Latest Odisha News

BREAKING NEWS

ଅନୁବାଦ କବିତା : ସମାଧିରେ ଶୋଇବ?

ଶକ୍ତି ଚଟ୍ଟୋପାଧ୍ୟାୟ (୧୯୩୩-୧୯୯୫) : ୧୯୩୩ ମସିହା ନଭେମ୍ବର ୨୫ ତାରିଖରେ ବଙ୍ଗଳା ପ୍ରଦେଶର ଚବିଶ ପ୍ରଗଣାରେ ଏହି ପ୍ରଖ୍ୟାତ କବି ପିଲାଟି ଦିନୁ ପିତୃହୀନ ଓ ମାତାମହଙ୍କ ଦ୍ଵାରା ମାମୁଁ ଘରେ ମଣିଷ ହୋଇଥିଲେ। ଆନନ୍ଦ ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର, ସମ୍ବଲପୁର ବିଶ୍ବବିଦ୍ୟାଳୟର ଗଙ୍ଗାଧର ମେହେର ପୁରସ୍କାର ଓ ମରଣୋତ୍ତର ରବୀନ୍ଦ୍ର ପୁରସ୍କାରରେ ସମ୍ମାନିତ। ସେ ହୃଦ୍ ରୋଗରେ ପୀଡିତ ହୋଇ ଶାନ୍ତି ନିକେତନ ରେ ୨୩ ମାର୍ଚ୍ଚ ୧୯୯୫ରେ ପରଲୋକ ଗମନ କରିଥିଲେ।

ମୂଳ ବଙ୍ଗଳା : ଶକ୍ତି ଚଟ୍ଟୋପାଧ୍ୟାୟ

ପୁରୀ ସମୁଦ୍ରକୁ ଛାଣି
ଆଣିଛି ମୁଁ ଶାମୁକା ଗୋଟାଇ
ଶଙ୍ଖ, ତାରା ମାଛ, ସାଗରର ଘୋଡ଼ା
ଫେଣର ମଧୁରତା ଆଣି
ବିଛଣାରେ ଦେଇଛି ମେଲାଇ।

ପାତିଛି ଶିମୁଳି ତୁଳା, ବରଫ ଓ ଲୁଣ
ପିଠି ଓ ହାଡ଼ରେ ଯେହ୍ନେ ଲାଗିବନି
ଅବା ଲାଗି ରହିବନି କଳାଦାଗ କିଛି
ଅଥବା କାଦୁଅ, ସେଥିପାଇଁ
ପୁରା ଆୟୋଜନ।

ତଥାପି ବି କିଛିଟା ତ କଷ୍ଟ ହେବ,
ସେଟା ମୋତେ ଜଣା
ତେଣୁ ତୁମ ବିଛଣାରେ ଫୋମର ଚାଦର,
ସେଠାରେ ସୁଖରେ ଥାଅ,
ଜୀବନରେ ବହୁ କଷ୍ଟ ପାଇ
ଭାଙ୍ଗିଯା ପଡ଼ିଛି ତାକୁ ହେବନି ଗଢାଇ
ସେଇଟା ବି ଜଣା ମୋତେ
ସେଥିପାଇଁ କରୁଛି ଓ କରି ଚାଲିଥିବି
ବଳ ଓ ବୟସ ସହ ପାରୁଥିବି ଯେତେ।
କିଛିଦିନ ପରେ ଏଇ ଧୁଳିଘାସ ଦେଖି
ଖୁବ୍ ଖୁସି ହେବ,
ମୋ ଯତ୍ନର ଆଭାସ ପାଇବ ।

ସମାଧିରେ ଶୋଇବ ? ଶୋଇପଡ଼
ଭଲ ଏ ବିଛଣା ,
ୟାକୁ ଛାଡ଼ି କେବେ ଉଠିବନି
ଉଠିବାକୁ, ଛୁଟିବାକୁ ଭଲ ଲାଗିବନି
ଥକି ପଡିବ, କ୍ଳାନ୍ତ, ଶ୍ରାନ୍ତ ହୋଇଯିବ।
ଶୋଇବକି ସମାଧିରେ ? ଅନନ୍ତ ନିଦ୍ରାରେ
ବିଛଣାଟି ଖୁବ୍ ଭଲ ,ଶୁଅ ଆରାମରେ।

ଅନୁବାଦ: ମନୋରଞ୍ଜନ ହୋତା

Leave A Reply

Your email address will not be published.