ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୩
କୁମାର ମନରେ ଆରାଧ୍ୟା ପ୍ରତି ସମ୍ନାନ ସହିତ ଭଲ ପାଇବା ବି ବଢ଼ିବାରେ ଲାଗିଛି ।
କ’ଣ ଭାବୁଛ କୁମାର? ଦେଖ, ସବୁ ତ’ ହେଲା, ଖାଲି ଏ ଖଟଟା ଝର୍କା ପାଖକୁ ଲଗେଇକି ପକେଇ ଦେଲେ ଭଲଲାଗିବ ।
ଓକେ, ଧର ସେପଟୁ…. ହୁଁ ଆଉ ଟିକେ ବାଁ କୁ ନିଅ । ବାସ୍… ଏଥର ହେଲା?
ଦେଖ ତ’ କୁମାର.. କେମିତି କଳା ହାଣ୍ଡିଆ ମେଘ ଘୋଟିକି ଆସିଲାଣି । ତୁମେ ବାହାରୁଥିଲ ପରା? ଯାଅନା ଏବେ । ତୁହାଟେ ବର୍ଷିକି ଛାଡ଼ି ଯାଉ, ଚାଲିଯିବ ।
ଚାହୁଁ ଚାହୁଁ ସାରା ଆକାଶଟା କଳା ଚାଦରରେ ନିଜକୁ ଢାଙ୍କି ଦେଲା । ପବନର ତୀବ୍ରତା ବଢିଲା । ଟିକେ ଆଗରୁ ସଫା କରିଥିବା ଘର ଭିତରେ ଶୁଖିଲା ପତ୍ର ଓ ଧୂଳି ।
କୁମାର ଧାଇଁ ଯାଇ ଗୋଟି ଗୋଟି କରି ସବୁ କବାଟ ଝରକା ବନ୍ଦ କରିଦେଲା ।
ମାର୍ଗଶୀର ମାସର ଅଦିନ ଝଡ଼, ବର୍ଷା । ପ୍ରକୃତିରେ ଭରା ପାହାଡି ଇଲାକାରେ ଶୀତର ପ୍ରକୋପ ଥିଲା ଖୁବ୍ ପ୍ରଚଣ୍ଡ । ଦେହ ମୁଣ୍ଡ ଥରି ଯାଉଥାଏ ତ’ ଇଆଡେ ଟିପ୍ଟିପ୍ ବର୍ଷା ଆରମ୍ଭ ହୋଇ ସାରିଥାଏ ।
କୁମାର ସବୁ ଆଡେ ଚାହିଁଲା । ସବୁ କବାଟ ଝର୍କା ବନ୍ଦ ସତ୍ତ୍ୱେବି, କୋଉଠୁ ଏତେ ହେମାଳ ପବନ ପିଟୁଛି!
ଆରାଧ୍ୟା ଖଟ ସାଇଡ଼୍ର ଝର୍କା ଖୋଲି ରେଲିଙ୍ଗ୍କୁ ଧରି ବାହାରକୁ ଚାହିଁଛି ।
ଆକାଶ ଭର୍ତ୍ତି କଳା ବାଦଲ ତରଳୁଛି ଧିରେଧିରେ । ଟିପ୍ ଟିପ୍ ବର୍ଷାର ଶବ୍ଦ, ଘର ଭିତରର ଅଖଣ୍ଡ ଶୂନ୍ୟତାକୁ ଭାଙ୍ଗି ଦେଉଛି । ବାଦଲ ଚିରି ବିଜୁଳିର ଆଲୁଅ ଝିଟିକି ପଡୁଛି ଦୂରଦୂର ଯାଏ ସବୁଜିମା ଭରା ପାହାଡ଼ ଜଙ୍ଗଲ ସ୍ପଷ୍ଟ ବାରିହେଇ ପଡୁଛି , କ୍ଷଣିକରେ ପୁଣି ହଜିଯାଉଛି ଅନ୍ଧକାରର ଗର୍ଭରେ । ସାରା ବଗିଚାରେ ସେବତୀ ଫୁଲ ଖିଲିଖିଲି ହସୁଛନ୍ତି । ଧାଡ଼ି ଧାଡ଼ି ଫୁଟିଥିବା ମଖମଲି ଗେଣ୍ଡୁ, ପବନ ସହ ତାଳ ଦେଇ ଦୋହଳୁଛନ୍ତି । ଦରଫୁଟା ରଜନୀଗନ୍ଧାର ହାଲକା ମହକ, ଅବାଧରେ ଘର ଭିତରେ ପ୍ରବେଶ କରୁଛି । ତା’ ଆଘ୍ରାଣରେ ଦେହ ମନରେ ସୃଷ୍ଟି ହେଉଛି ଏକ ଅଦ୍ଭୁତ ରୋମାଞ୍ଚ ।
କ୍ରମଶଃ
Comments are closed.