ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ଭାରାକ୍ରାନ୍ତ ମନକୁ ହାଲ୍କା କରିବା ପାଇଁ ସୁଲୋଚନା ସରମା କାକୀଙ୍କ ନିକଟକୁ ଯାଆନ୍ତି।ତାଙ୍କ ସହ ବିଷ୍ଣୁଙ୍କର ମହିମା ଆଲୋଚନା କଲେ ଅନେକ ଶାନ୍ତି ମିଳେ। ସେଦିନ ସରମାଙ୍କୁ ଚିନ୍ତିତା ଦେଖି ବିସ୍ମୟ ପ୍ରକାଶ କରି ସୁଲୋଚନା ପଚାରିଲେ, ” କାକୀ ! ଆପଣଙ୍କୁ ଏପରି ଅବସ୍ଥାରେ ପୂର୍ବରୁ କେବେ ଦେଖିନାହିଁ। କୌଣସି ବିଶେଷ କାରଣ ଅଛି କି ? ଭୟଙ୍କର ସମସ୍ୟା କିଛି ଆସିଛି କି ? ”
” ସେମିତି କିଛି ବୋଲି ଭାବ ପୁତ୍ରୀ ! ତୁମ ପିଉସୀ ସୂର୍ପଣଖା…”
” କ’ଣ ହେଲା ତାଙ୍କର ? ”
” ଶ୍ରୀରାମଙ୍କ ଆଦେଶରେ ତାଙ୍କର କନିଷ୍ଠ ଭ୍ରାତା ଲକ୍ଷ୍ମଣ ସୂର୍ପଣଖାଙ୍କର ନାସିକା ଛେଦନ କରିଛନ୍ତି। ତେଣୁ ସେ ଲଙ୍କେଶ୍ୱରଙ୍କ ନିକଟରେ ଗୁହାରି କରି କହିଛନ୍ତି , ଶ୍ରୀରାମଙ୍କର ଅନିନ୍ଦ୍ୟ ସୁନ୍ଦରୀ ପତ୍ନୀ ସୀତାଙ୍କୁ ହରଣ କରି ଆଣିବା ପାଇଁ। ଏହାଦ୍ୱାରା ତାଙ୍କର ଅପମାନର ଉଚିତ ପ୍ରତିଶୋଧ ନେଇ ହେବ ଏବଂ କ୍ରୋଧାଗ୍ନି ମଧ୍ୟ ଶାନ୍ତ ହେବ। ”
” ଶ୍ରୀରାମ.. ସେ ତ ଅଯୋଧ୍ୟା ନରେଶ ଦଶରଥଙ୍କର ପୁତ୍ର ! ”
” ହଁ, ତୁମର କାକା କହୁଥିଲେ, ଶ୍ରୀରାମ କୁଆଡେ ବିଷ୍ଣୁ ଭଗବାନଙ୍କର ଅବତାର। ବର୍ତ୍ତମାନ ଲଙ୍କେଶ୍ୱର ମାରିଚଙ୍କର ସହାୟତାରେ ଦେବୀ ସୀତାଙ୍କ ହରଣ ପାଇଁ ଯାଇଛନ୍ତି। କାକା ଯେତେ ବାରଣ କଲେ ମଧ୍ୟ ତାଙ୍କ ବାଣୀକୁ କର୍ଣ୍ଣପାତ କରି ନାହାଁନ୍ତି ” ।
” ନିଜେ ଶାସ୍ତ୍ରଜ୍ଞ ପଣ୍ଡିତ ହୋଇ ଏତେ ବଡ଼ ଅନ୍ୟାୟ କାର୍ଯ୍ୟ ପିତା କରିବେ କିପରି? ”
ସ୍ତବ୍ଧା ହୋଇଗଲେ ସୁଲୋଚନା। ଏପରି ସମୟରେ ବିଭୀଷଣଙ୍କର କନ୍ୟା ତ୍ରିଜଟା ଦୌଡ଼ି ଆସି କହିଲା, ରାବଣ ସୀତାଙ୍କୁ ହରଣ କରି ଆଣି ଲଙ୍କାର ଅଶୋକ ବାଟିକାରେ ବନ୍ଦିନୀ କରି ରଖିଛନ୍ତି। ତୁଣ୍ଡରୁ ଶବ୍ଦ ସ୍ଫୁରୁ ନାହିଁ କାହାର।
ସୁଲୋଚନା ଆଶଙ୍କା ପ୍ରକାଶ କରି କହିଲେ , ଦେବୀ ସୀତା ହେଉଛନ୍ତି ଲଷ୍ମୀ ସ୍ୱରୂପା। ତାଙ୍କୁ ହରଣ କରିବା ଅର୍ଥ ବିନାଶକୁ ନିମନ୍ତ୍ରଣ କରିବା। ଆଉ ସେଠାରେ ମୁହୂର୍ତ୍ତକ ପାଇଁ ରହିବାକୁ ଭଲ ଲାଗିଲାନି ତାଙ୍କୁ। ମନେ ମନେ ସ୍ଥିର କଲେ ସ୍ୱାମୀଙ୍କୁ ଅନୁରୋଧ କରିବେ । ତାଙ୍କ ନିବେଦନ ରକ୍ଷା କରି ବିଷ୍ଣୁଭକ୍ତମାନଙ୍କୁ ସେ ଯେପରି ମୁକ୍ତି ଦେଇଥିଲେ, ଠିକ୍ ସେହିପରି ସୀତାଙ୍କୁ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଫେରାଇ ଦେବେ।
କ୍ରମଶଃ….
Comments are closed.