Latest Odisha News

BREAKING NEWS

ଶିଶୁ ଗଳ୍ପ : ସୁନାପୁଅ

କୁଞ୍ଜ ବିହାରୀ ସାହୁ

ଦିନେ ବାପାଙ୍କ ସହ କଥା ହେଉ ହେଉ ଅମିତ୍ କହିଲା, ବାବା, ମୁଁ କାଲି ସ୍କୁଲକୁ ଗଲାବେଳେ ରାସ୍ତାକଡେ କଡ଼େ କାଶତଣ୍ଡୀର ଧଳା ଚଅଁର ପବନରେ ଝୁଲୁଛି । ଘଡ଼ିଏ ଠିଆହେଲି। ସତରେ ବହୁତ ସୁନ୍ଦର ଦିଶୁଥିଲା । ଆଛା ବାବା, କାହିଁ ଆଗରୁ ତ ମୁଁ କେବେ ଦେଖିନି ।

ଅମିତର ବାବା କହିଲେ – ହଁ ଯେତେବେଳେ ଶରତ ଋତୁ ଆସେ , ସେତେବେଳେ ଏ କାଶତଣ୍ଡୀ ଦେଖାଯାଏ । ଖାଲି ସେତିକି ନୁହେଁ, ଆଜି ଆମେ ଆମ ଗାଁକୁ ଯିବା । ନଈପଠାରେ ବି କାଶତଣ୍ଡୀ ଦେଖିପାରିବୁ । ସାଧାରଣତଃ ସନ୍ତସନ୍ତିଆ ଖାଲୁଆ ଜାଗାରେ ଏ ପ୍ରକାର ଗଛ ଦେଖାଯାଏ ।

କଥାଟି ଶୁଣି ଅମିତ୍ ବ୍ୟସ୍ତ ହେଇଗଲା । ତା ବାବାଙ୍କ ମୋଟରସାଇକେଲରେ ବସି ଗାଁକୁ ଗଲା । ଦେଖିଲା ବାଟସାରା କାଶତଣ୍ଡୀ ଗଛ । ନଈପାଖକୁ ଗଲା । କାଚକେନ୍ଦୁ ପରି ସଫା ପାଣି । ଚିକମିକ୍ କରୁଛି । ଉପରକୁ ଅନେଇଲା । ଆକାଶରେ ଧୋବ ଫର ଫର ବଉଦ ଭାସୁଛି । ସେତିକିବେଳେ ଗେଣ୍ଡାଳିଆ ଆକାଶରେ ଉଡ଼ି ପର ଝାଡୁଥିବାର ଦେଖିଲା । ପାଖରେ ଥିବା ଧାନବିଲକୁ ଗଲା । ଗୋଟିଏ କଣ୍ଟିଆ ବଗକୁ ଦେଖି ଘଡ଼ିଏ ଠିଆ ହେଲା । ଗାଁ ଆଡ଼େ ବୁଲାବୁଲି କରି ଫେରିଆସିଲା ।

ସନ୍ଧ୍ୟାବେଳେ ପଢ଼ାପଢ଼ି କଲା । କିଛି ସମୟପରେ ଅମିତର ବାବା କହିଲେ- ତୁ ଜାଣିଛୁ ପୁଅ, ଏ ଶରତ ଋତୁରେ ଦୁର୍ଗତିନାଶିନୀ ମା ଦୁର୍ଗା ମରତକୁ ଆସନ୍ତି । ମାଆଙ୍କର ବାହନ ହେଉଛି ସିଂହ । ସେ ସିଂହ ବାହନରେ ବସି ମହିଷାସୁରକୁ ତ୍ରିଶୁଳରେ ମାରିଦିଅନ୍ତି । କାହିଁକି ଜାଣିଛୁ ପୁଅ ?

ବାବା..ବାବା..ଟିକେ କୁହନା । ଟିକେ ଟିକେ କହୁଛି ଶୁଣ୍ । ମହିଷାସୁର ଗୋଟିଏ ଦୁଷ୍ଟ ଅସୁର ଥିଲା । ସେ ତପସ୍ୟା କରି ବ୍ରହ୍ମାଙ୍କଠାରୁ ଆଶୀର୍ବାଦ ପାଇଲା । ବହୁତ ବଳୁଆ ହେଇଗଲା । ମର୍ତ୍ତ୍ଯରେ ରହୁଥିବା ଲୋକମାନଙ୍କୁ ମିଛରେ ଦଣ୍ଡ ଦେଲା । ସ୍ୱର୍ଗର ଦେବତାମାନଙ୍କୁ ଆକ୍ରମଣ କଲା । ସବୁ ଦେବତା ଭଗବାନ ବିଷ୍ଣୁଙ୍କୁ ଗୁହାରି କଲେ । ସେ ଅଭୟ ଦେଲେ । କହିଲେ ମହିଷାସୁର ଜଣେ ନାରୀ ହାତରେ ମରିବ । ସେହି ନାରୀ ହେଉଛନ୍ତି ହେଉଛନ୍ତି ମା’ ଦୁର୍ଗା । ଦଶହରା ଦିନ ମା’ ଦୁର୍ଗା ମହିଷାସୁର ସହ ଲଢ଼େଇ କଲେ । ଶେଷରେ ତାକୁ ତ୍ରିଶୂଳରେ ବଧ କରିଦେଲେ । ଦେବତାମାନେ ଖୁସି ହୋଇ ମା’ ଦୁର୍ଗାଙ୍କୁ ପୂଜା କଲେ । ଏଇ ଅଶିଣ ମାସରେ ମା’ ଦୁର୍ଗାଙ୍କୁ ସମସ୍ତେ ପୂଜା କରନ୍ତି । ଦଶହରା ଶେଷଦିନ ରାତିରେ ରାବଣ ପୋଡି ହୁଏ । କାଲି ମୋ ସାଥିରେ ପୂଜା ମଣ୍ଡପକୁ ଯିବୁ । ସେଇଠି ଠାକୁରାଣୀଙ୍କୁ ଦେଖିବୁ । ଭୋଗ ଖାଇବୁ ।

ଏକଥା ଶୁଣି ଅମିତ ଆଗ୍ରହରେ କହିଦେଲା- ହଁ ବାବା ମୁଁ ତୁମ ସାଥିରେ ଯିବି ।

ଦଶହରା ଦିନ ଅମିତ ତା ବାବାଙ୍କ ସହ ବିଭିନ୍ନ ପୂଜା ମଣ୍ଡପ ବୁଲିବାକୁ ଗଲା । ତା ବାବାଙ୍କ ହାତ ଧରିଥାଏ । ଗହଳି ଦେଖି ଡରୁଥିଲା । ପୋଲିସମାନେ ଠିଆ ହୋଇ ଗୋଟିଏ ଧାଡ଼ିରେ ଭକ୍ତମାନଙ୍କୁ ମଣ୍ଡପକୁ ନେଉଥାନ୍ତି । ମଣ୍ତପରେ ତୋରଣ ଦେଖି ବହୁତ ଖୁସି ହୋଇଗଲା । କେତେ ସୁନ୍ଦର ସଜ୍ଜା ହେଇଛି । ନାଚ- ଗୀତ ଚାଲିଛି । ତାଆରି ପରି କେତେ ପିଲା ବୁଲିଆସିଛନ୍ତି । ମଣ୍ଡପରେ ମା ଦୁର୍ଗାଙ୍କୁ ଦେଖି ମୁଣ୍ଡିଆ ମାରିଲା । ମଥାରେ ସିନ୍ଦୂର ଲଗେଇଲା । ଭୋଗ ଖାଇଲା । ଗଲା ବରଷରେ କରୋନା ଭୟରେ ସେ ବୁଲାବୁଲି କରି ନଥିଲା । ଏ ବରଷ ତା ବାବାଙ୍କ ସାଥିରେ ବୁଲି ଖୁସି ହେଇଗଲା । ତା ବାବା କହିଲେ -ଯିଏ ଭୁଲ୍ କାମ କରେ, ମା ଦୁର୍ଗା ତା ଉପରେ ରାଗିଯାଆନ୍ତି, ଦଣ୍ଡ ଦିଅନ୍ତି । ଯିଏ ମାଆଙ୍କୁ ଭକ୍ତି କରେ, ମାଆ ତାକୁ ଆଶୀର୍ବାଦ ଦିଅନ୍ତି । ଅମିତ୍ ପୂଜା ମଣ୍ଡପରେ ତୋରଣ ରଙ୍ଗୀନ ଲାଇଟ୍ ଦେଖି ବହୁତ ଖୁସି ହେଇଗଲା । ତା ବାବା କହିଲେ – ରାତି ହେଲାଣି, ଚାଲ ଘରକୁ ଫେରିଯିବା । ଅମିତର ଇଛା ହେଉନଥିଲା ଘରକୁ ଫେରିବାପାଇଁ ।

ଅମିତ୍ କହିଲା – ହଁ ବାବା, ଘରକୁ ଫେରିଯିବା । ମାମା ଘରେ ଚାହି ବସିଥିବ । ସ୍କୁଲ ଖୋଲିଲା ପରେ ମୁଁ ସାଙ୍ଗମାନଙ୍କୁ ସବୁ କଥା କହିଦେବି । ମା ଦୁର୍ଗାଙ୍କ ବିଷୟରେ ରଚନା ଲେଖି ଗୁରୁଜୀଙ୍କୁ ଦେଖେଇଦେବି ।

ଅମିତ୍ ତା ବାବାଙ୍କ ସାଥିରେ ଘରକୁ ଫେରିଲା । ଖାଇଦେଇ ତା ବୋଉ ପାଖରେ ଶୋଇପଡ଼ିଲା । ପୁଅର ପିଠିକୁ ଆଉଁଷି ତା ବାବା କହିଲେ – ସତରେ ଆମ ଅମିତ୍ ସୁନାପୁଅଟେ ।

ଏଲ୍.ଆଇ.ଜି.- ୧୫
ନୟାପଲ୍ଲୀ ବ୍ରିଟ୍ କଲୋନୀ
ଭୁବନେଶ୍ବର

Leave A Reply

Your email address will not be published.