପର ବସିପଡ଼ିଲା। କେତେ ସମୟ ଅତିକ୍ରାନ୍ତ ହେଲା ସେ ଜାଣେନା।ବର୍ଷା ଏକ ଅମାନିଆ ରାଜାର ରାଜଦଣ୍ଡ ପରି ବର୍ଷିବାରେ ଲାଗିଥିଲା।

ହଠାତ୍ ପୃଥିବୀର ଛାତି ବିଦାରି ଜଳିଉଠିଲା ଏକ ଲତା ବିଜୁଳି,ଗର୍ଜି ଉଠିଲା ଘଡଘଡି। ଏହାର ପ୍ରଚଣ୍ଡ ଶବ୍ଦ ଯେକୌଣସି ପ୍ରାଣୀକୁ ସଂଜ୍ଞାହୀନ କରିବାକୁ ଯଥେଷ୍ଟ।

ଦେବୀକୁ ଲାଗିଲା ସତେ ଯେପରି ଧ୍ଵଂସ ପାଇଯିବ ସମଗ୍ର ସଂସାର। ମାଟି ସହିତ ଥରିଉଠିଲା ତାର କୋମଳ ଶରୀର।ଧିରେଧିରେ ଆଖିଆଗେ ଚରିଗଲା ଏକ ପ୍ରଚଣ୍ଡ ଅନ୍ଧାର।

କ୍ରମଶଃ……..

Leave A Reply

Your email address will not be published.