କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୯
ମୁହାଣ ଆରପାଖ ଆକାଶ ଏବେ ସିନ୍ଦୂର ବୋଳି ହୋଇସାରିବଣି। ଶେଷଥର ଦେଖା ହୋଇଥିବା ସେ ଅଚିହ୍ନା ଚଢ଼େଇଟି ତା କେତେ ପୀଢ଼ିର ବଂଶଜଙ୍କ ଭିତରେ ହଜିଯିବଣି। ଦେବୀର ମନେ ନାହିଁ, କେବେଥରେ ଯାଇଥିଲା ସେ ସମୁଦ୍ର କୂଳକୁ। ସେଠି ଦେଖିଥିଲା ଦୁଇଟି ନଈ ଆଉ ସମୁଦ୍ର ଭିତରେ ରାସଲୀଳା। ସେ ଏକଥା ଜାଣିଥିଲା କି! ନା ନା। ତା’ର ବୟସ ଏମିତି କେତେ ହୋଇଥିଲା! ଦେବ ଭାଇ ସିନା ବୁଝେଇ ଦେଇଥିଲା ବୋଲି ସେ ଜାଣିଲା ନଈ ଆଉ ସମୁଦ୍ର ପ୍ରେମିକା -ପ୍ରେମିକ ବୋଲି।
ଓଢ଼ଣୀରେ ଲୁହପୋଛି ପାଉଁଶିଆ ହସ ମୁହଁରେ ଖଞ୍ଜି କହିଲା,ଦେବୀ। ସେ ଦେଖିପାରୁଥିଲା ଦେବ ମୁହଁରେ ଏକ ଅଦରକାରୀ ବ୍ୟସ୍ତତା। ସେ କେବେ କଳ୍ପନା ହିଁ କରିନଥିଲା ତା ପାଇଁ ଦେବ ଦୁଃଖୀ ହେବେ। ସେ ପରିବେଶକୁ ଆହୁରି ହାଲ୍କା କରିବା ପାଇଁ ଦେବ ମୁହଁକୁ ଚାହିଁଲା।
ସେ କଳନା କରୁଥିଲା ମନେ ମନେ । କାଳେ ଦେବ ପଚାରିଦେବ ତୋ ଆଗରେ ଫୁଟିଥିବା ଗୋଲାପର ରଙ୍ଗ କେମିତି? କାହିଁକି ମଣିଷ ମଣିଷ ଭିତରେ ଏତେ ସଂଘର୍ଷ। କାହିଁକି ଲୋକ ପ୍ରେମରେ ପଡନ୍ତି ଆଉ ହସିହସି ମରି ଯାଆନ୍ତି !
ଦେବୀ ନିଜକୁ ଚିହ୍ନିଲା ଏଇ ଅତୀତ ଭିତରେ। କାଦୁଅ ସରସର ହୋଇ ପଡ଼ି ଉଠି ଯାଉଯାଉ ଆଗରେ ଦେଖାଗଲା ଏକ କୁଡିଆ। କାଳ ବିଳମ୍ବ ନକରି ଦେବୀ କୁଡିଆ ଭିତରେ ପ୍ରବେଶ କଲା।ଅନ୍ଧାରରେ ଭର୍ତି ହୋଇଥିଲା ତାର ଅଭ୍ୟନ୍ତର । ଦେବୀକୁ ଭୟ ଲାଗିଲା। ଲାଗିଲା ଯେମିତି ଅନ୍ଧାର ନୁହେଁ କେଉଁ ଏକ ଆଶରିରୀ ଆତ୍ମାର ଘନକୃଷ୍ଣ ଛାଇ। ବାହାରେ ବର୍ଷା ଆଉ ପବନର ଯୁଗଳ ମୂର୍ତ୍ତି ସତେ ଯେପରି ଧ୍ଵଂସର ଅଭିନୟ କରୁଛନ୍ତି। ଅନ୍ଧାର ଭିତରେ ହାତ ମାରି ଦେବୀ ଜାଣିପାରିଲା ଯେ କୁଡ଼ିଆ ଚାଳରୁ ପାଣି ଗଳୁଛି। ଅନେକ ସମୟ ଧରି ବର୍ଷା ଓ ପବନ ସହିତ ଲଢ଼ିଲଢି ସେ ହାଲିଆ ହୋଇଯାଇଥିଲା। ତା ଆଖିଆଗର ଅନ୍ଧାର ସତେ ଯେମିତି ଧିରେ ଧିରେ କାବୁକରୁଥିଲା ତା ଚେତନାକୁ।
କ୍ରମଶଃ…..
Comments are closed.