ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ବାହା ହୋଇ ଆସିବା ପରେ ସମ୍ଭବ ନୂଆ ନୂଆ ଦି ଚାରି ବର୍ଷ କେକ୍ ଆଣି ଉଇସ୍ କରୁଥିଲେ । ଖୁବ ଖୁସି ଲାଗୁଥିଲା ।ତାପରେ ସମ୍ଭବ ଭୁଲିବାକୁ ଲାଗିଲେ । ଏଇ ଫେସବୁକ ଆସିବା ଦିନୁ ସେ ସବୁ ବର୍ଷ ମନେପକାଇ ଦିଏ ଆଉ କେତେ ଆଡୁ ଶହ ଶହ ବାର୍ଥଡେ଼ ଉଇସ୍ ରେ ଫେସବୁକ ଭର୍ତ୍ତି ହୋଇଯାଏ ,କି ଖୁସି !! ତା ଭିତରେ ପୁଣି ସ୍ୱପ୍ନିଲଙ୍କର ବି ଉଇସ୍ ! ଇସ କି ଖୁସି ଶବ୍ଦରେ ପ୍ରକାଶ କରି ପାରୁନଥିଲା ଆସ୍ଥା !
ହେଲେ ଏବେ କିଛି ବର୍ଷ ହେବ ସ୍ୱପ୍ନିଲ ବି ଭୁଲି ସାରିଥିଲେ ଆସ୍ଥାର ବାର୍ଥଡେ଼ ! ଆସ୍ଥା ପଚାରିଲେ , କାମରେ ବ୍ୟସ୍ତ ରହିଯାଇଥିଲି କହି ବାହାନା କରୁଥିଲେ ସ୍ୱପ୍ନିଲ। ତଥାପି ସେ ସବୁକୁ ଭୁଲି ମନକୁ ବୁଝାଇ ଦେବାରେ ମାହିର ଥିଲା ।ଆଜି କିନ୍ତୁ ମନକୁ ଆଉ ବୁଝେଇ ପାରୁନି ! ଆଖି ଛଳ ଛଳେଇ ଉଠୁଛି ! ଛାତିରେ ଛାତିଏ କୋହ ! ରହି ରହି ସ୍ୱପ୍ନିଲଙ୍କ ମୁହଁ ଆଖି ଆଗରେ ନାଚି ଉଠୁଛି !! ସତରେ କଣ ସ୍ୱପ୍ନିଲ ଆଉ ନାହାନ୍ତି ତାଙ୍କ ଉପରେ ଅଭିମାନ କରିବା ପାଇଁ !ସବୁ କାମ ସାରି ଶେଜକୁ ଶୋଇବାକୁ ଗଲା ସେ । ହେଲେ ନିଦ କାଇଁ ,ନିଦ ବି ରୁସି ବସିଛି ଯେମିତି ତା ଉପରେ !
ରାତି ପାହିଲା ସକାଳ ହେଲା ।ଆଖି ବନ୍ଦ କରି ଦିଅଁଙ୍କ ଆଗରେ ସେମିତି କିଛି ସମୟ ବସି ରହିଲା ଆସ୍ଥା । ଦୀର୍ଘ ସମୟ ବସି ରହିବା ପରେ ସ୍ୱତଃ ଦୀର୍ଘ ଶ୍ବାସଟେ ବାହାରିଯିବା ଉତ୍ତାରୁ ଟିଏ ବୋଧେ ଆଶ୍ୱସ୍ତ ବୋଧ କଲା ଆସ୍ଥା ଓ ସ୍ୱାଭାବିକ ଭାବରେ କାମ ଆରମ୍ଭ କଲା ।
ଜୀବନ -ଜଞ୍ଜାଳ, ସମ୍ପର୍କର ସୂତ୍ର ଆଉ ସଂସାର-ଈଶ୍ୱର ଏମାନଙ୍କ ଉପରୁ ଯେମିତି ଆସ୍ଥା ହିଁ ତୁଟି ଯାଇଥିଲା ଆସ୍ଥାର ! ଏମାନଙ୍କ ଉପରେ ପ୍ରବଳରୁ ପ୍ରବଳ ଅଭିମାନର ଏକ ବଳୟ ତିଆରି ହୋଇ ସାରିଥିଲା ତା ଭିତରେ ଭିତରେ !! ତେଣୁ ମୋହ ବି ତୁଟି ଯାଇଥିଲା ଏମାନଙ୍କ ଉପରୁ ! ଜୀବନ ଆଉ ସମ୍ପର୍କ ଯନ୍ତ୍ରବତ ପାଲଟି ଯାଇଥିଲା ଯାହା ! ନା ହସ ନା ବଶ ନା ରସ ସବୁ ଯେମିତି ନିର୍ଲିପ୍ତ ହୋଇଯାଇଥିଲା ସେଇଠି ସେଇ ଉପବନ ଭିତରେ !! କୋଉଠୁ , କେତେ ଏକା ଏକା ଏମିତି କେତେ କଣ ତିଆରି କରିଚାଲିଥିବ ?
କ୍ରମଶଃ
Comments are closed.