Latest Odisha News

BREAKING NEWS

 ଭାଷା ଭାଗବତ : ଜଟିଳ ଲିଖନ ପ୍ରୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୭ 

ଜଟିଳ ଲିଖନ ରକ୍ଷଣ
ସକାଶେ ଲିପି ପ୍ରଚଳନ
ହୋଇଛି ଭାଷାରେ ସ୍ଥଗିତ
ବୁଝଂତୁ ସୁଜ୍ଞାନୀ ପଂଡିତ

ଚଳୁଛୁଁ କଥାବାର୍ତା କରି
ଲେଖିବା ପାଇଁ ଥାଉଁ ଡରି
କାଳେ କି ହୋଇଯିବ ତ୍ରୁଟି
ଏ ଚିଂତା ମନ ଦିଏ ଘାଂଟି

ଆମ ଭାଷାର ବର୍ଣମାଳା
ଦେଖିଲେ ଶିଖାଳି ବାଉଳା
ହେବାଟା ଅଟେ ସୁନିଶ୍ଚିତ
ମୂଳରୁ ହୁଏନି ଲିଖିତ

ମନରେ ଧରି ଏତେ ଦ୍ବିଧା
ପ୍ରତି କଥାରେ ପାଉଁ ବାଧା
ହୁଏ ବହୁତ ଅସୁବିଧା
ବୁଝେନି ପିଲାଂକର ମେଧା

ସଂ ଓ ସମ୍‌ ଅଟେ ସମାର୍ଥକ
ପରଖି ନିଅଂତୁ ପାଠକ
ସଂପୂର୍ଣ ସମ୍ପୂର୍ଣ୍ଣ ସମାନ
ଏକ ଅର୍ଥ ଓ ଉଚ୍ଚାରଣ

ଶବ୍ଦର କିପରି ଲିଖନ
କରିବ ସରଳ ଲିଖନ
ତା ପ୍ରତି ଦେଲେ ଟିକେ ଧ୍ୟାନ
ମିଳିବ ସବୁ ସମାଧାନ

‘ କାହିଁକି? ‘ ପ୍ରଶ୍ନ ଯେ ପଚାରେ
କଥା ଛଳରେ ଜେରା କରେ
ଏପରି କୌଣସି ପ୍ରଶ୍ନର
ମିଳେନି ଯଥାର୍ଥ ଉତ୍ତର

କିଏ କେଉଁଠି କେବେ କ’ଣ
କାହାକୁ କହିଲା ତା ଜାଣ
ତହିଁରୁ କର ଅନୁମାନ
ସେ ସବୁ କଥାର କାରଣ

ପ୍ରଶ୍ନ ନ ହେଲେ ସୁନିର୍ଦିଷ୍ଟ
ଉତ୍ତର ହୁଏନାହିଁ ସ୍ପଷ୍ଟ
ଯାହାକୁ ଯେତେ ଯାହା ଜଣା
ଉତ୍ତର ରୂପେ ହୁଏ ଗଣା

ଏପରି କେତେ ପ୍ରଶ୍ନୋତ୍ତର
ହେଉଥିଲେ ବି ନିରଂତର
ହୁଏନି କାହା ଉପକାର
ଏ ତଥ୍ୟ କରିବା ସ୍ବୀକାର

ଏପରି ପ୍ରଶ୍ନୋତ୍ତର ଖେଳ
ଜ୍ଞାନର ବୃଦ୍ଧିରେ ବିଫଳ
ହେଉଥିଲେ ହେଁ ବାରଂବାର
ମିଳୁନି କିଛି ପ୍ରତିକାର

ଭାଷୀଏ ଯେ ଯା ମାର୍ଗ ଧରି
ନିଜର ଭାଷାକୁ ଆଦରି
କରଂତୁ ନିତି ଲେଖାଲେଖି
ଭାଷା କେତନ ଥାଂତୁ ଟେକି

ସ୍ବଭାଷା ସୁଂଦର ଆଧାର
ତହିଁରେ ଭାବର ସଂଭାର
ରହିଲେ ହେବ ବୋଧଗମ୍ୟ
ତାହା ହିଁ ହେଉ ଏବେ କାମ୍ୟ

ଭାଷାର ସବୁ ରୂପାବଳି
କଥୋପକଥନରେ ଚଳି
ଲୋକଂକୁ ଶୁଭୁଛି ସର୍ବତ୍ର
ଲେଖୁ ହାତ ଓ ଦେଖୁ ନେତ୍ର

ସରଳତମ ଶବ୍ଦ ଆଣି
ଲେଖକେ ଭାବ ଦେଲେ ବୁଣି
ସ୍ବଭାଷା ହେବ ପ୍ରସାରିତ
ସୁଜ୍ଞାତ ହେବ ତା ମହତ୍ତ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.