Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୨
ଝଡ଼ବର୍ଷା, କରେଣ୍ଟ ଗଲା । ଇନ୍‌ଭୋଟରରେ ଅନେକ ସମୟ ଚାଲିବାପରେ ସେ ବି ଖତମ୍ । ଲୁଇସ୍ ଭିଲା ସମ୍ପୂର୍ଣ୍ଣ ଅନ୍ଧାର । ଏତେ ବର୍ଷାରେ ବୈଭବ ଫେରିପାରିବେ କି ନାହିଁ ବୋଲି ଫୋନ୍ କଲାରୁ ଧରିଲା ତାଙ୍କ ସେକ୍ରେଟାରୀ ରୋଜି । “ସାର୍ କନ୍ଫରେନ୍ସ ହଲ୍‌ରେ ବିଜି ଅଛନ୍ତି ।”
ବାପରେ ଫେରିବା ପରେ ତାଙ୍କର କି ରାଗ ! ତିନି ଦିନ କଥା ହେଲେନି ।
“ଏତେ ଅଧୈର୍ଯ୍ୟ କାହିଁକି? ଅପେକ୍ଷା କଲନି । ଝଡ଼ ତୋଫାନରେ କ’ଣ ଘରଟା ଭାସି ଯାଉଥିଲା, ନା’ ବାଟରେ ଆସୁଆସୁ ମୋ ଗାଡ଼ି
ଉପରେ ଗଛ ପଡି ଛତୁ ହେଇଯାଇଥିବ ବୋଲି ଡ଼ରୁଥିଲ? ଏତେ କ’ଣ ?
ମୁଁ ଛୋଟପିଲା ନୁହଁ, କି’ ତୁମେ ବି । ସେମିତି ଛୋଟଛୋଟ କଥାରେ ଅଫିସ୍‌କୁ ଫୋନ୍ କରିବନି ।”
ସେଇ ଦିନୁ ନିହାତି କିଛି ଅସୁବିଧା ନ ହେଲେ, ସେ ବି କରେନା ।
ହଁ ଆନିଭର୍ସରି କଥାରୁ କେତେ କଥା ମନେପଡୁଛି ଆଜି ।
ସେ ଦିନ ମଧ୍ୟ ବେଳୁବେଳ ତା’ ଚିନ୍ତା ବଢୁଥିଲା । କାଳେ କେଉଁଠି କିଛି ଅସୁବିଧା ହେଲାକି? ସନ୍ଧ୍ୟା ସୁଧା ଫେରି ଆସି ତାକୁ ମନ୍ଦିର ନେବେ ବୋଲି କଥା ଦେଇଥିଲେ ।
ଫେରିଲେ ବୈଭବ । ଲେଟ୍ ନାଇଟ୍‌ରେ । ଅବଶ୍ୟ ରାତି ଅଧଯାଏ ତାଙ୍କୁ ଜଗିବସିଥିବାର ଦେଖି “ସରି ଅରୁ ଲେଟ୍ ହେଇଗଲା”
ବୋଲି କହିବାକୁ ଭୁଲିନଥିଲେ ।
ତାଙ୍କ ନାଲିନାଲି ନିଦୁଆ ଆଖି ଓ ଟଳମଳ ପାଦ ଦେଖି ସେ ଅଧିକ କିଛି ପଚାରି ପାରିନଥିଲା । ସେ ବି କୋଉ ହୋସ୍‌ରେ ଥିଲେ ଯେ! ଏତେ ହାଲିଆରେ ଥିଲେ ଯେ, ଡ୍ରେସ୍ ଖୋଲିବାକୁ ବି ଧୈର୍ଯ୍ୟ ନଥିଲା । କୋର୍ଟଟା ଖୋଲି ଖଟ ଉପରେ ଏକ ପ୍ରକାର ଫୋପାଡ଼ି ଦେଇ ପୁରା ଫ୍ଲାଟ୍ ।
ସେଇଟିକୁ ନେଇ ୱାର୍ଡରୋବରେ ରଖୁରଖୁ, ପକେଟ୍‌ରୁ ଖସିପଡିଲା ନାଇଟ୍ ସୋ ସିନେମାର ଦୁଇଟି ଅଧାଚିରା ଟିକେଟ୍ ।
ସେ ଆଶ୍ଚର୍ଯ୍ୟ ହେଲା! ସେ ତ କହିଥିଲେ ମିଟିଙ୍ଗ୍‌ରେ ଅଛନ୍ତି । ତେବେ ଇଏ କ’ଣ? ଏ ବିଷୟରେ କିଛି ପଚାରିବା ଉଚିତ୍‌? କାହିଁକି ଉଚିତ
ନୁହେଁ?ସେ ତା’ ସ୍ୱାମୀ । ସାମାନ୍ୟ ପ୍ରଶ୍ନଟି ଦ୍ୱାରା ଯଦି ମନର ଦ୍ୱନ୍ଦ ଦୂର ହୁଏ, ତେବେ ଅସୁବିଧା କୋଉଠି? ଏ କଥା ସକାଳୁ ପଚାରିବ ।
ଅନ୍ତରାତ୍ମା ଯଦି ଭିତରୁ ନିର୍ଦ୍ଦେଶ ଦେଉଛି ତେବେ ମାନିଯିବା ଉଚିତ ।

Comments are closed, but trackbacks and pingbacks are open.