Latest Odisha News

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

କୁବେର କୈଳାଶ ପର୍ବତରେ ଅଳକାପୁରୀ ନିର୍ମାଣ କରି ସେଠାରେ ରହିଗଲେ । ପିତା ଆଉ କ’ଣ କହିବେ? ସେ ନିରବ ରହିଲେ। ଏହାପରେ ରାବଣ ଅଳକାପୁରୀକୁ ମଧ୍ୟ ଆକ୍ରମଣ କରିଥିଲେ । ”

” ଅନେକ ବିଳମ୍ବ ହେଲାଣି ଆଜି। ମୋତେ ବର୍ତ୍ତମାନ ଫେରି ଯିବାକୁ ହେବ। ଅନ୍ୟ ଏକ ଦିନ ଆସିଲେ ଆହୁରି ଅନେକ କିଛି ଶୁଣିବି। ”

ସୁଲୋଚନା ନିଜ କକ୍ଷକୁ ଚାଲିଗଲେ। ସୁଲୋଚନାଙ୍କର ପତିଭକ୍ତି ଓ ନିବିଡ଼ ପ୍ରେମରେ ଇନ୍ଦ୍ରଜିତ ବାନ୍ଧି ହୋଇ ରହିଥିଲେ। ତାଙ୍କର ଅନନ୍ୟ ପ୍ରେମ ଇନ୍ଦ୍ରଜିତଙ୍କୁ ତାଙ୍କ ପ୍ରତି ଅନୁରକ୍ତ କରି ରଖିଥିଲା।

ସୁଲୋଚନା ଯେତେବେଳେ ଜାଣିଲେ ବିଷ୍ଣୁଭକ୍ତମାନେ ଲଙ୍କାର ବନ୍ଦୀଗୃହରେ ଅତ୍ୟାଚାରିତ ହେଉଛନ୍ତି, ତାଙ୍କୁ ଗଭୀର ଆଘାତ ଲାଗିଲା। ସେମାନଙ୍କୁ ସେଠାରୁ କିପରି ମୁକ୍ତ କରିବେ ସେହି କଥା ଭାବି ଚିନ୍ତିତା ରହିଲେ। ତାଙ୍କର ଅନ୍ୟମନସ୍କତା ଇନ୍ଦ୍ରଜିତଙ୍କ ଚକ୍ଷୁରୁ କିପରି ବା ଲୁଚି ରହି ପାରିଥାଆନ୍ତା ! ପ୍ରିୟତମାଙ୍କର ଶୁଷ୍କ ଉଦାସ ମୁଖଶ୍ରୀ ଦେଖି ବିଚଳିତ ବୋଧ କଲେ।

ଅତ୍ୟନ୍ତ ପ୍ରେମ ପୂର୍ବକ ଇନ୍ଦ୍ରଜିତ ପଚାରିଲେ, ” ସୁଲୋଚନେ ! ତୁମର ବିରସ ବଦନ ମୋତେ ଅତ୍ୟନ୍ତ ବ୍ୟଥିତ କରୁଅଛି। ତୁମକୁ ସାରାଜୀବନ ସୁଖରେ ରଖିବାର ପ୍ରତିଶ୍ରୁତି ମୁଁ ଦେଇଛି। କୁହ ! କେଉଁ କାରଣରୁ ପରାକ୍ରମୀ ଇନ୍ଦ୍ରଜିତଙ୍କର ପତ୍ନୀ ଆଜି ଉଦାସ ? ”

ଇନ୍ଦ୍ରଜିତଙ୍କର କୋମଳ ବାଣୀରେ ସୁଲୋଚନା ସାମାନ୍ୟ ଆଶ୍ୱସ୍ତ ବୋଧ କଲେ ଏବଂ ବିନୟ ପୂର୍ବକ କହିଲେ, ” ସ୍ୱାମୀ ! ଅନୁମତି ହେଲେ ଏକ ନିବେଦନ ରଖିବାକୁ ଚାହିଁବି ଆପଣଙ୍କ ନିକଟରେ । ”

” ପତି ପତ୍ନୀଙ୍କର ସମ୍ପର୍କ ମଧ୍ୟରେ ଅନୁମତିର ଆବଶ୍ୟକତା କେଉଁଠି ? ନିଃସଙ୍କୋଚରେ କହି ପାରିବ । ”

” ମୁଁ ଚାହୁଁଛି ବିଷ୍ଣୁଭକ୍ତ ମାନଙ୍କୁ ବନ୍ଦୀଗୃହରୁ ମୁକ୍ତି ଦିଆଯାଉ ।”

” ଏଇ ସାମାନ୍ୟ କଥା ପାଇଁ ଏତେ ଚିନ୍ତିତା ? ଆଜି ହିଁ ସେମାନଙ୍କୁ ମୁକ୍ତ କରି ଦିଆଯିବ। ସେମାନେ ତ୍ରିଭୁବନର ସ୍ୱାମୀ ଲଙ୍କେଶ୍ୱରଙ୍କର ପୂଜା ନ କରି ବିଷ୍ନୁଙ୍କୁ ପୂଜା କରୁଥିଲେ । ତେଣୁ , ସେମାନଙ୍କୁ କାରାଗୃହରେ ରଖା ଯାଇଥିଲା। ତୁମର ପ୍ରୀତ୍ୟର୍ଥେ ତୁମେ ଚାହୁଁଥିବା ମନୋସ୍କାମ ନିଶ୍ଚୟ ପୂରଣ ହେବ । ”

ମେଘନାଦ ବିଷ୍ଣୁଭକ୍ତମାନଙ୍କୁ ମୁକ୍ତି ତ ଦେଲେ ପରନ୍ତୁ ରାବଣର କ୍ରୋଧର ଶିକାର ହେଲେ। ମେଘନାଦ ଜାଣି ନ ଥିଲେ ତାଙ୍କର ପ୍ରିୟତମା ପତ୍ନୀ ବିଷ୍ଣୁଙ୍କର ଉପାସିକା। ଲଙ୍କାରେ କେବଳ ରାବଣର ପୂଜା ଅର୍ଚ୍ଚନା କରିବା ନିୟମ ଥିଲା। ସୁଲୋଚନା ମଧ୍ୟ ଜାଣି ନ ଥିଲେ ତାଙ୍କ ପତି ବିଷ୍ଣୁଙ୍କୁ ଶତ୍ରୁ ମାନେ କରୁଥିଲେ !

 

କ୍ରମଶଃ….

Comments are closed.