Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଆଉ କେଇଟା ପାକିସ୍ତାନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୪ 

ମୂଳ ହିନ୍ଦୀ : କମଳେଶ୍ୱର 

କେଡେ ଦୀର୍ଘ ସେ ଯାତ୍ରା! ମୁଁ ନିଜେ ବି ବୁଝି ପାରେନି କାଇଁକି ଏ ପାକିସ୍ତାନ କଥା ବାରମ୍ବାର ମୁଁ ଭାବିବସେ – କାଇଁକି ସେ ଚିନ୍ତା ମୋ ମନକୁ ବାରମ୍ବାର ଆନ୍ଦୋଳିତ କରେ? ସଲମା, ମୁଁ ଜୀବନରେ ଥରଟିଏ ହେଲେ ତୋ ପାଇଁ ନିଷ୍ଠୁର ହୋଇଛି? କେବେ ତୋ ମନରେ ଦୁଃଖ ଦେଇଛି ? ତା’ହେଲେ ତୁ ମୋ ପାଇଁ ଏମିତି ପଥର ପାଲଟିଗଲୁ କିପରି? ତୋ ନିଜପାଇଁ ଏତେ କଠୋର ପାଲଟିଗଲୁ କାହିଁକି? ତୁ ହସୁଚୁ? ମୁଁ ଭଲଭାବେ ଜାଣେ, ତୋର ସେଇ ହସ ଭିତରେ କେତେ ବିଷାକ୍ତ ତୀର ସବୁ ଭରି ରହିଛି । ଏ ହସରେ ନିଶ୍ଚିତ ଭାବେ କିଛି ସୁବାସ ନାହିଁ ଯାହା ମେହେନ୍ଦିର ବାସ୍ନା ଆଣିଦେବ, ଆଉ ସେ ବାସ୍ନା ରାତିର ମନ୍ଦ ମନ୍ଦ ପବନକୁ ମତୁଆଲା କରି ପକାଇବ । ସେ ପବନ!

ଆଃ, ସେ ଚିନ୍ତା ମୋ ମନକୁ ଆସିବା ମାତ୍ରେ ଏକ ଅଜଣା ଆନନ୍ଦରେ ମୁଁ ଶିହରି ଉଠୁଛି । ତୁ ମତେ ସଦାବେଳେ କହୁ ଯେ, ସେ ପବନରେ ମୁଁ କାଳେ ଗୋଟାପଣେ “ଆତ୍ମବିଭୋର’ ହୋଇଉଠେ  । ସେ ପବନ ଆମର ସୁଦିନମାନଙ୍କୁ କୁଆଡ଼େ ଉଡ଼େଇ ନେଇଗଲା! ତୋର ଏସବୁ କଥା ମନେ ଅଛି, ସଲିମା?

ମୁଁ ଠିକ୍‍ ଜାଣିଛି , ତୋର ସେସବୁ ଦିନ କଥା ନିଶ୍ଚୟ ମନେଥିବ । ଝିଅମାନେ କିଛି କଥା ଭୁଲନ୍ତି ନାହିଁ  । ସେମାନେ କେବଳ ଭୁଲିଯିବାର ଛଳନା କରନ୍ତି । ନ ହେଲେ ସେମାନଙ୍କ ଲାଗି ବଞ୍ଚିବାଟା ଅସହ୍ୟ ହୋଇପଡିବ ଯେ । ତତେ ସଲମା ବୋଲି ଭାବଲେ ବି ବିଚିତ୍ର ଲାଗେ, କିମ୍ବା ଜଣେ ନାରୀ ବୋଲି ଭାବିଲେ ବି ଆହୁରି ବିଚିତ୍ର ଲାଗେ । ମୁଁ କେବଳ ତୋତେ ବାନୋ ବୋଲି ଗ୍ରହଣ କରି ତୋ ବିଷୟରେ ଭାବିବାକୁ ଚାହେଁ । ସେଇ ବାନୋ, ଯିଏ ମୋ ଲାଗି ମେହେନ୍ଦି ଫୁଲ ଆଣୁଥିଲା । ମତେ ଲାଗେ ତୋ ନିଃଶ୍ୱାସରେ ବି ସେଇ ଫୁଲର ବାସ୍ନା ଭରି ରହିଥିଲା  । ତୁ ସେ ଫୁଲକୁ ଉଡେଇ ଦେଇ ସତେ ଯେପରି କହିବାକୁ ଚାହୁଁ, ‘ଯେତେବେଳେ ଏଇ ଫୁଲ ଉପର ଦେଇ ପବନ ବହେ, ସେସବୁ କେଡ଼େ ମହକେ!’ ବାନୋ, ସତ କଥା କହିଲେ, ସେ ପବନ ସତେ କି ମୋ ହୃଦୟକୁ ଛୁଏଁ – ମୁଁ ଗୋଟାପଣେ
ମତୁଆଲା ହୋଇଉଠେ । ହେଲେ ଆଜି ତତେ ବାନୋ ବୋଲି ଡାକିବାକୁ ମତେ ସଙ୍କୋଚ ଲାଗୁଛି । ମୋର ସନ୍ଦେହ ହୁଏ, ଆଜି ସେଇ ନାଁରେ ତୁ ନିଜକୁ ପରିଚିତ କରାଇବାକୁ ରାଜି ହେବୁ କି ନାହିଁ । ତା’ଛଡ଼ା ଆଉ ସେଇ ନାଁର ଅର୍ଥ ଅବା ତୋ ପାଇଁ କ’ଣ ରହିଛି?

ସେଦିନ ରାତିରେ ସତରେ ସେତକ ପାହାଚ ଚଢି ମୁଁ ତୋ କୋଠରି ଭିତରକୁ ପୁଣିଥରେ ଯାଇ ତତେ ଗୋଟାଏ ପ୍ରଶ୍ନ ପଚାରିବି ବୋଲି ଚାହିଁଥିଲି । ତତେ ଗୋଟିଏ କଥା ମନେ ପକାଇଦେବି ବୋଲି ଭାବୁଥିଲି  । ପୁଣି ଭାବିଲି- ତୁ ଭଲା ସେକଥା ଭୁଲି ପାରିବୁ କିପରି? ତୋ ପକ୍ଷେ କୌଣସି ଗୋଟିଏ କଥା ଭୁଲିବା ଅସମ୍ଭବ ।

ହେ ଭଗବାନ! ତୁ କ’ଣ ଜାଣିନୁ ସେଇ ଗୋଟିଏ ପାକିସ୍ତାନ ସୃଷ୍ଟି ହେବା ସହ ଆଉ କେତେ ପାକିସ୍ତାନ ତା’ରି ସହ ଜନ୍ମ ନେଇଥିଲା? କେତେ କେତେ ହୃଦୟରେ ଓ କେତେ କେତେ ସ୍ଥାନରେ? ସେଇ ପାକିସ୍ତାନ କିନ୍ତୁ କୌଣସି ଗୋଟିଏ ସମସ୍ୟାର ବି ସମାଧାନ କରି ପାରିଲାନି । ବରଂ ସବୁକିଛି ଗୋଳମାଳ କରିଦେଲା  । ଯାହା ଥିଲା, ଏବେ ସେସବୁ କିଛି ଆଉ ସେଇଆ ହୋଇ ରହିନି ।

ସେଦିନ ରାତିରେ ବି ସବୁକିଛି ଓଲଟପାଲଟ ହୋଇଗଲା  । ମୁଁ ଜାଣେନା, ସେଦିନ ଘର ପଛପଟ ଅଗଣାରୁ ସେ ଅଶ୍ୱତ୍‍ଥ ଗଛଟା ଅଥବା ବଦରୁ ମିଆଁ ଚିତ୍କାର କରି ଉଠିଥିଲା, ‘କାଦିର ମିଆଁ! … ଶଳା ପାକିସ୍ତାନ ହୋଇଗଲା ରେ … ଆଲୋ ଭଉଣୀ, ପାକିସ୍ତାନ ଗଠନ ହୋଇଗଲା…!’

ସେ ଦିନର ସେଇ ଜ୍ୟେସ୍ନାଭରା ରାତିଟା କେଡ଼େ ଭୟଙ୍କର ଲାଗୁଥିଲା! ତୁ ତ ତଳ ମହଲାରେ ଅଗଣାରେ ବିବସ୍ତ୍ର ହୋଇ ପଡ଼ିଥିଲୁ, ବାନୋ । ଜହ୍ନ ଆଲୁଅରେ ଗୋଟାପଣେ ଗାଧୋଉଥିଲୁ! ଘର ପଛପଟ ଅଶ୍ୱତ୍ଥ ଗଛର ପତ୍ର ସବୁ ପବନରେ ସାଇଁ ସାଇଁ ଶବ୍ଦ କରୁଥିଲେ  । ଠିକ୍‍ ସେତିକିବେଳେ ନର୍କ ଭିତରୁ ସତେକି ମଦରୁ ମିଆଁ ଚିତ୍କାର ଶୁଭୁଥିଲା, ‘କାଦିର ମିଆଁ ! … ଶଳା ପାକିସ୍ତାନ ମୁଣ୍ଡ ଟେକିଲାରେ… ଆଲୋ ଭଉଣୀ, ପାକିସ୍ତାନ ପରା ଗଢ଼ାହେଲା …!’

ମୁଁ ତୋ ଆଗରେ ମୋ ଜୀବନ ଯାତ୍ରାର ତିନୋଟି ପର୍ଯ୍ୟାୟ ବଖାଣିବାକୁ ଚାହେଁ । ପ୍ରଥମ ପର୍ଯ୍ୟାୟରେ ତ ବାନୋର ମେହେନ୍ଦି ଫୁଲର ବାସ୍ନାରେ ମୁଁ ଗୋଟାପଣେ ମତୁଆଲା ହୋଇପଡ଼ିଥିଲି । ଦ୍ୱିତୀୟ ପର୍ଯ୍ୟାୟଟିର ପରିସମାପ୍ତି ଘଟିଥିଲା, ଜ୍ୟୋସ୍ନାଭିଜା ରାତିରେ
ବାନୋର ସମ୍ପୂର୍ଣ୍ଣ ଉଲଗ୍ନ ଶରୀରକୁ ଦେଖି । ଆଉ ତୃତୀୟ ପର୍ଯ୍ୟାୟର ଅୟମାରମ୍ଭ ଘଟିଥିଲା ଯେତେବେଳେ ସେ ଦୁଆର ମୁହଁରେ ମୋ ସାମ୍ନାରେ ଆସି ଠିଆ ହୋଇଥିଲା । ଚୌକାଠ ଉପରେ ଦି’ହାତ ଥାପି ପଚାରିଥିଲା-

“କିଏ ଘରେ ଅଛନ୍ତି, ଶୁଣିବେ କି ….?”

“ହଁ, ବାନୋ, କେହି ଜଣେ ତୋ କଥା ଶୁଣିବାକୁ ଥିଲା …  ।”

ବାନୋ, ସେଇ ଗୋଟିଏ ଭୟଙ୍କର ମୁହୂର୍ତ୍ତର ଅନିଶ୍ଚିତ ନୀରବତା ପରେ, ତୁ କାହିଁକି ହସି ଉଠିଥିଲୁ? ମୁଁ ତୋର କ’ଣ କରିଥିଲି? ତୁ କ’ଣ ମୋ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲୁ ? ମୋ ଉପରେ? ମୁନୀର ଉପରେ? ନା ପାକିସ୍ତାନ ଉପରେ? ତୁ କାହାକୁ ଅପଦସ୍ଥ
କରିବାକୁ ଚାହୁଁଥିଲୁ? ମତେ? ତୋ ନିଜକୁ? ମୁନୀରକୁ? ନା…?

ଓଃ! ଆମ ଦୁହିଁଙ୍କ ମଝିରେ ଇଏ ପାକିସ୍ତାନ କାଇଁକି ବାରମ୍ବାର ଆସେ ଯେ ? ସେ ଦେଶ ସହ ଆମର ବା ଯାଏ ଆସେ କେତେ? ଆଃ! ପାକିସ୍ତାନ ନାଁଟି ସେଇ ନିଷ୍ଠୁର ବାସ୍ତବତା ଯାହା ଆମ ଦୁହିଁଙ୍କୁ ପରସ୍ପରଠାରୁ ଅଲଗା କରିଦେଲା । ଏଇ ସେଇ ବାସ୍ତବତା ଯାହା ଅନନ୍ତ ନୀରବତା ଭଳି ଆମ ଦୁହିଁଙ୍କ ମଝିରେ ଏକ ପ୍ରାଚୀର ସୃଷ୍ଟି କରିଦେଲା । ଏହି ଅଦୃଷ୍ଟ ଶୂନ୍ୟତା ଆମମାନଙ୍କ ପରିବାର ଭିତରେ,
ଆମମାନଙ୍କ ବନ୍ଧୁମାନଙ୍କ ମଧ୍ୟରେ ଏବଂ ଆମମାନଙ୍କ ଗୋଷ୍ଠୀ ଭିତରେ ଏପରି ଏକ ଅସୂୟା ଭାବ ଆଣି ଭରିଦେଲା ଯାହା ପରସ୍ପର ଭିତରେ ଘୃଣାଭାବ ସୃଷ୍ଟିକଲା । ପାକିସ୍ତାନ ଏକ ଅନ୍ଧାରି ମୁଲକ, ଏକ କ୍ଷେତ୍ର ଯେଉଁଠି କିଛି ଅନୁଭବ ନାହିଁ, ଏକ କ୍ଷେତ୍ର ଯେଉଁଠି ଅନ୍ୟର ଯନ୍ତ୍ରଣା ନିଜର ଯନ୍ତ୍ରଣା ନୁହେଁ, କିମ୍ବା ଅନ୍ୟର ଆନନ୍ଦ ନିଜର ଆନନ୍ଦ ନୁହେଁ । ସମ୍ଭବତଃ, ପାକିସ୍ତାନ ଏପରି ଏକ ନିଷ୍ପ୍ରାଣ ଓ ନିସ୍ପଳ ଭୂଇଁ ଯେଉଁଠି ପବନ କି ପ୍ରଶ୍ୱାସ ମେହେନ୍ଦିର ବାସ୍ନାକୁ ଚତୁର୍ଦିଗରେ ପ୍ରସାରିତ କରିବାର ଅବସର ସୁଦ୍ଧା ନାହିଁ । ହଁ, ନିଶ୍ଚେ ସେଇଆ ହୋଇଥିବ । ନ ହେଲେ ମୁଁ କାଇଁକି ଭଲା ଚିନାର ଭଳିଆ ଜାଗା ଛାଡି ଆଜି ଫକିର ଭଳିଆ ଏଣେତେଣେ ଘୂରି ବୁଲୁଥାଆନ୍ତି?

ତୋର ମନେ ଅଛି ସେ ଚିନାର କଥା ଯେଉଁଠି ମିଶନ ସ୍କୁଲ୍‍ କାନ୍ଥରେ ମେହେନ୍ଦି ଫୁଲ ଫୁଟିଥାଏ? ଗଙ୍ଗା କୂଳରେ ଥିବା ଅଶ୍ୱତ୍ଥ ବାଟ ଦେଇ ଯେଉଁ ବାଟେ ଆମେ ସ୍କୁଲ୍‍କୁ ଯାଉ, ସେଇବାଟରେ ଥିବା ରାଜା ଭର୍ତ୍ତୃହରି ଦୁର୍ଗର ଭଙ୍ଗା କାନ୍ଥ ଉପରେ ବସି ଆମେ ତେନ୍ତୁଳି ଖାଉ?
ମୁଁ ସେଦିନ ସନ୍ଧ୍ୟାର କଥା କେମିତି ଅବା ଭୁଲିପାରିବି, ଯେଉଁଦିନ କମ୍ପାଉଣ୍ଡର ଜମିନ୍‍ ଅଲ୍ଲୀ ମୋ ବାପାଙ୍କୁ କହିଥିଲା, ‘ମୁଁ ଜାଣିଚି ଏକଥା ସତ ନୁହେଁ, ହେଲେ ଆପଣ ଲୋକମାନଙ୍କୁ ବୁଝେଇବେ କେମିତି? ମଙ୍ଗଲକୁ ଆପଣ କେଇଦିନପାଇଁ ବାହାରକୁ ପଠେଇ ଦିଅନ୍ତୁ । ଯଦି ସେ ଏଠାରେ ରହେ ତା’ହେଲେ ବାନୋ ସହ ତା’ର ସମ୍ପର୍କ ଥିବା କଥା ନେଇ ଲୋକେ ଟୁପୁରୁଟାପୁରୁ ହେବେ  । ବାହାଘରର ତ
ପ୍ରଶ୍ନ ଉଠୁନି । ଏଇ ଘଟଣାକୁ ନେଇ ବୋଧହୁଏ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଯାଇପାରେ ।’ ତୁ କଳ୍ପନା ସୁଦ୍ଧା କରିପାରିବୁନି, ସେକଥା ଶୁଣିଲା ପରେ ମୁଁ ମନରେ କେତେ ଆଘାତ ପାଇଥିଲି । ମତେ କ’ଣ ସତରେ ଚିନାର ଛାଡିବାକୁ ପଡିବ? କିନ୍ତୁ, ମତେ ବାଧ୍ୟହୋଇ ଚିନାର
ଛାଡିବାକୁ ପଡିଥିଲା … ଓଃ, ଚିନାରର ସେ ରାତି ସବୁ କେଡେ ସୁନ୍ଦର! ଗଙ୍ଗାର ଚିରନ୍ତନ ସ୍ରୋତ, କାଶୀ ଅଭିମୁଖେ ଯାତ୍ରା କରୁଥିବା ନୌକାସବୁ, ଭର୍ତ୍ତୃହରିଙ୍କର ସେଇ ଭଗ୍ନ ଦୁର୍ଗ … ଆଉ ନଦୀ ଘାଟର ସେଇ ଚେକ୍‍ପୋଷ୍ଟର ଅଗଣା, ଯେଉଁଠି ବସି ମୁଁ ତୋତେ ଅପେକ୍ଷା କରି ରହୁଥିଲି- ତୋ ଆସିବାପାଇଁ ପ୍ରତୀକ୍ଷା- ପ୍ରତୀକ୍ଷା ଓ ବିସ୍ମୟ – କାଳେ ତୁ ଶେଷରେ ସେଇ ସବୁ ଗଳି ଭିତରେ ମୋ ଦୃଷ୍ଟିକୁ ଏଡ଼ାଇ ଚାଲିଯିବୁ । ସେଇ ଗଳିର ମାଟିକାଦୁଅ ଓ ମଇଳା ପାଣି ଭିଜା ରାସ୍ତାଦେଇ ଯାଇ ଗଙ୍ଗାକୂଳରେ ପହଞ୍ଚିଯିବୁ । ହେଲେ ତୁ କେବେ ବି ମୋ ଦୃଷ୍ଟିକୁ ଏଡାଇ ଯାଇ ନ ଥିଲୁ!  ମୁଁ ଅପେକ୍ଷା କରି ରହିଥିଲି ଯେ ରହିଥିଲି …

ଆମେ କେବେ ହଠାତ୍‍ ଆଉ ପିଲାହୋଇ ରହି ନ ଥିଲେ? ଆମେ ସତରେ ଜାଣିପାରି ନ ଥିଲେ, ଆମର ଏଇ ନିଷ୍ପାପ ମିଳନ ଲୋକମାନଙ୍କ ଆଲୋଚନା ଲାଗି ଖୋରାକ ଯୋଗାଇଚି । ଆମେ ସତରେ ଯୌବନରେ ପାଦଦେଇ ସାରିଥିଲେ ଓ ଆମ ବନ୍ଧୁତାକୁ ଏବେ ଲୋକମାନେ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରିଥିଲେ ।

ମୁଁ ଏକଥା ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି ଯେ, ଆମ ପ୍ରେମ ଦିନେ ଗାଆଁର ସାମ୍ପ୍ରଦାୟିକ ସଙ୍କଟ ସୃଷ୍ଟି କରିବ । ବାନୋ, କାଇଁକି ଏପରି ଘଟିଲା ଯେ? କିପରି ଅବା ଘଟିଲା? ହଁ, ମୁଁ ନିଶ୍ଚିତଭାବେ କହିପାରେ ଯେ, ତୋ ପାଖରେ ବି ଏ ପ୍ରଶ୍ନର କୌଣସି ଉତ୍ତର ନ ଥିବ ।
ସେଇ ଘଟଣା ପରେ ପରସ୍ପରକୁ ଭେଟିବାର ସୁଯୋଗ ଆଉ ଆମ ଭାଗ୍ୟରେ ଜୁଟିନି । ଧୀରେ ଧୀରେ ମୋ ଜୀବନର ତିନୋଟି ପର୍ଯ୍ୟାୟ କେତେବେଳେ ଅତିବାହିତ ହୋଇ ସାରିଥିଲା ।

କୌଣସି ପର୍ଯ୍ୟାୟରେ ହେଲେ ଦଣ୍ଡେ ଅଟକିଯାଇ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବାର ଅବସର ଆମକୁ ମିଳି ନ ଥିଲା । ଯେତେବେଳେ ମେହେନ୍ଦି ଫୁଲର ବାସ୍ନା ଆମକୁ ମତୁଆଲା କରିଥିଲା ସେତେବେଳେ ନୁହେଁ, କିମ୍ବା ଜହ୍ନଭରା ରାତିରେ ମୋ ସାମ୍ନାରେ ତୁ ଯେତେବେଳେ ସମ୍ପୂର୍ଣ୍ଣ ବିବସ୍ତ୍ର ହୋଇ ଶୋଇ ରହିଥିଲୁ ସେତେବେଳେ ନୁହେଁ ଅଥବା ଯେତେବେଳେ ଦୁଆରବନ୍ଧରେ ହାତଥାପି ତୁ ମତେ
ପଚାରିଥିଲୁ,‘ଆଉ କେହି ଅଛି କି ?’ ସେତେବେଳେ ବି ନୁହେଁ  ।

ମେହେନ୍ଦି ଫୁଲ, ଚିନାର, ମୋ ଘର, ଆମ ପ୍ରେମ ….. ମୋରି ଘର ଆଗ ଦେଇ ମୁଖ୍ୟ ବଜାରକୁ ପକ୍କା ରାସ୍ତାଟି ଲମ୍ବିଯାଇଛି । ସେଇ ରାସ୍ତାଟି ଗଙ୍ଗା କୂଳ ଦେଇ ସିଧାପଡିଛି ଭାଗୀରଥି ଦୁର୍ଗ ପର୍ଯ୍ୟନ୍ତ । ଚେକ୍‍ପୋଷ୍ଟ ପାଖରେ ରାସ୍ତାଟା ପୁଣି ଡାହାଣ ପଟକୁ ବାଙ୍କିଯାଇଛି । ବଜାରକୁ ଆଉ ଗୋଟିଏ ରାସ୍ତା ବି ଅଛି । ସେଇଟି ବଣୁଆ । ସେ ରାସ୍ତାର ସ୍ଥାନେ ସ୍ଥାନେ ମଇଳା ପାଣି ଜମିଥିବ । କେଉଁଠି ଅବା ସେ ପାଣି ଛୋଟ ନାଳଟିଏ ଭଳି ବହିଯାଇ ଗଙ୍ଗାକୂଳର ବାଲୁକାରାଶି ଭିତରେ କେଉଁଠି ହଜି ଯାଇଥିବ । ସେଇ ବାଟ ଦେଇ ଗଲେ ଯେଉଁ ଘରଟି ପଡେ, ତୁ ସେଇଠି ରହୁଥିଲୁ ।

ବାନୋର ଘର ପରେ ବିସ୍ତୀର୍ଣ୍ଣ କାଦୁଆ ଭୂଇଁ ଓ ମଇଳା ପାଣିର ସାଗରଟିଏ । ସେଇ କାଦୁଆ କ୍ଷେତଟି ଆରପଟେ ମିଶନ୍‍ ସ୍କୁଲ୍‍ । ଦିନେ ସେଇଟା ଗୋରା ସାହେବମାନଙ୍କର ଏକ ବଙ୍ଗଳା ଥିଲା । ସେ ବଙ୍ଗଳା ଚାରିକଡେ ମେହେନ୍ଦି ବୁଦା ଓ ବଣ ଦୁଦୁରା ଗଛ ଭରପୂର ଥିଲା । ସେଇ ଦୁଦୁରା ଗଛ ବେଳେବେଳେ ମତେ ପାଗଳ କରି ପକାଉଥିଲା । ମୋ ମନକୁ ଉଚ୍ଚାଟ କରୁଥିଲା । ଆମରି ଲାଗି ଯେତେବେଳେ
ସହରଟା ସାରା ସାମ୍ପ୍ରଦାୟିକ ଉତ୍ତେଜନାରେ ତେଜି ଉଠିଥିଲା, ସେଇ ଚେକ୍‍ ପୋଷ୍ଟ ପାଖରେ ବାନୋ କୌଣସିମତେ ଖସିଆସି ମତେ ଭେଟିଥିଲା ଓ କହିଥିଲା, ‘ଯଦି ମୌଲବୀ ସା’ବ୍‍ ଓ ଅନ୍ୟମାନେ ମତେ ଅଧିକ ହଇରାଣ ହରକତ କରନ୍ତି, ତା’ହେଲେ ମୁଁ ଦୁଦୁରା ପତ୍ର ଖାଇ ଆତ୍ମହତ୍ୟା କରିଦେବି । ମୋତେ ସାଙ୍ଗରେ ନ ନେଇ ତୁମେ ଏ ସହର ଛାଡ଼ିବାକୁ ଆଦୌ ଚେଷ୍ଟା କରିବନି । ଆଉ ଯଦି କର, ତା’ହେଲେ ଜାଣି ରଖିଥାଅ, ଆଖି ଆଗରେ ଗଙ୍ଗା ବହୁଚି । ତେଣୁ, କିଛି କରିବା ଆଗରୁ ଚିନ୍ତାକର ।’

ସେଦିନ ଆମେ ଅଧିକ କିଛି କଥାବାର୍ତ୍ତା ହେବାର ସୁଯୋଗ ପାଇ ନ ଥିଲୁ । ବାନୋ ଜଲ୍‍ଦି ଫେରି ଯାଇଥିଲା । ଆମ ଘର ଭିତରେ ଯେଉଁ ଝଡ ବହୁଥିଲା ସେକଥା ମୁଁ ତାକୁ ଜଣାଇପାରି ନ ଥିଲି । ଗାଆଁ ଦାଣ୍ଡରେ ପ୍ରତିଦନ କେହି ନା କେହି ମୋ ବାପାଙ୍କୁ ଧମକ ଦେଉଥିଲେ । ସମସ୍ତେ ଆଶଙ୍କା କରୁଥିଲେ ଯେ, ମତେ ସେମାନେ ମାରି ପକାଇବେ ଅବା ଆମ ଘର ଉପରେ ମୁସଲମାନମାନେ ହଠାତ୍‍
ଚଢ଼ାଉ କରିବସିବେ । ସେତେବେଳକୁ ପାକିସ୍ତାନ ସୃଷ୍ଟି ହୋଇ ସାରିଥାଏ, ବାନୋ! ତୋ ବାପା କିନ୍ତୁ ସେଇ ‘ଭର୍ତ୍ତୃହରି
ନମଃ’ ଲେଖାରେ ବ୍ୟସ୍ତ ଥାନ୍ତି ।

‘କେଉଁକାଳୁ ଘୂରି ବୁଲୁଚି ମୁଁ ଲୋ ମାତେ,
ବାରବୁଲା ଛାଡ଼ି ଫକିର ହେଲି ମୁଁ ସତେ ।
ଧର୍ମଛଡ଼ାଙ୍କ ଏଇ ଶେଷ ଦିନ ଆସିଗଲା,
ସମସ୍ତଙ୍କ ମନେ ଅଶାନ୍ତି ଆଣି ଦେଲା ।
ବନ୍ଧୁ ପରିଜନ ସମସ୍ତଙ୍କ ସ୍ନେହ ଛାଡ଼ି,
ସେମାନଙ୍କ ଆଗେ ଭକ୍ତି ମୋ ଦେବି ବାଢ଼ି ।
ଫକିର ସାଜି ମୁଁ ରାଜ୍ୟକୁ ଦେଲି ଉଜାଡ଼ି,
ସମସ୍ତଙ୍କ ମନେ ଦୁଃଖ ଦେଲି ମୁଁ ଭରି ।’

ଲୋକମାନେ କଥାବାର୍ତ୍ତା ହେଉଥିଲେ ଯେ, ତୋ ବାପା, ଡ୍ରିଲ୍‍ ମାଷ୍ଟରଙ୍କ ମୁଣ୍ଡ ଖରାପ ହୋଇଯାଇଛି । ସେଇଥିଲାଗି ସିଏ ‘ଭର୍ତ୍ତୃହରି ନମଃ’ ବୋଲି ଲେଖୁଛନ୍ତି । ଯେତେହେଲେ ଭର୍ତ୍ତୃହରି ଜଣେ ହିନ୍ଦୁ କବି । ‘ଆଉ ସିଏ ତ ଜଣେ ତୁର୍କ ନୁହଁନ୍ତି ଜଣେ ସ୍ଥାନୀୟ କୁଲି ମଜୁରିଆ ମାତ୍ର – ନୀଚ୍ଚ ଜାତିର ଲୋକ, ଯିଏ ନିଜ ଧର୍ମ ବଦଳେଇ ନେଇଥିଲା!’ ସେତେବେଳେ ଯାଇ ଆମେ ଜାଣିଲୁ ଯେ ଜଣେ ସଚ୍ଚା ମୁସଲମାନ କେବଳ ଇରାନୀ-ତୁରାନୀଙ୍କ ବଂଶଧର ହେବା ଆବଶ୍ୟକ । ଚିନାରର ମୁସଲମାନମାନେ ତା’ହେଲେ ସଚ୍ଚା ମୁସଲମାନ ନୁହଁନ୍ତି! ଡ୍ରିଲ୍‍ ମାଷ୍ଟରଙ୍କଠାରୁ ଏବେ ଲୋକମାନେ ନିଜକୁ ଦୂରେଇ ରଖୁଥିଲେ । ଆଉ ଯେତେବେଳେ ସେମାନେ ତୋ ସହ ମୋର ପ୍ରେମ କଥା ଜାଣିବାକୁ ପାଇଲେ, ସେମାନେ ହଠାତ୍‍ ହାତ ହତିଆର ଧରି ପ୍ରସ୍ତୁତ ହୋଇଗଲେ । ସତେ ଯେପରି ବାନୋକୁ ରକ୍ଷା କରିବା ଥିଲା
ସେମାନଙ୍କର ଏକମାତ୍ର ଧର୍ମ !

ମୁଁ ଜାଣିଥିଲି ଯେ, ଡ୍ରିଲ-ମାଷ୍ଟରଙ୍କର ଆମ ପ୍ରେମ ପ୍ରତି କୌଣସି ବିରୋଧାଭାଷ ନ ଥିଲା । ହେଲେ ସେକଥା ତୁ ଜାଣି ନ ଥିଲୁ । ହେଲେ ସେ ନାଚାର ଥିଲେ । ତେଣୁ ତାଙ୍କୁ ଅଗତ୍ୟା କହିବାକୁ ପଡ଼ିଥିଲା: ‘ମୌଲବୀ ସା’ବ୍‍ ଯାହା କହିବେ, ମୁଁ ସେଇଆ କରିବି!’ ଏପରିକି ଥରେ ସମସ୍ତଙ୍କ ଅଗୋଚରରେ ସେ ମୋ ବାପାଙ୍କୁ ଭେଟିଥିଲେ ଓ ଢେର କାନ୍ଦିଥିଲେ । ସେ ଘଟଣା ପରେ ବି ତାଙ୍କ ‘ଭର୍ତ୍ତୃହରି ନମଃ’ ଲେଖା ଅବ୍ୟାହତ ଥିଲା । ହେଲେ ଅନ୍ୟ କାହାକୁ ପଢ଼େଇବା ଲାଗି ତାଙ୍କର ସାହସ କୁଳେଇ ନ ଥିଲା । ଯେଉଁଦିନ ମତେ ସହର ଛାଡିବାକୁ ପଡ଼ିଲା ସେଦିନ ପର୍ଯ୍ୟନ୍ତ ମୁଁ ଜାଣିଥିଲି ଯେ, ସିଏ ତାଙ୍କ “ଭର୍ତ୍ତୃହରି ନମଃ” ଲେଖା ଛାଡ଼ି ନ ଥିଲେ । ଯେତେବେଳେ ଚେନ୍‍-ପୋଷ୍ଟର ସିଏ
କିରାଣିଠାରୁ ବିଦାୟ ନେବାକୁ ଯାଇଥିଲି, ସିଏ ତରବର କରି ମୋ ଝାଳୁଆ ହାତରେ ଖଣ୍ଡେ କାଗଜ ଗୁଞ୍ଜି ଦେଇଥିଲେ ।

ସେ ରାତି ବେଶ୍‍ ଭୟଙ୍କର ଥିଲା । ଚାରିଆଡ଼େ ମୃତ୍ୟୁର ଭୟ । ସମସ୍ତେ ଆତଙ୍କିତ ଜଣାପଡ଼ୁଥିଲେ । କାହାକୁ ଜଣାନଥିଲା, କେତେବେଳେ କାହା ଗାଆଁ ଭିତରୁ ‘ୟା’ ଅଲ୍ଲୀ , ୟା’ ଅଲ୍ଲୀ !’ ଚିତ୍କାର ଶୁଭିବ, ଆଉ ପର ମୁହୂର୍ତ୍ତରେ ଲୋକମାନଙ୍କ ଭିତରେ ହଣାକଟା ଆରମ୍ଭ ହୋଇଯିବ!

ସେତେବେଳକୁ ବନ୍ୟା ଜଳରେ ଗଙ୍ଗା ବି ଦି’କୂଳ ଖାଉଥାଏ । ନଈକୂଳର ସେ ଅଶ୍ୱତ୍‍ଥ ଗଛଟା ବନ୍ୟାଜଳରେ ରହି ରହି ଥରି ଉଠୁଥିଲା । ପବନର ବେଗ ବି ଢେର ବେଶୀ ଥିଲା । ଭଗ୍ନ ଦୁର୍ଗଟା ଭିତରେ ଆଶ୍ରୟ ନେଇଥିବା ଲୋକମାନଙ୍କ ତୁଣ୍ଡରୁ କେବଳ ଫିସ୍‍ଫିସ୍‍ ହୋଇ କେଇପଦ କଥା ବାହାରୁଥାଏ ଯାହା । ଆଉ ସେଇ ରାତିରେ ମୋ ବାପା ଅଧ ଡଜନେ ହିନ୍ଦୁ ଟୋକାଙ୍କୁ ସାଥିରେ ଧରି ମୋତେ ଆଣି ଷ୍ଟେସନରେ ଛାଡି ଦେଇ ଯାଇଥିଲେ । ମୁଁ ସତ କହୁଚି, ବାନୋ, ମୁଁ ପ୍ରାଣ ନେଇ ଗାଆଁରୁ ଆସି ଷ୍ଟେସନରେ ପହଞ୍ଚିବି । ସେ ଆଶା ମୋ ମନରେ ନଥିଲା! ପ୍ରଥମେ ମତେ ସମସ୍ତେ ବୁଝେଇଲେ ଯେ, ମୁଁ ଜଉନପୁର ଯାଇ ମୋ ମାମୁଁଘରେ ରହେ । କିନ୍ତୁ, ତା’ପରେ କିଏ କେଜାଣି ନିଷ୍ପତ୍ତି ନେଲା ଯେ ମୁଁ ବମ୍ବେ ଯିବା ଉଚିତ ଓ ସେଇଠି ରହି ରେଳବାଇ କାରଖାନାରେ ଚାକିରି ଖଣ୍ଡେ ଯୋଗାଡ଼ କରେ । ସେଠାରେ ମୋର ଆଉ ଜଣେ ମାମୁଁ ବି ରହୁଥିଲେ ।

ବାନୋ, ସିଏ ଯେ କି ଭୟଙ୍କର ରାତି! ସେଦିନ ରାତିରେ ଲୁଚିଛପି ପଳାଇଯିବା ବେଳେ ମତେ ଭାରି ଲାଜ ମାଡୁଥାଏ । ମୋ ମନ ଭିତରେ କେତେ ଯେ ଚିନ୍ତା ଖେଳି ବୁଲୁଥାଏ! ବେଳେବେଳେ ମନ ହେଉଥାଏ, ନା, ମୁଁ ପୁଣି ଘରକୁ ଫେରିଯିବି ଓ ହାତରେ ଫାର୍ଶାଟାଏ ଧରି ତୁମ ମୁସଲମାନ ଗୁଡାଙ୍କୁ ହାଣି ପଦା କରିଦେବି – ରାସ୍ତାଘାଟ, ସବୁଆଡ଼େ ରକ୍ତର ନଦୀ ବୁହାଇଦେବି ଓ ଜୋର ଜବରଦସ୍ତ ତୋତେ ନେଇଆସିବି । ଆଉ ଯଦି ସେକଥା କରି ନ ପାରେ, ତା’ହେଲେ ତୋତେ ଜୀବନରେ ମାରିଦେବି ଓ ନିଜେ ଗଙ୍ଗାକୁ ଡେଇଁପଡ଼ି ମରିଯିବି । ତଥାପି ମୋ ମନ ଲଜ୍ଜା ଓ ଗ୍ଲାନିରେ ଭରି ଉଠୁଥାଏ । ମୁଁ ଜାଣିଥିଲି ଯେ, ଡ୍ରିଲ୍‍ ମାଷ୍ଟରଙ୍କର ଆମ ପ୍ରେମ ପ୍ରତି କୌଣସି ପ୍ରକାର ବିରୋଧାଭାଷ ନାହିଁ । ସେଇଥିଲାଗି ତ ସେ ଚୁପ୍‍ ଥିଲେ । ଏକଥା ବି ମତେ ଜଣାଥିଲା ଯେ ସେ ତାଙ୍କ ‘ଭର୍ତ୍ତୃହରି ନମଃ’ ଲେଖା ବନ୍ଦ କରି ନଥାନ୍ତି । ସମ୍ଭବତଃ, ସେ ଯଦି ଏ ଲେଖା ଲେଖିବା ଆରମ୍ଭ କରି ନ ଥାନ୍ତେ, ତା’ହେଲେ ଆମ ସମ୍ପର୍କକୁ ନେଇ ଏତେଟା ହୋ ହାଲ୍ଲା ହୋଇ ନଥାନ୍ତା ।

ସତେ ଯେମିତି ଗାଆଁଟା ଯାକର ପରିବେଶରେ କିଏ ବିଷ ମିଶେଇ ଦେଇ ସାରିଥିଲା – ସତେକି ବିଷଧର ସର୍ପଟିଏ ଗାଆଁର ସମସ୍ତଙ୍କୁ ଦଂଶି ପକାଇଥିଲା । ମୋ ବାପାଙ୍କୁ ଗାଆଁର ସମସ୍ତେ ତାଗିଦା କରିଥିଲେ ଯେ ପରଦିନ ସକାଳୁ କେହି ଯେପରି ମୋ ମୁହଁ ଗାଆଁରେ ନଦେଖନ୍ତି । ରାତି ଅଧ ପର୍ଯ୍ୟନ୍ତ ସେଇ ଗୋଟିଏ କଥା ଉପରେ ଆଲୋଚନା ଚାଲିଥାଏ । ଗାଆଁର ନିଶାପ ସରିଲା ବେଳକୁ ଆଉ ମାତ୍ର ଗୋଟିଏ ଟ୍ରେନ୍‍ ଛାଡିବାକୁ ବାକିଥାଏ – ଆଉ ସେଇଟା ହେଲା ମୋଗଲସରାଇକୁ ଯାଉଥିବା ମାଲଗାଡ଼ି ।

ହଁ, ମତେ ଆମର ଛଅଜଣ ଟୋକା ସାଙ୍ଗରେ ଧରି ଷ୍ଟେସନ ପର୍ଯ୍ୟନ୍ତ ନେଇଗଲେ । ଆମେ ବଜାରବାଟେ ନ ଯାଇ, ବାଟଭାଙ୍ଗି ସେଇ ଭଙ୍ଗା ଦୁର୍ଗପଟ ଦେଇ ଗଲୁ । ରାସ୍ତାସାରା କିଟିମିଟି ଅନ୍ଧାର । ଚେକ୍‍ପୋଷ୍ଟ୍‍ର କ୍ଲର୍କଟି ଆମକୁ ତା’ଲଣ୍ଠନ ବତିଟି ଦେଖେଇଲା ଓ ଗଲାବେଳେ ମୋ ହାତରେ ଖଣ୍ଡିଏ କାଗଜ ଗୁଞ୍ଜିଦେଇଥିଲା । ସେତିକିବେଳେ ମୁଁ ଜାଣିବାକୁ ପାଇଲି ଯେ ତୋ ବାପା ‘ଭର୍ତ୍ତୃହରି
ନମଃ’ତଥାପି ଲେଖି ଚାଲିଛନ୍ତି ।

କାହିଁକି ସାଜିଲ ତୁମେ ବ୍ରହ୍ମଚାରୀ,
ବନ୍ଧୁ, ସେନା, ପାରିଷଦ ସମସ୍ତଙ୍କୁ ଛାଡି?
କାହିଁକି ବହିଲ ଆହେ ଦୀନଦୁଃଖୀ ବେଶ
ଛାଡ଼ି ରାଜଭୋଗ, ଭାଗ୍ୟ, ଆଉ ସୋମରସ?
କାହିଁକି ପିନ୍ଧିଲ ତୁମେ ଦରିଦ୍ର ବସନ
ଛାଡି ତୁଳିତଳ୍ପ ଶେଯ, ପାଟ, ମଣିରତ୍ନ?
ଦ୍ୱାର ଦ୍ୱାର ବୁଲି କାହିଁ ମାଗୁଅଛ ଭିକ
ହରିନାମ ସଂକୀର୍ତ୍ତନ କରିଚାଲି ଗାନ,
କାମରୂପ, ଢାକା, ବଙ୍ଗ ଭ୍ରମିଛ ତୁମେ?
ରାଜଭୋଗ ରାଜ୍ୟ କିବା ପଡୁନାହିଁ ମନେ?

ଏଇଟା ସମ୍ଭବତଃ ପାଗଳାମୀ – ରେଶମୀ ପୋଷାକ, ଚଦର, ସୁଗନ୍ଧିତ ଫୁଲ, ଅଫିମ – ଏସବୁ ହେଲା ବାସ୍ତବ । ହେଲେ ବାନୋ, ମେହେନ୍ଦି, କି ଧୁତୁରା ଫୁଲ ବି କୌଣସି ଗୁଣେ ଅବାସ୍ତବ ନୁହେଁ । …. ସେଇଥିଲାଗି ପାକିସ୍ତାନ ବି ବାସ୍ତବ … ଆମେ ଗୋଟାଏ ପାକିସ୍ତାନ ସୃଷ୍ଟିକରି କି ଲାଭ ପାଇଲେ ଭଲା?

ଆମ ସାଙ୍ଗରେ ପ୍ଲାଟଫର୍ମରେ ଅନେକ ଲୋକ ଥିଲେ । ରାତି ସାଢେ ଦୁଇଟା ବେଳେ ମାଲଗାଡିଟା ଛାଡିଲା  । ମୋ ବାପା ସେତେବେଳକୁ ବେଶ୍‍ ମାନସିକ ଦ୍ୱନ୍ଦ୍ୱ ଓ ଦୁଶ୍ଚିନ୍ତା ଭିତରେ ଥାଆନ୍ତି । ସମସ୍ତଙ୍କ ମୁହଁରେ ଭୟ ଓ ଆଶଙ୍କା ସ୍ପଷ୍ଟ ବାରି ହୋଇ ପଡୁଥାଏ । ସମସ୍ତେ ମନେ ମନେ ଲଜ୍ଜା ଓ ଗ୍ଲାନି ଅନୁଭବ କରୁଥାଆନ୍ତି । ସମ୍ଭବତଃ, ସେଇଥିଲାଗି ସମସ୍ତଙ୍କ ମନରେ କ୍ରୋଧ ବି ଜାତ ହୋଇଥାଏ । ଲାଗୁଥାଏ, ମୁଁ ଗାଆଁ ଛାଡିଲା ପରେ ସୁଦ୍ଧା, ସାମ୍ପ୍ରଦାୟିକ ଦଙ୍ଗା ଲାଗିଯାଇପାରେ । ମୁଁ ମନେ ମନେ ଭଗବାନଙ୍କୁ ଡାକି ଚାଲିଥାଏ । ଯଦି ଏଇ ହିନ୍ଦୁ ଲୋକମାନେ ଷ୍ଟେସନରୁ ଫେରି ଦଙ୍ଗାଗୋଳ ଆରମ୍ଭ କରିଦିଅନ୍ତି! ନିଶ୍ଚିନ୍ତ ମନରେ ନିଦ ଯାଇଥିବା ମୁସଲମାନ ଲୋକଙ୍କ ଉପରେ ହଠାତ୍‍ ଆକ୍ରମଣ କରିବସନ୍ତି!…ସେମାନଙ୍କୁ ଖଣ୍ଡ ଖଣ୍ଡ କରି କାଟିପକାନ୍ତି! ବାନୋ, ଜଣେ ହିନ୍ଦୁ ଲୋକ ହିନ୍ଦୁ ହୋଇ ବଞ୍ଚି ରହିବା କେଡେ କଷ୍ଟ ସତେ!

ଜଣେ ଲୋକ ହିନ୍ଦୁ ବୋଲି ନିଜର ପରିଚୟ ଦେବା ମାତ୍ରେ, ତାକୁ କେତେ ଯେ ତ୍ୟାଗ ସ୍ୱୀକାର କରିବାକୁ ପଡ଼େ! ସେ ବିଦାୟ କି ହୃଦୟ ବିଦାରକ ଥିଲା! ଶୀତୁଆ ଅନ୍ଧାର ରାତି । ପ୍ଲାଟଫର୍ମର ପଥର ଚଟାଣ ଭାରି ଥଣ୍ଡା ଲାଗୁଥାଏ । ଅଦୂରରେ ବିନ୍ଧ୍ୟ ପର୍ବତର ଚୂଡା ଝାପ୍‍ସା ଦିଶୁଥାଏ  । ରେଳ ଲାଇନ୍‍ର ଆରପଟେ ଥିବା ତାଳଗଛଗୁଡାକ ସତେ ଯେମିତି ମୁଣ୍ଡ ଟେକି ଆମକୁ ଚାହିଁ ରହିଥାଆନ୍ତି ।

ଏବେ ଭଲା କ’ଣ ଆଉ କହିବି? ମୋ ନିଜ ଘରୁ ଦିନେ ମୋତେ ଏମିତି ଅବସ୍ଥାରେ ବିଦାୟ ନେବାକୁ ପଡିବ ସେକଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି । ନିଜ ଭିଟାମାଟିରୁ, ନିଜ ଗାଆଁରୁ ବିଦାୟ ନେଇଥିବା କେହି କେବେ ତା ଜୀବନରେ ଶାନ୍ତି ପାଇପାରିବ ଭଲା? ବାନୋ
ରହୁଥିବା ଗଳି କଥା ମୋର ଆଜି ବି ସ୍ପଷ୍ଟ ମନେପଡୁଚି । ତାକୁ ଅପେକ୍ଷା କରି ମୁଁ ଘଣ୍ଟା ଘଣ୍ଟା  କାଳ ଚେକ୍‍ପୋଷ୍ଟ ପାଖରେ ଠିଆ ହୋଇ ରହେ । ତା’ପରେ ରାସ୍ତାରେ ପଡିଥିବା ମେହେନ୍ଦି ଫୁଲକୁ ଚାହିଁ ଚାହିଁ ସେଇ ଗଳି ରାସ୍ତାରେ ଆଗକୁ ଯାଏ  । ସେଇ ରାସ୍ତାରେ ତା’ର ପାଦଚିହ୍ନକୁ ଖୋଜିବାକୁ ଚେଷ୍ଟାକରେ । ମୋତେ ଲାଗେ ବାନୋ ନିଶ୍ଚେ ମୋତେ ଭେଟିବାକୁ ଘରୁ ବାହାରିଥିବ । ବାଟରେ ବୋଧହୁଏ ତାକୁ କେହି ବାରଣ କରି ପୁଣି ଘରକୁ ଫେରିଯିବାକୁ କହିଥିବ ।

ସତ କହିଲେ, ପାକିସ୍ତାନ ମୋ ଛାତିରେ ଶାଣିତ ଛୁରୀଟିଏ ପରି ପଶି ସାରିଥିଲା । ମୁଁ ଏକଥା ମଧ୍ୟ ଜାଣିଥିଲି ଯେ ଲୋକମାନଙ୍କୁ ଜୋର ଜବରଦସ୍ତ ଧର୍ମାନ୍ତରୀତ କରାଯାଉଛି; ସେମାନଙ୍କ ନାଁକୁ ବଦଳାଇ ଦିଆଯାଉଛି; ସେମାନଙ୍କୁ ହତ୍ୟା କରାଯାଉଛି  । ଲୋକଲଜ୍ଜା, ଭୟ ଓ କ୍ରୋଧରେ, ଲହୁ ଓ ଲୁହଭିଜା ଆଖିରେ, ପାଗଳ ପରି ମାନସିକ ସନ୍ତୁଳନ ହରାଇ ବସି ଅବା ହସି ହସି – ସେଦିନ ମୋର ଛାତି ଉପରେ ସବୁ ଯେପରି ପୋଡ଼ି ପାଉଁଶ ହୋଇଗଲା । ସତ କହୁଚି, ସେଦିନ ସେଇ ଘଟଣା ପରେ ମୋତେ ଯଦିବା ବାନୋ ମିଳିଥାଆନ୍ତା, ସେସବୁ ମୋ ଲାଗି ନିରର୍ଥକ ହୋଇଥାଆନ୍ତା ।

ସେଇ ଭୟଙ୍କର ସ୍ମୃତିରୁ ମୁଁ ଆଜିପର୍ଯ୍ୟନ୍ତ ସୁଦ୍ଧା ନିଜକୁ ମୁକୁଳାଇ ପାରିନି …. ବାନୋ ତା’ ନିଜ ଘରେ ବନ୍ଦିନୀ… ସେ ରାସ୍ତାରେ ପବନ ଆଉ ମେହେନ୍ଦି ଫୁଲକୁ ଉଡାଇ ନେଉନି । ସଂସାରଛଡ଼ା ବାବାଜୀଟିଏ ଘୂରିବୁଲିଲା ପରି ମୋ ମନ ନାନା କଥା ଚିନ୍ତା କରି ଚାଲିଥାଏ ।
ତା’ରି ଭିତରେ ଟ୍ରେନ୍‍ ଷ୍ଟେସନ ଛାଡ଼ିଲା । ମୁଁ ଭଲଭାବେ ଜାଣିଥିଲି, ଯେଉଁ ଜାଗାକୁ ମୁଁ ଛାଡ଼ି ଯାଉଛି, ଆଉଥରେ ସେ ଜାଗାକୁ କେବେ ଫେରି ପାରିବିନି ।

ଏକଥା ମୁଁ ଭଲଭାବେ ଜାଣିଥିଲି ଯେ, ବାନୋର ବାପା ବି ଚିନାର ବିନା ସେଠାରେ କି ପ୍ରକାର ଅଣନିଃଶ୍ୱାସୀ ହୋଇପଡିଥିବେ । ତାଙ୍କ ଜୀବନ ବି ଅଶାନ୍ତିରେ କଟିଥିବ । ହେଲେ ବାନୋ କଥା ମୁଁ ଆଉ କିଛି ଜାଣିପାରି ନ ଥିଲି, କେବଳ ଏତିକି ବିଶ୍ୱାସ ଥିଲା ଯେ, ବାନୋ ଗଙ୍ଗାକୁ ଡେଇଁ କଦାପି ଆତ୍ମହତ୍ୟା କରି ନ ଥିବ । ମୁଁ କେବଳ ଏତିକି ଜାଣିଥିଲି ଯେ, ବାନୋ କେଉଁଠି ନା କେଉଁଠି ବଞ୍ଚିରହିଚି – ସୁଖରେ ହେଉ, ଦୁଃଖରେ ହେଉ କି ଦୁଶ୍ଚିନ୍ତା ଭିତରେ ହେଉ । ସମ୍ଭବତଃ ସେ ଏବେ ଆଉ କାହାର ପତ୍ନୀ ହୋଇସାରିଥିବ । କାହାକୁ ପ୍ରେମ କରୁଥିବ । ଜଣେ ପତିବ୍ରତା ପତ୍ନୀ ପରି ତା’ସ୍ୱାମୀ ଓ ସନ୍ତାନମାନଙ୍କ ଶୁଭ ମନାସି ପ୍ରାର୍ଥନା କରୁଥିବ । ତା’ହାତକୁ ମେହେନ୍ଦିରେ ରଙ୍ଗାଉଥିବ । ତା’ପିଲାମାନଙ୍କୁ ପାଳୁଥିବ । ତା’ର ବର୍ତ୍ତମାନକୁ ନେଇ ସେ ଖୁସି ଥିବ, ଅତୀତର ସ୍ମୃତି ଲାଗି ମନଦୁଃଖ କରୁଥିବ । କିନ୍ତୁ ମୁଁ ଦୃଢ଼ନିଶ୍ଚିତ ଥିଲି ଯେ, ସେ କଦାପି ସେଇ ମୁହୂର୍ତ୍ତଟିକୁ ଏଯାଏ ଭୁଲି ନ ଥିବ, ଯେତେବେଳେ ଆମ ଦୁହିଁଙ୍କ ଭିତରେ ହଠାତ୍‍ ସମୟ ଏକ ଦୀର୍ଘ ପ୍ରାଚୀରଟିଏ ସୃଷ୍ଟି କରିଥିଲା । ସେଇ ମୁହୂର୍ତ୍ତଟିକୁ ସେ କଦାପି ଭୁଲିପାରି ନ ଥିବ ଯେତେବେଳେ ପାକିସ୍ତାନ ବୋଲି ଗୋଟିଏ ନୂଆ ରାଷ୍ଟ୍ର ଜନ୍ମ ନେଲା ଓ ସେଇ ମନସ୍ତାପର ମୁହୂର୍ତ୍ତ ଯାହା ତା’ଭଳି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଓଲଟପାଲଟ କରିଦେଇଛି । ସେଇ ଅଶୁଭ ମୁହୂର୍ତ୍ତର ଯେମିତି ଅନ୍ତ ଘଟି ନାହିଁ … ହଁ, ବାନୋ, ଯାହା ସବୁ ଘଟିଗଲା, ସେସବୁ ବିଧି ନିର୍ଦ୍ଦିଷ୍ଟ ଥିଲା । ମୁଁ ଯାଇ ମୋଗଲସରାଇଠାରେ
ପହଞ୍ଚିଲି । ସେଠାରୁ ଆହ୍ଲାବାଦ ଗଲି ଓ ଆହ୍ଲାବାଦଠାରୁ ବମ୍ବେ ଅଭିମୁଖେ ଟ୍ରେନ୍‍ ଧରିଲି ।

ସେଠାରେ ମୋ ଦାଦା ମୋ ଲାଗି ରେଳବାଇ ୱାର୍କସପ୍‍ରେ ଖଣ୍ଡିଏ ଛୋଟ ଚାକିରୀ ଯୋଗାଡ଼ କରିଦେଲେ । କିନ୍ତୁ ମାତ୍ର କେଇ ସପ୍ତାହ ପରେ ମୁଁ ପୁନା ପଳେଇଗଲି । ସେଠାରେ ଗୋଟିଏ ହସ୍‍ପିଟାଲ୍‍ ୱାର୍କସପ୍‍ରେ ଚାକିରୀ ଯୋଗାଡ଼ କଲି । ସେଠାରେ ଲୋକମାନଙ୍କର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ସବୁ ତିଆରି ହେଉଥିଲା । ମୋର ସେତେବେଳକୁ ଦୃଢ଼ ବିଶ୍ୱାସ ହୋଇସାରିଥିଲା ଯେ, ଚିନାରରେ ଆଉ
ତୁମ ପରିବାର କିମ୍ବା ଆମ ପରିବାର, କେହି ହେଲେ ଶାନ୍ତିରେ ରହିପାରିବେ ନାହିଁ । କିନ୍ତୁ ମୁଁ ବାପାଙ୍କଠାରୁ ଖବର ପାଇଲି ଯେ, ଆମରି ଭଳି ସେଠାରୁ ବହୁ ପରିବାର ବାସଚ୍ୟୁତ ହୋଇସାରିଥିଲେ ।

ଅସଲ କଥା ହେଲା, ଆମେ ଯେଉଁ ଚିନାରରେ ଜନ୍ମହୋଇ ବଢିଥିଲେ ସେ ଚିନାର ଢେର ବଦଳି ସାରିଥିଲା । ଯେତେବେଳେ ପାକିସ୍ତାନ ଭଳି ଗୋଟିଏ ରାଷ୍ଟ୍ର ସୃଷ୍ଟି ହେଲା, ସେତେବେଳେ ଦେଶର ଗୋଟିଏ ବିଶିଷ୍ଟ ଅଙ୍ଗ ସତେ କି ତା’ଦେହରୁ ଅଲଗା ହୋଇଗଲା । ସେ ଅଙ୍ଗଟି ଜୀବନଶୂନ୍ୟ ହୋଇଗଲା । ସେଠାରେ ଆଉ ଶସ୍ୟ ଉପୁଜିଲା ନାହିଁ କି ସେ ଆକାଶରେ ଆଉ ସେଇ ଏକା ରଙ୍ଗ ଦିଶିଲାନି । ବାଦଲମାନେ ଆଉ ସେଠାରେ ବର୍ଷିଲେନି କି ପବନ ଆଉ ବହିଲାନି । କେଇ ବର୍ଷ ପରେ ମୋ ବାପା ମୋ ପାଖକୁ ଚିଠି ଲେଖିଥିଲେ ଯେ, ଆଠଟି ମୁସଲମାନ ବୁଣାକାର ପରିବାର ଓ ଦୁଇଟି ହିନ୍ଦୁ ବଢ଼େଇ ପରିବାର ସାଙ୍ଗରେ ସେ ଚିନାର ଛାଡ଼ିଛନ୍ତି । ସେମାନେ ଏବେ ସେଇ ଉର୍ବର ଭୂଇଁ, ନୀଳ ଆକାଶ, ବର୍ଷାଭରା ବାଦଲ ଓ ଶୀତଳ ପବନକୁ ଖୋଜି ବୁଲୁଛନ୍ତି । ସେମାନେ ଏବେ ଭିୱାଣ୍ଡିଠାରେ ପହଞ୍ଚିଥିଲେ । ମୋତେ ଏକଥା ଜଣା ନ ଥିଲା ଯେ ସେମାନଙ୍କ ସହିତ ବାନୋର ପରିବାର ବି ଚିନାର ଛାଡିଥିଲେ ଓ ଭିୱାଣ୍ଡି ପଳେଇ ଆସିଥିଲେ । ଜଣେ ଡ୍ରିଲ୍‍ ମାଷ୍ଟରଙ୍କୁ ଅବା ସେଠାରେ କି ଚାକିରି ମିଳନ୍ତା? ଏକଥା ଭାବି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ।

ମୋ ବାପା ଭିୱାଣ୍ଡି ପଳେଇ ଆସିବାର କିଛି ଅର୍ଥ ଥିଲା- ଯେତେହେଲେ ସିଏ ଜଣେ ତୁଳା ବ୍ୟବସାୟୀ ଥିଲେ । ବୋଧହୁଏ ତାଙ୍କୁ ପ୍ରଥମେ ବେଶ୍‍ କଷ୍ଟ କରିବାକୁ ପଡ଼ିଥିବ । ମୋ ବାପାଙ୍କ ଚିଠି ବେଳେବେଳେ ଭାରି ବିଚିତ୍ର ଲାଗେ  । ଜାଣିଶୁଣି ସେ ଏମିତି ସବୁ ଅଜବ କଥା ଲେଖିଥାନ୍ତି । ହେଲେ କୌଣସି ଚିଠିରେ ସେ ଲେଖି ନ ଥିଲେ ଯେ, ବାଜ ମୋହଲ୍ଲାଠାରେ ସେ ତୁମରି ପରିବାର ସାଙ୍ଗରେ ଏକତ୍ର ରହୁଥିଲେ; ତୁମ ପରିବାର ତଳ ମହଲାରେ ରହୁଥିଲେ ଓ ସେ ଉପର ମହଲାରେ । ଡ୍ରିଲ ମାଷ୍ଟର କ’ଣ ତାଙ୍କ ପୂର୍ବର ଭୁଲ ବୁଝିପାରି ଏପରି ବ୍ୟବସ୍ଥାରେ ରାଜି ହୋଇଥିଲେ? ସେମାନଙ୍କ ସହ ଅନ୍ୟ ଯେଉଁମାନେ ଗାଆଁ ଛାଡ଼ିଥିଲେ ସେମାନେ ବେଙ୍ଗଲପୁରା କିମ୍ବା ନୂଆବସ୍ତି
ଅଞ୍ଚଳରେ ରହୁଥିଲେ ।

ସତରେ ବାନୋ, ମୋର ଭାରି ଇଚ୍ଛା ହେଉଥିଲା ଥରେ ଆସି ତୋତେ ଦେଖିଯିବାକୁ । କିନ୍ତୁ, ମୋ ମନରେ ସେତେବେଳେ ଖୁବ୍‍ ରାଗ ଥାଏ । ଆଉ ମୁଁ ଯେତେବେଳେ ଜାଣିଲି ତୁ ଆସି ଭିୱାଣ୍ଡିରେ ରହୁଚୁ ଓ ବାହା ହୋଇଯାଇଚୁ, ମୋ ମନ ଆହୁରି ମରି ଯାଇଥିଲା । ତା’ଛଡ଼ା ମୋ ବାପା ବି ମୋତେ ପରୋକ୍ଷରେ ସୂଚାଇଥିଲେ ଯେ, କିଛିଦିନପାଇଁ ମୁଁ ଭିୱାଣ୍ଡିଠାରୁ ଦୂରେଇ ରହେ । ସେ ଏକଥା
ବି ଲେଖିଥିଲେ ଯେ, ଡ୍ରିଲ୍‍ ମାଷ୍ଟରଙ୍କ ପ୍ରତି ତାଙ୍କ ମନରେ ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ଅଛି । ତେଣୁ ମୁଁ ସେଠାକୁ ଯାଇ ତାଙ୍କୁ ଲଜ୍ଜିତ କିମ୍ବା ଅପମାନିତ କରେ ସେକଥା ସେ ଚାହାନ୍ତି ନାହିଁ । କାରଣ, ତାଙ୍କ ବିବେଚନାରେ ଡ୍ରିଲ ମାଷ୍ଟରଙ୍କର ଏସବୁ ଘଟଣାରେ କିଛି ଦୋଷ ନ ଥିଲା । କି ବିଚିତ୍ର ପରିସ୍ଥିତି ସତେ! ସେଇ ଏକା ଘରେ ମୁଁ ତୋ ସାଥିରେ କେମିତି ଭଲା ରହିପାରନ୍ତି! ମାନସିକ ଦ୍ୱନ୍ଦ୍ୱ ଓ ଦୁଶ୍ଚିନ୍ତା ଭିତରେ ମୁଁ ସନ୍ତୁଳି ହୋଇଯାଉଥିଲି  । ଯଦି ମୁଁ ମୋର କ୍ରୋଧକୁ ସମ୍ଭାଳିପାରି କିଛି ଗୋଟିଏ ଅଘଟଣ ଘଟାଇ ବସିଥାଆନ୍ତି! କାରଣ ସୁପ୍ତ
ଆଗ୍ନେୟଗିରିଯିଏ ପରି ମୋ ଭିତରେ ମୁଁ ନିଜେ ଜଳିଜଳି ଚାଲିଥିଲି । ବାରୁଦଗଦାଟିରେ କେତେବେଳେ ଯେ ନିଆଁ ଲାଗିଯିବ ସେକଥା କିଏ କହିବ! ଅଥବା, ତୋ ସ୍ୱାମୀ ସହ ତୋତେ ଦେଖି ମୁଁ ସେପରି ଦୃଶ୍ୟକୁ ବରଦାସ୍ତ କରିପାରି ନ ଥାନ୍ତି! କିମ୍ବା, ତାକୁ ଯଦି ମୋର ବୁଦ୍ଧି ଓ ବଳ ପ୍ରୟୋଗ କରି ଭିୱାଣ୍ଡିରୁ ଭଗାଇ ଦେଇଥାଆନ୍ତି? ଯେମିତି ଦିନେ ତୋ’ଲୋକମାନେ ମୋତେ ମୋ ଭିଟାମାଟିରୁ ବିଦା କରି ଦେଇଥିଲେ । ଅବା, ହଠାତ୍‍ ଦିନେ ରାତିରେ ମୋର ଧୈର୍ଯ୍ୟର ସବୁ ସୀମାକୁ ଅତିକ୍ରମ କରି ମୁଁ ତୋ ପାଖରେ ଯାଇ ପହଞ୍ଚି ଯାଇଥାଆନ୍ତି…?

ଏକଥା ସୁନିଶ୍ଚିତ ଯେ ମୋ ବାପା ଓ ଡ୍ରିଲ ମାଷ୍ଟର, ପରସ୍ପରକୁ ବୁଝାଇ ସାରିଥିଲେ ଓ ଦୁହେଁ ଦୁହିଁଙ୍କୁ ଦୋଷମୁକ୍ତ ବୋଲି ବିଶ୍ୱାସ କରୁଥିଲେ । ହେଲେ ମୋ ପାଇଁ କହିବ କିଏ? ମୁଁ କ’ଣ ଦୋଷମୁକ୍ତ ନୁହେଁ? ସେମାନେ ତ କିଛି ହରାଇ ନ ଥିଲେ । ଏପରି ଘଟଣାରେ ମୁଁ ତ ସବୁକିଛି ହରାଇଥିଲି, ମନରେ କଷ୍ଟ ପାଇଥିଲି । ଏବେ ଯନ୍ତ୍ରଣାରେ ଶଢ଼ୁଥିଲି । ସେଇ ଦିନଠାରୁ ମୁଁ ଚିନାରରୁ ନିର୍ବାସିତ ହୋଇଥିଲି, ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନ ଘୂରି ବୁଲୁଥିଲି । ମୋ ମୁହଁରେ ସତେ ଯେପରି ଏକ ମୁଖା ଥିଲା, ହାତରେ ଗ୍ଲୋବ୍‍ସ୍‍ ଏବଂ ଅଣ୍ଟାରେ ଛୁରୀ…ହେଲେ, ବାନୋ, ସେତେବେଳକୁ ଭିୱାଣ୍ଡିରେ ବି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇସାରିଥିଲା । ଆମେ ଦୁହେଁ ପରସ୍ପରକୁ ଭଲ ପାଇବା ତା’ର କାରଣ ନ ଥିଲା । ବରଂ ଦୁଇ ସମ୍ପ୍ରଦାୟ ପରସ୍ପରକୁ ଭଲ ନପାଇବା ହିଁ ମୂଳ କାରଣ ଥିଲା । ମୁଁ ନିଜେ ଜାଣି ନ ଥିଲି, ତା’ର ଶେଷ ପରିଣତି କ’ଣ ହେବ । ପାଞ୍ଚବର୍ଷ ପୂର୍ବରୁ, ସବୁ ଗଣ୍ଡଗୋଳର ମୂଳ କାରଣ ମୁଁ ବୋଲି ଲୋକେ କହୁଥିଲେ । ହେଲେ, ଏବେ ତ ମୁଁ ସେଠାରେ ନ ଥିଲି … ଭିୱାଣ୍ଡିଠାରୁ ମୁଁ ଜାଣିଶୁଣି ନିଜକୁ ଦୂରେଇ ରଖିଥିଲି । ମୋର ଆଶଙ୍କା ହେଉଥିଲା, ମୁଁ ଯଦି ତୋତେ ଆଉଥରେ ଭେଟିବି, ବୋଧହୁଏ ସାନି ଦଙ୍ଗା ଲାଗିଯିବ … କିନ୍ତୁ, ଶେଷରେ ମୁଁ ଯେତେବେଳେ ତୋତେ ଭେଟିଲି…
ଚନ୍ଦ୍ରକିରଣ ଭିଜା ରାତି ଓ ବାନୋ …. ଦଙ୍ଗା ଘଟିବାର ଦଶ ଦିନ ପରେ ମୁଁ ଭିୱାଣ୍ଡିଠାରେ ପହଞ୍ଚିଥିଲି ।

ମୁଁ ଯେତେବେଳେ ସହରରେ ପ୍ରବେଶ କଲି, ମୋ ଆଖିରେ ଦରପୋଡା ଘରସବୁ ପଡିଲା । ବଡ ବଡ କୋଠାମାନଙ୍କ ମଝିରେ ସେମାନେ ସବୁ ଗୋଟିଏ ଗୋଟିଏ କୃଷ୍ଣଗର୍ତ୍ତ ପରି ଚାହିଁ ରହିଥାଆନ୍ତି । ଚାରିଆଡେ ଗଦା ଗଦା ପାଉଁଶ, କୁଢ଼ କୁଢ଼ ଅଙ୍ଗାର । ସେ ପବନରେ ଏବେ ସୁଦ୍ଧା କେମିତି ଏକ ଧୂଆଁର ଗନ୍ଧ ଭରି ରହିଥାଏ । ସତେକି ଏଇ କିଛି କ୍ଷଣ ଆଗରୁ ସେ ନିଆଁକୁ କିଏ ଲିଭେଇ ଦେଇଚି । ସେ ଗନ୍ଧ କି ତୀବ୍ର ଉତ୍କଟ ଆଉ ଅସହ୍ୟ ଲାଗୁଥାଏ! ଯେମିତି ଶରୀର ଭେଦକରି ତାହା ହୃଦୟକୁ ବିଦ୍ଧ କରି ପକାଉଥାଏ । ବାନୋ, ତୁ ନିଶ୍ଚେ ଏ ଗନ୍ଧ ବାରି ପାରିଥିବୁ ।

ସେଦିନ ଉତ୍ତୀର୍ଣ୍ଣ ସନ୍ଧ୍ୟାରେ ମୁଁ ଯେତେବେଳେ ବସ୍‍ଷ୍ଟାଣ୍ଡଠାରେ ଓହ୍ଲେଇ ପଡ଼ିଲି, ଚାରିଆଡ଼ ଶୂନ୍‍ଶାନ୍‍ ଲାଗୁଥିଲା । ଗୋଟାଏ ବଡ ସିନେମା ପୋଷ୍ଟର ତଳେ କେଇଜଣ କର୍ତ୍ତବ୍ୟରତ ପୋଲିସ୍‍ ସ୍ୱାଭାବିକ ଭାବେ ଠିଆ ହୋଇଥିଲେ । ଅଧିକାଂଶ ବସ୍‍ ଖାଲିଖାଲି ଲାଗୁଥିଲା । ସଙ୍ଗେ ମିନାର୍‍, ଆଲିବାଗ୍‍, ଭୋରୱାର୍ଡା, କିମ୍ବା ସିନ୍ନାର ଆଡ଼କୁ ଯିବାଲାଗି ପ୍ରାୟ କେହି ଯାତ୍ରୀ ନଥିଲେ – ଏପରିକି ଶିରିଡ଼ିକୁ ଯିବାକୁ ସୁଦ୍ଧା କେହି ନ ଥିଲେ । ଆଉ ଗୋଟିଏ ଲୋକାଲ୍‍ ବସ୍‍ଷ୍ଟପ୍‍ ପାଖରେ ଅଧିକ ପୋଲିସ୍‍ ଠିଆ ହୋଇଥିବାର ମୋ ଦୃଷ୍ଟିରେ ପଡ଼ିଲା । ସେମାନେ ଯେମିତି ବାରବୁଲା ବେଦୁଇନ୍‍ ପରି ଦିଶୁଥିଲେ । ଯଦି ସେମାନଙ୍କ କାନ୍ଧରେ ବନ୍ଧୁକଟିଏ ଲେଖାଏଁ ଝୁଲୁ ନ ଥାନ୍ତା, ତା’ହେଲେ ସେମାନେ ପୋଲିସ୍‍ବାଲା ବୋଲି ମୁଁ ଆଦୌ ଠଉରାଇ ପାରି ନ ଥାନ୍ତି । ସେମାନଙ୍କ ବେତବାଡ଼ି ସବୁ ବିଡ଼ାଏ ଆଖୁ ଭଳି ଗୋଟିଏ
ଜାଗାରେ ଥୁଆ ହୋଇଥାଏ । ରାସ୍ତାଘାଟ ସବୁ ପରିତ୍ୟକ୍ତ, ଜନମାନବଶୂନ୍ୟ । କେବଳ କଲେକ୍ଟରଙ୍କ ଡାକବଙ୍ଗଳା ତଳେ କେଇଜଣ
ଲୋକଙ୍କୁ ଟହଲ ମାରୁଥିବାର ମୁଁ ଦେଖିଲି । ଥାନେ କି କଲ୍ୟାଣ ଯିବାଲାଗି ଖଣ୍ଡିଏ ଟ୍ୟାକ୍ସି ସୁଦ୍ଧା  ମିଳୁ ନ ଥାଏ ।

ତୁ ନିଶ୍ଚେ ଜାଣିଥିବୁ, ଦଙ୍ଗାଗ୍ରସ୍ତ ସହରର ରାସ୍ତାରେ ଏକୁଟିଆ ଚାଲି ଚାଲି ଯିବା କେତେ ବିପଦପୂର୍ଣ୍ଣ । ହେଲେ ମୋ ମନରେ ସାମାନ୍ୟ ଶଙ୍କା ନ ଥିଲା । ଚାରିଆଡ଼ ଖାଁ ଖାଁ କରୁଥିଲା  । କେମିତି ଏକ ବିଚିତ୍ର ନୀରବତା ପରି ଲାଗୁଥିଲା । ଏକ ଅସ୍ୱାଭାବିକ ଶୂନ୍ୟତା ଚାରିଆଡ଼େ
ବ୍ୟାପି ଯାଇଥିଲା  । ବୋଧହୁଏ କିଛି ଦିଶୁ ନ ଥିଲା, ଅଥବା ସେଇ ନୀରବତା ଓ ଶୂନ୍ୟତା ଭିତରେ ସବୁ କିଛି ବାରି ହୋଇପଡ଼ୁଥିଲା । ଏପରି ହିଂସ୍ର କି ଆବେଗପୂର୍ଣ୍ଣ ହେବାର କାରଣ ଅବା କ’ଣ ଅଛି! ଯେତେବେଳେ କି କୌଣସି ଘଟଣା ସହ ସେ ନିଜେ ସଂଶ୍ଳିଷ୍ଟ ନୁହେଁ!
ଏପରିକି ପୁନା ଭଳି ଛୋଟ ସହରରେ ସୁଦ୍ଧା ବାଜା ମୋହଲ୍ଲା ଖୋଜି ବାହାର କରିବା କଷ୍ଟକର ବ୍ୟାପାର ନ ଥିଲା । ଯାହା ହେଉ, କୌଣସିମତେ ମୁଁ ତାହା ଖୋଜି ବାହାର କଲି ଓ ଘରଟିକୁ ଠାବକଲି । ହେଲେ ସାରା ମୋହଲ୍ଲାଟା ଜନଶୂନ୍ୟ ପରି ଲାଗୁଥିଲା । ମଣିଷ କ’ଣ କେବେ ନୀରବ ଓ ନିଶ୍ଚଳ ପରିବେଶ ଭିତରେ ରହିପାରେ?

ସତ କହୁଚି ବାନୋ, ମୁହୂର୍ତ୍ତଟିଏ ଲାଗି ମୋ ମନକୁ ଆସିଲା, ମୁଁ ଯଦି ଚିନାର ଛାଡ଼ି ନଥାନ୍ତି, ତା’ହେଲେ ସେ ଗାଆଁ ମଧ୍ୟ ଏମିତି ନୀରବ ନିଶ୍ଚଳ ହୋଇଯାଇଥାଆନ୍ତା । ସେତିକିବେଳେ, ବାନୋ, ତୋରି କଥା ମନେପଡ଼ିଲା । ତୋତେ ମୁଁ କେମିତି ସାମ୍ନା କରିବି? ମୁଁ ମୋର ସବୁ
ଚିନ୍ତାଚେତନା ହରାଇ ବସିଲି । ପୁଣି ଥରେ ମୋ ମନକୁ ଆସିଲା ଯେମିତି ମୁଁ ଚିନାର ଛାଡି ପଳାଇ ନାହିଁ କି ତୋର କିଛି ଘଟି ନାହିଁ । ତୁ ମୋର ସେଇ ବାନୋ ହୋଇ ରହିଚୁ ।

ସେ ଘରର ଦୁଆର ଖୋଲାଥିଲା । ମୁଁ ନୀରବରେ ଭିତରକୁ ପଶିଗଲି  । ଅଗଣାରେ ଯାଇ ଠିଆ ହେଲି । ଅଗଣାର ଗୋଟିଏ କୋଣକୁ ଦୁଇଟି ପାଣି ମାଠିଆ ଥୁଆ ହୋଇଥାଏ । ଆଉ ସେଇ ମାଠିଆ ପାଖରେ ଦୁଇଟି ଛାୟା । ସେଥିରୁ ଗୋଟିଏ ନାରୀର । ଆଉ ସେ ନାରୀଟି ସମ୍ପୂର୍ଣ୍ଣ ଉଲଗ୍ନ । ଅନ୍ୟ ଛାୟା ମୂର୍ତ୍ତିଟି ଜଣେ ପୁରୁଷର । ସେ ସେଇ ନାରୀଟି ଉପରେ ଅଭାବନୀୟ ଅତ୍ୟାଚାର କରିଚାଲିଛି । ଆଃ! କି ବୀଭତ୍ସ ସେ ଦୃଶ୍ୟ! ମୁଁ ସେଠାରେ ମୁହୂର୍ତ୍ତଟିଏ ସୁଦ୍ଧା ଠିଆ ହୋଇ ନ ପାରି ପଦାକୁ ବାହାରି ଆସିଲି  । ମଣିଷ କ’ଣ ସତରେ ଏତେ ହୀନ, ପଶୁ ପାଲଟିପାରେ! ପଦାକୁ ବାହାରି ଆସିବା ମାତ୍ରେ ମୋ ନଜରରେ ଡ୍ରିଲ୍‍ ମାଷ୍ଟର ପଡିଲେ । ସେ ମୋତେ ଦେଖିବାମାତ୍ରେ ଚିହ୍ନିନେଲେ । କିନ୍ତୁ ମୁଁ ଜାଣିପାରୁ ନ ଥିଲି, କିପରି ଭାବେ ତାଙ୍କୁ ସମ୍ବୋଧନ କରିବି । ସେ ବି କେଇସେକେଣ୍ଡ ଲାଗି ହତବମ୍ବ ଓ କିଂକର୍ତ୍ତବ୍ୟବିମୂଢ ହୋଇପଡ଼ିବା ପରି ଲାଗିଲେ । ସେ ଭଲା ମୋତେ କ’ଣ ପଚାରିଥାଆନ୍ତେ, କି କ’ଣ କହିଥାନ୍ତେ? ତାଙ୍କ ମନରୁ ଏପରି ସଙ୍କୋଚକୁ ଦୂର
କରିବାକୁ ଯାଇ ମୁଁ ତାଙ୍କୁ ମୋ ବାପାଙ୍କ କଥା ପଚାରିଲି । ‘ସେ ଦୁଇଦିନ ତଳେ ଚିନାର ଚାଲିଗଲେ’, ସେ ମୋତେ ଉତ୍ତର ଦେଲେ ‘ହଁ, ସେ ଏଠାରେ ରହିବା ଲାଗି ଚାହୁଁ ନ ଥିଲେ । ତାଙ୍କ ସାଙ୍ଗରେ ଆଉ କେଇଟା ପରିବାର ବି ଚିନାର ଲେଉଟିଗଲେ ।’

ମୁଁ ଠିକ୍‍ ବୁଝିପାରିଲି, ମୋ ବାପା କାହିଁକି ଚିନାର ଫେରିଗଲେ ଏବଂ ଡ୍ରିଲ୍‍ମାଷ୍ଟର କାହିଁକି ତାଙ୍କ ସାଥିରେ ଗଲେ ନାହିଁ । ଯେତେହେଲେ, ମୋ ବାପା ଚିନାର ଫେରିଯିବାର କାରଣ ଯାହା ଥିଲା, ଡ୍ରିଲ୍‍ ମାଷ୍ଟରଙ୍କର ଫେରିବା ଲାଗି ସେପରି କିଛି ଜରୁରି କାରଣ ନ ଥିଲା । ଏପରିକି ମୋ ପାଇଁ ସୁଦ୍ଧା ଚିନାର ଫେରିବା ଜରୁରୀ ନ ଥିଲା । ଇତିହାସ ଡ୍ରିଲ ମାଷ୍ଟରଙ୍କୁ ନିର୍ବାସିତ କରିଥିଲା ଏବଂ ଇତିହାସ ଯାହାଙ୍କୁ ନିର୍ବାସିତ କରେ, ସେ ଆଉ ଜୀବନରେ ନିଜ ଭିଟାମାଟିକୁ ଲେଉଟିପାରନ୍ତି ନାହିଁ ।… ମୁଁ କିନ୍ତୁ, ମାତ୍ର କେଇଜଣ ଲୋକଙ୍କ ଜିଦରେ ଚିନାର ଛାଡ଼ିଥିଲି ।

ଯେହେତୁ ମୋ ବାପା ଆଉ ସେଇ ଘରେ ରହୁ ନ ଥିଲେ, ମୁଁ ତାଙ୍କୁ କେଉଁଠି ଖୋଜିବି କି କେଉଁଠି ପାଇବି, କିଛି ବୁଝିପାରୁ ନ ଥିଲି । ସହର ସାରା ଦଙ୍ଗା । ମୁଁ ଅବା ଏମିତି ଅବସ୍ଥାରେ ରହିବି କେଉଁଠି? ପୁଣି ଏମିତି ପରିସ୍ଥିତିରେ ମୋତେ ଘରକୁ ଡାକିବା ଲାଗି ଡ୍ରିଲ
ମାଷ୍ଟରଙ୍କର ବି ସାହସ କୁଳାଉ ନ ଥିଲା । ଯେତେହେଲେ, ତୁ ସେ ଘରେ ଥିଲୁ । ପୁଣି ମୁଁ ଗଳି ରାସ୍ତାରେ ଘୂରିବୁଲେ, ସେକଥା ତୁ ମଧ୍ୟ ଡ୍ରିଲ୍‍ ମାଷ୍ଟର ବରଦାସ୍ତ କରିପାରୁ ନଥିଲେ । ତାଙ୍କର ମୋ ପ୍ରତି ଦରଦ ଥିଲା ।

ମୁଁ ପଚାରିଲି, ‘ବାପା କ’ଣ ତାଙ୍କର ସବୁ ଜିନିଷପତ୍ର ସାଙ୍ଗରେ ନେଇ ଯାଇଛନ୍ତି?’ ସେ ଉତ୍ତର ଦେଲେ, ‘ନା, ତାଙ୍କର ଜିନିଷପତ୍ର ସବୁ ଏଇଠି ଅଛି ।’ ‘ସେ ତାଙ୍କ ଘର ଦାଲା ପକେଇ ଯାଇଛନ୍ତି?’ ସେ ସାମାନ୍ୟ ସଙ୍କୋଚ ଅନୁଭବ କଲାପରି କହିଲେ, ‘ହଁ । ହେଲେ ମୋ ପାଖରେ ଆଉ ଗୋଟିଏ ଚାବି ଅଛି ।’

‘ମୁଁ ଆଜି ରାତିକପାଇଁ ସେଇ କୋଠରିରେ ରହିବା ଲାଗି ଚାହୁଁଚି । ଆସନ୍ତାକାଲି ସକାଳୁ ମୁଁ ଫେରିଯିବି ।’ ମୁଁ କହିଲି । ମୋ ନିକଟରେ ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା । ଏଇ ଅପରିଚିତ ସହରରେ ମୁଁ ଅବା ରାତିରେ କୁଆଡେ ଯାଇଥାଆନ୍ତି? କେଉଁଠି ମୁଣ୍ଡ
ଗୁଞ୍ଜିଥାଆନ୍ତି?

ମୋତେ ରାସ୍ତା ଉପରେ ଠିଆ କରେଇଦେଇ ଡ୍ରିଲ ମାଷ୍ଟର ଘର ଭିତରକୁ ପଶିଗଲେ  । ମାତ୍ର କେଇଟା ମୁହୂର୍ତ୍ତ ଭିତରେ ଘର ଭିତରୁ ଚାବିଟି ଆଣି ବାହାରି ଆସିଲେ ଓ ମୋତେ ନେଇ ଊପର ମହଲାକୁ ଉଠିଗଲେ । ମୋ ବାପା ରହୁଥିବା କୋଠରିଟିକୁ ଖୋଲି ମୋ ହାତରେ ଚାବିଟି ଧରାଇଦେଇ କହିଲେ,‘କିଛି ଖାଇବାକୁ ଅଛି?’

‘ହଁ’ ବୋଲି କହି ମୁଁ କୋଠରି ଭିତରକୁ ପଶିଗଲି । ସେ ମୋ ପଛେ ପଛେ ଆସି କହିଲେ,‘ତୁମର ଯଦି କିଛି ଦରକାର, ତା’ହେଲେ ମୋତେ କୁହ । ମୁଁ ପଠେଇଦେବି । ଏଇ କବାଟ ପାଖରେ ଠିଆହୋଇ ଡାକିଲେ ବି ମୁଁ ଶୁଣିପାରିବି ।’ଚାରିଆଡ ଭାରି ଶୂନ୍‍ଶାନ୍‍ ଲାଗୁଥିଲା ।

ମୁଁ କୋଠରି ଭିତରେ ପଡିଥିବା ଖଟିଆ ଖଣ୍ଡିକୁ ବାରଣ୍ଡାକୁ ଟାଣିନେଲି । ଭିତରେ ଅସହ୍ୟ ଗରମ । ନା, ମୋ ମନରେ ତୋତେ ଦେଖିବାକୁ ଯେଉଁ ଅବଦମିତ ଇଚ୍ଛା ଥିଲା, ତାହା ହିଁ ମୋତେ ବାରଣ୍ଡା ଆଡ଼କୁ ଆକର୍ଷିତ କରି ନେଇଥିଲା! ବାନୋ …. ବାହାରେ ଜ୍ୟୋତ୍ସ୍ନାଭିଜା ରାତି । ହେଲେ ପବନର ନାଁ ଗନ୍ଧ ସୁଦ୍ଧା ନଥାଏ । ମୁଁ ସେଇ ଖୋଲା ବାରଣ୍ଡା ଉପରେ ଶୋଇବାକୁ ଭାବିଲି । ବାନୋ, ସେ ରାତି କି ବିଚିତ୍ର! ତୋତେ ଜଣା ନ ଥିଲା ଯେ, ମୁଁ ଆସି ତୁମରିଘର ଉପର ମହଲାରେ ରହୁଚି । ମୁଁ ମନେ ମନେ ଚିନ୍ତା କରୁଥିଲି, ଡ୍ରିଲ ମାଷ୍ଟର ତୋତେ କ’ଣ କହିଥିବେ । ତା’ପରଦିନ ସକାଳେ ପୋଲିସ୍‍ ଯଦି ଆସି ସେଠାରେ ପହଞ୍ଚି ନ ଥାନ୍ତେ, ତା’ହେଲେ ତୁ ମୋ ଉପସ୍ଥିତି ଖବର
ଆଦୌ ପାଇପାରି ନ ଥାଆନ୍ତୁ … ସେଦିନ ରାତିରେ ତୋ ପାଦଶବ୍ଦକୁ ଅପେକ୍ଷା କରି କରି ମୁଁ ଢେର ରାତି ପର୍ଯ୍ୟନ୍ତ ଅନିଦ୍ରା ରହିଲି । ମୋର ବିଶ୍ୱାସ ହେଉଥିଲା ଯେ ତୁ ଉପର ମହଲାକୁ ନିଶ୍ଚୟ ଆସିବୁ । ହେଲେ କିଛି ସମୟ ପରେ ମୋ ମନରୁ ସେ ଆଶା ମହମହ ହୋଇଥିଲା । ମୁଁ ନିଜକୁ ନିଜେ ବୁଝାଇବାକୁ ଚେଷ୍ଟା କରିଥିଲି, ପତ୍ନୀର ସ୍ଥାନ ତ ତା’ର ପତି ପାଖରେ । ତୁ କାହିଁକି ତୋ ପତିର ଶେଯ ଛାଡ଼ି ଉପର ମହଲାକୁ ଆସିବୁ?

ଘର ପଛପଟ ଅଗଣାରେ ଥିବା ଅଶ୍ୱତ୍‍ଥ ଗଛଟା ଚନ୍ଦ୍ରକିରଣରେ ସତେକି ଗାଧୋଇ ପଡ଼ିଥାଏ । ବାରଣ୍ଡା ଉପରେ ମୁଁ ମୋର ଖଟଟିକୁ ଏପରି ଭାବେ ପକେଇଥାଏ ଯେ ତଳ ଅଗଣାଟା ମୋତେ ସମ୍ପୂର୍ଣ୍ଣ ରୂପେ ଦୃଶ୍ୟ ହେଉଥାଏ । କିନ୍ତୁ ସେଇ ଚନ୍ଦ୍ରଶୀତଳ ରାତିରେ ମୁଁ ଯାହା ଦେଖିଲି ସେଥିରେ ମୋ ଛାତି ଥରିଉଠିଲା । ବାନୋ ଅଗଣାରେ ଖଟ ଖଣ୍ଡିଏ ଉପରେ ନିଶ୍ଚଳ ମନରେ ଶୋଇଯାଇଥାଏ । ତା’ଉପରେ ଚନ୍ଦ୍ରକିରଣ ସତେକି ଅଜାଡ଼ି ହୋଇ ପଡୁଥାଏ । ତା’ଦେହର ଅଙ୍ଗବସ୍ତ୍ର ବିପର୍ଯ୍ୟସ୍ତ । ଛାତିଟା ଫୁଙ୍ଗୁଳା । ସେ ଦୃଶ୍ୟ ଦେଖି ମୋ ଆଖି ଆପେ ଆପେ ବୁଜି ହୋଇଗଲା । ବାନୋ ଛାତିର ଅମୃତର ଧାରା ଆପେ ଆପେ ବହିଆସି ଚନ୍ଦ୍ର କିରଣରେ ଚିକ୍‍ ଚିକ୍‍ କରୁଥାଏ । ରହି ରହି ସେ ଚିତ୍କାର କରି ଉଠୁଥାଏ, ‘ହାଏ ଆଲ୍ଲା!’ ତା’ର ମା’ ତାକୁ ଆଶ୍ୱାସନା ଦେବାକୁ ଚେଷ୍ଟା କରି କହୁଥିବାର ମୋ କାନରେ ପଡ଼ିଲା,
‘ଶୋଇ ପଡିବାକୁ ଚେଷ୍ଟା କରଲୋ… ବାନୋ ।’

‘ନାଇଁ, ଅମ୍ମି, ମୁଁ ପାରୁନି, ମୋ ଭିତରେ ଯେମିତି ନିଆଁ ଜଳୁଛି ଓ ସେ ନିଆଁ ପଦାକୁ ଆପେ ଆପେ ବାହାରି ଆସୁଚି ।’ ଏତିକି କହି ସେ ତା’ର ମୁଣ୍ଡର କେଶକୁ କେତେବେଳେ ଭିଡି ଧରୁଥାଏ ଅବା କେତେବେଳେ ନିଜ ଛାତିକୁ ଜାକି ଧରୁଥାଏ । ଏଥର ବାନୋର ମା’ ଝିଅର ସେ ଅସହ୍ୟ ଯନ୍ତ୍ରଣାକୁ କିଛି ମାତ୍ରାରେ ଉପଶମ କରିବା ଲାଗି ଚେଷ୍ଟା କଲା ଓ ବାନୋର ଛାତି ଉପରେ ମୁଣ୍ଡ ଉପରେ ହାତ ଘୂରାଇ ଆଣିଲା । ମା’ ହାତର ସ୍ପର୍ଶ ମାତ୍ରେ ବାନୋ ଛାତି ଉପରୁ ସେ ଅମୃତର ଧାରା ଯେପରି ଆହୁରି ଅଧିକ ବହିବାକୁ ଲାଗିଲା । ବାନୋ
ଯନ୍ତ୍ରଣାରେ ରହି ରହି ଚିତ୍କାର କରି ଉଠୁଥାଏ । ତା’ର ଅନାବୃତ୍ତ ଛାତିଟା ସେତେବେଳକୁ ଅମୃତର ଧାରାରେ ଗୋଟାପଣେ ଗାଧୋଇ ସାରିଥାଏ ଓ ଜହ୍ନ ଆଲୁଅରେ ଚିକ୍‍ଚିକ୍‍ କରୁଥାଏ । ବାନୋର ମା’ ସେସବୁକୁ ମଝିରେ ମଝିରେ ନିଜ ପିନ୍ଧା ଶାଢ଼ିର କାନିରେ ପୋଛି ଆଣି
ପୁଣି ସେଇ ପ୍ରକ୍ରିୟା ଜାରି ରଖିଥାଏ ।

ଓଃ, ବାନୋ! କି ଭୟଙ୍କର ସେ ଦୃଶ୍ୟ! ଏକ ବିଚିତ୍ର ଉତ୍ତେଜନାରେ ମୁଁ ଖଟ ଉପରୁ ଉଠିପଡି ବାରଣ୍ଡା ସାରା ପଦଚାରଣ କରିଚାଲିଲି । ବାନୋ ପୁଣିଥରେ ତା’ଶରୀରକୁ ନିଜର ପିନ୍ଧା ଶାଢ଼ିରେ ଘୋଡ଼ାଇ ଆଣି ଶୋଇବା ପରେ ପୁଣିଥରେ ମୁଁ ଶୋଇବାକୁ ଚେଷ୍ଟାକଲି । ଓଃ, ସବୁକିଛି ଦୁଃସ୍ୱପ୍ନ ଭଳି ଲାଗୁଥାଏ । ଆଖି ଖୋଲିଲେ କିମ୍ବା ଆଖି ବୁଜି ଶୋଇବାକୁ ଚେଷ୍ଟାକଲେ ସୁଦ୍ଧା ବାନୋର ସେଇ
ବିବସ୍ତ୍ର ଚେହେରା ମୋ ଆଖି ଆଗରେ ନାଚି ଉଠୁଥାଏ । ଖଟ ଉପରେ ପଡି ପଡି ମୁଁ ଶୋଇବାକୁ ଚେଷ୍ଟା କରୁଥାଏ ।

ଏତିକିବେଳେ ଘରର ପଛପଟ ଦରଜାରେ କେହି ଜଣେ ହାତ ବାଡ଼େଇ ଡାକୁଥିବାର ମୋତେ ଶୁଭିଲା । ହଠାତ୍‍ ମୋ ନିଦ ଭାଙ୍ଗିଗଲା । କେହିଜଣେ ବଡ଼ ପାଟିରେ ଚିତ୍କାର କରି ଡାକୁଥିଲା, ‘କାଦିର ମିଆଁ …. ଆବେ ଶଳା, ପାକିସ୍ତାନ ଗଢା ହୋଇଗଲା ବେ! ଆଲୋ ଭଉଣୀ …. ଆମ ପାକିସ୍ତାନ ଗଢ଼ା ହୋଇଗଲା!’ ପୁଣି କେଇଟା ମୁହୂର୍ତ୍ତର ନୀରବତା ପରେ ପୁଣି କେହି ଜଣେ କହୁଥିବାର ମୁଁ ଶୁଣିପାରିଲି,
‘କାଦିର ମିଆଁ, ଏବେ ଆମେ ଏଇ ଜାଗାରେ ବସି ଏହରାମ୍‍ ବାନ୍ଧିବା, ଏଇଠି ବସି ତଲବିୟା କରିବା । ଆମେ ଏଇଠୁ ଆମ ହଜ୍‍ ଆରମ୍ଭ କରିବା । କ’ଣ … ମୋ କଥା ଶୁଣୁଚୁ ନା ନାଇଁ, କାଦିର ମିଆଁ…?’

ସେତିକିବେଳେ ମୁଁ ଯଦି ଅଗଣାର ଅଶ୍ୱତ୍‍ଥ ଗଛ ମୂଳକୁ ଚାହିଁ ନ ଥାନ୍ତି, ତା’ହେଲେ ବୋଧହୁଏ ମୋ ମନରେ ଏଇ ଧାରଣା ଆସିଥାନ୍ତା ଯେ, ସେ ଡାକ ପାତାଳରୁ ଶୁଭୁଚି, ଆଉ ମୁଁ ଭୟ ପାଇ ସେଠାରୁ ପଳାଇ ଯାଇଥାଆନ୍ତି । … କିନ୍ତୁ କି ଭୟଙ୍କର ସେ ଶବ୍ଦ, କେଡେ ବୀଭତ୍ସ ସେ ଦୃଶ୍ୟ … ଆକାଶରୁ ସତେକି ରକ୍ତ ଝରି ପଡୁଥିଲା! ରାସ୍ତାରେ କଙ୍କାଳମାନେ ପଇଁତରା ମାରୁଥିଲେ, କବନ୍ଧମାନଙ୍କ
କାନ୍ଧରୁ ରକ୍ତସବୁ ହାବୁକାମାରି ଉଛୁଳି ପଡୁଥିଲା, ଆଉ ଚାରିଆଡ଼େ ଜଳୁଥିବା ନିଆଁରେ କଟାମୁଣ୍ଡ ଓ ଉଲଗ୍ନ ଶରୀର ସବୁ ନୃତ୍ୟ କରି ଚାଲିଥିଲେ… ତା’ପରେ ହଠାତ୍‍ ପବନରେ ଅଶତ୍ଥ ଗଛର ପତ୍ରସବୁ ଥରିବାକୁ ଆରମ୍ଭ କଲେ । ସେସବୁ ପତ୍ରମାନଙ୍କ ଥରିବା ଶବ୍ଦ ହସ୍‍ପିଟାଲରେ ଟାଇପ୍‍ କରୁଥିବା ଶବ୍ଦ ପରି ଲାଗୁଥିଲା । ସେ ଶବ୍ଦ ବେଶ୍‍ ପରିଚିତ ଶବ୍ଦ । ଆଉ ସବୁକିଛି ଭୟଙ୍କର ।

ତା’ପର ଦିନ ସକାଳେ ମୋ ମୁଣ୍ଡ ବେଶ୍‍ ଭାରି ଭାରି ଲାଗୁଥାଏ । ମୋ ଆଖି ଯୋଡ଼ିକ ଲାଲ୍‍ ପଡ଼ିଯାଇଥାଏ । ମୋ ହାତ ପାଦ ବି ବେଶ୍‍ ଅବଶ ଲାଗୁଥାଏ । ସେ ଦିନ ବଡ଼ି ଭୋର୍‍ରୁ ଶେଯ ଛାଡ଼ିି ଉଠିପଡ଼ିଥିଲି, କାରଣ ମୋତେ କେତେଗୁଡ଼ିଏ ପ୍ରଶ୍ନ ପଚାରିବାକୁ ପୋଲିସ୍‍
ଖୋଜୁଥିଲା । ଡ୍ରିଲ ମାଷ୍ଟର ବି ଉଠିସାରିଥିଲେ । ସେ ଭୟରେ ଗୋଟାପଣେ ଥରୁଥିଲେ । ମୋ କୋଠରୀକୁ ଆସି ସେ କହିଲେ, ‘ପୋଲିସ୍‍ ଆସିଚି, ତୁମରି ବିଷୟରେ ପଚରାଉଚରା କରୁଚି ।’ ‘କାଇଁକି?’ ‘ସେମାନେ ବାହାରୁ ଆସିଥିବା ପ୍ରତି ଲୋକ କଥା ପଚାରି ବୁଝନ୍ତି ।’

ଏକଥା ଶୁଣି ମୁଁ ରାଗିଗଲି । ମୋତେ କହ ବାନୋ, ଯେତେବେଳେ ଜୋର ଜବରଦସ୍ତ ମୋତେ ମୋ ଘରୁ ଓ ଗାଆଁରୁ ବାହାର କରି ଦିଆଗଲା, କାଇଁକି ସେମାନେ ତ ଆସି କିଛି ପଚାରି ନ ଥିଲେ- ମୁଁ କାଇଁକି ଗାଁ ଛାଡୁଛି? କୁଆଡେ ଯାଉଛି?

ବାନୋ, ମୋ ଦୃଷ୍ଟିରେ ପାକିସ୍ତାନ ଗୋଟିଏ ମଣିଷର ଅପୂର୍ଣ୍ଣାଙ୍ଗ ଶରୀର ମାତ୍ର … କୌଣସି ଏକ ପରିପୂର୍ଣ୍ଣ ମଣିଷକୁ ସ୍ୱୀକାର କରିବା ବିରୁଦ୍ଧରେ ଏଇଟା ଯେପରି ଏକ ସ୍ୱର …. ସେଦିନ ସକାଳୁ ପୋଲିସ୍‍ ଯେତେବେଳେ ପଚରାଉଚରା କରିବା ବାହାନାରେ ଥାନାକୁ ଧରି ନେଇଥିଲା, ମୁଁ ସବୁକଥା ବୁଝିପାରିଥିଲି ।

ବାନୋ, ତୁ ଏବଂ ମୁଁ, ପାକିିସ୍ତାନ ପାଇଁ ତ ଏପରି ଦଶା ଭୋଗ କରୁଥିଲେ । ସତେ ଯେମିତି ପାକିସ୍ତାନ ଯନ୍ତାରେ ଆମେ ଦୁହେଁ ଧରାପଡି ଯାଇଥିବା ଦିଓଟି ଜୀବ…

ପୋଲିସ୍‍ ଷ୍ଟେସନରେ ସେମାନେ ମୋତେ କେତେ ଯେ ପ୍ରଶ୍ନ କରି ଚାଲିଲେ ତା’ର ସୀମା ନାହିଁ । ମୁଁ ଏ ଜାଗାକୁ କାଇଁକି ଆସିଛି …? ଏ ପ୍ରଶ୍ନର ମୁଁ ସେମାନଙ୍କୁ କି ଉତ୍ତର ଅବା ଦେଇଥାଆନ୍ତି?

ଜଣେ ମଣିଷ କାଇଁକି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଘୂରିବୁଲେ? ସେଦିନ ଯଦି ଡ୍ରିଲ୍‍ ମାଷ୍ଟର ମୋତେ ସାହାଯ୍ୟ କରିବାକୁ ଥାନାରେ ପହଞ୍ଚି ନଥ ।ନ୍ତେ, ତା’ହେଲେ ପୋଲିସ୍‍ ଯେ ମୋତେ କେତେ ହଇରାଣ ହରକତ କରିଥାଆନ୍ତା, ତାହା ମୋତେ ଜଣାନଥିଲା । ମୋ ବିଷୟରେ ସେ ପୋଲିସ୍‍କୁ ସବୁକଥା କହିଥିଲେ । ପୋଲିସ୍‍ ତାଙ୍କ କଥାକୁ ବିଶ୍ୱାସ କରିଥିଲା । କାରଣ ସେ ଜଣେ ମୁସଲମାନ ଥିଲେ । ଜଣେ ମୁସଲମାନ ହୋଇ ଜଣେ ହିନ୍ଦୁ ଯୁବକ ସମ୍ପର୍କରେ ଏପରି ସଫେଇ ଦେବାରୁ ପୋଲିସ୍‍ର ବିଶ୍ୱାସ ହୋଇଥିଲା । କିନ୍ତୁ ମୋ ମନରେ ପୁଣି ସେଇ ଏକା ସନ୍ଦେହ ହୋଇଥିଲା- ମାଷ୍ଟର ସା’ବ୍‍ ଆଉ ଗୋଟିଏ ଭୁଲ କରିବସି ନାହାନ୍ତି ତ- ଜଣେ ମୁସଲମାନ ହୋଇ ‘ଭର୍ତ୍ତୃହରି ନମଃ’ ଲେଖିବା?

ପୋଲିସ୍‍ ମୋତେ ଛାଡିଦେବା ପରେ, ଥାନା ବାହାରେ ପଡ଼ିଥିବା ଗୋଟିଏ କାଠଗଡ଼ ଉପରେ ତୋ ବାପା ଓ ମୁଁ ଦୁହେଁ ବସିଥିଲୁ । ପରସ୍ପରକୁ କ’ଣ କହିବୁ ବୋଲି ଆମେ ଜାଣିପାରୁ ନ ଥିଲୁ । କିନ୍ତୁ ସେ ନୀରବତା ବି ଆମଲାଗି ଅସହ୍ୟ ଥିଲା । ଶେଷରେ ଡ୍ରିଲ ମାଷ୍ଟର ହିଁ ତୁଣ୍ଡ ଖୋଲିଥିଲେ । ସେ କହିଲେ,‘ବଦରୁଟାର ମୁଣ୍ଡ ଖରାପ ହୋଇଗଲାଣି ।

ଦଙ୍ଗା ଆରମ୍ଭ ହେଲା ଦିନଠାରୁ ସିଏ ସେଇ ଅଶ୍ୱତ୍‍ଥ ଗଛଟା ମୂଳେ ବସିରହିଚି । ତା’ର ସବୁ ତନ୍ତ ପୋଡିଯାଇଛି । ଗଲାକାଲି ରାତିରେ ସିଏ କାଦିର ମିଆଁକୁ ଯେମିତି ଡାକ ପକାଉଥିଲା  । ସେ କଥା ତୁମେ ଶୁଣିଚ?’

ତିନିବାଟି ଛକ ପାଖରେ ତିନି ଚାରିଜଣ ଲୋକ ବସିଥାଆନ୍ତି । ସମ୍ଭବତଃ, ସେମାନେ ପାଖ ଥାନାରୁ କାହାକୁ ବେଲ୍‍ରେ ନେବାକୁ ଆସିଥାଆନ୍ତି କିମ୍ବା କିଛି ଗୋଟିଏ ଖବର ଦେବାକୁ ଆସିଥାଆନ୍ତି । ସେମାନେ ଖୁବ୍‍ ବ୍ୟସ୍ତ ବିବ୍ରତ ପରି ଜଣାପଡୁଥାଆନ୍ତି । ସେମାନଙ୍କୁ ମୌଲବୀ ଜଣେ ବୁଝାଉଥାନ୍ତି, ‘ଆଲ୍ଲା କହିଚନ୍ତି ଯେ ତିନିଥର ତୁରୀ ଡାକ ଶୁଭିବ । ପ୍ରଥମ ଡାକରେ ଲୋକମାନେ ଭୟରେ ଥରି ଉଠିବେ । ସେମାନଙ୍କ ଦେହ ମନ ଭୟରେ ଭରିଯିବ । ଦ୍ୱିତୀୟ ତୁରୀ ଶବ୍ଦରେ, ସମସ୍ତେ ମରି ହଜିଯିବେ । ଆଉ ଯେତେବେଳେ ତୃତୀୟ ତୁରୀ ଶବ୍ଦ ଶୁଭିବ, ସମସ୍ତେ ଆସି ବିଚାର ଲାଗି ଆଲ୍ଲାତାଲାଙ୍କ ସାମ୍ନାରେ ଠିଆ ହୋଇଯିବେ । ଏଇ କଥା ଅକ୍ଷରେ ଅକ୍ଷରେ ସତ ବୋଲି ପ୍ରମାଣିତ ହେବ । ଏବେ ପ୍ରଥମ ଶବ୍ଦ ଶୁଭି ସାରିଚି…’

‘ତୁମେ କ’ଣ ତୁମ ‘ଭର୍ତ୍ତୃହରି ନମଃ’ ତଥାପି ଲେଖୁଚ?’ ମୁଁ ମାଷ୍ଟର ସା’ବ୍‍ଙ୍କ ମୁହଁକୁ ଚାହିଁ ପଚାରିଲି ।

ସେ ‘ହଁ’ ବୋଲି ସଂକ୍ଷେପରେ ଉତ୍ତର ଦେଇ ସେଥିରୁ ଗୋଟିଏ ପଙ୍‍କ୍ତି ବୋଲିଲେ- ‘ମୁଁ ତ ହେଲି ବାରଦ୍ୱାରୀ ଆଜି ରାତି ବିତାଉଛି ଏଠି!
ଭଜ, ଆଜି ରାତି ଯାଉ ପାହି ଶୁଭେ ଉଇଁଆସୁ ସୂରୁଜ ପୂର୍ବ ନଭେ!’

ଏହି ପଙ୍‍କ୍ତିଟି ଆବୃତ୍ତ କରିସାରି ସେ ତାଙ୍କ ଚାରିକଡ଼କୁ ଚାହିଁଲେ । ଚାରିକଡ଼େ କେବଳ ହଳଦିରଙ୍ଗର ଅରମା ଘାସଫୁଲ, ସେସବୁ ଗଛ କାନ୍ଥ ଫାଟରେ ଉଠିଥାଏ । ପାଦ ପାଖରେ ଲମ୍ବା ଲମ୍ବା ଘାସ ।

ତା’ରି ଉପରେ ଛୋଟ ଛୋଟ ପକ୍ଷୀସବୁ ଡେଇଁ ଡେଇଁ ଆହାର ସଂଗ୍ରହ କରି ଚାଲିଥାଆନ୍ତି । ସେମାନଙ୍କ ଡେଣା ହଲା ସାଙ୍ଗକୁ ଚାରିକଡ଼େ ହଳଦି ରଙ୍ଗର ଫୁଲ… ମାଷ୍ଟର ସାବ୍‍ ସେଇ ଦୃଶ୍ୟକୁ ସତେ ଯେପରି ମନେମନେ ଉପଭୋଗ କରିଚାଲିଥାଆନ୍ତି ।
ଶେଷରେ ସେ ନୀରବତାକୁ ଭଙ୍ଗକରି ମୁଁ କହିଲି, ‘ଗଲାକାଲି ରାତିରେ…’ ‘ହଁ, ସେଇଟା ବଦ୍‍ରୁ । ସିଏତ ପାଗଳ ହୋଇଯାଇଚି । ତା’ର ସବୁ ତନ୍ତ ଆଉ ଦୋକାନ ପୋଡ଼ିଜଳି ଗଲା  ।

ସେଇଦିନଠାରୁ ସିଏ ଅଶ୍ୱତ୍‍ଥ ଗଛମୂଳେ ବସିରହିଚି । ମଝିରେ ମଝିରେ ବଡ଼ପାଟିରେ ଗାଳିମନ୍ଦ କରୁଚି’, ମାଷ୍ଟର ସା’ବ୍‍ କହିଲେ । ମୁଁ ସବୁ ସାହସ କୁଲେଇ ପଚାରିଲି, ‘ଆଉ, ଘର ଭିତରେ …’ ମାଷ୍ଟର ସା’ବ୍‍ ତା’ପରେ ମୋ ଆଗରେ ସବୁକଥା ଖୋଲି କହିଲେ – ବାନୋ, ତୋ ଜୀବନରେ କି କି ଘଟଣାସବୁ ଘଟିଯାଇଥିଲା ସେ ମୋ ଆଗରେ ସେସବୁ ବଖାଣିଲେ । ଡକ୍ଟର ସାରଙ୍ଗଙ୍କ କ୍ଲିନିକ୍‍ରେ ତୁ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲୁ । ଦଙ୍ଗା ଆରମ୍ଭ ହେବାର ତିନିଦିନ ପୂର୍ବର ଏ ଘଟଣା । ଦଙ୍ଗାକାରୀମାନେ ନର୍ସିଂ ହୋମ୍‍ରେ ନିଆଁ ଲଗାଇ ଦେଇଥିଲେ । ସେ ନିଆଁରୁ ରକ୍ଷା ପାଇବା ସକାଶେ ଗର୍ଭବତୀ ମହିଳାମାନେ ଦ୍ୱିତୀୟ ମହଲାରୁ ସୁଦ୍ଧା ତଳକୁ ଡେଇଁ ପଡିଥିଲେ । ଆଉ କେତେଜଣ ମହିଳା ତ ସେମାନଙ୍କର ସଦ୍ୟଜାତ ସନ୍ତାନମାନଙ୍କୁ ଝର୍କା ଦେଇ ବାହାରକୁ ଫିଙ୍ଗି ଦେଇଥିଲେ ।

ଦି’ଜଣ ମହିଳାଙ୍କର ଏହି ଘଟଣାରେ ମୃତ୍ୟୁ ଘଟିଥିଲା । ପାଞ୍ଚଟି ନିଷ୍ପାପ ଶିଶୁବି ସେଇ ନିଆଁରେ ପୋଡ଼ିହୋଇ ପ୍ରାଣ ହରାଇଥିଲେ  । ଆଉ ତା’ରି ଭିତରେ ବାନୋର ଶିଶୁ ପୁତ୍ର ବି ଥିଲା । ପିଲାଟିକୁ ବଞ୍ଚାଇବା ଲାଗି ବାନୋ ଅନ୍ୟ ଉପାୟ ନ ଦେଖି ତାକୁ ଝର୍କାବାଟେ ତଳକୁ ଫିଙ୍ଗି ଦେଇଥିଲା । ବାହାରେ ପ୍ରବଳ ଦଙ୍ଗା ଲାଗିଥାଏ । ସେଇ ଦଙ୍ଗା ଭିତରେ କୌଣସିମତେ ନିଜକୁ ବଞ୍ଚାଇ ବାନୋ ଦୌଡ଼ି ଦୌଡ଼ି ଆସି ଘରେ ପହଞ୍ଚିଥିଲା । ପିଲାଟି ସିନା ମରିଗଲା ହେଲେ ସତେ ଯେମିତି ତା’ଖାଦ୍ୟତକ ସେ ବାନୋ ଛାତି ଉପରେ ଲଦି ଦେଇଯାଇଚି….

ଏପରି କଥା ଶୁଣିବାର ମୋର ଧୈର୍ଯ୍ୟ ନଥିଲା  । ତେଣୁ ମୁଁ ଏକ ବାହାନା ଦେଖାଇ କହିଲି, ‘ମାଷ୍ଟର ସା’ବ୍‍, ମୁଁ ଏବେ ପୁନା ଫେରିଯାଉଚି ।’  ଡ୍ରିଲ୍‍ ମାଷ୍ଟର ଦୀର୍ଘଶ୍ୱାସଟିଏ ଛାଡ଼ି କହିଲେ, ‘ହଉ, ହେଲେ ଯଦି ପାରିବ, ଚିନାର ଆଡେ ବୁଲିଆସିବ । ବାପାଙ୍କ ହାନିଲାଭ ବୁଝିବ ।’ ‘କାହିଁକି, ତାଙ୍କ ଦେହପା’ କ’ଣ ଭଲ ନ ଥିଲା?’ ‘ନା । ଦଙ୍ଗାବେଳେ ସେ ଗୋଟିଏ ହାତ ହରାଇଥିଲେ । ଆମ ଘର ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଯଦି ତୁମ ବାପା ନ ଥାଆନ୍ତେ, ତା’ହେଲେ ଆମ ପରିବାରର କେହି ବଞ୍ଚି ନ ଥାନ୍ତୁ । ସେ
ରାସ୍ତା ଉପରକୁ ଦୌଡିଯାଇ ସେଇ ଗୁଣ୍ଡାମାନଙ୍କୁ ସାମ୍ନା କରିଥିଲେ । ଦଙ୍ଗାକାରୀଙ୍କ ଭିତରୁ କେହି ଜଣେ ଗୋଟାଏ ଧାରୁଆ ଖଣ୍ଡାରେ ତାଙ୍କ ହାତକୁ ଗୋଟିଏ ଚୋଟ ପକାଇଥିଲା ଓ ସେଇ ଏକା ଚୋଟକେ ତାଙ୍କ ହାତଟା ସମ୍ପୂର୍ଣ୍ଣ ଛିଣ୍ଡିଯାଇଥିଲା । କିନ୍ତୁ ତାଙ୍କର ସେଇ ଛିଣ୍ଡା ହାତଟିକୁ ଅନ୍ୟ ହାତଟିରେ ଧରି ସେ ସେମାନଙ୍କ ସାଙ୍ଗରେ ଶେଷ ପର୍ଯ୍ୟନ୍ତ ଜୁଝିଥିଲେ । ହେଲେ ଶେଷରେ ସେ ଅଚେତ ହୋଇ
ପଡିଯାଇଥିଲେ । ସେତେବେଳକୁ ସିଏ ଗୋଟାପଣେ ଲହୁଲୁହାଣ ହୋଇ ସାରିଥାଆନ୍ତି । ଆଉ କିଛି ଉପାୟ ନ ପାଇ ସେ ଗୁଣ୍ଡାମାନେ ଆମ ଘର ଉପରକୁ ହାତବୋମା ଫିଙ୍ଗି ପଳାଇଥିଲେ । ତୁମ ବାପା ସେଇ ଛିଣ୍ଡା ହାତଟିକୁ ଧରି ରାସ୍ତା ଉପରେ ସେମିତି ଅଚେତ ଅବସ୍ଥାରେ ପଡ଼ିରହିଥାଆନ୍ତି ।

ଆମେ ତାଙ୍କୁ ସାଙ୍ଗେ ସାଙ୍ଗେ ମିଲିଟାରୀ ହସ୍‍ପିଟାଲ୍‍କୁ ନେଇଯାଇଥିଲୁ । ସେଠାରୁ ସିଏ ଆଠଦିନ ପରେ ଘରକୁ ଫେରିଥିଲେ । ଆଉ ଯେଉଁଦିନ ସିଏ ହସ୍‍ପିଟାଲ୍‍ରୁ ଫେରିଲେ, ଠିକ୍‍ ତା’ପରଦିନ ସେ ଚିନାର ଚାଲିଗଲେ ।’ ଆମେ ଦୁହେଁ କିଛି ସମୟପାଇଁ ନୀରବରେ ସେମିତି ବସିରହିଲୁ । ଚଢେଇମାନେ ସେ ଘାସ ଉପରେ ସେମିତି ଡେଇଁ ଡେଇଁ ଚରି ବୁଲୁଥାଆନ୍ତି । ‘ଗଲାବେଳେ ସେ କହିଥିଲେ ଯେ ଚିନାରରେ ପହଞ୍ଚିଲା ପରେ ସେ ତାଙ୍କ ହାତକୁ ସେଇଠି କେଉଁଠି ଡାକ୍ତରଖାନାରେ ବ୍ୟାଣ୍ଡେଜ୍‍ କରେଇନେବେ । ହାଏ ଆଲ୍ଲା! ଆମମାନଙ୍କ ଉପରେ ଦୟା କର!’ ମୁଁ ଲକ୍ଷ୍ୟକଲି ନିଜ ମୁହଁକୁ ହାତରେ ଘୋଡ଼େଇଧରି ଡ୍ରିଲ ମାଷ୍ଟର ଏପରି କେଇପଦ କହୁଚନ୍ତି । ସମ୍ଭବତଃ, ସେତେବେଳକୁ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ।

ମୁଁ ନିଜେ ସେତେବେଳେ ଜାଣିପାରୁ ନ ଥିଲି ଯେ, ମୁଁ କେଉଁଠି ଅଛି? କେଉଁ ପ୍ରକାର ଦୁନିଆଁରେ ରହୁଚି? ଏସବୁ ଲୋକମାନେ କିଏ? ମୁଁ କ’ଣ ଏଇ ମଣିଷମାନଙ୍କ ଭିତରୁ ଜଣେ? ନା ମୁଁ ଏକ ଦୁଃସ୍ୱପ୍ନ ଭିତରେ ଗତିକରୁଛି? ତା’ପରେ ଡ୍ରିଲ୍‍ ମାଷ୍ଟର ଓ ମୁଁ, ଘରକୁ ଲେଉଟି ଆସିଥିଲୁ । ମୁଁ ଉପର ମହଲାକୁ ଚାଲି ଯାଇଥିଲି । କିଛି ସମୟ ପରେ ମୋତେ ଶୁଭିଲା, ତଳ ମହଲାରେ ବାନୋ, ତା’ର ସ୍ୱାମୀ, ମୁନୀର, ମାଷ୍ଟର ସା’ବ୍‍ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କିଛି ଗୋଟିଏ ବିଷୟ ଉପରେ ବେଶ୍‍ ସରଗରମ ଆଲୋଚନା ଚାଲିଛି । ସେମାନେ ପରସ୍ପର ମଧ୍ୟରେ ବେଶ୍‍ ଉଚ୍ଚସ୍ୱରରେ ଯୁକ୍ତିତର୍କ କରିଚାଲିଛନ୍ତି । ମୁନିର୍‍ କହୁଥିଲା,‘ମୁଁ ବୁଝି ପାରୁନି, ତୁ ଏଠାରେ ରହିବୁ ବୋଲି କାହିଁକି ଜିଦ୍‍ ଧରି ବସିଛୁ?’

ବାନୋ ଚିତ୍କାର ଛାଡ଼ି କହୁଥିଲା,‘ତୁମେମାନେ ମୋ ମନର କଥାକୁ କେହିହେଲେ ବୁଝିପାରୁନ । ମୁଁ ଏଇ ଦେଶରେ ଆଉ ଗୋଟିଏ ସନ୍ତାନକୁ ଜନ୍ମ ଦେବାକୁ ଚାହେଁ । ତା’ପରେ ଯାଇ ମୁଁ ଏ ଦେଶ ଛାଡ଼ିବି ।’

କୌତୂହଳକୁ ଦମନ କରିନପାରି ମୁଁ ଉପର ମହଲା ବାଲ୍‍କୋନି ବାଡ଼ାରେ ନଇଁପଡ଼ି ତଳକୁ ଚାହିଁଲି । ତଳ ଅଗଣାରେ ମୁନିର୍‍ ଠିଆହୋଇ ଗୋଟାପଣେ ଥରୁଥିଲା ଓ ବାନୋକୁ ଗାଳି ଦେଉଥିଲା : ‘ତୋର ଯାହା ଇଚ୍ଛା ତୁ ସେଇଆ କର୍‍ । ଯାହାକୁ ଚାହୁଁଛୁ ତାକୁ ବାହା ହୋଇପଡ଼ । ଯିଏ ତୋତେ ଆଉ ଗୋଟାଏ ପୁଅ କି ଝିଅ ଦେବ ।’

ବାନୋ ଚିତ୍କାର ଛାଡ଼ି କହୁଥିଲା,‘ତୁ ମୋ ଜୀବନ ଉପରେ ଦଖଲ ଦେବାକୁ କିଏ?’ ମୁଁ ଆଶ୍ଚର୍ଯ୍ୟ ହୋଇ ସେମାନଙ୍କ କଥା ଶୁଣୁଥିଲି । ସେମାନେ କ’ଣ ମୋ ବିଷୟରେ କଥାବାର୍ତ୍ତା ହେଉଚନ୍ତି! ନା, ମୁଁ ଭୁଲ୍‍ ବୁଝିଥିଲି । ପର ମୁହୂର୍ତ୍ତରେ ବାନୋ ପୁଣି କହିଉଠିଲା, ‘ତୁମେ
ଗୁଡ଼ାକ ମାଇଚିଆ ହିଞ୍ଜଡ଼ା, ମଦ ଟୋପାଏ ଲାଗି ପରା ତୁମେ ଯାଇ ନିଜ ଦେହରୁ ରକ୍ତ ବିକୁଚ!’

ମୁନୀର ନିଜକୁ ସମ୍ଭାଳି ନ ପାରି ବାନୋ ଗାଲରେ ଚଟକଣାଟିଏ ବସେଇଦେଲା । ତା’ପରେ କାନ୍ଦକଟା ଓ କୋଳାହଳ ।

ବାନୋ କାନ୍ଦିକାନ୍ଦି ମୁନିର୍‍କୁ ଗାଳି ଦେଇ ଚାଲିଥାଏ ଓ ମଝିରେ ମଝିରେ କହୁଥାଏ : ‘ମୁଁ କ’ଣ ଜାଣିନି? ତୁ ପରା ଫି’ଥର ବମ୍ବେ ଯାଇ ରକ୍ତ ବିକିଆସୁଚୁ । ଘରକୁ ଫେରି ଶେଯଟା ଉପରେ ଦିନ ଦିନ ଧରି ମଲାଗଲା ହୋଇ ପଡୁ । ରାତିସାରା ଥରୁଥାଉ ।’ ସତରେ ବାନୋ, ତୋର ଏମିତି ବିକଳ କାନ୍ଦ ଓ ଗାଳିଦେବା ଶୁଣି ମୋ ମନ ଦୁଃଖରେ ଭରି ଯାଇଥିଲା । ଆମେ ସମସ୍ତେ ମାନସିକ ଦୁଶ୍ଚିନ୍ତା ଭିତରେ ଥିଲେ । ଆମେ ସମସ୍ତେ ନିଜ ନିଜ ଭିତରେ ଗୋଟିଏ ଲେଖାଏଁ ପାକିସ୍ତାନ ସୃଷ୍ଟି କରି ସାରିଥିଲେ । ଆମେ ସମସ୍ତେ ବିକଳାଙ୍ଗ ପାଲଟି ସାରିଥିଲେ । କଦାକାର, ପଙ୍ଗୁ, ଅଥର୍ବ ହୋଇଯାଇଥିଲେ । ଆଉ ଆମ ଅବସ୍ଥା ବି ଅର୍ଦ୍ଧମୃତ ପାଲଟି ସାରିଥିଲା ।

ସେ ଜହ୍ନରାତିଟା ବି କେଡେ ଭୟଙ୍କର ଲାଗୁଥିଲା, ବାନୋ! ଦିନେ ଯେମିତି ରାତିରେ ଚିନାର ଛାଡ଼ିଥିଲି, ସେଦିନ ରାତିରେ ସେମିତି ଏକୁଟିଆ ଭିୱାଣ୍ଡି ଛାଡ଼ି ପଳେଇ ଯାଇଥିଲି । ଟ୍ୟାକ୍ସିଟିଏ ଧରି ମୁଁ ସିଧା ଥାନେ ପଳେଇ ଆସିଲି । ଚାରିଆଡ଼େ ପୋଡ଼ାଗନ୍ଧ, ସତେକି ସେ ଗନ୍ଧ ବାୟୁମଣ୍ଡଳ ସାରା ଖୁନ୍ଦି ହୋଇ ଯାଇଥାଏ । ଆକାଶରୁ ସନ୍ତାନହରା ମା’ମାନଙ୍କ ସ୍ତନରୁ କ୍ଷୀର ଧାର ଛୁଟିଥାଏ, ରାସ୍ତାସାରା ମୃତ ଲୋକଙ୍କ ଶବ ବିପର୍ଯ୍ୟସ୍ତ ହୋଇ ପଡ଼ିଥାଏ ଓ ସେମାନଙ୍କ ରକ୍ତର ଧାର ଚାରିଆଡ଼େ ଚକମକ କରୁଥାଏ…

ଥାନେ! ଥାନେରୁ ବସ୍‍ରେ ବସି ମୁଁ ବମ୍ବେ ପଳେଇ ଆସିଲି ଓ ସେଠାରୁ ଟ୍ରେନ୍‍ ଧରି ପୁନେ ପଳେଇଗଲି । ମୋ ବସାରେ ପହଞ୍ଚିଲା ପରେ ଶେଯରେ ଲୋଟିଗଲି । ସେଇଦିନଠାରୁ କେଇଦିନ ପର୍ଯ୍ୟନ୍ତ ଜରରେ ପଡ଼ି ସେଇ ବିଛଣା ଉପରେ ଛଟପଟ ହୋଇଥିଲି । ସତରେ ବାନୋ, କି ଭୟଙ୍କର ଦୁର୍ଦିନରେ ଆମେମାନେ ବଞ୍ଚିଛେ … ଆଉ ମଣିଷ କି ବିଚିତ୍ର ଜୀବ! କୁତ୍ସିତ, କଦାକାର, ରକ୍ତପିପାସୁ … ଆଉ ତା’ରି ଭିତରେ ମଣିଷ ବଞ୍ଚିଛି ।

ବାନୋ, ତୁ କ’ଣ ବୁଝିପାରୁଥିବୁ, ଅନ୍ୟ ଜଣେ ମଣିଷ ଭିତରେ କି ପ୍ରକାର ମାନସିକ ଦୁଶ୍ଚିନ୍ତା ଥାଏ! ପୁଣି ସେ ଯଦି ଏକାକୀ ହୋଇଯାଇଥାଏ ଓ ତା’ମନରେ ଜ୍ୱଳନ ଥାଏ, ତା’ହେଲେ ତା’ମନ ଓ ଶରୀର କେମିତି ହାହାକାର କରିଉଠେ! ଆଉ ସେଇ ଦୁଶ୍ଚିନ୍ତା ଭିତରେ କେହି ଜଣେ ନାରୀ ଯଦି ଆସି ପଚାରେ, ‘କିଏ ଅଛି? କେହି କିଏ ଅଛ?’ ପ୍ରାୟ ପାଞ୍ଚମାସ ପରେ ମୁଁ ମୋର ବାପାଙ୍କଠାରୁ ଚିଠି ଖଣ୍ଡେ ପାଇଲି । ସେ ପୁଣି ଭିୱାଣ୍ଡି ଫେରି ଆସିଥିଲେ । ତାଙ୍କ ଲୁଗା ବ୍ୟବସାୟ ଏବେ ଆଉ ଭଲ ଚାଲୁ ନ ଥିଲା । କାରଣ ସିନ୍ଧି ଓ
ମାରୱାଡ଼ି ଲୋକମାନେ ଆସି ସେମାନଙ୍କ ବେପାର ଆରମ୍ଭ କରି ସାରିଥିଲେ । ତା’ଛଡ଼ା ତାଙ୍କ ତନ୍ତ ବି ଭଲଭାବେ କାମ କରୁନଥିଲା । କାରଣ ସେ ଗୋଟିଏ ହାତ ହରାଇଥିଲେ ଓ ଏବେ ଖୁବ୍‍ କଷ୍ଟରେ ଗୋଟିଏ ହାତରେ ତନ୍ତ ଚଲାଉଥିଲେ । ବଜାରଘାଟରେ ଲୋକେ ଏବେ ତାଙ୍କୁ ‘ହାତଖଣ୍ଡି’ ବୋଲି ଡାକିବାକୁ ଆରମ୍ଭ କରିଦେଇଥାନ୍ତି । ଲୋକମାନଙ୍କ ତୁଣ୍ଡରୁ ଏଇ ଡାକ ଶୁଣି ସେ ମନେ ମନେ ହସନ୍ତି ।

ସେ ଚିଠିରେ ଏକଥା ବି ଲେଖିଥିଲେ ଯେ, ମୁନିର ମଧ୍ୟ ବମ୍ବେ ଯାଇଚି ଓ ସାଥିରେ ବାନୋକୁ ନେଇଯାଇଛି । କିନ୍ତୁ ସେମାନେ ଏବେ ବମ୍ବେରେ ଥିଲେ କି ପାକିସ୍ତାନ ପଳେଇ ଯାଇଥିଲେ ସେକଥା କାହାକୁ ମାଲୁମ୍‍ ନ ଥିଲା । ଡ୍ରିଲ୍‍ ମାଷ୍ଟରଙ୍କର ବି ଏବେ ମୁଣ୍ଡ କାମ କରୁ ନ ଥିଲା । ସିଏ ପାଗଳ ହୋଇଯାଇଥିଲେ । ତେଣୁ ସେ ନିଜ ଘରେ ଡ୍ରିଲ୍‍ ଅଭ୍ୟାସ କରୁଥିଲେ ଓ ସ୍କୁଲ୍‍କୁ ଯାଇ ସେଠାରେ ‘ଭର୍ତ୍ତୃହରି ନମଃ’ ଲେଖୁଥିଲେ ।

ମୁଁ ଯଦି ସେଇ ଦିନ ବମ୍ବେ ଯାଇ ନ ଥାଆନ୍ତି, ତା’ହେଲେ, ବାନୋ, ମୁଁ ଆଉ ଏ ଜୀବନରେ ତୋତେ ଭେଟିପାରି ନଥାନ୍ତି । ଓଃ! ସେ ସାକ୍ଷାତ କେଡେ ଯନ୍ତ୍ରଣା ଜର୍ଜରିତ ଥିଲା! ମୁଁ ନିଜକୁ କେତେ ଲଜ୍ଜିତ ମନେ କରିଥିଲି । ତୁ ବୋଧହୁଏ ଭାବିଥିବୁ ଯେ ଯେତେବେଳେ ମୁଁ ଗଣିକାମାନଙ୍କ ସାଙ୍ଗରେ ଭାବଦୋସ୍ତି ରଖିଥିଲି । ହଁ, ବାନୋ, ସତ କହୁଚି, ମୁଁ ନିୟମିତ ଭାବେ ସେଇ ଅନ୍ଧଗଳିର ପଥିକ ସାଜିଥିଲି । ଆଉ ତା’ର ମୂଳ କାରଣ ଥିଲୁ ତୁ । ବମ୍ବେରେ ମାତ୍ର କେଇଦିନ ଲାଗି ମୁଁ ରହିଥିଲି । ଭିୱାଣ୍ଡି ଯିବା ବାଟରେ ମୁଁ ସେଠାରେ ଯାହା
ଅଟକି ଯାଇଥିଲି । ବମ୍ବେରେ ପହଞ୍ଚିବା ପରେ ମୁଁ ନିଜକୁ ନିଜେ ପ୍ରଶ୍ନ କରିଥିଲି, ଭିୱାଣ୍ଡି ଫେରିଯିବା ପରେ ମୁଁ କରିବି କ’ଣ?

ଷ୍ଟେସନରେ ମୋ ସାଥିରେ କେଦାରର ଭେଟ ହୋଇଥିଲା । କେଦାର ମୋର ସାଙ୍ଗ । ଏବେ ସେ ବମ୍ବେରେ ରହୁଥିଲା । ପୁନାରେ ବି ସେ ମୋ ସାଥିରେ କିଛିଦିନ ରହିଥିଲା  । ସେଦିନ ସନ୍ଧ୍ୟା ଆମେ ଦୁହେଁ ଏକାଠି କଟାଇବା ଲାଗି କେଦାର ମୋତେ ଅନୁରୋଧ କରିଥିଲା ।

ସେଦିନ ସନ୍ଧ୍ୟାରେ, ବାନୋ, ତୋର ବି ସେପରି କିଛି କାମ ନ ଥିଲା । କୋଲ୍‍କାତାର ଗୋଟିଏ ପବ୍‍ରେ ଆମେ କେଇ ପେଗ୍‍ ଲେଖାଏଁ ମଦ ପିଇଥିଲୁ । ତା’ପରେ ସେଇଠାରୁ ଆମେ ପୂରା ହ୍ୟାଣ୍ଡଲୁମ୍‍ ହାଉସ୍‍ ପର୍ଯ୍ୟନ୍ତ ଚାଲିଚାଲି ବୁଲି ଯାଇଥିଲୁ । ଆଉ ସେଠାରେ
ପହଞ୍ଚି ଗୋଟିଏ ଗଳି ଭିତରେ ପଶିଥିଲୁ । ମୁଁ ଆଜି ବି ଯଦି ସେଠାକୁ ଯାଏ ତା’ହେଲେ ସେ ଗଳିକୁ ଚିହ୍ନିପାରିବି । କିନ୍ତୁ ଏବେ ସେ
ଇଲାକା କଥା ମୋର ଠିକ୍‍ ଭାବେ ମନେପଡ଼ୁନି । ଗଳି ଭିତରେ କିଛିବାଟ ଚାଲିବା ପରେ ଆମେ ଡାହାଣ ପଟକୁ ବୁଲିଥିଲୁ । କୋଣ ମୁଣ୍ଡରେ ଗୋଟିଏ ସିଗାରେଟ୍‍ ଦୋକାନ ଥିଲା । ଗଳିରେ କେଇଟା କାର୍‍ ଥୁଆ ହୋଇଥାଏ । ମୋର ଧାରଣା ଥିଲା ଯେ, ଏଇ ଗଳିରେ ବୋହ୍‍ରା

ମୁସଲମାନ ସମ୍ପ୍ରଦାୟର ଲୋକମାନେ ବୁଲୁଥିଲେ । ଗଳିଟା ବେଶ୍‍ ସଫାସୁତୁରା ଲାଗୁଥିଲା । ଆମେ ଗୋଟିଏ କୋଠା ପାଖରେ ଅଟକିଲୁ । ସେ କୋଠାଟି ଉପରକୁ ଯିବାଲାଗି ଲିଫ୍ଟ ବ୍ୟବସ୍ଥା ଥିଲା । ପାଖକୁ ଲାଗି ବେଶ୍‍ ପରିଷ୍କାର ଶିଡ଼ି ପାହାଚ । ଆମେ ଶିଡ଼ିରେ ଚଢ଼ି ଉପରକୁ ଗଲୁ । ପାଞ୍ଚ ମହଲା ଚଢି ସାରିଲା ବେଳକୁ ଆମେ ଦୁହେଁ କ୍ଳାନ୍ତ ହୋଇ ଯାଇଥାଉ । ଉପର ମହଲାର ଗୋଟିଏ ଘରୁ ରୋଷେଇ ବାସ୍ନା ଆସୁଥାଏ । ଗୋଟିଏ ଦୁଆରମୁହଁ ଆଗରେ ଅଟକିଯାଇ କେଦାର ବେଲ୍‍ ସୁଇଚ୍‍ ଟିପିଲା । ଉପର ମହଲାଟା ସେମିତି ସଫାସୁତୁରା କି ସୁନ୍ଦର ଲାଗୁ ନ ଥିଲା । କିଛି ସମୟ ପରେ କବାଟ ଖୋଲିଲା ଓ ଜଣେ ସିନ୍ଧି ଲୋକ ଆମକୁ ସ୍ୱାଗତ କଲେ । ଲୋକଟି
କ୍ଳାନ୍ତ ହୋଇ ସତେ କି ନିଃଶ୍ୱାସ ନେଉଥିଲା । ଆମକୁ ଘର ଭିତରକୁ ଡାକିନେଇ ସେ ଗୋଟିଏ କୋଠରୀ ଭିତରେ ବସିବାକୁ କହିଥିଲେ । ସେ କୋଠରି ଭିତରେ ସାଧାରଣ ସୋଫା ସେଟ୍‍ଟିଏ ପଡ଼ିଥାଏ । ଲୋକଟି ଏତେ ଜୋର୍‍ରେ ଧଇଁସଇଁ ହୋଇ ଯାଉଥାଏ, ଲାଗୁଥାଏ ସତେ ଯେମିତି ଏଇ ମୁହୂର୍ତ୍ତରେ ସେ ସଂଜ୍ଞାହୀନ ହୋଇ ଟଳିପଡିବ ଓ ଆଉ ଉଠିପାରିବ ନାହିଁ । କେଦାର ଓ ସିନ୍ଧିଲୋକ ଜଣକ ଏକତ୍ର ଆଉ ଗୋଟିଏ କୋଠରିକୁ ଚାଲିଗଲେ । କିଛି ସମୟ ପରେ ମୁଁ କେଦାରର ହସ ଶୁଣିପାରିଲି ।

ମୋତେ ସାରା ପରିବେଶଟା କିପରି ଅସହ୍ୟ ଲାଗୁଥାଏ । ତେଣୁ ସୋଫାରୁ ଉଠିଯାଇ ମୁଁ ଟିକେ ଖୋଲା ହାୱା ପାଇବାକୁ ଝର୍କା ପାଖରେ ଠିଆହେଲି । ତଳେ ଥିବା ଛୋଟ ଛୋଟ ଘରମାନଙ୍କ ମଇଳା ଛାତସବୁ ଦେଖାଯାଉଥିଲା । ଇତିମଧ୍ୟରେ ସିନ୍ଧି ଲୋକଟି ଫେରିଆସିଲା । ଏବେ ସୁଦ୍ଧା ସେ ସେମିତି ଜୋରଜୋର୍‍ ନିଃଶ୍ୱାସ ମାରୁଥାଏ । ସେ ମୋ ମୁହଁକୁ ଚାହିଁ ପଚାରିଲା, ‘ବିଅର୍‍ । କ’ଣ ବିଅର୍‍ ନେବେ?’
ମୁଁ ସମ୍ମତି ଜଣାଇବା ପରି କହିଲି, ‘ହଁ’ । ବିଅର୍‍ ଆଣିବା ଲାଗି ସେ ଗୋଟିଏ ପିଲାକୁ ବାହାରକୁ ପଠାଇଲା । ଲୋକଟା କିନ୍ତୁ
ପିଆପିଇ କଲାପରି ଲାଗୁ ନ ଥିଲା ।

ଏଥର ପେଲିହେଲା ଭଳି ସ୍ୱରରେ ସେ ପଚାରିଲା, ‘ଆପଣ କ’ଣ ବମ୍ବେରେ …’

ମୁଁ ବୁଝିପାରିଲି, ମୁଁ ବମ୍ବେରେ ରହେ କି ନାହିଁ, ସେ ସେଇ କଥା ଜାଣିବାକୁ ଚାହୁଁଥିଲା ।

:‘ନା, ମୁଁ ପୁନାରେ ରହେ ।’

ଏଥର ପୁଣି ଧଇଁସଇଁ ହେଲାଭଳି ସେ ପଚାରିଲା,‘କ’ଣ, ବୁଲି ଆସିଥିଲ?’

:‘ନା, ମୋର ବମ୍ବେରେ କେଇଟା କାମ ଥିଲା ।’

:‘ଆପଣ କ’ଣ ବିଜିନେସ୍‍ କରନ୍ତି?’

:‘ନା, ମୋର ନିଜର କିଛି କାମ ଥିଲା । ମୁଁ ଭିୱାଣ୍ଡି ଫେରିଯିବି ।’

ଏଥର ଲୋକଟା ମୋ ପାଖକୁ ଲାଗିଆସି କହିଲା । ଏବେ ସୁଦ୍ଧା ତା’ର ନିଃଶ୍ୱାସ ପ୍ରଶ୍ୱାସ ତଥାପି ସ୍ୱାଭାବିକ ହୋଇ ନ ଥାଏ । ମୁଁ କିନ୍ତୁ ସେତେବେଳକୁ ଗୋଟାପଣେ ଅତିଷ୍ଠ ହୋଇଉଠିଥାଏ । କେଇ ମିନିଟ୍‍ ପରେ କେଦାର ଫେରିଆସିଲେ । କେଦାରକୁ ଦେଖି ସିନ୍ଧି ଲୋକଟା ଚମକି ଉଠିଲା ପରି ନିଜ ସୋଫାରୁ ଉଠି ଠିଆ ହୋଇପଡିଲା । ଆମେ ତିନିହେଁ ଏବେ କୋଠରିଟି ମଝିରେ
ଠିଆ ହୋଇଥିଲୁ । କାହାରି ତୁଣ୍ଡରେ କିଛି ହେଲେ ଭାଷା ନାହିଁ । କେଦାର କିଛି ନ କହି ମୋ ବିଅର୍‍ ପଇସା ସିନ୍ଧି ଲୋକଟିକୁ ବଢ଼ାଇଦେଲା ।

ହଠାତ୍‍, ଜଣେ ମହିଳା କୋଠରୀ ଭିତରକୁ ପଶିଆସି କେଦାର ହାତକୁ ଚାବିନେନ୍ଥାଟିଏ ବଢ଼ାଇଦେଲା । କେଦାର ପାଖରେ ମୋତେ ଓ ସେ ଧଇଁପେଲା ସିନ୍ଧି ଲୋକଟିକୁ ଦେଖି ସେ ଚାରିଆଡେ ଆଉଥରେ ଆଖି ବୁଲାଇଆଣି ପଚାରିଲା, ‘ଆଉ କିଏ ଅଛନ୍ତି?’

ମୁଁ ମୁହଁ ଫେରାଇ ସ୍ତ୍ରୀ ଲୋକଟି ଆଡେ ଚାହିଁଲି ଓ ପର ମୁହୂର୍ତ୍ତରେ ନିଜ ଆଖିକୁ ସୁଦ୍ଧା ବିଶ୍ୱାସ କରି ପାରିଲିନି । ବାନୋ, ସେ ସ୍ତ୍ରୀ ଲୋକଟି ତୁ ଥିଲୁ । ଛାତିରେ ଖଣ୍ଡେ ବ୍ଲାଉଜ ଓ ପେଟିକୋଟ୍‍ ପିନ୍ଧି ତୁ ଆମ ସାମ୍ନାରେ ଠିଆ ହୋଇଥିଲୁ ଓ ପୁଣିଥରେ ସେଇ ପ୍ରଶ୍ନ ଆମକୁ
ଦୋହରାଉଥିଲୁ,‘ଆଉ କିଏ ଅଛନ୍ତି?’

ହଁ, ଆଉ କେହି … ଆଉ କେହି ଜଣେ ଥିଲା …

ମୁହୂର୍ତ୍ତଟିଏ ଲାଗି ମୋ ଭିତରେ ସତେକି ଏକ ଝଞ୍ଜା ବହିଗଲା । ଆମ ଭିତରେ ସେତେବେଳେ ଏକ ବିଚିତ୍ର ନୀରବତା ଦେଖା ଦେଇଥିଲା । ମୁଁ ତୋତେ ଚିହ୍ନିପାରିଥିଲି ଓ ତୁ ମୋତେ । ତୋ ଓଠରେ ବାନୋ, ମୁଁ ସେତେବେଳେ, ଘୃଣା ଓ ତାତ୍ସଲ୍ୟର ହସର କ୍ଷୀଣ ରେଖାଟିଏ ମୂହୁର୍ତ୍ତକ ଲାଗି ଲକ୍ଷ୍ୟ କରିପାରିଥିଲି । ନା ତାହା ମୋ ମନର ଭ୍ରମ ଥିଲା! ତୁ କ’ଣ ମୋ ଉପରେ ପ୍ରତିଶୋଧ ନେଉଥିଲୁ? ନା ତୋର ଏ ପ୍ରତିଶୋଧ ମୁନିରପାଇଁ, ଅବା ପାକିସ୍ତାନପାଇଁ ଉଦ୍ଦିଷ୍ଟ ଥିଲା? ନା ତୁ ତୋ ନିଜକୁ ଏମିତି ତିଳେତିଳେ ଧ୍ୱଂସ କରି ତୋ ନିଜ
ଉପରେ ପ୍ରତିଶୋଧ ନେଉଥିଲୁ?

ମୁଁ ଆଉ ସେଠାରେ ମୁହୂର୍ତ୍ତଟିଏ ଠିଆ ହୋଇ ରହିପାରି ନ ଥିଲି । ଏକ ବିଚିତ୍ର ଭାବାବେଗରେ ତଳକୁ ଓହ୍ଲାଇ ଆସିଥିଲି । ଆଉ ମୋ ପଛେପଛେ କେଦାର । ମୋର ଇଚ୍ଛା ହେଉଥିଲା ପୁଣିଥରେ ଶିଡ଼ିି ଚଢ଼ି ତୋ ପାଖକୁ ଯିବାକୁ ଓ ପଚାରିବାକୁ, ‘ବାନୋ, ଏଇଆ କ’ଣ ଆମଲାଗି ବିଧି ନିର୍ଦ୍ଦିଷ୍ଟ ଥିଲା?’ ହେଲେ ମୁଁ ଆଉଥରେ ପଛକୁ ଫେରି ଚାହିଁ ପାରି ନ ଥିଲି ।

ଏବେ ମୁଁ ଚିନ୍ତା କରିପାରୁ ନ ଥିଲି, ଯିବି କୁଆଡେ? କେଉଁଠି ଆତ୍ମଗୋପନ କରିବି? ମୋ ଚତୁଃପାଶ୍ୱର୍ରେ ମୁଁ କେବଳ ଶହ ଶହ ପାକିସ୍ତାନକୁ ସତେ ଯେପରି ଅନୁଭବ କରୁଥିଲି । ଆଉ ତା’ଭିତରେ ଆଶା କରୁଥିବା ଜୀବନଟିଏ ଅବା ମିଳନ୍ତା କୁଆଡୁ? ଆଉ ସେ ଅବିଭକ୍ତ ଜୀବନଟା ମିଳିବ ଭଲା କେଉଁଠି? ବାନୋ, ଚାରିଆଡ଼େ କେବଳ ପାକିସ୍ତାନ, ଆଉ ପାକିସ୍ତାନ । ଆଉ ସେ ପାକିସ୍ତାନ ଯେମିତି ମୋତେ ଆଉ ତୋତେ ପ୍ରତି ମୂହୁର୍ତ୍ତରେ କ୍ଷତାକ୍ତ କରିଚାଲିଛନ୍ତି । ଅପନିନ୍ଦିତ କରି ଚାଲିଛନ୍ତି । ପ୍ରତି ପଦକ୍ଷେପରେ ଆମକୁ ପରାହତ କରି ଚାଲିଥିଲା…

 

ରୂପାନ୍ତର: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

 

Comments are closed.