ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୦
ଆଗକୁ ଝୁଙ୍କି ପଡ଼ିଲା ଆରାଧ୍ୟା ।
ତାଙ୍କ ଶବ୍ଦଟା ଛୋଟ ଘୂର୍ଣ୍ଣିଝଡ଼ଟେ ସୃଷ୍ଟି କରି ନାକ ବାଟଦେଇ ବୋହିଗଲା । ଏ କ’ଣ କହୁଛନ୍ତି । ଏହା କିପରି ସମ୍ଭବ!
କାଇଁ, ଅସୁବିଧା କୋଉଠି?
ନାଁ ଧରି କେମିତି ଡାକିବି?
ଯେମିତି ମୁଁ ଡାକୁଛି ତୁମକୁ, ତୁମ ନାଁ ଧରି ।
ଆପଣ ବୁଝିଲେନି, ମୁଁ ଜବ୍ କରୁଥିବା କମ୍ପାନୀର ମାଲିକଙ୍କ ଆପଣ ୱାଇଫ୍ ।
ତ’…କ’ଣ ହେଲା ସେଇଠୁ । ଏବେ ଆମ ପରିଚୟର ସଂଜ୍ଞା ଅଲଗା ନା…. ତୁମେ ମୋ’ର ବନ୍ଧୁ ।
ଆପଣ ଯାହା କହୁଛନ୍ତି ଭାବିଚିନ୍ତି କହୁଛନ୍ତି ତ! ନିଶ୍ଚୟ..
ଆଦୌ ସମ୍ଭବ ନୁହେଁ । ଭାବପ୍ରବଣତାରେ ଭାଷିଯାଇ, ଆପଣ ସେପରି କହୁଛନ୍ତି । ହେଲେ ସମସ୍ତେ କଣ ଭାବିବେ? ସାର୍ କ’ଣ ଭାବିବେ?
ପ୍ଲିଜ୍ କୁମାର ସେମିତି କୁହନି । ମୁଁ ଏତେ କଥା ଭାବେନି । ଅରୁ ବୋଲି ଡାକ । ଜାଣି ସାରିଲା ପରେ ତୁମେ ମ୍ୟାଡ଼ମ୍ ବୋଲି
ଡାକିଲେ ଆଉ ମତେ ଭଲ ଲାଗିବନି । ମୋ ରାଣ ।
ଗମ୍ଭୀର ହେଇଗଲା କୁମାର ।
ଧର୍ମସଂକଟ! କଥା ରଖିବାକୁ ବିବେକ ବାଧା ଦେଉଛି ।
ଶୁଣ, କେଉଁଠି ନା’ କେଉଁଠି ପିଲାଦିନୁ ଆମେ କନେକ୍ଟେଡ଼୍ । ହଁ କି ନାହିଁ? ସେଇ ଦୃଷ୍ଟିରୁ ତୁମେ ମୋ ସାଙ୍ଗ, ତା’ ପରେ କିଛି ଅସୁବିଧା ଅଛି? ମୁଁ ବୁଝୁଛି । ହେଲେବି ଅରୁ ବୋଲି କୁହ । ପ୍ଲିଜ୍ କୁମାର ।
ଚଟ୍ କରି କୁମାର ହାତକୁ ମୁଠେଇ ଧରିଲା ଆରାଧ୍ୟା ।
ଡାକ..ଅରୁ ବୋଲି ଡାକ । କେହି କିଛି ଭାବିବେନି । ମୁଁ ଜାଣେ କ’ଣ ଭାବୁଛ ତୁମେ । ବିଶ୍ୱାସ କର କିଛି ହବନି ।
କୁମାରର ଆଖି ଆପେ ଆପେ ବନ୍ଦ ହେଇଅସିଲା । ଦେହରେ କରେଣ୍ଟ ମାରିଲା ପରି ଥରି ଉଠିଲା ଛାତି । ଠିକ୍ ସେଇ ରାତି ପରି ।
କ୍ରମଶଃ…..
Comments are closed.