ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୪
ଭଗବାନ ଶିବଶଙ୍କର ଦେବୀ ପାର୍ବତୀଙ୍କୁ ଏପରି ବିଷାଦଗ୍ରସ୍ତା ଦେଖି ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, ” ଦେବୀ ! ତୁମକୁ ଏପରି ମାନବୀୟ ଆବେଗରେ ପ୍ଲାବିତା ହେବା ଶୋଭା ପାଉନାହିଁ। ସୁଲୋଚନା ଅତ୍ୟନ୍ତ ଧର୍ମପରାୟଣା ନାରୀ। ସେ ଶ୍ରୀବିଷ୍ଣୁଙ୍କର ପରମ ଭକ୍ତା। ତଥାପି ତୁମର ମାତୃ ହୃଦୟ କନ୍ୟାର ସାମାନ୍ୟ କ୍ଳେଶରେ ବ୍ୟାକୁଳ ହେବା ସ୍ବାଭାବିକ। ସୁଲୋଚନାଙ୍କର ଜନ୍ମ ସମୟର ଏକ ଘଟଣା ମନେ ପଡ଼ିଯାଉଛି। ତୁମର ଓ ମୋ ହସ୍ତରେ ଆଭୂଷଣ ଭାବେ ପିନ୍ଧାଯାଇଥିବା ନାଗଙ୍କର କି ବାଦ ବିବାଦ ନ ହୋଇଥିଲା ସତେ !!” ମାତାଙ୍କ ମୁଖକୁ ଚାହିଁ ତାଙ୍କୁ ଚିଡ଼େଇବା ପାଇଁ ହସିଦେଲେ ଈଶ୍ୱର।
ହସି ଦେଇ ପାର୍ବତୀ କହିଲେ, ” ଆଉ ହୋଇ ନ ଥାନ୍ତା କି ବିବାଦ ! ସ୍ନାନରୁ ଫେରିବା ପରେ ଆପଣଙ୍କର ସେବା ନିମିତ୍ତ ପ୍ରତ୍ୟହ ମୁଁ ପୂର୍ବରୁ ପ୍ରସ୍ତୁତ ରହିଥାଏ। ସେଦିନ ଆପଣ ସ୍ୱୟଂ ବିଳମ୍ବରେ ଫେରିଥିଲେ। ଆପଣଙ୍କ ଧ୍ୟାନ ପାଇଁ ସମୟ ହୋଇଯାଉଥିଲା ତେଣୁ ମୁଁ ବ୍ୟସ୍ତ ହୋଇଯାଇଥିଲି । ପୂର୍ବରୁ ତ ବ୍ୟାଘ୍ରଚର୍ମ ଆସନ ବିଛାଇ ରଖିଥିଲି। ଡମ୍ବରୁ, କମଣ୍ଡଳୁ, ରୁଦ୍ରାକ୍ଷମାଳା ସଜାଇ ରଖିଥିଲି। ଶରୀରରେ ଲେପନ ପାଇଁ ଭସ୍ମ ଏକତ୍ରିତ କରି ରଖିଥିଲି। ନାଗମାନେ ଆପଣଙ୍କର ଗଳା ଓ ହସ୍ତରେ ଭୂଷଣ ହେବା ପାଇଁ ଅପେକ୍ଷାରେ ଥିଲେ। ମୋ ଅଜାଣତରେ ଆପଣଙ୍କ ହସ୍ତରେ ନାଗଙ୍କୁ ସାମାନ୍ୟ ଜୋରରେ ଟାଣିକି ବାନ୍ଧିଦେଲି। ଜଣେ ନାଗଙ୍କର ଦୁଇ ଚକ୍ଷୁରୁ ଯନ୍ତ୍ରଣାରେ ଦୁଇ ବିନ୍ଦୁ ଅଶ୍ରୁ ବାହାରି ଆସି ଭୂମିରେ ପଡ଼ିଗଲା। ‘
” ଆଉ ସେହି ଅଶ୍ରୁ ଦୁଇବିନ୍ଦୁରୁ ଦୁଇଟି କନ୍ୟା ଜନ୍ମ ନେଲେ। ସୁନୟନା ଓ ସୁଲୋଚନା। ତା’ ପରେ ତ ତୁମ ଦୁଇଜଣଙ୍କର ବିବାଦ ଆରମ୍ଭ ହୋଇଗଲା। ତୁମେ କହିଲ କନ୍ୟା ଦୁଇଟି ଉପରେ ତୁମର ଅଧିକାର। ନାଗ କହିଲେ ତାଙ୍କର ଅଧିକାର” ହସିଦେଲେ ଭୋଳନାଥ।
” ଅଜାଣତରେ ହେଉ ପଛେ ମୋ କାରଣରୁ ହିଁ କନ୍ୟା ଦୁହିଁଙ୍କର ସୃଷ୍ଟି ହୋଇଥିଲା। ଏହା ମୋ ଯୁକ୍ତି ଥିଲା। ନାଗ ଯୁକ୍ତି କଲେ, ଯେହେତୁ ତାଙ୍କ ଅଶ୍ରୁବିନ୍ଦୁରୁ କନ୍ୟାଙ୍କର ସୃଷ୍ଟି, କନ୍ୟାମାନଙ୍କ ଉପରେ ତାଙ୍କର ଅଧିକାର । “
Comments are closed.