Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୯)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

BjdElectrycity

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ବୀରା ହାତକୁ ମଗ୍‌ଟେ ଚା’ ବଢ଼େଇ ଦେଇ ସମୀରା କହିଲା, “ଏଇ ନେ ।” ଖୁସି ହୋଇଯାଇ ବୀରା ଧନ୍ୟବାଦ କହି ତା\’ ମନପସନ୍ଦର ଚା’କୁ ଉପଭୋଗ କରୁଥିବା ବେଳେ, ସମୀରା ପଚାରିଲା, “ସିଡ଼୍ ଆଉ ରୋହାନ୍‌ଙ୍କୁ ଫୋନ୍ କରି ଡାକିବି କି! ତୁ କ’ଣ ଚାହୁଁଛୁ କହ ।

ସେମାନଙ୍କ ଥଟ୍ଟା ମଜ୍ଜା କଥାରେ ତତେ ଟିକେ ଭଲ ଲାଗିବ କି!”

ବୀରା ତା’ ଚା’ରୁ ଆଉ ଗୋଟେ ସିପ୍ ନେଉନେଉ କହିଲା, “ହଁ, ଭଲ ହେବ ।” କଲ୍‌ ପାଇବାର ପ୍ରାୟ ପନ୍ଦର ମିନିଟ୍ ଭିତରେ ସିଡ଼୍ ଆଉ ରୋହାନ୍ ଆସି ପହଂଚିଗଲେ । ଖଟ ଉପରେ ଆଉଜି ଦୀର୍ଘଶ୍ୱାସ ପକେଇ ବୀରା ସେ ଦି’ଜଣ ଆଗରେ ଦେଖିଥିବା ଭୟଙ୍କର ସ୍ୱପ୍ନ କଥା ବଖାଣି ଚାଲିଥିଲା । ସବୁ ଶୁଣିସାରି ଆଶ୍ଚର୍ଯ୍ୟ ହୋଇ ରୋହାନ କହିଲା, “ଆରେ ୱାହ୍ ବୀରା!

ସ୍ୱପ୍ନ ଦେଖିଲା ବେଳେ ବି ତମେ ତ ଖୁବ୍ ସର୍ଜନଶୀଳ ଏବଂ କଳ୍ପନା-ପ୍ରବଣ । ମାନେ… ତୁମ ଭଉଣୀଙ୍କୁ ହତ୍ୟା କରିବାର ଯୋଜନାଟା ଏକଦମ୍ ନିଆରା ତ!” ଏସବୁ ଶୁଣି ବୀରା ତାକୁ କୁତୁକୁତୁ କରିବାକୁ ଯାଉଥିଲା । ଠିକ୍ ଏତିକିବେଳକୁ ଜାହାଜର ଆଲାର୍ମ ବେଲ୍‌ଟି ବାଜି ଉଠିଲା । ରୋହାନକୁ ଦେବାକୁ ଯାଉଥିବା ଦଣ୍ଡ କଥା ଭୁଲିଯାଇ, ସ୍ତମ୍ଭୀଭୂତ ହୋଇ ଠିଆ ହୋଇଗଲା ବୀରା । ଆଶ୍ଚର୍ଯ୍ୟରେ ପଚାରିଲା, “ଏଇଟା କି’ ଶବ୍ଦ?”

“ଠିକ୍ ସେ ଜାଣିନି । ଜାହାଜର କର୍ମଚାରୀମାନଙ୍କୁ ସତର୍କ କରିବାପାଇଁ ହୁଏତ ଗୋଟେ କ’ଣ ବେଲ୍ ହୋଇଥାଇପାରେ ।” ସିଡ଼୍ କହିଲା ।

“କର୍ମଚାରୀମାନଙ୍କୁ ସତର୍କ କରିବା…? କୋଉ ବିଷୟରେ…?” ସମୀରା ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

“ହୁଏତ, କ’ଣ ଗୋଟେ ବିଶାଳାକାୟ ଏବଂ ଭୟଙ୍କର ସମୁଦ୍ର ରାକ୍ଷସ ପାଇଁ ହୋଇଥିବ…” ଫେଁ କିନା ହସିଦେଇ ସିଡ଼୍ କହିଲା । ମାତ୍ର ଡରରେ ଶେତା ପଡ଼ିଯାଇଥିବା ବୀରାକୁ ଦେଖି ସିଡ଼୍ କହିଲା, “ଆରେ ମୁଁ ଥଟ୍ଟା କରୁଥିଲି ମ… ।”

“ଆରେ ବୀରା, ରୋହାନକୁ ଦଣ୍ଡଦେବା କଥା କ\’ଣ ପୁରାପୁରି ଭୁଲିଗଲୁ?” – ଆଲାର୍ମ ବେଲ୍‌ରୁ ଧ୍ୟାନ ହଟେଇବା ପାଇଁ ଚେଷ୍ଟା କରି ସମୀରା କହିଲା । ମୁହୂର୍ତ୍ତକ ପାଇଁ ବୀରା ମୁହଁରେ ଚିନ୍ତା ଓ ସନ୍ଦେହର ଛାପ ଫୁଟି ଉଠିଲା, କିନ୍ତୁ ପର ମୁହୂର୍ତ୍ତରେ ରୋହାନ୍ ଆଡ଼କୁ ଚାହିଁ ସୈତାନି ହସଟେ ହସିଚାଲିଲା । ତା’ ହସ ଦେଖି ରୋହାନ୍‌ ସତକୁ ସତ ଡରିଗଲା । ଏ ଦୁଇଜଣ ପରସ୍ପରକୁ କୁତୁକୁତୁ କରୁଥିବା ବେଳେ ସମୀରା ପାଖକୁ
ଆସ୍ତେକିନା ସିଡ଼୍ ଘୁଞ୍ଚିଯାଇ ବୀରା ନ ଶୁଣିପାରିଲା ଭଳି ପଚାରିଲା, “ଆଲାର୍ମ ବେଲ୍ ବିଷୟରେ ଆମେ କଥା ହେଲାବେଳେ, ବୀରା ଖୁବ୍ ବିବ୍ରତ ହେଲା ପରି ଲାଗୁନି ।”

କ୍ରମଶଃ

Leave A Reply

Your email address will not be published.