ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୭
ବୈଭବ ତିନିଦିନ କହି, ସାତ ଦିନ ହେଲା ଫେରି ନାହାଁନ୍ତି । ଏକାଏକା ଲଗୁଛି ତାକୁ । ନିଜ ଆଡୁ ଫୋନ୍ କି, ମେସେଜ୍
କରିବାକୁ ସାହସ ହେଉନି । ଫୋନ୍ରିଙ୍ଗ୍ ହେଲେ, କି’ ଏସ୍ ଏମ୍ ଏସ୍ ବିପ୍ କଲେ, ଧାଇଁ ଆସି ଚେକ୍ କରୁଛି । ବୈଭବଙ୍କ ମେସେଜ୍କୁ ଚାତକ ପରି ଚାହିଁ ବସିଛି ।
କୁମାର ଆସିଲେ । ସାର୍ଙ୍କ ଅନୁପସ୍ଥିତିରେ ସମ୍ପୂର୍ଣ୍ଣ ଅଫିସ ଦାୟିତ୍ୱ ତାର , ଆଉ କିଛି ମାତ୍ରାରେ ଘର କଥାବି ବୁଝି ନିଏ । ଯଦିଓ ସବୁ ପାଇଁ ସର୍ଭେଣ୍ଟଣ୍ଟ ମାନେ ରେଡି । ତା’ର ଅବାଧ ପ୍ରବେଶ ରହିଛି । ସାର୍ଙ୍କ ପ୍ରତ୍ୟେକଟି କାମ ତା’ରି ବାଟ ଦେଇ ଯାଇଥାଏା । ତା’ଛଡା ଆଉ କିଏ ତଳ ଫ୍ଲୋର୍ର ଲବି ଡେଇଁ ଉପରକୁ ଆସିବାଥିବାର କେବେ ଦେଖିନାହିଁ ଆରଧ୍ୟା । ବୈଭବଙ୍କୁ ପସନ୍ଦ ନୁହେଁ । ଅଫିସ କାମ ଅଫିସରେ ।
କୁମାର ଆସେ । ଯେବେ ଲେଟ୍ନାଇଟ୍ ମିଟିଙ୍ଗ୍ ପରେ କ୍ଲାଏଣ୍ଟମାନେ ବିଦା ହୁଅନ୍ତି ଓ ବୈଭବ ନିଶାରେ ଚୁର୍ ଥାଆନ୍ତି, ସେତେବେଳେ କୁମାର ଆସେ । ପଛ ସିଟ୍ରୁ ବାହୁଧରି ଓହ୍ଲେଇ ଆଣନ୍ତି ତାଙ୍କୁ, ସେ ଓ ଡ଼୍ରାଇଭର । ଉପର ବେଡ଼ରୁମ୍ ଯାଏ ନେବା ଦାୟିତ୍ୱ କେବଳ କୁମାରର । ପ୍ରଭୁଭକ୍ତ ପରି ନିଶାଶକ୍ତ ସାର୍ଙ୍କ ଅବାନ୍ତର ବାଚଳାମୀର ସବୁ ହଁ ରେ ହଁ ମାରିମାରି ନେଇଆସେ ବିଛଣା ଯାଏ । ଅସରନ୍ତି ଅପେକ୍ଷା ଓ ଅଭିମାନ ନେଇ ବାଲକୋନୀରେ ଚାହିଁ ବସିଥିବା ମ୍ୟାଡ଼ମଙ୍କ ମୁହଁକୁ ଦେଖିନିଏ । କ୍ଷଣଟିଏ ରହେନା କି ସାମ୍ନା କରି ପାରେନା ମ୍ୟାଡ଼ମ୍ଙ୍କ ହଜାରେ ପ୍ରଶ୍ନ ନେଇ କ୍ଲାନ୍ତ ଆଖି ହଳକୁ । ଚଟ୍କରି ଚାଲିଯାଏ ।
ସାର୍ ଫେରିବାକୁ ଆଉ ଦୁଇ ଦିନ ଲାଗିବ ମ୍ୟାଡ଼ମ୍ । ଖବର ଦେଇଥିଲେ ।
ଆଛା..ତୁମକୁ ଖବର ଦେଇଥିଲେ?
ହଁ..ହଁ ମାନେ.. ନା.. ମାନେ ଅଫିସକୁ ।
ଏକା କଥା । ତୁମ ପାଖରେ ଖବର, କିନ୍ତୁ ମୋ’ ପାଖକୁ ମେସେଜ୍ ନାହିଁ!
ଆରାଧ୍ୟା ଏଥର ସିଓର ହେଇଗଲା, ବୈଭବ ଭୀଷଣ ଭାବେ ତା’ ରାଗିଯାଇଛନ୍ତି । ଆଗରୁ ବି ତା’ ଆଖିରେ ଏତେ ଟିକେ ପ୍ରଶ୍ନ
ଦେଖିଲାମାନେ ସେ ଗୁମ୍ ହେଇଯାଆନ୍ତି । କିଛି କୁହନ୍ତିନି । ମୁହଁକୁ ବି ଚାହାଁନ୍ତିନାହିଁ । ଦିନଦିନ କଟିଯାଏ । କେବେକେବେ ମାସେ କି’ ଦେଢ ମାସ । ତା’ ଆଖିରୁ ଅନୁତାପର ଶେଷ ବୁନ୍ଦା ଲୁହ ସରିବାଯାଏ, କ୍ଷମା କରନ୍ତି ନାହିଁ ।
Comments are closed.