Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ :  ୧୫  

କେବେ ତ’ କହିନ ମତେ?

ଜରୁରୀ ଭାବିନି !

ବାହା ହେଲନି ତା’କୁ ।

ଜୀବନରେ ଅନେକ ମୋଡ଼ ଆସେ । ଅନେକ ଘଟଣା ଓ ଦୁର୍ଘଟଣା ଦେଇ ଗତି କରେ ମଣିଷ । କେହିକେହି ସେ ପରିଧି ଭିତରକୁ ଆସନ୍ତି ଓ ଚାଲିଯାଆନ୍ତି । ତା’ ମାନେ ସମସ୍ତଙ୍କୁ କ’ଣ ମ୍ୟାରେଜ୍ କରିବ? ତା’ପରେ ସେତେବେଳେ ସେ ସିଚୁଏସନ୍ ନଥିଲା ।

କିଛି କ୍ଷଣ ପାଇଁ ଅନ୍ୟମନସ୍କ ହେଇ ପଡିଲେ ବୈଭବ ।

ତା’ସହ କ୍ଲୋଜ୍ ଥିଲ?

ଓଭିଏସଲି!

କେତେ ଯାଏ?

ଇଟସ୍ ଠୁ ମଚ୍‌, ପଚାରିବାକୁ ଅନୁମତି ଦେଲି, ଜେରା କରିବାକୁ ନୁହେଁ । ଓକେ ଯଦି ପଚାରିଛ ତ ଶୁଣ । କ୍ଲୋଜ୍ ଥିଲୁ । ସମୟ
କାଟିଥିଲୁ । ବୁଲାବୁଲି କରୁଥିଲୁ ।’

ଆଉ?’
‘ଆଉ କ’ଣ ମାନେ? ଓଃ..ଶୁଣ ତେବେ, ସେମିତି ଏକାନ୍ତରେ ଗୋଟେ ଅବିବାହିତ ପୁରୁଷ ଓ ନାରୀ ଭିତରେ ଯାହା ଘଟିବାର ସମ୍ଭାବନା ଥାଏ, ସୁବିଧା ମିଳିଛି ଯେବେ ଅନେକ ଥର ତା’ବି ଘଟିଛି । ଆମେ ଏନ୍‌ଜଏ କରିଛୁ ।

ଏତେ ପରେ ବି ବାହା ହେଲନି?

ଏତେ ପରେ ମାନେ? ୟା ସହ ବାହାଘରର କି ସମ୍ପର୍କ ?

ଏତେ ସହଜରେ ମୋ ସାମ୍ନାରେ କହିପାରୁଛ ଏ ସବୁ!

ବୈଭବଙ୍କ ପ୍ରତ୍ୟେକଟି ବାକ୍ୟ ତା’ କଲିଜାକୁ ଚିରି ପକଉଥିଲା । ପାଦ଼ ତଳୁ ପୃଥିବୀଟା ଖସି ଯାଉଥିଲା ।

ଏତେ ପୋଜେସିଭ୍ ହବା ଦର୍କାର ନାହିଁ । ଏଟା ସେମିତି କିଛି ବଡ଼ କଥା ନୁହେଁ । ଏମିତି ଅନେକଙ୍କର ହୁଏ, ସେମାନେ ଲୁଚାନ୍ତି । ତୁମେ ପଚାରିଲ, ମୁଁ କହିଲି ।

କିନ୍ତୁ ତା’ପରେ ମୁଁ ମୋ’ ପାଠପଢା ପାଇଁ ଲଣ୍ଡନ ପଳେଇଲି । ତା’ଖବର କେବେ ଆଉ ରଖିନି । ସମୟ ଓ ପରିସ୍ଥିତି ଚାପରେ ଭୂଲିଯାଇଥିଲି । ବାସ୍ ସେ ଚାପଟର୍ ଖତମ୍ ।

ଏତେ ସହଜରେ ଭୁଲିପାରଲ? ପୁଣି ଏତେ ଆଗକୁ ଯାଇ?

ଓଃ ୟାର୍‌..ଏଠି ଆଗ ପଛ କି ସହଜ କଷ୍ଟ କଥା ପଡିନି । ଜୀବନରେ ଯେତେବେଳେ ଯାହା ଆସେ, ସେଇ ମୋମେଣ୍ଟଟାକୁ ଏନ୍‌ଜଏ କରିବା କଥା । ତା’ ପରେ ଆଗକୁ ବଢ଼ିବାର କଥା । ଯୋଉଠି ସେଇଠି ଅଟକି ଗଲେ କେମିତି ହବ? ବି ପ୍ରାକ୍ଟିକାଲ । କ’ଣ ଏତେ କ୍ୱଶ୍ଚିନ?’

ତେବେ କାଲି ସନ୍ଧ୍ୟାଟା କାହାସହ ଏନ୍‌ଜଏ କରିଛ?

ଏ ପ୍ରଶ୍ନରେ ବୈଭବ ଚିହିଁକି ଉଠିଲେ । ତା’ ଗାଲ ପାଖକୁ ହାତ ଯାଉଯାଉ ରହିଗଲା ।

‘ଲିମିଟ୍ କ୍ରସ୍ କରନି । କହିଥିଲି ମିଟିଙ୍ଗ୍ ଥିଲା । ପୁଣି କ’ଣ? ତମର କ’ଣ ଅସୁବିଧା ଅଛି ଏ ଘରେ? ଚାକର, ବାକର ,ଐସ୍ ଆରାମ କେଉଁଥିରେ ଅଭାବ ଅଛି? ରାଣୀ ହେଇ ରହିଛ । ସବୁ ଅଧିକାର ଦେଇଛି । କିନ୍ତୁ ଏତେ ଖୋଳିବାକୁ ଅଧିକାର ଦେଇନାହିଁ । ଆଇ ହେଟ୍ ଦିସ୍ ଡ଼୍ୟାମେଡ଼୍‌, ନୋ ଟାଇମ୍ ଫର୍ ଅଲ୍ ୟୋର୍‌
ଷ୍ଟୁପିଡ଼ କ୍ୱଶ୍ଚିନସ୍ ।’

 

Comments are closed, but trackbacks and pingbacks are open.