Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୬ 

” ହେ ବ୍ରହ୍ମଦେଵ ! ସତରେ ଯଦି ଆପଣ ମୋ ଉପରେ ପ୍ରୀତ ତେବେ ମୋତେ ଅମରତ୍ୱ ପ୍ରଦାନ କରନ୍ତୁ। ଏହା ଭିନ୍ନ ଅନ୍ୟ କୋଣସି ବରରେ ମୋର କାମନା ନାହିଁ। ”

” ପରନ୍ତୁ … ଜନ୍ମ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ। ଅମରତ୍ୱ ବର ତ କାହାକୁ ବି ଦେଇ ହେବନାହିଁ। ଏହା ମୋ କ୍ଷମତାର ବାହାରେ। ହଁ , ଏପରି ବର ଦେଇପାରେ ଯାହା ତୁମକୁ ସନ୍ତୁଷ୍ଟ କରିବ। ତୁମର ମୃତ୍ୟୁ ଏପରି ଏକ ମାନବ ହସ୍ତରେ ହେବ, ଯିଏ ବାରବର୍ଷ ନିଦ୍ରା ଯାଇ ନ ଥିବ, ବିବାହିତ ହୋଇ ମଧ୍ୟ ବାରବର୍ଷ ସ୍ତ୍ରୀ ମୁଖ ଦର୍ଶନ କରି ନ ଥିବ ଏବଂ ବାରବର୍ଷ ଅନ୍ନାଦି ଭକ୍ଷଣ କରି ନ ଥିବ। ” ବ୍ରହ୍ମଦେବ ବର ଦେଇସାରି ଅଦୃଶ୍ୟ ହୋଇଗଲେ।

ମେଘନାଦ ମନରେ ଅପାର ଆନନ୍ଦ। ପ୍ରଥମତଃ ଜଣେ ନର କଦାପି ଅସୁର ସମ୍ମୁଖକୁ ଭୟରେ ଆସିବ ନାହିଁ। ଦ୍ଵିତୀୟରେ ଏପରି ପୁରୁଷ ଅବା କିଏ ଏ ସଂସାରରେ ଥିବ ଯିଏ ବିବାହିତ ହୋଇ ମଧ୍ୟ ଦ୍ଵାଦଶ ବର୍ଷ ସ୍ତ୍ରୀ ମୁଖ ଦେଖି ନ ଥିବ, ଭୋଜନ କରି ନ ଥିବ କିମ୍ବା ନିଦ୍ରା ଯାଇ ନ ଥିବ !

ବରପ୍ରାପ୍ତ ହୋଇ ମେଘନାଦ ସିଧା ଚାଲିଲେ ସ୍ୱର୍ଗକୁ ଦେବତାମାନଙ୍କ ସହ ଯୁଦ୍ଧ କରି ଦେବଲୋକ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ।

ଇନ୍ଦ୍ରସଭା…..। କଳାନିପୁଣ ଗନ୍ଧର୍ବଗଣଙ୍କର ସୁମଧୁର ସଙ୍ଗୀତ ଓ ବାଦ୍ୟର ତାଳେ ତାଳେ ଲାସ୍ୟମୟୀ ଅପ୍ସରାଗଣ ନୃତ୍ୟରତା। ସେମାନଙ୍କର ଚଞ୍ଚଳ ନୟନର କଟାକ୍ଷରେ ଘାଇଲା ଓ ଅତ୍ୟଧିକ ସୋମରସ ପାନ କରିଥବା ମତ୍ତ ଦେବଗଣ ବିଭୋର। ଅଚାନକ କାହାର ଭୟଙ୍କର ଅଟ୍ଟହାସ୍ୟରେ ଥରି ଉଠିଲା ଇନ୍ଦ୍ରସଭା। ବାଦ୍ୟଯନ୍ତ୍ର ଉପରେ ଗନ୍ଧର୍ବଙ୍କର ହସ୍ତ ସ୍ଥିର , ଗାୟନ କରୁଥିବା ଗନ୍ଧର୍ବଙ୍କର କଣ୍ଠରୁଦ୍ଧ, ଅପ୍ସରାଙ୍କର ଘୁଙ୍ଗୁର ନିଃଶବ୍ଦ ହୋଇଗଲା।

 

କ୍ରମଶଃ….

Leave A Reply

Your email address will not be published.