ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ନନ୍ଦିଗ୍ରାମରେ ଖୋଲା ଆକାଶ ତଳେ ଅସ୍ଥିର ଭାବରେ ପଦଚାରଣ କରୁଥାନ୍ତି ଭରତ। କେତେ ବର୍ଷ ବିତିଗଲାଣି, ଜ୍ୟେଷ୍ଠଭ୍ରାତା ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଓ ସୀତା ମାତାଙ୍କର କୌଣସି ଖବର ପାଇ ପାରିନାହାଁନ୍ତି। ସେ ଘୋଷଣା କରି ସାରିଛନ୍ତି ,ଚଉଦବର୍ଷରୁ ଗୋଟିଏ ଦିନ ଯଦି ବିଳମ୍ବ ହୁଏ ବନବାସରୁ ଫେରିବାକୁ ତେବେ ସେ ପ୍ରାଣତ୍ୟାଗ କରିଦେବେ।
ଇଏ କ’ଣ ଦେଖୁଛନ୍ତି !! ଆକାଶମାର୍ଗରେ ଉଜ୍ଜ୍ୱଳ ଆଲୋକ ସହ ଆଉ କିଛି ଦୃଶ୍ୟମାନ ହେଉଛି। ନିଶ୍ଚୟ କୌଣସି ମାୟାବୀ ରାକ୍ଷସ ଅଯୋଧ୍ୟା ଉପରେ ଆକ୍ରମଣ କରିବାକୁ ଆସୁଛି ! ବାଣ ମାରିଲେ ଭରତ। ପର୍ବତ ସହ ଭୂପତିତ ହେଲେ ହନୁମାନ। ତାଙ୍କ ମୁଖରୁ ରାମନାମ ଶୁଣି ଦୌଡ଼ି ଆସିଲେ ଭରତ।
ହନୁମାନଙ୍କୁ ସାଷ୍ଟମ କରି ନିଜର ପରିଚୟ ଦେଲେ ଏବଂ ତାଙ୍କ ପରିଚୟ ପଚାରିଲେ। ତାଙ୍କ ମୁଖରୁ ସୀତା ହରଣଠାରୁ ଲକ୍ଷ୍ମଣଙ୍କ ଶକ୍ତିଭେଦ ପର୍ଯ୍ୟନ୍ତ ସମସ୍ତ ବୃତ୍ତାନ୍ତ ଶୁଣି ସାରି ଶୋକାତୁର ହୋଇ କହିଲେ, ” ମୋ କାରଣରୁ ଆଜି ସେମାନଙ୍କର ଏହିପରି ଅବସ୍ଥା। ବର୍ତ୍ତମାନ ମୁଁ ସୈନ୍ୟସାମନ୍ତ ସହ ଲଙ୍କାକୁ ଯିବି ଓ ରାକ୍ଷସଙ୍କ ସହିତ ଯୁଦ୍ଧ କରିବି। ”
ହନୁମାନ ତାଙ୍କୁ ବୁଝାଇ କହିଲେ, ” ବିଳମ୍ବ ହେଲେ ଭ୍ରାତା ଲକ୍ଷ୍ମଣଙ୍କ ଜୀବନ ଉପରେ ସଙ୍କଟ ଆସିବ। ତେଣୁ ତୁରନ୍ତ ଫେରିବାକୁ ହେବ। ଆପଣ ନିଶ୍ଚିନ୍ତ ରୁହନ୍ତୁ। ଦୁଷ୍ଟ ରାବଣକୁ ବଧ କରି ପ୍ରଭୁ , ମାତା ସୀତା ଓ ଭ୍ରାତା ଲକ୍ଷ୍ମଣଙ୍କ ସହିତ ଠିକ୍ ସମୟରେ ଅଯୋଧ୍ୟା ଫେରି ଆସିବେ। ”
କ୍ରମଶଃ…..