ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’
“ପୁରୁଣା କ୍ଷତକୁ ଆଉ ନଉଖାରି ବରଂ ମଲମ ଲଗେଇବା ପାଇଁ ଲାଗିପଡ଼ିଲି ; ନିଜେ ନିଜର ପିଠି ଥାପୁଡ଼େଇ । ନିଜେ ଗୋଟିଏ ଛୋଟ ଏନ୍ . ଜି .ଓ ଖୋଲିଲି । ସମାଜର ମଙ୍ଗଳ ପାଇଁ ଯଦି କିଛି କାମରେ ଆସି ପାରିଲି ତାହେଲେ ମୋର ଭାଗ୍ୟ ଭାବି ମୋ’ ସହରରେ ଥିବା ଗରିବ ଲୋକ ,ଛୋଟ ପିଲା , ଅନାଥ ଶିଶୁଙ୍କ ଭବିଷ୍ୟତ ପାଇଁ ମୋ ପାରୁପର୍ଯ୍ୟନ୍ତ କାମ କଲି। କାହାର ଘରଦ୍ୱାର ନାହିଁ, କାହାର ସବୁ ଥାଇ ପରିଣତ ବୟସରେ ବି ଅଲୋଡା ଜୀଇଁବା ପାଇଁ ତାକୁ ରାସ୍ତା କଡ଼ରେ ଛାଡି ଦିଆ ଯାଉଛି। ସେମାନଙ୍କୁ ଥଇଥାନ କରେଇବାର ଜିମା ମୁଣ୍ଡକୁ ନେଲି। ୟା’ ଭିତରେ ଛ’ ଆଠ ମାସ ବିତିଗଲାଣି ! ତଥାପି ରହି ରହି ତୁମ ଛାଇ ମୋ ପିଛା ଛାଡ଼ୁନି ଆସ୍ଥା ! କଣ କରିବି ତୁମେ କୁହ ? ସେତେବେଳେ ବହୁତ ଚେଷ୍ଟା କରି ବି କହି ପାରିନଥିଲି , ସେଥିପାଇଁ ବହୁତ କଷ୍ଟ ବି ଭୋଗିଲିଣି ! ତୁମେ ମୋତେ ଯାହା ଦଣ୍ଡ ଦେବ ହସି ହସି ସହିଯିବି , ହେଲେ କେବେ କେମିତି ଟିକେ କଥା ହେବି ! ମନା କରିବନି ଆସ୍ଥା !”କହି ନୀରବରେ କିଛି ସମୟ ମୋବାଇଲ ହୋଲ୍ଡ଼ କରି ରହିବା ପରେ ଆପେଆପେ ଫୋନ୍ କାଟିଥିଲା ସ୍ୱପ୍ନିଲ ।
ଯୋଗକୁ ଯାହା ହେଉ ପିଲାମାନେ ସ୍କୁଲ ଆଉ ସମ୍ଭବ କୋର୍ଟରେ। ମାୟା ବି ଛୁଟି ରେ ତା ‘ଗାଁକୁ …। ସେଥିପାଇଁ ,ଆଜି ନିଜ ପାଇଁ ,ନିଜ ସ୍ମୃତି ପାଇଁ ,ନିଜ ସ୍ୱପ୍ନ ପାଇଁ ସମୟତକକୁ ଥାକ ଥାକ କରି ସଜାଡି ପାରିଛି ଆସ୍ଥା ।
ସ୍ୱପ୍ନିଲର କଥାଗୁଡିକ ବାରମ୍ବାର ପ୍ରତିଧ୍ୱନିତ୍ୱ ହେଉଥିଲା ତା’ କାନରେ । ଚେଷ୍ଟା କରିବି ସେ ମୁକୁଳି ପାରିନଥିଲା ସ୍ୱପ୍ନିଲର ଆବେଗ ଭରା ଶଦ୍ଦମାନଙ୍କରୁ କି ମୁକୁଳି ପାରି ନ ଥିଲା ତା ସ୍ମୃତିର କବଳରୁ ! ମନେମନେ ଲୋଡ଼ିହେଉଥିବା ସ୍ନେହ -ଶ୍ରଦ୍ଧ।-ଆଶ୍ୱାସନାକୁ ବୋଧେ ପାଇବା ଆଶାରେ ବୋଧ ହେଲା ଆସ୍ଥା ! ମନରେ ଅଙ୍କୁରି ଉଠିଥିଲା ପୁଣି ଥରେ ପ୍ରେମର ଛୋଟ ଚାରାଟି ! ତାକୁ କେନା ମେଲିବାକୁ ବି ବେଶି ସମୟ ଲାଗିନଥିଲା ! କିନ୍ତୁ ପ୍ରତ୍ୟୁତ୍ତର ଦେବାଟା ଯେ ଏତେଟା ସହଜ କି ସମ୍ଭବ ନଥିଲା ତା’ପକ୍ଷରେ ! କାରଣ ଠିକ୍ ବାର ବର୍ଷ ପୂର୍ବରୁ ବିବାହର ଲକ୍ଷ୍ମଣ ରେଖାଟେ ଟାଣି ହୋଇ ଯାଇଥିଲା ତା’ ଜୀବନରେ ! ପିଲା ବେଳୁ ସେ ଯୋଉ ପରିବେଶରେ ବଢ଼ିଛି , ସଂସ୍କାର ପାଇଛି ଧର୍ମ-ଅଧର୍ମ ,ପାପ -ପୂଣ୍ୟ ତା’ ଗୋଡ଼କୁ ଅକ୍ଟୋପସ ଭଳି ଜାବୁଡ଼ି ଧରି ରଖିଥିଲା ! ତେଣୁ ସେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ନିଷ୍ପତ୍ତିରେ ପହଞ୍ଚି ପାରି ନଥିଲା !
କ୍ରମଶଃ
Comments are closed.