Latest Odisha News

BREAKING NEWS

କବିତା : ଅସ୍ତିତ୍ବ

ରୀତା ପଟ୍ଟନାୟକ

BjdElectrycity

ତୋର ମନେଅଛି ??
ସେଇ ପିତଳ ପଟିଦିଆ ପୁରୁଣା ବେତପେଡି !!!
ସେ ପେଡିରେ ସାଇତା
କିଛି ଅଧାଫୁଟା ଗୋଲାପ କଢି !!!
ଫର୍ଦ୍ଦ ଫର୍ଦ୍ଦ ଅଧାଲେଖା ଗପ ସାଥେ —
ନାଲି ମଖମଲି କନାରେ ବନ୍ଧା କେତୋଟି କଉଡ଼ି ।
ଆଜି କାହିଁକି କେଜାଣି
ମନରୁ ସେଇ ଛବିଟି
ଅବିକଳ ଉତୁରି ଆସିଲା ,
ଅଧାଖୋଲା ପେଡିର –ଅନ୍ଧାରୁଆ ଗର୍ଭରୁ
ଅନ୍ତରର ସବୁ ସାଇତା ଆବେଗ ଉଙ୍କି ମାରିଲା
ଆଉ ସେହି ଚିତ୍ରଟି !!
ମୋ ଗପବହିର ପ୍ରଚ୍ଛଦପଟ ସାଜିଲା !

ମନଲାଖି ଜୀବନଟେ ବଞ୍ଚି ପାରିଲିନି ବୋଲି —
ଭାବୁଛୁ କି ? ତତେ ମୁଁ ଭୁଲି ଯାଇଛି !!!
ତୋ ଷଠୀଘର କାନ୍ଥରୁ ଲୁଚେଇ ଆଣିଥିବା —
କଉଡ଼ିକୁ ମୁଁ ହଜେଇ ଦେଇଛି —-
ଆରେ ନା ନାଁ ମ , ଜମା ନୁହେଁ !!
ତୁ ଏକା ମନେ ରଖିବୁ — ଆଉ ମୁଁ ନୁହେଁ !!
ତୋ ହାତଲେଖା ଚିଠି କେତୋଟି —
ମୋର ସବୁ ବିଷାଦକୁ ଭୁଲେଇ ଦିଏ ,
ସବୁ ଅଭିମାନ, ସବୁ ଅବଶୋଷ–
ଆପଣାଛାଏଁ ଉଭେଇ ଯାଏ ।
ଆଚ୍ଛା ,କହିଲୁ ଦେଖି
ଏମିତି କେଉଁ ସୁଖ ଅଛି ଯେ ?
ଯେଉଁଠି ଅଜଣା ଦୁଃଖର ଆରମ୍ଭ ନଥାଏ !!
ଆଉ ସବୁଠୁ ସତ କ’ଣ ଜାଣିଛୁ !!
ସବୁ ହସ ପଛରେ ଲୁହଟୋପେ ଲୁଚିରହିଥାଏ !
ଏଇତ , ଏବେ ଏବେ !!!
ତୋ ଅଧାଲେଖା ଗପଟିରେ
ମୋ ବଳକା ଜୀବନ ମିଶାଇ
କାଗଜ, କାଳିରେ ଶେଷଛୁଆଁ ଦେଇଛି ,
ପଢା ଓ ଅପଢା ଦୁଇଟି ପୃଷ୍ଠାରୁ
ଦୂରତା ଲିଭେଇ ଶୁଖିଲା କଢିଟି
ସେଇମିତି ସାକ୍ଷୀ ହୋଇ ରହିଛି ।

ସେଇ ପେଡି, ସେଇ କଉଡ଼ି , ଆଉ ଗୋଲାପ କଢି
ଆମ ସମ୍ପର୍କର ଅସ୍ତିତ୍ଵକୁ ବଜାୟ ରଖିଛି !
ଭାଙ୍ଗିରୁଜି ଯାଉଥିବା ସ୍ବରରୁ
କିଛି ଗଢ଼ି ତୋଳିବାର କଥା କହୁଛି !

Leave A Reply

Your email address will not be published.