ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ଆରେ ବୀରା”, ଡାକଟେ ଶୁଣି ବୀରା ବୁଲିପଡ଼ି ଚାହିଁଲାବେଳକୁ ପ୍ୟାଚା୍ ପକେଟ୍ ଭିତରେ ହାତ ପୁରାଇ ଉଦାସ ମୁହଁରେ ରୋହାନ୍ ଠିଆ ହୋଇଛି । ‘ଓଃ! ବୀରା କାନ୍ଦିକାନ୍ଦି ବେହାଲ ହୋଇଯାଇଛି କି ନା, ଦେଖିବାକୁ ତା’ହେଲେ ଆସିଛ ନା!” ଟିକେ ଅଭିମାନ ଭରା କଣ୍ଠରେ ବୀରା କହିଲା । ଦୀର୍ଘନିଃଶ୍ୱାସଟେ ନେଇ ରୋହାନ୍ କହିଲା, “ସମୀରା ମତେ ଏବେ କହିଲା, ଯାହା ଯାହା ସବୁ ଘଟିଗଲା ।”
“ଆଚ୍ଛା, ତା’ହେଲେ, ମୋ’ ବିଷୟରେ ସବୁ ଆଲୋଚନା କରୁଛ ନା! ହଉ, ଠିକ୍ ଅଛି ମୁଁ ଏସବୁରେ ଅଭ୍ୟସ୍ତ ହୋଇଗଲିଣି ।”
“ଆମେ ତୋ’ ସହ କଥା ହେବାକୁ ଚାହୁଁଥିଲୁ ।”
“ତା’ହେଲେ, କଥା ହେଲନି କାହିଁକି? ସିଦ୍ଧାର୍ଥର ଭୁଲ୍ ଥିଲେ ବି, ପ୍ରଥମେ ତା’ ସହ କଥା ହେଲ!”
“ଆରେ ନା, ନା । ସେ ଭୁଲ କରିଥିଲା ବୋଲି ହିଁ, ତା’ ସହ ଆଗ କଥା ହେଲୁ ।
ଠିକ୍ରେ ଥିବା ଲୋକକୁ କିଛି ବୁଝେଇବା ଦରକାର ପଡ଼େନି । ବରଂ ଯିଏ ଭୁଲ୍ କରିଛି, ସେ ତା’ ଭୁଲ୍କୁ ବୁଝିବା ଦରକାର । ଆଉ ସେଇଥିପାଇଁ ଆମେ ଭାବିଲୁ, ତମକୁ ସାନ୍ତ୍ୱନା ଦେବା ଅପେକ୍ଷା, ତାକୁ ବୁଝାଇବା, ବେଶୀ ଗୁରୁତ୍ୱପୂର୍ଣ୍ଣ ।”
ଏକଥା ଶୁଣି ବୀରା ଚୁପ୍ ହୋଇଗଲା । “ସତେ ତ ରୋହାନ ଠିକ୍ କହୁଛି । ସିଦ୍ଧାର୍ଥର ହିଁ ଭୁଲ୍, ତେଣୁ ତାକୁ ହିଁ ବୁଝେଇବା ଦରକାର । ତା’ର ତ ଜମାଦୋଷ ନାହିଁ ।” ମନେ ମନେ ବୀରା ଭାବିଲା । ଏ କଥା ଲକ୍ଷ୍ୟ କରି କରି ମୁହଁରେ ସ୍ମିତ ହସଟିଏ ଖେଳାଇ ରୋହାନ୍ କହିଲା, “ମୁଁ ଭାବୁଛି ତମେ ଏବେ ବୁଝିପାରିଲଣି ଯେ, ଆମେ ତମ ପାଖକୁ ନ ଆସି ସିଡ଼୍ ପାଖେ କାହିଁକି ଥିଲୁ ।” ଏଥର ବୀରା ଟିକେ ହସିଦେବା ଦେଖି ରୋହାନ୍ ବି ଖୁସି ହୋଇଗଲା । ଆଉ ଦୁଇଜଣ ଯାକ ଏଥର ବ୍ରେକ୍ଫାଷ୍ଟ ଟେବୁଲ୍ ଆଡ଼କୁ ଆଗେଇ ଚାଲିଲେ ।
ଡ଼େକ୍ ଉପରେ ସମାଧାନ ଆଲୋଚନା ପାଇଁ ସମୀରାର ପ୍ରସ୍ତାବଟି ଭଲ କାମ କଲା । ସବୁଠାରୁ ଭଲ ହେଲା ବୀରା ଓ ସିଡ଼୍ ପୁଣିଥରେ ସାଙ୍ଗ ହୋଇଗଲେ । ଦି ଭଉଣୀ ପରସ୍ପରକୁ କ୍ଷମାମାଗି ଓ ନିଜ ନିଜକୁ ଦୋଷ ଦେଇ ବ୍ରେକ୍ଫାଷ୍ଟର ସମୟଟା ବିତେଇ ଦେଲେ । ସ୍ତ୍ରୀ ଲୋକମାନେ କେତେ ଜଲ୍ଦି କଥାବାର୍ଚାାର ମୋଡ଼ ବଦଳେଇ ଦେଇ ପାରନ୍ତି, ତାକୁ ଦେଖି ଦୁଇଭାଇ ଖୁସି ହେଉଥା’ନ୍ତି ।
କ୍ରମଶଃ
Comments are closed.