ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ରୋହାନ୍ ଓ ସିଡ଼୍ ସହ ଦେଖାହେବା ପରଠାରୁ ୟା ଭିତରେ ଅନେକ ସପ୍ତାହ ବିତି ଗଲାଣି । କେବଳ ବାବାମାମାଙ୍କ ସହ ଯୋଉ ଦିନ ସମୟ ବିତେଇବାକୁ ଚାହାଁନ୍ତି, ସେ ଦିନଗୁଡ଼ିକୁ ଛାଡ଼ିଦେଲେ, ଆଜିକାଲି ପ୍ରାୟ ସବୁଦିନ ବୀରା ଓ ସମୀରା, ଏ ଦୁଇଭାଇ ସିଡ଼୍ ଓ ରୋହାନ୍ଙ୍କ ସହ ବିତାଉଥିଲେ । ଆଉ ଏବେ ସେମାନେ, ସିଡ଼୍ ଓ ରୋହାନ୍ଙ୍କ ଡିଲକ୍ସ ସୁଇଟ୍ରେ ଏକାଠି ହୋଇଥିଲେ । କାଉଚ୍ରେ ବସି ବୀରା ଆମ୍ବ ସରବତ୍ ପିଉ ପିଉ ବହିଟେ ପଢ଼ୁଥିଲା । ସମୀରା ଓ ରୋହାନ୍ ଚେସ୍ ଖେଳୁଥିଲେ । ଆଉ ସିଡ଼୍ – ଫୋନ୍ରେ ମୁହଁ ମାଡ଼ି ଗେମ୍ରେ ମାତିଥିଲା ।
“ସମସ୍ତେ ଯଦି ଏମିତି ନିଜ ନିଜ କାମରେ ବ୍ୟସ୍ତ ରହିବ, ତା\’ହେଲେ ଏଠି ଏକାଠି ହୋଇ ଲାଭ କ’ଣ?”, ଫଟ୍ଟିନା ବହିଟିକୁ ଟେବୁଲ୍ ଉପରେ ରଖି ଦେଇ, ବୀରା କହିଲା ।
“ହୁଁ ଠିକ୍ କହୁଛ”, ଗେମ୍ରେ ସେମିତି ମଜ୍ଜି ରହି ସିଡ଼୍ ଉଚାର ଦେଲା । ସମୀରା ଏବଂ ରୋହାନ୍ ତଥାପି ଚେସ୍ ଖେଳରେ ମଜ୍ଜି କରି ଥିଲେ । ତାଙ୍କୁ ଦେଖି ବୀରା ବିରକ୍ତ ହୋଇ ଏକ ନିଃଶ୍ୱାସକେ ସବୁତକ ସ୍ମୁଦି ପିଇଦେଇ ଆଉ ଗ୍ଲାସ୍ଟିଏ ଆଣିବା ପାଇଁ ଫ୍ରିଜ୍ ପାଖକୁ ଚାଲିଗଲା । ଏଥର ଚେୟାର୍ରେ ଟିକେ ପଛକୁ ଆଉଜିଯାଇ ସମୀରା କହିଲା, “ମୁଁ ଭାବୁଛି, ମୋ’ କୁନିଭଉଣୀ ଠିକ୍ କହୁଛି । ଏଇଠି ଖେଳ ବନ୍ଦ କରିଦେବା ।” ହାଲିଆ ହୋଇଯାଇଥିବା ପରି ଆଖି ମଳୁଥିଲା ସମୀରା । “ଆଚ୍ଛା, ହାରିଯାଉଛ ନା! ସେଇଥିପାଇଁ ଖେଳ ବନ୍ଦ କରିଦେବା ପାଇଁ କହୁଛ ।”
ସମୀରାକୁ ଚିଡ଼େଇଲା ପରି ରୋହାନ୍ କହିଲା ବେଳେ, ବୀରା ଭ୍ରୂକୁଂଚନ କରି କହିଲା, “ମତେ କେବଳ ଭଉଣୀ କୁହ, ‘କୁନି’ ନୁହେଁ ।”
ବୀରା କଥାକୁ ନ ଶୁଣିଲା ପରି ହେଇ, ରୋହାନ୍କୁ ଚାହିଁ ସମୀରା ଟିକେ ହସି ଦେଲା । ବୋର୍ଡ଼ ଉପରୁ ଚେସ୍ ଗୋଟି ଗୁଡ଼ାକୁ ପେଲି ଫୋପାଡ଼ି ଦେଲା । ଟିପ୍ଟାପ୍ ଶବ୍ଦ କରି ସେସବୁ ତଳେ ପଡ଼ୁଥା’ନ୍ତି ତ ରୋହାନ୍ ଆଶ୍ଚର୍ଯ୍ୟ ହୋଇ ପାଟି କରି ଉଠିଲା, “ହେଇ, ହେଇ! କ’ଣ କଲ!” ଏସବୁ ଶୁଣି ସିଡ଼୍ ଫୋନ୍ରୁ ମୁହଁ ଉଠେଇ ଚାହିଁଲା ବେଳକୁ, ରୋହାନ୍ର ରାଗ ତମତମ ମୁହଁ ଦେଖି ସମୀରା ତାତ୍ସଲ୍ୟ କଲା ପରି ହସୁଥାଏ ।