Latest Odisha News

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୭ 

 

ନିଜ ପ୍ରଶ୍ନ ଓ ଉତ୍ତର ମଧ୍ୟରେ ନିଜେ ହିଁ ଘାଣ୍ଟି ହେଇପଡିଲା । ଯାହା ହେଲେ ବି ସେ ଦୋଷୀ । ଅନ୍ଧାରକୁ ଫିକା କରି ସୂର୍ଯ୍ୟର ହାଲ୍‌କା, କୋମଳ, କିରଣ ବିଛୁଡି ପଡ଼ିଲା ଚଟାଣରେ । ରାତିର ଝଡ ତୋଫାନ୍ ନୀରବି ଯାଇଛି । ସେଇ ଦର ଆଉଜା ଝର୍କା ଫାଙ୍କ ଦେଇ ପ୍ରବେଶ କରୁଥିବା ସୁନେଲି କିରଣରେ, ଝଲ୍‌ମଲ୍ କରୁଛି ସାରାଘର ।

ବାହୁ ବନ୍ଧନରୁ ମୁକ୍ତ କଲା ଆରାଧ୍ୟାକୁ । ତା’ ମୁହଁ ଉପରେ ବିଛେଇହେଇ ପଡିଥିବା କେଶ କେରାକୁ ଆଙ୍ଗୁଳିରେ ଆଡେଇ ଦେଲା । କ୍ଷଣଟିଏ ଆଖିବନ୍ଦ କରି ଅନୁଭବ କଲା, ସେଇ ମୁହୂର୍ତ୍ତବାକୁ ସେଇ ଅନ୍ତରଙ୍ଗ ବେଳାରେ ନିବିଡ ପ୍ରେମକୁ, ଚରମତୃପ୍ତିକୁ । ନା.. ଏତେ ନିଚ୍ଛକ ଭଲପାଇବା ଭିତରେ ଛଳନାର ସ୍ଥାନ ନାହିଁ? ଏ ପ୍ରେମ, ପାପ ନୁହେଁ କେବଳ ପବିତ୍ର ।

ସବୁ ପରେ ବି ଆରାଧ୍ୟାର ମନଭାବକୁ ଗଭୀର ଭାବେ ବୁଝିବାକୁ ପଡିବ । ଅନ୍ଧକାରମୟ ରାତିର ଦୁର୍ବଳମୁହୂର୍ତ୍ତକୁ ଦିବାଲୋକରେ ସେ କିପରି ଭାବେ ଗ୍ରହଣ କରୁଛି, ପରଖି କୁ ପଡିବ ।
ଆରାଧ୍ୟାର ସିଫନ୍ ଶାଢ଼ୀଟି ପାଦ ତଳୁ ଟାଣି ଆଣି ତା’ ଅନାବୃତ୍ତ ଶରୀରରେ ଢାଙ୍କି ଦେଇ ଉଠି ଆସିଲା ।

ଅରୁ ଉଠିବା ଆଗରୁ ତାକୁ ଚାଲିଯିବାକୁ ହେବ । ତା’ ମନରେ ଏବେ ଅନେକ ଦ୍ୱନ୍ଦ । ଏ ସବୁ ପରେ ଆରାଧ୍ୟାକୁ କେମିତି ମୁହଁ ଦେଖେଇବ । ଆରାଧ୍ୟା କ’ଣ ତାକୁ ଗୋଟେ ଭଲ ବନ୍ଧୁ ରୂପେ ଗ୍ରହଣ ପାରିବ?  ମନରେ ତା’ ପାଇଁ ଯାହା ଅଛି, ସେ କଥା କ’ଣ ହୃଦୟଙ୍ଗମ କରି ପାରିବ ଅରୁ !  ଓଃ…ନା..କେବଳ ସମୟ ହିଁ ତା’ର ଉତ୍ତର ଦେବ ।

ଡ୍ରେସ୍ ପିନ୍ଧି ନିଜକୁ ପ୍ରସ୍ତୁତ କଲା । ଏମିତି କିଛି ନ’ କହି ଚୁପଚାପ୍ ଚାଲିଗଲେ ତା’ ଆତ୍ମା ବାଧା ଦେବ । ନା, ପାରିବନାହିଁ ସେ । ଆରାଧ୍ୟା ଉଦ୍ଦେଶ୍ୟରେ ଚିଠିଟିଏ ଲେଖିଲା । ତା’ ତକିଆ
ଉପରେ ରଖି ଦେଇ ଗମ୍ଭୀର ଭାବରେ ବାହାରି ଆସିଲା । ଯଦି ତାକୁ କ୍ଷମା କରି ପୂର୍ବ ପରି ଗ୍ରହଣ କରି ପାରିବ ତ’ କଲ୍ କରିବ । ସେତେଦିନ ଯାଏଁ , ସେ କେବଳ ଆରାଧ୍ୟାର ଫୋନକୁ ହିଁ ଅପେକ୍ଷା କରିବ ।

Comments are closed.