Latest Odisha News

ତିନି ଶହ ରାମାୟଣ (୨)

ମୂଳ ରଚନା  : ଏ. କେ. ରାମାନୁଜନ୍ 

ଏହା କହିବା ଅନାବଶ୍ୟକ, ଏହି ଶହ ଶହ ରାମାୟଣର କଥା ପରସ୍ପରଠାରୁ ଭିନ୍ନ । ମୁଁ ଏହିଠାରେ ଜାଣିଶୁଣି କଥା ଶବ୍ଦଟିର ବ୍ୟବହାର କରୁଛି ଏବଂ ପ୍ରକାର କିମ୍ବା ରୂପର ବ୍ୟବହାର କରୁନାହିଁ । କାରଣ ପ୍ରକାର କିମ୍ବା ରୂପ ଶବ୍ଦମାନଙ୍କର ବ୍ୟବହାର କଲେ ଆମେ ବୋଧହୁଏ ଏହା ବୁଝାଉ ଯେ, ରାମାୟଣର ଗୋଟିଏ ମୂଳ ଅପରିବର୍ତ୍ତନୀୟ ରୂପ ଅଛି । ବାଲ୍ମିକୀଙ୍କର ସଂସ୍କୃତ ରାମାୟଣକୁ (ଯାହା ସଂସ୍କୃତ ଭାଷାରେ ସବୁଠାରୁ ସମ୍ମାନସ୍ପଦ ଓ ପୁରାତନ), ଏହି ପରି ଏକ ମୂଳ ଅପରିବର୍ତ୍ତନୀୟ ବହି ବୋଲି ଆମେ ଧରିନେଉ । କିନ୍ତୁ ଆମେ ଏହି ପ୍ରବନ୍ଧରେ ଦେଖିବା ଯେ, ସବୁବେଳେ ବାଲ୍ମିକୀଙ୍କର ରାମାୟଣ ହିଁ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଗତି କରେ ନାହିଁ । ଆମ୍ଭେ ଏହିଠାରେ କିଛି ପ୍ରକାରଭେଦ ବିଷୟରେ ସଚେତନ ରହିବା ଉଚିତ ହେବ ।

ରାମାୟଣ ପରମ୍ପରା ହିଁ ରାମଙ୍କର ଗଳ୍ପ (ରାମକଥା) ଏବଂ ନିର୍ଦ୍ଧିଷ୍ଟ ବ୍ୟକ୍ତି, ଯଥା ବାଲ୍ମିକୀ, କୃତିବାସ ଓ କମ୍ବର ଆଦିଙ୍କ ଦ୍ୱାରା ସୃଷ୍ଟ ନିର୍ଦ୍ଧିଷ୍ଟ ବହିକୁ ଅଲଗା ଅଲଗା କରି ଦେଖେ । ଯଦିଓ ଏହି ବହିଗୁଡ଼ିକ ଜନଶୃତିରେ ରାମାୟଣ ଭାବେ କଥିତ, ବହୁତ କମ୍ ବହିର ଶୀର୍ଷକ ପ୍ରକୃତରେ ରାମାୟଣ । ଉଦାହରଣ ସ୍ୱରୂପ, ଆମେ ରାମ ଅବତାର, ରାମଚରିତ ଓ ରାମକିଏନ୍ ବୋଲି ଶୀର୍ଷକଗୁଡ଼ିକ ଉଲ୍ଲେଖ କରିପାରିବା । ଏହି ବହିଗୁଡ଼ିକର ବାଲ୍ମିକୀ କୃତ ରାମକଥା ସହିତ ସମ୍ପର୍କ ମଧ୍ୟ ଭିନ୍ନ ଭିନ୍ନ । କଥା ଏବଂ କାବ୍ୟ ମଧ୍ୟରେ ଥିବା ପାରମ୍ପରିକ ପ୍ରଭେଦକୁ ଆମେ ଫ୍ରେଞ୍ଚ୍ ଭାଷାରେ ସୁଜେ ଏବଂ ରେସି ମଧ୍ୟରେ ପ୍ରଭେଦ ଏବଂ ଇଂରାଜୀରେ ଥିବା ଷ୍ଟୋରି ଓ ଡିସ୍କୋର୍ସ୍ ମଧ୍ୟରେ ଥିବା ପ୍ରଭେଦ ସହିତ ସମାନ୍ତର ଭାବରେ ଦେଖିପାରିବା ।

ଏହି ପ୍ରଭେଦ ବାକ୍ୟ ଏବଂ ବାକ୍ କର୍ମ (ସ୍ପିଚ୍ ଆକ୍ଟ୍) ମଧ୍ୟରେ ଥିବା ପ୍ରଭେଦ ସହିତ ସମାର୍ଥବୋଧକ ଅଟେ । ଦୁଇଟି କଥାରେ ଥିବା ଗଳ୍ପ ବା ଷ୍ଟୋରି ଏକ ହୋଇପାରେ । ମାତ୍ର ଡିସ୍କୋର୍ସ ହୋଇପାରେ ଅତିମାତ୍ରାରେ ଭିନ୍ନ । କଥାର ଢାଞ୍ଚା ତଥା ଘଟଣାମାନଙ୍କର ସଙ୍ଗଠନ ଏକା ହୋଇପାରେ; ମାତ୍ର ଶୈଳୀ, ବିସ୍ମୃତି, ସ୍ୱର ଏବଂ ତଦ୍ଜନିତ ଲକ୍ଷାର୍ଥ ମଧ୍ୟ ହୋଇପାରେ ଅନେକଟା ଅଲଗା । ବର୍ତ୍ତମାନ ଆମେ ‘ଏକ ହିଁ’ ଅଧ୍ୟାୟର ଦୁଇଟି ବର୍ଣ୍ଣନା ପଢ଼ିବା । ଦୁଇଟିଯାକ ନେରେଟିଭ୍ ର ଅର୍ଥାତ୍ କଥନିକାର ଏକ ହିଁ ସୋପାନରେ ଦେଖାଦିଅନ୍ତି । ପ୍ରଥମ ଉଦାହରଣଟି ବାଲ୍ମିକୀଙ୍କର ବାଳକାଣ୍ଡରୁ ଉଦ୍ଧୃତ, ଦ୍ୱିତୀୟଟି କମ୍ବରଙ୍କ ତାମିଲ ରାମବତାରର ବାଳକାଣ୍ଡର ଅନ୍ୟତମ ଅଂଶ; ଉଭୟ ବର୍ଣ୍ଣନା କରନ୍ତି ଅହଲ୍ୟାଙ୍କର କାହାଣୀ ।

 ଅହଲ୍ୟା ଉପାଖ୍ୟାନ: ବାଲ୍ମିକୀ

 ଜନକ ରାଜାର ଶୁକ୍ଳ ଉଜ୍ଜ୍ୱଳ ନଗର ।
ମିଥିଳା ଅଭୁତ ବୋଲି ବୋଲନ୍ତି ଋଷିବର ।।
ମିଥିଳା ବାହାରେ ଆଶ୍ରମ ଏକ ସୁନ୍ଦର ପ୍ରାଚୀନ ।
ରାଘବ ପୁଚ୍ଛନ୍ତି ହୋ ଋଷି କେମନ୍ତ ଏ ଦିବ୍ୟ ସ୍ଥାନ ।।
ଆଶ୍ରମ ଭଳି ଦିଶଇ ଋଷି ଯେ ନାହାନ୍ତି ।
କୁହନ୍ତୁ ହେ ପ୍ରଭୋ ଏଠାକାର କେହୁ ଯତି ।।
ରାଘବଙ୍କ କଥା ଶୁଣି ଋଷି ବିଶ୍ୱାମିତ୍ର ।
ବୈଶ୍ୱାନର ସ୍ୱାମୀ ସେ ଯେ ବଚନରେ ସିଦ୍ଧ ।
କହୁଛି ରାଘବ ଶୁଣ ସେ ଘଟଣା ପୁରାତନ ।
କେ ଋଷି ଏଠାର ଇଏ କାହାର ଆଶ୍ରମ ।।
ମହାତପା ଗୌତମଙ୍କ ଆଶ୍ରମ ଏ ଥିଲା ।
କ୍ରୋଧିତ ହୋଇ ଶାପିଲେ ଏ ଅକଳାପୁରୀ ନାଶ ଗଲା ।
ଅନେକ କାଳ ପୂର୍ବରୁ ପତ୍ନୀ ଅହଲ୍ୟାଙ୍କୁ ଧରି ।
ତପ (୪) କରୁଥିଲେ ଦିବାନିଶି ଏକ କରି ।।
ଦିନେ ଆଶରମେ ଜାଣି ଗୌତମ ନ ଥିବାର ।
ଅହଲ୍ୟା କତି ଆସିଲା ଇନ୍ଦ୍ର ଶଚିବର ।।
ଆଖଣ୍ଡଳ ଧରିଲା ଯେ ଗୌତମଙ୍କ ରୂପ ।
ଅହଲ୍ୟା ଆଗରେ କଲା ଦଇନି ଅନେକ ।।
କାମାତୁର ପୁରୁଷଙ୍କ ନାହିଁ ଋତୁ ମାସ ।
ଡମ୍ବରୁ ପରି କଟି ତ ତନୁ ଯେ ସରସ ।।
ଦେହ ମନ ଆତ୍ମାରୁ ମୋ ଅଛି ଏକ ଆଶ ।
ପ୍ରେମ ଦାନ କଲେ ମୁହିଁ ହୋଇବି ହରଷ ।।
ଜାଣିଲା ଅହଲ୍ୟା ଯେ ଏ ଅଟଇ ବାସବ ।
ଋଷିଙ୍କ ଛଦ୍ମ ବେଶରେ ଲଗାଇଛି ଭାବ ।।
ମଘବା ବିଶୟେ ବାଳା ଉଚ୍ଛୁକ ହୋଇଣ ।
କୁମତି ଯେଣୁ ସେ ପୁଣ ବୋଇଲା ବହନ ।।
ମନରେ ସନ୍ତୁଷ୍ଟି ହୋଇ କହିଲା ଦେବଙ୍କୁ ।
ହେ ଦେବରାଜ ତୃପତି ଦେଲ ଏବେ ମୁକୁ ।।
ଚଳିଯାଅ ତୁରିତେ ଏହି ଠାବ ଛାଡ଼ି ।
ପ୍ରେମଦାତା ମୋତେ ଥାଅ ତୁମ୍ଭେ ରକ୍ଷା କରି ।।
ଦରହଷି ଇନ୍ଦ୍ର କହିଲେ ଅହଲ୍ୟାକୁ ।
ସନ୍ତୁଷ୍ଟ ହୋଇଣ ମୁହିଁ ଯାଉଛି ପୁରକୁ ।।
ରତି କର୍ମ ସାରିକରି ପର୍ଣ୍ଣକୁଟି ଛାଡ଼ି ।
ଅମରାବତୀକୁ ଦେବ ଗଲେଟି ବାହୁଡ଼ି ।।
ଶୁଣ ରାମ ଯାଉ ଯାଉ ହୋଇ ତରତର ।
ପାଣ୍ଡୁର ମୁଖ ତାଙ୍କର ନିଶ୍ୱାସ ପ୍ରଖର ।।
ଦେଖିଲେ ବୃତ୍ତାରୀ ଗୌତମ ଋଷି ଆସୁଛନ୍ତି ।
ଦେବ-ଦାନବ କୁଳେ ତାଙ୍କ ପରି କେହି ନାହାନ୍ତି ।।
ତପେ ବଳିଆନ ସେହୁ ସ୍ନାନରୁ ଫେରନ୍ତା ।
ଦେହ ଓଦା ନଦୀ ଜଳେ ଦିଶୁଛି ଜଳନ୍ତା ।।
ହସ୍ତେ ଅଛି କୁଶ ଆଉ ଯଜ୍ଞଯୋଗ୍ୟ କାଠ ।
ଏମନ୍ତ ମୁରତି ଦେଖି ଇନ୍ଦ୍ର ହୋଇଲେ ତଟସ୍ଥ ।।
ସୁନାସୀର ଦେଖି ଋଷି କ୍ରୋଧେ ଜଳିଗଲେ ।
ମୋର ରୂପ ନେଇ ତୁହି ଅକର୍ମ କଲୁ ଭଲେ ।।
ଆରେ ମୁର୍ଖ ଦେଉଅଛି ଏହି ଅଭିଶାପ ।
ତତକ୍ଷାଣାତ ଛିଡୁ ତୋର ଦୁଇ ଅଣ୍ଡକୋଷ ।।
କହୁ କହୁ ମୁନି କୋଷ ଛିଡ଼ିଲା ଇନ୍ଦ୍ରର ।
ଅହଲ୍ୟାକୁ ଶାପିଲେ, ଅଭିଶାପି ବଜ୍ରଧର ।।
ତୁହି ବର୍ଷ ପରିଯନ୍ତେ ଏଠାରେ ରହିବୁ ।
ବିନା ଖାଦ୍ୟେ ପବନକୁ ଆହାର କରିବୁ ।।
ପାଉଁଶେ ଜଳିଣ ଜନ୍ତୁଏ ହୋଇବୁ ଅଦୃଶ୍ୟ ।
ଦଶରଥ ସୁତ ରାମ ଯେବେ ଆସିବେ ଏ ଦେଶ ।।
ଅସତି ଦୋଚାରୁଣୀ ତୁହି ହୋଇବୁ ସେବେ ସତୀ ।
ମଦନ ବିଭ୍ରାନ୍ତି ଛାଡ଼ିଯିବ ତୋର କତି ।।
ଆନନ୍ଦ ହୋଇଣ ପୁଣି ଧରିବୁ ନିଜ ରୂପ ।
ଏହାର ଉତ୍ତାରୁ ଆସିବୁ ମୋହର ସମୀପ ।।
ଋଷି ଦୁରାଚାରୀ ନାରୀକୁ ଏହା କହି ସାରି ।
ଗୌତମ ଚାଲିଗଲେ ତାଙ୍କ ଆଶ୍ରମକୁ ଛାଡ଼ି ।।
ତପ ଆଚରିଲେ ଯାଇ ହିମବନ୍ତ ତିଖେ ।
ସୁନ୍ଦର ଠାବଟି ସେହି, ଗନ୍ଧର୍ବ, ଦେବଙ୍କର ସଙ୍ଗେ ।।
ନପୁଂସକ ଦେବରାୟେ ଦେବ ସଭାକୁ ସେ ଗଲେ ।
ଋଷି, ଗନ୍ଧର୍ବଙ୍କ ଆଗେ ଦଇନି କରିଲେ ।।
ଗୌତମ ତପଭଙ୍ଗ କଲି ଦେବତାଙ୍କ ପାଇଁ ।
କ୍ରୋଧେ ନପୁଂସକ କଲେ ମୋତେ ଋଷିକୂଳ ସାଇଁ ।।
ପରିତ୍ୟାଗ କରିଲେ ଯେ ଭାର୍ଯ୍ୟାକୁ ନିଜର ।
ଶାପମାନ ହରିଲେ ଯେ ତପସ୍ୟା ତାଙ୍କର ।।
ତେଣୁକରି ଦେବ ବିଦ୍ୟାଧର ଋଷିଗଣ ।
ସାହାଯ୍ୟ କରିଲେ ମୋତେ ମିଳିବ ପୁରୁଷତ୍ତ୍ୱ ପୁଣ ।
ଅଗ୍ନି ସହ ଦେବଗଣ ଶୁଣିଲେ ଆକୁତି ।
ମରୁତମାନଙ୍କ ସହ ଗଲେ ପିତୃଙ୍କର କତି ।।
କହିଲେ ଇନ୍ଦ୍ର ହରିଲା ମୁନିଙ୍କର ନାରୀ ।
ଶାପେ ଋଷି ଛିଡ଼ାଇଲେ ଅଣ୍ଡକୋଷ ତା’ରି ।।
ଦେବରାୟ ଇନ୍ଦ୍ର ଯେହୁ ନଗରଅନ୍ତକ ।
ଦେବଗଣଠାରେ ଏବେ ହୋଇଛନ୍ତି କୋପ ।।
ଏ ମେଷର ଅଣ୍ଡ ଅଛି ଇନ୍ଦ୍ରର ଯେ ନାହିଁ ।
ମେଷର କାଟି କରି ଇନ୍ଦ୍ରଠାରେ ଲଗାଅ ଯେ ନେଇ ।।
ଏହି ପରି ମେଷମାନେ ଦେବେ ଅପାର ସନ୍ତୋଷ ।
ଦାନଦେଲେ ଏହାକୁ ଯେ ଫଳ ଫଳିବ ଅଶେଷ ।।
ବୈଶ୍ୱାନର ବଚନକୁ ଶୁଣିକରି ପିତୃଗଣ ।
ସହସ୍ରାକ୍ଷେ ଲଗାଇଲେ ମେଷର କୋଷକୁ କାଟିଣ ।।
ସେହିଦିନୁ ପିତୃମାନେ ଭକ୍ଷନ୍ତି ଖାସୁକରା ମେଷ ।
ମେଷ ଅଣ୍ଡ ପାଇକରି ଇନ୍ଦ୍ର ହେଲେ ସମ୍ପୂର୍ଣ୍ଣ ପୁରୁଷ ।।
ଗୌତମଙ୍କ ତପସ୍ୟାର ଏମନ୍ତ ମାହାତ୍ମ୍ୟ ।
ଆସ ରାମ ଯିବା ସେହୁ ପବିତ୍ର ଆଶ୍ରମ ।।
ଦେବୋପମା ଅହଲ୍ୟାକୁ କର ଯେ ତାରଣ ।
ବିଶ୍ୱାମିତ୍ର ବଚନ ରାଘବ ଶୁଣିଣ ।।
ମୁନିଙ୍କ ପଛେ ପଛେ ଲକ୍ଷ୍ମଣ ସହିତ ।
ରାମ ପ୍ରବେଶିଲେ ଆଶ୍ରମରେ ଯେ ତୁରିତ ।।
ଦେଖିଲେ ଅହଲ୍ୟା ଅଛି ତପେ ଦୀପ୍ତିମାନ ।
ଦେବ ଦାନବ ମାନବ ଚକ୍ଷୁରୁ ଅଦୃଶ୍ୟ ହୋଇଣ ।।
(ଶାସ୍ତ୍ରୀଗଲ ଏବଂ ଶାସ୍ତ୍ରୀ ୧୯୫୮, ପ୍ରଥମ କାଣ୍ଡ, ୪୭-୪୮ ସର୍ଗ;
ଡେଭିଡ଼ ଶୁଲ୍ମାନ ଓ ଏ.କେ ରାମାନୁଜନ ଙ୍କ ଦ୍ୱାରା ଅନୁଦିତ)
ମିଥିଳା ଅଭୁତ ବୋଲି ବୋଲନ୍ତି ଋଷିବର ।।
ମିଥିଳା ବାହାରେ ଆଶ୍ରମ ଏକ ସୁନ୍ଦର ପ୍ରାଚୀନ ।
ରାଘବ ପୁଚ୍ଛନ୍ତି ହୋ ଋଷି କେମନ୍ତ ଏ ଦିବ୍ୟ ସ୍ଥାନ ।।
ଆଶ୍ରମ ଭଳି ଦିଶଇ ଋଷି ଯେ ନାହାନ୍ତି ।
କୁହନ୍ତୁ ହେ ପ୍ରଭୋ ଏଠାକାର କେହୁ ଯତି ।।
ରାଘବଙ୍କ କଥା ଶୁଣି ଋଷି ବିଶ୍ୱାମିତ୍ର ।
ବୈଶ୍ୱାନର ସ୍ୱାମୀ ସେ ଯେ ବଚନରେ ସିଦ୍ଧ ।
କହୁଛି ରାଘବ ଶୁଣ ସେ ଘଟଣା ପୁରାତନ ।
କେ ଋଷି ଏଠାର ଇଏ କାହାର ଆଶ୍ରମ ।।
ମହାତପା ଗୌତମଙ୍କ ଆଶ୍ରମ ଏ ଥିଲା ।
କ୍ରୋଧିତ ହୋଇ ଶାପିଲେ ଏ ଅକଳାପୁରୀ ନାଶ ଗଲା ।
ଅନେକ କାଳ ପୂର୍ବରୁ ପତ୍ନୀ ଅହଲ୍ୟାଙ୍କୁ ଧରି ।
ତପ (୪) କରୁଥିଲେ ଦିବାନିଶି ଏକ କରି ।।
ଦିନେ ଆଶରମେ ଜାଣି ଗୌତମ ନ ଥିବାର ।
ଅହଲ୍ୟା କତି ଆସିଲା ଇନ୍ଦ୍ର ଶଚିବର ।।
ଆଖଣ୍ଡଳ ଧରିଲା ଯେ ଗୌତମଙ୍କ ରୂପ ।
ଅହଲ୍ୟା ଆଗରେ କଲା ଦଇନି ଅନେକ ।।
କାମାତୁର ପୁରୁଷଙ୍କ ନାହିଁ ଋତୁ ମାସ ।
ଡମ୍ବରୁ ପରି କଟି ତ ତନୁ ଯେ ସରସ ।।
ଦେହ ମନ ଆତ୍ମାରୁ ମୋ ଅଛି ଏକ ଆଶ ।
ପ୍ରେମ ଦାନ କଲେ ମୁହିଁ ହୋଇବି ହରଷ ।।
ଜାଣିଲା ଅହଲ୍ୟା ଯେ ଏ ଅଟଇ ବାସବ ।
ଋଷିଙ୍କ ଛଦ୍ମ ବେଶରେ ଲଗାଇଛି ଭାବ ।।
ମଘବା ବିଶୟେ ବାଳା ଉଚ୍ଛୁକ ହୋଇଣ ।
କୁମତି ଯେଣୁ ସେ ପୁଣ ବୋଇଲା ବହନ ।।
ମନରେ ସନ୍ତୁଷ୍ଟି ହୋଇ କହିଲା ଦେବଙ୍କୁ ।
ହେ ଦେବରାଜ ତୃପତି ଦେଲ ଏବେ ମୁକୁ ।।
ଚଳିଯାଅ ତୁରିତେ ଏହି ଠାବ ଛାଡ଼ି ।
ପ୍ରେମଦାତା ମୋତେ ଥାଅ ତୁମ୍ଭେ ରକ୍ଷା କରି ।।
ଦରହଷି ଇନ୍ଦ୍ର କହିଲେ ଅହଲ୍ୟାକୁ ।
ସନ୍ତୁଷ୍ଟ ହୋଇଣ ମୁହିଁ ଯାଉଛି ପୁରକୁ ।।
ରତି କର୍ମ ସାରିକରି ପର୍ଣ୍ଣକୁଟି ଛାଡ଼ି ।
ଅମରାବତୀକୁ ଦେବ ଗଲେଟି ବାହୁଡ଼ି ।।
ଶୁଣ ରାମ ଯାଉ ଯାଉ ହୋଇ ତରତର ।
ପାଣ୍ଡୁର ମୁଖ ତାଙ୍କର ନିଶ୍ୱାସ ପ୍ରଖର ।।
ଦେଖିଲେ ବୃତ୍ତାରୀ ଗୌତମ ଋଷି ଆସୁଛନ୍ତି ।
ଦେବ-ଦାନବ କୁଳେ ତାଙ୍କ ପରି କେହି ନାହାନ୍ତି ।।
ତପେ ବଳିଆନ ସେହୁ ସ୍ନାନରୁ ଫେରନ୍ତା ।
ଦେହ ଓଦା ନଦୀ ଜଳେ ଦିଶୁଛି ଜଳନ୍ତା ।।
ହସ୍ତେ ଅଛି କୁଶ ଆଉ ଯଜ୍ଞଯୋଗ୍ୟ କାଠ ।
ଏମନ୍ତ ମୁରତି ଦେଖି ଇନ୍ଦ୍ର ହୋଇଲେ ତଟସ୍ଥ ।।
ସୁନାସୀର ଦେଖି ଋଷି କ୍ରୋଧେ ଜଳିଗଲେ ।
ମୋର ରୂପ ନେଇ ତୁହି ଅକର୍ମ କଲୁ ଭଲେ ।।
ଆରେ ମୁର୍ଖ ଦେଉଅଛି ଏହି ଅଭିଶାପ ।
ତତକ୍ଷାଣାତ ଛିଡୁ ତୋର ଦୁଇ ଅଣ୍ଡକୋଷ ।।
କହୁ କହୁ ମୁନି କୋଷ ଛିଡ଼ିଲା ଇନ୍ଦ୍ରର ।
ଅହଲ୍ୟାକୁ ଶାପିଲେ, ଅଭିଶାପି ବଜ୍ରଧର ।।
ତୁହି ବର୍ଷ ପରିଯନ୍ତେ ଏଠାରେ ରହିବୁ ।
ବିନା ଖାଦ୍ୟେ ପବନକୁ ଆହାର କରିବୁ ।।
ପାଉଁଶେ ଜଳିଣ ଜନ୍ତୁଏ ହୋଇବୁ ଅଦୃଶ୍ୟ ।
ଦଶରଥ ସୁତ ରାମ ଯେବେ ଆସିବେ ଏ ଦେଶ ।।
ଅସତି ଦୋଚାରୁଣୀ ତୁହି ହୋଇବୁ ସେବେ ସତୀ ।
ମଦନ ବିଭ୍ରାନ୍ତି ଛାଡ଼ିଯିବ ତୋର କତି ।।
ଆନନ୍ଦ ହୋଇଣ ପୁଣି ଧରିବୁ ନିଜ ରୂପ ।
ଏହାର ଉତ୍ତାରୁ ଆସିବୁ ମୋହର ସମୀପ ।।
ଋଷି ଦୁରାଚାରୀ ନାରୀକୁ ଏହା କହି ସାରି ।
ଗୌତମ ଚାଲିଗଲେ ତାଙ୍କ ଆଶ୍ରମକୁ ଛାଡ଼ି ।।
ତପ ଆଚରିଲେ ଯାଇ ହିମବନ୍ତ ତିଖେ ।
ସୁନ୍ଦର ଠାବଟି ସେହି, ଗନ୍ଧର୍ବ, ଦେବଙ୍କର ସଙ୍ଗେ ।।
ନପୁଂସକ ଦେବରାୟେ ଦେବ ସଭାକୁ ସେ ଗଲେ ।
ଋଷି, ଗନ୍ଧର୍ବଙ୍କ ଆଗେ ଦଇନି କରିଲେ ।।
ଗୌତମ ତପଭଙ୍ଗ କଲି ଦେବତାଙ୍କ ପାଇଁ ।
କ୍ରୋଧେ ନପୁଂସକ କଲେ ମୋତେ ଋଷିକୂଳ ସାଇଁ ।।
ପରିତ୍ୟାଗ କରିଲେ ଯେ ଭାର୍ଯ୍ୟାକୁ ନିଜର ।
ଶାପମାନ ହରିଲେ ଯେ ତପସ୍ୟା ତାଙ୍କର ।।
ତେଣୁକରି ଦେବ ବିଦ୍ୟାଧର ଋଷିଗଣ ।
ସାହାଯ୍ୟ କରିଲେ ମୋତେ ମିଳିବ ପୁରୁଷତ୍ତ୍ୱ ପୁଣ ।
ଅଗ୍ନି ସହ ଦେବଗଣ ଶୁଣିଲେ ଆକୁତି ।
ମରୁତମାନଙ୍କ ସହ ଗଲେ ପିତୃଙ୍କର କତି ।।
କହିଲେ ଇନ୍ଦ୍ର ହରିଲା ମୁନିଙ୍କର ନାରୀ ।
ଶାପେ ଋଷି ଛିଡ଼ାଇଲେ ଅଣ୍ଡକୋଷ ତା’ରି ।।
ଦେବରାୟ ଇନ୍ଦ୍ର ଯେହୁ ନଗରଅନ୍ତକ ।
ଦେବଗଣଠାରେ ଏବେ ହୋଇଛନ୍ତି କୋପ ।।
ଏ ମେଷର ଅଣ୍ଡ ଅଛି ଇନ୍ଦ୍ରର ଯେ ନାହିଁ ।
ମେଷର କାଟି କରି ଇନ୍ଦ୍ରଠାରେ ଲଗାଅ ଯେ ନେଇ ।।
ଏହି ପରି ମେଷମାନେ ଦେବେ ଅପାର ସନ୍ତୋଷ ।
ଦାନଦେଲେ ଏହାକୁ ଯେ ଫଳ ଫଳିବ ଅଶେଷ ।।
ବୈଶ୍ୱାନର ବଚନକୁ ଶୁଣିକରି ପିତୃଗଣ ।
ସହସ୍ରାକ୍ଷେ ଲଗାଇଲେ ମେଷର କୋଷକୁ କାଟିଣ ।।
ସେହିଦିନୁ ପିତୃମାନେ ଭକ୍ଷନ୍ତି ଖାସୁକରା ମେଷ ।
ମେଷ ଅଣ୍ଡ ପାଇକରି ଇନ୍ଦ୍ର ହେଲେ ସମ୍ପୂର୍ଣ୍ଣ ପୁରୁଷ ।।
ଗୌତମଙ୍କ ତପସ୍ୟାର ଏମନ୍ତ ମାହାତ୍ମ୍ୟ ।
ଆସ ରାମ ଯିବା ସେହୁ ପବିତ୍ର ଆଶ୍ରମ ।।
ଦେବୋପମା ଅହଲ୍ୟାକୁ କର ଯେ ତାରଣ ।
ବିଶ୍ୱାମିତ୍ର ବଚନ ରାଘବ ଶୁଣିଣ ।।
ମୁନିଙ୍କ ପଛେ ପଛେ ଲକ୍ଷ୍ମଣ ସହିତ ।
ରାମ ପ୍ରବେଶିଲେ ଆଶ୍ରମରେ ଯେ ତୁରିତ ।।
ଦେଖିଲେ ଅହଲ୍ୟା ଅଛି ତପେ ଦୀପ୍ତିମାନ ।
ଦେବ ଦାନବ ମାନବ ଚକ୍ଷୁରୁ ଅଦୃଶ୍ୟ ହୋଇଣ ।।
(ଶାସ୍ତ୍ରୀଗଲ ଏବଂ ଶାସ୍ତ୍ରୀ ୧୯୫୮, ପ୍ରଥମ କାଣ୍ଡ, ୪୭-୪୮ ସର୍ଗ;
ଡେଭିଡ଼ ଶୁଲ୍‌ମାନ୍ ଓ ଏ. କେ. ରାମାନୁଜନ ଙ୍କ ଦ୍ୱାରା ଅନୁଦିତ)

କମ୍ବର କୃତ ଅହଲ୍ୟା ଅଧ୍ୟାୟ

ମିଥିଳା ନବରକୁ ଆସି । ଦେଖିଲେ ଦୁର୍ଗଗୋଟି ଅଛି ।।
ଉଡ଼ୁଛି ପତାକା ଉପରେ । ବ୍ୟାପିଛି କ୍ଷେତ ଚାରିଆଡ଼େ ।।
କୃଷ୍ଣପ୍ରସ୍ତର ଯେ ଦିଶିଲା । ଯାହା ଅହଲ୍ୟା ଦିନେ ଥିଲା ।।
ଋଷି ଗୌତମର ସେ ନାରୀ । ଯେଣୁ ସେ ହୋଇଲା ଦୋଚାରି ।। [ପଦ ୫୪୭]

ପଙ୍କଜ ଲୋଚନ ନୟନ । ପଥରେ ପଡ଼ିଲା ବହନ ।।
ପଥରେ ପଦରଜ ପଡ଼ି । ଭାଜିଲା ନିଦ୍ରାର କୁହୁଡ଼ି ।।
ଅଚେତ ହୋଇଲେ ଚେତନ । ଜ୍ଞାନ ଯେ କାଟଇ ଅଜ୍ଞାନ ।।
କୃଷ୍ଣ ଯେ ବଦନ ଛିଡ଼ିଲା । ପ୍ରଭୁଙ୍କ ପଦକୁ ଧରିଲା ।।
ଉଠିଲା ଜୀବନ୍ତ ସେ ନାରୀ । ନିଜର ରଙ୍ଗ ରୂପ ଧରି ।।[ପଦ ୫୪୮]

ରାମ ଯେ ପୁଣ ଏହାପରେ, ବିଶ୍ୱାମିତ୍ରଙ୍କୁ ପଚାରିଲେ ।

ଅପୂର୍ବ ସୁନ୍ଦରୀ ଏ ନାରୀ, ପଥର ହୋଇଲେ କିପରି ।

ଶିଷ୍ୟର ପ୍ରଶ୍ନ ଗୋଟି ଶୁଣି, ବିଶ୍ୱାମିତ୍ର ତହୁଁ ବୋଲନ୍ତି ବାଣୀ ।
ଶୁଣରେ ଦଶରଥ ଶିଷୀ । ଗୌତମ ନାମରେ ତପସ୍ୱୀ ।।
ଆଶ୍ରମୁ ହୋଇଲେ ବାହାର । ଅହଲ୍ୟା ଭାରିଯା ତାହାର ।।
ତହୁଁ ସେ ଦେବ ବଜ୍ରଧର । ମଦନେ ହୋଇଲେ କାତର ।। [ପଦ ୫୫୧]

ଅହଲ୍ୟା ସ୍ତନ ଚାପ ବଳେ । ସରିଲା କଟାକ୍ଷ କଟାଳେ ।।
ଇନ୍ଦ୍ରର ତନୁ ଯେ ବିନ୍ଧିଲା । ମିଳନେ ଉପାୟ ଖୋଜିଲା ।।
ମଦନେ ଆରତ ସେ ହୋଇ । ନିଜର ବୁଦ୍ଧିକୁ ହଜାଇ ।।
ଧରିଲା ଗୌତମର ରୂପ । ଯେ ଋଷି ଧର୍ମର ସ୍ୱରୂପ ।।
ଆଶ୍ରମେ ନଥିବାର ବେଳେ । ପଶିଲା ଚୋର ପରି ହେଳେ ।। [ପଦ ୫୫୨]

ଆଶ୍ରମେ ଅହଲ୍ୟାର ସଙ୍ଗ । କଲା ସେ ନାନା ରତିରଙ୍ଗ ।।
ଅହଲ୍ୟା ଜାଣିଲା ହୃଦୟେ । ହେଲେ ସେ ମୁଖେ ନାହିଁ କହେ ।।
ବିବାହ ପ୍ରଥମ ଯେ ରାତି । ତାହାର ରସ ସେ ପିଅନ୍ତି ।।
ଅହଲ୍ୟା ମଦନର ଭୋଳେ । ମାତିଲା ଆନନ୍ଦରେ ଖେଳେ ।।
ଏମନ୍ତ ସମୟେ ଗୌତମ । ଫେରିଲେ ନିଜର ଆଶ୍ରମ ।।
ସାକ୍ଷାତ ଦେବ ତ୍ରିପୁରାରୀ । ତପରେ ଅଟନ୍ତି ସେ ବଳି ।। [ପଦ ୫୫୩]

ମୁନିଙ୍କ ନାହିଁ ତ୍ରୋଣ ସର । ଅଟନ୍ତି ଶାପେ ବଳିୟାର ।।
ମୁନିଙ୍କୁ ଆସିବାର ଦେଖି । ଅହଲ୍ୟା ରହିଲା ନିରେଖି ।।
କର୍ମର ଲଜ୍ଜା କେ କହିବ । ପାପ ଏ କଳ୍ପେ କି ସରିବ ।।
ମଘବା ମହାଭୟ ପାଇ । ମାର୍ଜାର ରୂପ ଏକ ବହି ।।
ତୁରିତେ ହେବାକୁ ବାହାର । କଲା ସେ ଏବେ ଉପଚାର ।। [ପଦ ୫୫୪]

ଅଗ୍ନି ଚକ୍ଷୁ ହୋଇ ଗୌତମ । ଦେଖିଲେ କଲା କର୍ମ ମାନ ।।
ବଚନ ବୋଇଲେ ସେ ଋଷି । ଜଳନ୍ତା ତୀର ପଡ଼େ ଖସି ।।
କହିଲେ ଶୁଣ ଦେବରାଜ । ଏମନ୍ତ କର୍ମ କଲୁ ଆଜ ।।
ମଦନ ଆରତରେ ଭୋଳ । ଶୁଣରେ ନିଜ କର୍ମଫଳ ।।
ସହସ୍ର ଯୋନି ତୋର ଦେହେ । ଫଳୁ ସେ ନେତ୍ରମାନ ପ୍ରାଏ ।।
ନିମିଷ ମାତ୍ରକ ମଧ୍ୟରେ । ଫଳିଲା ଋଷିଙ୍କ ଶାପରେ ।।[ପଦ ୫୫୫]

ଲଜ୍ଜାରେ ହୋଇ ଅବନତ । ଆଶ୍ରମ ଛାଡ଼ିଣ ତୁରିତ ।।
ଇନ୍ଦ୍ର ଯେ ଗଲା ନିଜ ଦେଶ । ଲଭିଣ ଜନ ଉପହାସ ।।
ଇନ୍ଦ୍ରକୁ ଶାପ ଦେଇକରି । ଗୌତମ କହିଲେ ହକାରି ।।
ଅଟୁ ତୁ ଦୋଚାରୁଣି ବାଳା । ହୁଅ ତୁ କୃଷ୍ଣକାୟ ଶିଳା ।। [ପଦ ୫୫୬]

ଭୂମିରେ ପଡ଼ିବା ଅନ୍ତରେ । ଅହଲ୍ୟା କହିଲା କାତରେ ।।
ଇତର ଜନ ଦୋଷମାନ । କ୍ଷମନ୍ତି ଗୁରୁଜନଗଣ ।।
ଇଶ୍ୱର ସମ ପ୍ରଭୁ ତୁମେ । କ୍ଷମ ମୋ ଦୋଷ ନିଜ ଗୁଣେ ।।
ଏମନ୍ତ ଶୁଣି ମୁନିବର । କହିଲେ ଜାନକୀର ବର ।।
ତ୍ରେତୟା ଯୁଗରେ ଆସିବେ । ପଥରୁ ସେହି ଯେ ତାରିବେ ।।
କଣ୍ଠେ ଯେ ଥିବ ବନମାଳ । ତାରିବେ କୌଶଲ୍ୟାର ବାଳ ।। [ପଦ ୫୫୭]

ଅମରଗଣ ଥାଇ ସ୍ୱର୍ଗେ । ଦେଖିଲେ ଇନ୍ଦ୍ର ପରାଭବେ ।।
ମର୍ତ୍ତ୍ୟକୁ ଆସିଲେ ଓହ୍ଲାଇ । ଭ୍ରାତାଙ୍କୁ ଦୂତ ରୂପେ ପାଇ ।।
ଗୌତମେ କଲେ ସେ ବିନତି । ମୁନି ଯେ ହୋଇଲେକ ଶାନ୍ତି ।।
ଯୋନି ଯେ ପାଲଟିଲା ନେତ୍ର । ଅମରେ ଗଲେ ନିଜ କ୍ଷେତ୍ର ।।
ଅହଲ୍ୟା ରହିଲା ପାଷାଣି । ରାମଙ୍କ ଆଗମନ ଶୁଣି ।।[ପଦ ୫୫୮]

ସେହିଦିନୁ ସେ ବସିଥିଲା । ଏବେ ସେ ମୁକତି ପାଇଲା ।।
ଖଣ୍ଡିଲ ଭବଭୟ ତା’ର । ଯେମନ୍ତେ ତୁମ୍ଭେ ତାଡ଼କାର ।।
ନବୀନ ନିରଦ ଯେ ଶ୍ୟାମ । ତୁମ୍ଭେ ଯେ ଭବଭୟ ଯମ ।।
ତାରିଲ ତାଡ଼କା ହସ୍ତରେ । ଏବେ ଉଦ୍ଧରିଲ ପୟରେ ।। [ପଦ ୫୫୯]

ମୁଁ ବର୍ତ୍ତମାନ ଜଲଦି ଏହି ଦୁଇ କଥାଟିମାନ ମଧ୍ୟରେ ଥିବା ପ୍ରଭେଦଗୁଡ଼ିକ ମଧ୍ୟରୁ କେତୋଟିକୁ ଦର୍ଶାଇବି । ବାଲ୍ମିକୀ ରାମାୟଣରେ ଅହଲ୍ୟା ସ୍ୱଇଚ୍ଛାରେ ଇନ୍ଦ୍ରଙ୍କୁ ଅଙ୍ଗସଙ୍ଗର ସୁଯୋଗ ଦିଅନ୍ତି । କମ୍ବର ରାମାୟଣରେ ଅହଲ୍ୟା ଜାଣିପାରନ୍ତି ଯେ, ସେ ଯାହା କରୁଛନ୍ତି ତାହା ଭୁଲ । ମାତ୍ର ତଥାପି ମଧ୍ୟ ନିଶିଦ୍ଧ ଆନନ୍ଦର ଆସ୍ୱାଦନରୁ, ସେ ନିଜକୁ ରୋକିପାରନ୍ତି ନାହିଁ । କବିତାଟିରୁ ଆମକୁ ଏହା ମଧ୍ୟ ବୁଝାପଡ଼େ ଯେ, ତାଙ୍କର ଋଷି-ସ୍ୱାମୀ ଆତ୍ମାରେ ମଜ୍ଜିତ ।

ଏହାର ବର୍ଣ୍ଣନା ଅହଲ୍ୟା ହରଣ ଉପାଖ୍ୟାନକୁ କମ୍ବର ରାମାୟଣରେ ଏକ ମନସ୍ତାତ୍ତ୍ୱିକ ସୂକ୍ଷ୍ମତା ପ୍ରଦାନ କରେ । ଆହୁରି ମଧ୍ୟ ଇନ୍ଦ୍ର ଶେଷକୁ ଗୋଟିଏ ବିଲେଇ ରୂପରେ ଖସି ଚାଲିଯିବାର ଉପକ୍ରମ କରନ୍ତି । ଏହା ନିଶ୍ଚିତ ଭାବରେ ଲୋକକଥାର ଏକ ଉପାଖ୍ୟାନ (ଆମେ ଗପର ଏହି ରୂପଟିକୁ ଏକାଦଶ ଶତାବ୍ଦୀରେ ରଚିତ କଥାସରିତ ସାଗରରେ ମଧ୍ୟ ଭେଟିବା : ଟନି ୧୯୨୭ ଦେଖନ୍ତୁ) । ଶେଷକୁ ଅଭିଶାପ ବଳରେ ଇନ୍ଦ୍ରଙ୍କର ଦେହସାରା ଫଳିଯାଇଛି ସହସ୍ର ଯୋନି ଏବଂ ଅହଲ୍ୟା ପାଲଟି ଯାଇଛନ୍ତି କଠୋର ପାଷାଣୀ ।

ଅବଶ୍ୟ ଇନ୍ଦ୍ରଙ୍କର ଦେହର ଯୋନିଗୁଡ଼ିକ ପରେ ଚକ୍ଷୁରେ ପରିବର୍ତ୍ତିତ ହୋଇଛି । ନିଜ ନିଜର ଦୋଷର ଫଳଶ୍ରୁତି ବଳରେ ଉଭୟଙ୍କୁ କାବ୍ୟିକ ନ୍ୟାୟ ମିଳିଛି । ଇନ୍ଦ୍ରଙ୍କର ଦେହସାରା ଫଳିଛି ତାଙ୍କର ଇପ୍ସିତ ବସ୍ତୁ ଏବଂ ପାଷାଣୀ ବନିବା ଫଳରେ ଅହଲ୍ୟା ଆଉ କାହାର ବାସନା ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବାର କ୍ଷମତା ହରାଇବସନ୍ତି । ଏହି ରୂପକଗୁଡ଼ିକୁ ଆମେ ବାଲ୍ମିକୀ ରାମାୟଣରେ ପାଇବା ନାହିଁ ।

ମାତ୍ର ଅନେକ ଦକ୍ଷିଣୀ ରାମକଥା ତଥା ଲୋକକଥାରେ ଏହି ରୂପକଗୁଡ଼ିକୁ ଆମେ ବାରମ୍ବାର ଭେଟିବା । ଏଗୁଡ଼ିକୁ ଆମେ କମ୍ବରଙ୍କର ପୂର୍ବର ତାମିଳ କବିତା, ଶିଳାଲେଖ ଓ ଅନେକ ଅଣ-ତାମିଳ ଉତ୍ସରେ ମଧ୍ୟ ପାଇବା । ଏଣୁ କମ୍ବର ନିଜର ରାମକଥାର ରଚନା ନିମନ୍ତେ ଯେ, କେବଳ ବାଲ୍ମିକୀ ରାମାୟଣର ବ୍ୟବହାର କରନ୍ତି, ତାହା ନୁହେଁ । ସେ ନିଜର ଆଞ୍ଚଳିକ ଲୋକକଥାର ପରମ୍ପରାମାନଙ୍କଠାରୁ ମଧ୍ୟ ଅନେକ ଆଙ୍ଗିକ ଧାର ଆଣନ୍ତି ।

କାବ୍ୟିକ କଳାକର୍ମରେ କମ୍ବର ବାଲ୍ମିକୀଙ୍କ ତୁଳନାରେ ଅଧିକ ନାଟକୀୟ । ପ୍ରଥମେ ରାମଙ୍କର ପଦରଜ ପଡ଼େ ଓ ପାଷାଣୀ ଅହଲ୍ୟା ଜୀବନ ପାଆନ୍ତି । ତାହା ପରେ ହିଁ ଆମେ ତାଙ୍କର କାହାଣୀ ଶୁଣିବାକୁ ପାଉ । ଉଚ୍ଚ ସ୍ଥାନରେ ରାମଙ୍କ ପାଇଁ ଅପେକ୍ଷା କରି ରହିଥିବା କୃଷ୍ଣପ୍ରସ୍ତର ନିଜେ ହିଁ ଏକ ଅତି ଫଳପ୍ରଦ ଓ ଉଜ୍ଜ୍ୱଳ ଚିହ୍ନ । ପାଷାଣରୁ ରକ୍ତମାଂସର ଉଷ୍ମ ମାନବ ସତ୍ତାକୁ ଅହଲ୍ୟାଙ୍କର ପୁର୍ନଜୀବନର କଥା ଏଠାରେ ପାଲଟେ ଭଗବାନଙ୍କର ସ୍ପର୍ଶ ପାଇ ଜାଗ୍ରତ ଏକ ଆତ୍ମା ବିଷୟରେ ଗୋଟିଏ ଭକ୍ତିପୂର୍ଣ୍ଣ ଆଧ୍ୟାତ୍ମିକ ଆଖ୍ୟାୟିକା ।

ଅନ୍ତରେ ଆମେ ଏହା କହିବୁ ଯେ, ଏହି ଅହଲ୍ୟା ଅଧ୍ୟାୟଟି କଥାର ପୂର୍ବ ଉପାଖ୍ୟାନମାନ, ଯଥା ରାମଙ୍କ ଦ୍ୱାରା ତାଡ଼କା ବଧ ଆଦି ସହିତ ଜଡ଼ିତ । ସେହି ଉପାଖ୍ୟାନରେ ସେ ଥିଲେ ଦୁଷ୍ଟନାଶକ ଓ ଐରୀବିନାଶକ । ମାତ୍ର ଏହି ଉପାଖ୍ୟାନରେ ଅହଲ୍ୟାର ତାରକ ହିସାବରେ ସେ ବନନ୍ତି, ପ୍ରାଚୁର୍ଯ୍ୟ ଓ ଉର୍ବରତାର ବାହକ ବଳାହକ । କମ୍ବରଙ୍କର କବିତା ସାରା ରାମ ଜଣେ ତାମିଳ ନାୟକ, ଜଣେ ବଦାନ୍ୟ ଦାତା ମାତ୍ର ଶତ୍ରୁଗଞ୍ଜକ । ଅହଲ୍ୟା ଉପାଖ୍ୟାନରେ ରାମ ଯେ ସମସ୍ତ ଆତ୍ମାମାନଙ୍କୁ ଭବଦୁଃଖରୁ ମୁକ୍ତି ଦେବା ନିମନ୍ତେ ଅବତାର ଧରିଛନ୍ତି, ସେକଥା ଅହଲ୍ୟା ପୁର୍ନଜୀବନ ଲାଭ କରିବା ଫଳରେ ଉପସ୍ଥାପିତ ହୁଏ ।

ବାଲ୍ମିକୀ ରାମାୟଣରେ ରାମ ଭଗବାନ ନୁହନ୍ତି । ସେ ମାନବ ରୂପର ସୀମା ମଧ୍ୟରେ ବଦ୍ଧ ଜଣେ ଭଗବତ୍ ପୁରୁଷ ମାତ୍ର । କେତେକ ପଣ୍ଡିତ ଯୁକ୍ତି କରନ୍ତି ଯେ, ରାମ ଯେ ଦିବ୍ୟ ପୁରୁଷ ଓ ସେ ରାବଣ ବଧ ନିମନ୍ତେ ଅବତାର ନେଇଛନ୍ତି, ସେକଥା କେବଳ ପ୍ରଥମ ଓ ଶେଷ କାଣ୍ଡରେ ହିଁ ଅଛି ଓ ସେଗୁଡ଼ିକ ପ୍ରକ୍ଷିପ୍ତ । ସେ ଯାହା ହେଉ ନା କାହିଁକି, କମ୍ବର ରାମାୟଣରେ ରାମ ନିଶ୍ଚିତ ଭାବରେ ଜଣେ ଦେବତା । ତେଣୁକରି କମ୍ବର ରାମାୟଣରୁ ଉଦ୍ଧୃତ ଉପଯୁକ୍ତ ଅଂଶଟି ଧର୍ମଭାବନା ଓ ତାତ୍ତ୍ୱିକ ରୂପକଳ୍ପର ଦାନ । କମ୍ବର ରାମାୟଣ ଦ୍ୱାଦଶ ଶତାବ୍ଦୀରେ ଲିଖିତ ଏବଂ ଏଥିରେ ତାମିଳ ଭକ୍ତି ପରମ୍ପରାର ପ୍ରଭାବ ସୁସ୍ପଷ୍ଟ । ଶ୍ରୀବୈଷ୍ଣବ ସନ୍ଥମାନଙ୍କ ମଧ୍ୟରେ ସବୁଠାରୁ ପ୍ରସିଦ୍ଧ ସନ୍ଥ ନମ୍ମାଲଭାର ଥିଲେ କମ୍ବରଙ୍କର ଗୁରୁ । ତେଣୁକରି କମ୍ବରଙ୍କ ପାଇଁ ରାମ ଦୁଷ୍ଟଦଳନ, ସନ୍ଥପାଳନ ଓ ସମସ୍ତ ଜୀବମଣ୍ଡଳର ତାରଣ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଏକ ଦେବତା । ଏହି କାର୍ଯ୍ୟକ୍ରମର ଶୃଙ୍ଖଳ ଅହଲ୍ୟାଙ୍କର ତାରଣ ସହିତ ଆରମ୍ଭ ହୁଏ ମାତ୍ର, ଯାହାର ଅନ୍ତ ଯାଇ ରାବଣ ବଧରେ । ନମ୍ମାଲଭାରଙ୍କର ପାଇଁ ରାମ ହେଲେ ତୃଣଠାରୁ ବରୁଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମୁକ୍ତି ଦେଉଥିବା ପରିତ୍ରାଣାକର୍ତ୍ତା ମହୌଷଧୀ ।

ଅନୁବାଦ – ଶୈଲେନ ରାଉତରାୟ 

Comments are closed.