ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୦
ଆଗକୁ ତ ବଢ଼ିବାକୁ ପଡ଼ିବ । କ’ଣ କରିବ ? ଏମିତି ଅଚାନକ୍ ଚାଲି ଆସିଲ, କେବେ ଫେରିବ?
ନା କୁମାର ଏ ଯାଏ କିଛି ବି ଭାବିନି । କିନ୍ତୁ ଫେରିବି ନାହିଁ, ଏଇଟା ପକ୍କା । କେବେବି ଫେରିବି ନାହିଁ । ମତେ ଏତେ ଦୁର୍ବଳ ଭାବନି । ଲୁଇସ୍ ଭିଲ୍ଲା କେବେ ହେଲେ ମୋ’ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିନି । ଅଭିଶପ୍ତ ସେ ଜାଗା । ଅନେକ ଲୋକଙ୍କର ଲୁହ ନିଃଶ୍ୱାସ ପଡ଼ିଛି । ସେଇଠି କ୍ଷଣଟିଏ ହେଲେ ରହିପାରିବି ନାହିଁ ବୋଲି ତ’ ଚାଲିଆସିଲି । ଏବେ ପୁଣି କେଦାର । ମୋ’ ପରି ଏ ଛୁଆଟିବି ଅନାଥ । ନିଜର ଲୋକ ପାଖରେ ନ’ ଥିଲେ, କ’ଣ ଅନୁଭବ ହୁଏ, କେବଳ ସେ ହିଁ
ବୁଝିପାରିବ, ଯେ ନିଜର ଲୋକଙ୍କୁ ହରେଇ ଦେଇଥିବ ।
କୁମାର ମୁହଁରେ ଭାଷା ନାହିଁ । ଅସମ୍ଭବ ପ୍ରକାର ନୀରବତା । ଅରୁ ଠିକ୍ କହିଛନ୍ତି । ସେ ଘର ତ’ ଅଳ୍ପ ଦିନରେ ନିଲାମ ହେଇଯିବ । କୋଉ ମୁହଁରେ ତା’କୁ ଫେରିଯିବା ପାଇଁ କହୁଛି!
କର୍ମଚାରୀ କେସ୍ କରିଛନ୍ତି । ବ୍ୟାଙ୍କର ସିଷ୍ଟମ ଅନୁସାରେ କମ୍ପାନୀ ଓ ଘର ନିଲାମ ହେବ । ସେ ସବୁ ପ୍ରକ୍ରିୟା , ଖୁବ୍ ଟାଇମ୍ ଲାଗିବ ।
ଦିନଦିନ ଗଡ଼ି ଚାଲିଛି । କୁମାର କେବେ ସେଇଠି ତ, କେବେ ବିଜିପୁର ଗେଷ୍ଟ୍ ହାଉସ୍, ଅରୁ ପାଖକୁ ଧାଇଁ ଆସୁଛି । ଧାଇଁ ଆସୁଛି କେଦାର ପାଖକୁ । ଦିନକୁ ଦିନ ସେ ବି ଛୁଆଟିର ମୋହରେ ବାନ୍ଧି ହେଇପଡୁଛି ।
ଆରାଧ୍ୟାର ଯାହା ଥିଲା, ସାଧ୍ୟମତେ ହରିଶକୁ ଆର୍ଥିକ ସାହାଯ୍ୟ କରିବାରେ ଲାଗିଛି । ବାଙ୍ଗାଲୁର୍ ହସ୍ପିଟାଲରେ ବ୍ଲଡ଼୍ ଡାଇଲିସସ ଚାଲିଛି । ପ୍ରତି ପନ୍ଦର ଦିନ, ମାସକରେ ହରିଶ୍ର ଯିବା ଆସିବା ଲାଗି ରହିଛି । ମୃତ୍ୟୁ ଅନିବାର୍ଯ୍ୟ ଜାଣି ସୁଧା, ମଣିଷର ମୃତ୍ୟୁ ସହ ସଙ୍ଘର୍ଷ ଜାରିରହେ । ସେଇଆ ହେଉଛି ।
କେଦାରକୁ ପୁଅ ପରି ପାଖରେ ରଖି ଆରାଧ୍ୟା ନିଜର ଅତୀତକୁ ଭୁଲିଯିବାର ଚେଷ୍ଟାରେ ।
କ୍ରମଶଃ
Comments are closed.