ତିନି ଶହ ରାମାୟଣ (୪)
ଏହି ପ୍ରବନ୍ଧଟି ଇଂରାଜୀ ଓ କନ୍ନଡ଼ ଭାଷାରେ ଲେଖୁଥିବା ଏ.କେ. ରାମାନୁଜନ (୧୯୨୯-୧୯୯୩) ଙ୍କ ଦ୍ୱାରା ଲିଖିତ କ୍ଲାସିକ ପ୍ରବନ୍ଧ 'ଥ୍ରି ହଣ୍ଡ୍ରେଡ଼୍ ରାମାୟଣାଜ୍'ର ଓଡ଼ିଆ ଅନୁବାଦ । ରାମାନୁଜନଙ୍କର ମୂଳ ଅକାଦେମିକ ଟ୍ରେନିଂ ଭାଷାତତ୍ତ୍ୱରେ ଥିଲେ ମଧ୍ୟ ପରେ ତୁଳନାତ୍ମକ ସାହିତ୍ୟ ଓ ଅନୁବାଦ କ୍ଷେତ୍ରକୁ ତାଙ୍କର ଅବଦାନ ଅତୁଳନୀୟ । ତାମିଲ ସଙ୍ଗମ କୃତି ତଥା କନ୍ନଡ଼ ବଚନମାଳା ଆଦିର ଅଗ୍ରଗାମୀ ଅନୁବାଦ କରି ସେ ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟ ବିଷୟରେ ଆମର ଅବଧାରଣାକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିଥିଲେ । ଏହା ଛଡ଼ା ସେ ଇଂରାଜୀ ଭାଷାରେ ଏକ ପ୍ରଥିତଯଶା କବି ମଧ୍ୟ ଥିଲେ । 'ତିନି ଶହ ରାମାୟଣ' ଶୀର୍ଷକରେ ଏହି ଅନୁଦିତ ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲା ।
ମୂଳ ରଚନା : ଏ. କେ. ରାମାନୁଜନ୍
ଏକ ଦକ୍ଷିଣପୂର୍ବ ଏସୀୟ ଉଦାହରଣ
ଆମେ ଭାରତ ବାହାରକୁ ଦକ୍ଷିଣପୂର୍ବ ଏସୀଆକୁ ଗଲେ ତିବ୍ଦତ, ଥାଇଲାଣ୍ଡ କିମ୍ବା ଲାଓ, କାମ୍ବୋଜ, ମାଲେସିଆ, ଜାଭା ତଥା ଇଣ୍ଡୋନେସିଆ, ଆଦି ଦେଶମାନଙ୍କରେ ଭିନ୍ନ ପ୍ରକାରର ରାମକଥାମାନଙ୍କୁ ଭେଟିବା । ଏଠାରେ ଆମେ ଥାୟୀ ରାମକୀର୍ତ୍ତିରୁ କେତୋଟି ଉଦାହରଣ ଦେଖିବା । ସନ୍ତୋଷ ଦେଶାଇଙ୍କ ଅନୁସାରେ ଥାୟୀ ଜନଜୀବନ ଉପରେ ରାମକଥା ଭଳି ପ୍ରଭାବ ଅନ୍ୟ କୌଣସି ହିନ୍ଦୁ ମୂଳର ଜିନିଷ ପକାଇପାରି ନାହିଁ (ଦେଶାଇ ୧୯୮୦, ୬୩) । (୭) ବୌଦ୍ଧ ମନ୍ଦିରମାନଙ୍କର କାନ୍ଥରେ ଥିବା ଚିତ୍ର ଏବଂ କାରୁକାର୍ଯ୍ୟ, ଗ୍ରାମ ଏବଂ ନଗରମାନଙ୍କରେ ଅଭିନିତ ହେଉଥିବା ନାଟକମାନ, ଥାୟୀ ନୃତ୍ୟନାଟିକା, ଏହି ସବୁ କିଛି ଉପରେ ରାମକଥାର ଛାପ ଆମେ ଦେଖିବାକୁ ପାଇବା ।
ଥାୟୀ ଭାଷାରେ ଜଣକ ପରେ ଜଣେ ଅନେକ ରାମନାମ୍ମୀ ରାଜା ରାମାୟଣର ବିଭିନ୍ନ ଅଧ୍ୟାୟମାନ ଲେଖିଯାଇଛନ୍ତି । ରାଜାରାମ ପ୍ରଥମ ପଚାଶ ହଜାର ଶ୍ଳୋକର ଏକ ରାମାୟଣ ରାଚନା କରିଛନ୍ତି । ଏଥିରେ ରାଜାରାମ ଦ୍ୱିତୀୟ ନୃତ୍ୟ ନିମନ୍ତେ ଅନେକ ଅଧ୍ୟାୟ ଯୋଡ଼ିଥିଲେ । ସେହିପରି ରାଜା ଷଷ୍ଠ ରାମ ଏଥିରେ ବାଲ୍ମିକୀ ରାମାୟଣରୁ ଉଦ୍ଧୃତ ଅନେକ ଅଧ୍ୟାୟ ସନ୍ନିବେଶିତ କଲେ । ରାମାୟଣର ଅନେକ ଜାଗାଗୁଡ଼ିକର ନାମ ରାମଙ୍କର ସହିତ ସମ୍ବନ୍ଧିତ ଅନେକ କିମ୍ବଦନ୍ତି ସହିତ ଜଡ଼ିତ; ଲୋପପୂରୀ (ସଂସ୍କୃତର ଲବପୂରୀ, ଖିଦ୍କିନ୍ (ସଂସ୍କତର କିସ୍କିନ୍ଦା ଏବଂ ଖେମର ଓ ଥାୟୀ କଳାର ଭଗ୍ନାବେଶରେ ପୂର୍ଣ୍ଣ ଅୟୁଥିଆ (ସଂସ୍କୃତରେ ଅଯୋଧ୍ୟା) କୁ ଆମେ ଉଦାହରଣ ଭାବରେ ନେଇପାରିବା ।
ଥାୟୀ ରାମକୀର୍ତ୍ତି କିମ୍ବା ରାମକିଏନ୍ (ରାମ କଥା) ମାନବ, ଦାନବ ତଥା ବାନର ଆଦି ତିନି ପ୍ରକାରର ଚରିତ୍ରମାନଙ୍କର ପ୍ରଜନ୍ମର ଆଖ୍ୟାନ ସହିତ ଆରମ୍ଭ ହୁଏ । କାଣ୍ଡର ଦ୍ୱିତୀୟ ଭାଗ ରାମ ଏବଂ ତାଙ୍କର ଭ୍ରାତାମାନଙ୍କର ଦାନବମାନଙ୍କ ସହିତ ପ୍ରଥମ ଭେଟ, ରାମଙ୍କର ବିବାହ ଏବଂ ବନବାସ ଓ ସୀତାଙ୍କର ଅପହରଣ ତଥା ରାମଙ୍କର ବାନରକୁଳ ସହିତ ଭେଟର ବର୍ଣ୍ଣନା କରନ୍ତି । ଏହା ଯୁଦ୍ଧ ପାଇଁ ପ୍ରସ୍ତୁତି, ହନୁମାନଙ୍କର ଲଙ୍କାଗମନ ଏବଂ ଲଙ୍କା ଦହନ, ସେତୁବନ୍ଧ ନିର୍ମାଣ, ଲଙ୍କା ଅବରୋଧ, ରାବଣଙ୍କର ପତନ, ତଥା ସୀତାଙ୍କ ସହିତ ରାମଙ୍କର ପୁନଃର୍ମିଳନର ବର୍ଣ୍ଣନା କରେ ।
ତୃତୀୟ ଭାଗ ଲଙ୍କାରେ ଏକ ବିଦ୍ରୋହର ବର୍ଣ୍ଣନା କରେ, ଯାହାକୁ ଶାନ୍ତ କରିବା ପାଇଁ ରାମ ତାଙ୍କ ଦୁଇ ଅନୁଜଙ୍କୁ ପଠାନ୍ତି । ଏହି ଭାଗ ସୀତା ବନବାସ, ଲବକୁଶଙ୍କର ଜନ୍ମ, ସେମାନଙ୍କର ରାମଙ୍କ ସହିତ ଯୁଦ୍ଧ, ସୀତାଙ୍କର ଭୂସମାଧି ତଥା ରାମ ଏବଂ ସୀତାଙ୍କର ପୁର୍ନମିଳନ ନିମନ୍ତେ ଦେବତାମାନଙ୍କର ଆଗମନ ଆଦି ବିଷୟ ବର୍ଣ୍ଣନା କରେ । ଯଦିଓ ବାଲ୍ମିକୀ ରାମାୟଣର ଅନେକ ଘଟଣା ଏଠାରେ ମଧ୍ୟ ଘଟେ, ଅନେକ ଜିନିଷର ରୂପ ଏଠାରେ ଅଲଗା । ଯଥା ଦକ୍ଷିଣ ଭାରତୀୟ ଲୋକ ରାମାୟଣମାନ ଓ ଜୈନ, ବଙ୍ଗାଳି ଓ କାଶ୍ମିରୀ ରାମାୟଣମାନଙ୍କ ପରି ଏଠାରେ ମଧ୍ୟ ସୀତାଙ୍କର ବନବାସର କାରଣ ନିମନ୍ତେ ଏକ ନାଟକୀୟ ତର୍କ ପ୍ରସ୍ତାବ କରାଯାଏ ।
ସୂପର୍ଣ୍ଣଖାର ଝିଅ ସୀତାଙ୍କୁ ନିଜର ମାତାଙ୍କର ନାସାକର୍ଣ୍ଣ ଛେଦନର ପ୍ରତିଶୋଧ ନେବା ପାଇଁ ଅପେକ୍ଷା କରି ବସିଛନ୍ତି । ସେଥି ନିମନ୍ତେ ସେ ଅଯୋଧ୍ୟା ଆସି ସୀତାଙ୍କର ଉଆସରେ ଦାସୀ ହିସାବରେ କାମ କରିବାକୁ ଆରମ୍ଭ କରନ୍ତି । ଥରେ ସେ ସୀତାଙ୍କୁ ରାବଣଙ୍କର ଗୋଟିଏ ଚିତ୍ର ଆଙ୍କିବା ପାଇଁ ପ୍ରରୋଚିତ କରନ୍ତି । ଗଳ୍ପର କିଛି ରୂପରେ ଏହି ଚିତ୍ରଟିକୁ ଲିଭାଇବା ଅସମ୍ଭବ ହୋଇପଡ଼େ । କାହାଣୀର ଅନ୍ୟ କେତେକ ରୂପରେ ଚିତ୍ରଟି ଜୀବନ୍ତ ରୂପ ଧାରଣ କରେ । ଉଭୟ କ୍ଷେତ୍ରରେ ରାମଙ୍କର ଆଖିକୁ ଏହି ଘଟଣାଟି ଆସେ । ଇର୍ଷାର ଜ୍ୱାଳାରେ ସେ ସୀତାଙ୍କୁ ମୃତ୍ୟୁଦଣ୍ଡ ଦିଅନ୍ତି । ଦୟାବାନ ଲକ୍ଷ୍ମଣ ସୀତାଙ୍କୁ ନ ମାରି ବନରେ ଛାଡ଼ି ଆସନ୍ତି । ଯଦିଓ ପ୍ରାଣଦଣ୍ଡର ସାକ୍ଷ୍ୟ ସ୍ୱରୂପ ଗୋଟିଏ ମୃଗର ହୃଦୟ ସେ ଘେନିଯାଆନ୍ତି ।
ଏହି ଥାୟୀ କାହାଣୀରେ ରାମ ଏବଂ ସୀତାଙ୍କର ପୁର୍ନମିଳନ ମଧ୍ୟ ଭିନ୍ନ ଭାବରେ ହୁଏ । ରାମ ଯେତେବେଳେ ଜାଣିପାରନ୍ତି ଯେ, ସୀତା ଅଦ୍ୟପି ଜୀବିତ, ସେ ନିଜକୁ ମୃତ ବୋଲି ପ୍ରଚାର କରନ୍ତି । ଏହା ସେ କରନ୍ତି ସୀତାଙ୍କୁ ଲେଉଟାଇ ଆଣିବା ପାଇଁ । ସୀତା ତାଙ୍କୁ ଦେଖିବା ପାଇଁ ଦୌଡ଼ି ଆସନ୍ତି, ମାତ୍ର ଯେତେବେଳେ ସେ ଜାଣିପାରନ୍ତି ଯେ ସେ ପ୍ରବଞ୍ଚନାର ଶିକାର ହୋଇଛନ୍ତି, ସେ କ୍ରୋଧରେ ଫାଟି ପଡ଼ନ୍ତି । ଅସହାୟ କ୍ରୋଧରେ ସେ ଭୂଦେବୀକୁ ତାଙ୍କୁ ଗ୍ରହଣ କରିନେବା ପାଇଁ ପ୍ରାର୍ଥନା କରନ୍ତି । ହନୁମାନଙ୍କୁ ତାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କୁ ପାତାଳ ଦେଶକୁ ପଠାଯାଏ । ମାତ୍ର ସେ ଲେଉଟିବା ପାଇଁ ମନା କରନ୍ତି । ଶେଷକୁ ଶିବଙ୍କର ଶ୍ରମ ବଳରେ ରାମ ଏବଂ ସୀତା ଏକତ୍ର ହୁଅନ୍ତି ।
ପୁନଃ, ଜୈନ ଏବଂ ଦକ୍ଷିଣ ଭାରତୀୟ ଲୋକଗାଥାମାନଙ୍କର ଉଦାହରଣ ପରି ଏହି ଥାୟୀ ରାମାୟଣରେ ସୀତାଙ୍କର ଜନ୍ମର ବିବରଣୀ ବାଲ୍ମିକୀଙ୍କର ଲିଖିତ ବିବରଣୀ ଠାରୁ ଭିନ୍ନ । ଏଠାରେ ଦଶରଥଙ୍କର ଯଜ୍ଞ ପରେ ତାଙ୍କୁ ଏହାର ଫଳସ୍ୱରୂପ ଏକ ଅନ୍ନର ଲଡ଼ୁ ମିଳେ । ବାଲ୍ମିକୀ ବର୍ଣ୍ଣିତ ଚାଉଳ ଖିରି ନୁହେଁ । ଏଥିରୁ ଗୋଟିଏ କାକ କିଛି ଚାଉଳ ଚୋରେଇ ନେଇ ରାବଣଙ୍କର ସ୍ତ୍ରୀଙ୍କୁ ଦିଏ । ସେ ଏହା ଖାଆନ୍ତି ଓ ସୀତାଙ୍କୁ ଜନ୍ମ ଦିଅନ୍ତି । ତାଙ୍କର ନିଜ ଝିଅ ଯେ ତାଙ୍କର ମୃତ୍ୟୁର କାରଣ ବନିବ, ଏହିପରି ଏକ ଭବିଷ୍ୟବାଣୀ ଶୁଣିବା ପରେ, ରାବଣ ସୀତାଙ୍କୁ ସମୁଦ୍ରକୁ ଫିଙ୍ଗି ଦିଏ । ସମୁଦ୍ରର ଦେବୀ ସୀତାଙ୍କୁ ରକ୍ଷା କରନ୍ତି ଓ ତାଙ୍କୁ ଜନକଙ୍କ ପାଖକୁ ନିଅନ୍ତି ।
ଆହୁରି, ରାମ ବିଷ୍ଣୁଙ୍କର ଅବତାର ବୋଲି ଗଣା ହେଲେ ମଧ୍ୟ ଥାଇଲାଣ୍ଡ ରେ ସେ ଶିବଙ୍କଠାରୁ ବଡ଼ ନୁହନ୍ତି । ତାଙ୍କୁ ମୂଳତଃ ଏକ ମାନବୀୟ ବୀର ଭାବରେ ଧରାଯାଏ । ରାମକୀର୍ତ୍ତିକୁ ଏକ ଧାର୍ମିକ ପୁସ୍ତକ ହସାବରେ ଗଣାଯାଏ ନାହିଁ । ଯଦିଓ ଥାଇଲାଣ୍ଡରେ ଲୋକମାନେ ଏହି କଥାକୁ ଏକ ଦୃଷ୍ଟାନ୍ତମୂଳକ ଉପାଖ୍ୟାନ ହିସାବରେ ଗ୍ରହଣ କରି ନିଜ ଜୀବନକୁ ଏହା ଉପରେ ଆଧାରିତ କରିବାକୁ ଚେଷ୍ଟା କରିଥାନ୍ତି ।
ଥାୟୀମାନେ ମୁଖ୍ୟତଃ ସୀତାଙ୍କର ଅପହରଣ ତଥା ଯୁଦ୍ଧର ବର୍ଣ୍ଣନା ଥିବା ଅଧ୍ୟାୟଗୁଡ଼ିକୁ ଅଧିକ ଉପଭୋଗ କରନ୍ତି । ହିନ୍ଦୁ ରାମକଥାଗୁଡିକର କେନ୍ଦ୍ରରେ ଥିବା ମିଳନ ଓ ବିଚ୍ଛେଦର ଉପାଖ୍ୟାନମାନ ଏଠାରେ ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯୁଦ୍ଧ, ଯୁଦ୍ଧ ବିଦ୍ୟା ତଥା ଅଲୌକିକ ଶସ୍ତ୍ର ଆଦିଗୁଡ଼ିକର ବର୍ଣ୍ଣନା ଏଠାରେ ଅଧିକ ମହତ୍ତ୍ୱ ରଖେ । ଥାୟୀ ରାମକୀର୍ତ୍ତିର ଯୁଦ୍ଧ କାଣ୍ଡ ଅନ୍ୟ କୌଣସି କାଣ୍ଡ ଅପେକ୍ଷା ଅଧିକ ବିସ୍ତୃତ ତଥା ବର୍ଣ୍ଣନାପୂର୍ଣ୍ଣ ।
ମାତ୍ର କନ୍ନଡ଼ ଲୋକ ରାମାୟଣମାନଙ୍କରେ ଏସବୁର ବର୍ଣ୍ଣନା ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଦେଶାଇ କୁହନ୍ତି କି ଯୁଦ୍ଧ ଉପରେ ଏହି ଥାୟୀ ଗୁରୁତ୍ୱ ମହତ୍ୱପୂର୍ଣ୍ଣ ଅଟେ । ଥାୟୀ ଇତିହାସ ଯୁଦ୍ଧପୂର୍ଣ୍ଣ ତଥା ବଞ୍ଚି ରହିବା ତାଙ୍କ ପାଇଁ ଏକ ବିରାଟ ଚିନ୍ତାର ବିଷୟ ଥିଲା । ଏଣୁ ରାମକୀର୍ତ୍ତି ପାରିବାରିକ ମୂଲ୍ୟବୋଧ ତଥା ଆଧ୍ୟାତ୍ମିକତା ଉପରେ ବେଶୀ ଗୁରୁତ୍ତ୍ୱ ଦିଏନାହିଁ । ରାମଙ୍କ ଅପେକ୍ଷା ହନୁମାନଙ୍କୁ ଏହି ରାମକଥା ବେଶୀ ଭଲପାଏ । ହିନ୍ଦୁ ରାମାୟଣ ପରି ହନୁମାନ ଏଠାରେ ନା ଭକ୍ତ ନା ବ୍ରହ୍ମଚାରୀ । ରାମକୀର୍ତ୍ତିରେ ହନୁମାନ ଜଣେ କାମିନୀରଙ୍କା ବ୍ରାହ୍ମଣ, ଯିଏ ଲଙ୍କାର ଅନ୍ତପୁରମାନଙ୍କୁ ଦେଖିବା ପୂର୍ବରୁ କିଛି ବେଶୀ ଚିନ୍ତାକରେ ନାହିଁ । ବାଲ୍ମିକୀ କିମ୍ବା କମ୍ବରଙ୍କର ହନୁମାନ ପରି ସେ ଶୟନରତା ପରଦାରାକୁ ଦେଖିବା ଅନୀତି ବୋଲି ଭାବନ୍ତି ନାହିଁ ।
ଏଠାରେ ରାବଣ ମଧ୍ୟ ଭିନ୍ନ । ରାମକିର୍ତ୍ତୀ କାବ୍ୟଟି ରାବଣର ଜ୍ଞାନ ଓ ଯୋଗାଡ଼ିଆପଣକୁ ପ୍ରଶଂସାପୂର୍ଣ୍ଣ ଚକ୍ଷୁରେ ଦେଖେ । ତାଙ୍କ ଦ୍ୱାରା ସୀତାଙ୍କର ଅପହରଣକୁ ପ୍ରେମର ଫଳଶୃତି ବୋଲି ଦେଖୁଥିବାରୁ, ଏହି ଅପହରଣ ପ୍ରତି ସମବେଦନା ସୁସ୍ପଷ୍ଟ । ଜଣେ ନାରୀ ପାଇଁ ରାବଣର ନିଜ ପରିବାର, ରାଜ୍ୟ ଓ ଜୀବନ ତ୍ୟାଗକୁ ଥାୟୀମାନେ ଉଦାର ଭାବରେ ଗ୍ରହଣ କରନ୍ତି । ମୃତ୍ୟୁ ସମୟରେ ତାଙ୍କର କଥା, ଉନବିଂଶ ଶତାବ୍ଦୀର ଏକ ପ୍ରସିଦ୍ଧ ପ୍ରେମ କବିତା କଥା ବ୍ୟାଙ୍କକର ଗୋଟିଏ ୱାଟର ଶିଳାଲେଖର ବିଷୟବସ୍ତୁ (ଦେସାଇ ୧୯୮୦, ୮୫) । ଥାୟୀ ଚରିତ୍ରଟିମାନ ବାଲ୍ମିକୀଙ୍କର ଚରିତ୍ର ପରି ନୁହନ୍ତି । ସେମାନେ ଭଲ ଓ ଭେଲର ଏକ ମାନବୀୟ ସମ୍ମିଶ୍ରଣର ଫଳଶୃତି ତଥା ଭ୍ରାନ୍ତିଯୁକ୍ତ । ଏଠାରେ ରାବଣର ପତନ ଅବସାଦ ଜନ୍ମାଏ । ବାଲ୍ମିକୀ ରାମାୟଣ ପରି ରାବଣଙ୍କର ପତନରେ ଅମିଶ୍ରିତ ଆହ୍ଲାଦ ଆମେ ଏଠାରେ ପାଇବା ନାହିଁ ।
ପ୍ରଭେଦର ବୁଣାଟ
ଅତଏବ୍, ଆମ ପାଖରେ କେବଳ ବାଲ୍ମିକୀ କୃତ ରାମାୟଣଟି ନାହିଁ । ଅନ୍ୟ ଅନେକଙ୍କ ଦ୍ୱାରା କଥିତ, ମୌଳିକ ପ୍ରଭେଦମାନ ଥିବା ଅନେକ ରାମକଥା ଆମ ପାଖରେ ଅଛି । ଏବେ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ନ ଦେଖିଥିବା କେତେଗୁଡ଼ିଏ ପ୍ରଭେଦର ରୂପ ମୁଁ ଏଠାରେ ଆଙ୍କିବି । ଉଦାହରଣ ସ୍ୱରୂପ ସଂସ୍କୃତରେ ଏବଂ ଅନ୍ୟ ଭାରତୀୟ ଭାଷାମାନଙ୍କରେ ଗପଟି ଦୁଇ ଭାଗରେ ଶେଷ ହୁଏ । ଗୋଟିଏ ପ୍ରକାର ଗଳ୍ପ ଶେଷହୁଏ ରାମ ଏବଂ ସୀତାଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସହିତ । ସେମାନେ ତାଙ୍କର ରାଜଧାନୀକୁ ଫେରି ଏକ ଆଦର୍ଶ ରାଜ୍ୟର ରାଜା ଓ ରାଣୀ ଭାବରେ ଅଭିଷିକ୍ତ ହୁଅନ୍ତି ।
ଅନ୍ୟ ଗୋଟିଏ ଅନ୍ତରେ (ଯାହାକୁ ସାଧାରଣତଃ ବାଲ୍ମିକୀ ଏବଂ କମ୍ବରଙ୍କ କୃତ ରାମକଥାରେ ପ୍ରକ୍ଷିପ୍ତ ବୋଲି ଧରାଯାଏ), ରାମ, ସୀତାଙ୍କ ନାମରେ ଏହି ଅପବାଦ ଶୁଣନ୍ତି ଯେ ସୀତା ରାବଣର ବନରେ ବହୁଦିନ ବନ୍ଦୀ ଭାବରେ ରହି ରାଣୀ ହେବାର ମର୍ଯ୍ୟାଦା ହରାଇଛନ୍ତି । ରାଜା ଭାବରେ ତାଙ୍କର ସୁନାମ ରକ୍ଷା କରିବା ପାଇଁ (ଆମେ ବୋଧହୁଏ ଏବେ ଏହାକୁ ବିଶ୍ୱସନୀୟତା କହିବା), ସେ ସୀତାଙ୍କୁ ବନବାସରେ ପଠାନ୍ତି । ସେଠାରେ ସେ ଯମଜ ବାଳକ ଦୁଇଟିଙ୍କୁ ଜନ୍ମ ଦିଅନ୍ତି । ସେମାନେ ବାଲ୍ମିକୀଙ୍କର ଆଶ୍ରମରେ ବଡ଼ ହୁଅନ୍ତି ତଥା ରାମାୟଣ ଓ ଯୁଦ୍ଧ ବିଦ୍ୟା ଶିଖନ୍ତି । ରାମଙ୍କର ସେନାଙ୍କୁ ପରାଜିତ କରନ୍ତି । ତଥା ଏକ ମର୍ମଭେଦୀ ଦୃଶ୍ୟରେ ରାମଙ୍କ ଆଗରେ ରାମାୟଣର ଗାନ କରନ୍ତି । ଦୃଶ୍ୟଟି ହୃଦୟ ବିଦାରକ, କାରଣ ରାମ ଜାଣନ୍ତି ନାହିଁ ଯେ, ଯମଜ ଭ୍ରାତାଦ୍ୱୟ ତାଙ୍କର ନିଜର ହିଁ ପୁତ୍ର ।
ଏହି ଦୁଇଟି ଭିନ୍ନ ଭିନ୍ନ ଅନ୍ତ କାହାଣୀଟିକୁ ପୁରା ଅଲଗା ଅଲଗା ଢାଞ୍ଚା ଦିଏ । ପ୍ରଥମଟି ରାଜକୀୟ ବନବାସୀମାନଙ୍କର ଘର ବାହୁଡ଼ାକୁ ଉତ୍ସବମୁଖର ଭାବେ ଦେଖେ ତଥା ପୁନଃମିଳନ ରାଜାଭିଷେକ ତଥା ଶାନ୍ତିର ଦୃଶ୍ୟ ସହିତ କଥାଟିକୁ ଶେଷ କରେ । ଦ୍ୱିତୀୟଟିରେ ସେମାନଙ୍କର ସୁଖ ଅଳ୍ପ ସମୟ ପାଇଁ ଏବଂ ସେମାନେ ପୁଣିଥରେ ବିରହ ଯାତନା ଭୋଗ କରନ୍ତି । ଅତଏବ ଦ୍ୱିତୀୟଟିରେ ବିପ୍ରଲମ୍ଭ ହିଁ କଥାଟିର କେନ୍ଦ୍ରିୟ ରସ । ଏହାକୁ ଆମେ ଟ୍ରାଜିକ ବୋଲି ମଧ୍ୟ କହିପାରିବା । ଭୂମିରୁ ବାହାରିଥିବା ସୀତା ଆଉ ଦୁଃଖ ସହି ନ ପାରି ଶେଷକୁ ଭୂମିର ଫାଟରେ ହିଁ ସମାଧି ଗ୍ରହଣ କରନ୍ତି ।
ଏହି ଶିଆରରୁ ଜନକ ସୀତାଙ୍କୁ ପାଇବା ଓ ତାଙ୍କର ଭୂମିକୁ ଲେଉଟାଣିରେ ଆମେ ଏକ ପ୍ରସର୍-ପାଇନ୍ ସମ ମିଥ୍ ର ଛାୟାରେ ଏକ ଉଦ୍ଭିଦଚକ୍ର ଦେଖିବାକୁ ପାଇବା । ସୀତା ମଞ୍ଜି ପରି, ତଥା ରାମ ନିଜ ନବିନ ନିରଦ ତନୁ ସହ ବର୍ଷା ସମ । ଦକ୍ଷିଣ ଦିଗର ରାବଣ (ଦକ୍ଷିଣ ମୃତ୍ୟୁର ଦେଶ) ପ୍ଲୁଟୋ ସମ ଅନ୍ଧାରିଆ ମୁଲକର ଏକ ଅପହର୍ତ୍ତା । ସୀତା ନିଜର ବିଶୁଦ୍ଧତା ଓ ମହିମା ସହ ଅଳ୍ପ କିଛି ସମୟ ପାଇଁ ବାହାରି ପୁଣି ପୃଥିବୀକୁ ଲେଉଟିଯାଆନ୍ତି ।
ଯଦିଓ ଆମେ ଏହାକୁ ଏକ ଜଡ଼ବତ୍ ରୂପକ ଭାବେ ଦେଖିବା କଥା ନୁହେଁ । ତଥାପି ପ୍ରସର୍-ପାଇନ୍ ଗଳ୍ପର ଅନେକ ଛାୟା ଆମେ ଏଠାରେ ଦେଖିବା । ଉର୍ବରତା ତଥା ବର୍ଷାର ଅନେକ ଦୃଷ୍ଟାନ୍ତ, ରାମଙ୍କର ଶିବସମ ସଂସାରତ୍ୟାଗୀ ପୁରୁଷମାନଙ୍କ ପ୍ରତି ବିରୋଧ (ଯାହା କମ୍ବରଙ୍କର ଅହଲ୍ୟା ଗଳ୍ପରେ), ଗଙ୍ଗା ନଦୀକୁ ତାଙ୍କର ପିତୃପୁରୁଷମାନେ ନିଜ ରାଜ୍ୟକୁ ସଗରପୁତ୍ରମାନଙ୍କ ମୋକ୍ଷ ନିମନ୍ତେ ବୁହାଇ ଆଣିବା, ଇତ୍ୟାଦି ଉଦାହରଣ ଆମେ ଏଠାରେ ଦେଇପାରିବା ।
ଏଠାରେ ୠଷ୍ୟଶୃଙ୍ଗ ଋଷିଙ୍କର କାହାଣୀ ମଧ୍ୟ ପ୍ରାସଙ୍ଗିକ । ଗୋଟିଏ ବାଳୁତ, କାମଜ୍ଞାନରହିତ ଯୋଗୀଙ୍କୁ, ଜଣେ ନାରୀ ନିଜର ସୌନ୍ଦର୍ଯ୍ୟରେ ବଶିଭୂତ କରି ଲୋମପାଦଙ୍କର ରାଜ୍ୟକୁ ବର୍ଷା ଯୋଗାଇବା ପାଇଁ ଟାଣିଆଣନ୍ତି । ଋଷ୍ୟଶୃଙ୍ଗ ହିଁ ପରେ ଯଜ୍ଞ କରି ଦଶରଥଙ୍କର ରାଣୀମାନଙ୍କର ଗର୍ଭକୁ ସନ୍ତାନରେ ପୂର୍ଣ୍ଣ କରନ୍ତି । ଏହା ଛଡ଼ା ଆମେ ଏହି ମହାକାବ୍ୟରେ ନାନା ପଶୁପକ୍ଷୀଙ୍କର ଅବିଛିନ୍ନ ଉପସ୍ଥିତି ଦେଖିବାକୁ ପାଇବା । ରାମ ସୀତାଙ୍କୁ ଖୋଜିବା ବେଳେ ଅନେକ ରାମ ଭକ୍ତ ପଶୁ ଏବଂ ପକ୍ଷୀଙ୍କର ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ । ଜୈନ ରାମାୟଣମାନଙ୍କରେ ଏହି ପଶୁପକ୍ଷୀମାନଙ୍କର ଉପସ୍ଥିତି ଅଯଥା ହୋଇଥିବା ବେଳେ, ବାଲ୍ମିକୀ ରାମାୟଣରେ ସେମାନଙ୍କ ଉପସ୍ଥିତି ବାସ୍ତବ ତଥା କାବ୍ୟରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ଅନ୍ତ ଗଳ୍ପର ଭିନ୍ନ ଭିନ୍ନ ପ୍ରଭାବ ଦୃଷ୍ଟିର ସମ୍ମୁଖକୁ ଆଣେ ଏବଂ ଏହାର ପୂର୍ଣ୍ଣ କଥନ କାବ୍ୟିକ ଠାଣିକୁ ପରିବର୍ତ୍ତିତ କରେ ।
ଆମେ ଭିନ୍ନ ଭିନ୍ନ ରାମ କଥାର ଭିନ୍ନ ଭିନ୍ନ ଆରମ୍ଭକୁ ନେଇ ମଧ୍ୟ ଏହିପରି କିଛି କଥା କହିପାରିବା । ବାଲ୍ମିକୀ ତାଙ୍କର ରାମାୟଣକୁ ନିଜ ବିଷୟରେ ଏକ ଗଳ୍ପ ସହିତ ଆରମ୍ଭ କରନ୍ତି । ସେ ଜଣେ ବ୍ୟାଧକୁ ଗୋଟିଏ ଯୋଡ଼ି ପ୍ରେମପକ୍ଷୀ ମଧ୍ୟରୁ ଗୋଟିଏକୁ ନିଜର ତୀର ସହିତ ବଧ କରିବାର ଦେଖନ୍ତି । ମାଇ ପକ୍ଷୀଟି ନିଜର ମୃତ ସାଥି ଚାରିପଟେ ଘୁରିବୁଲେ ତଥା କ୍ରନ୍ଦନ କରେ । କବି ଏହି ଦୃଶ୍ୟ ଦ୍ୱାରା ଏପରି ଭାବରେ ପ୍ରଭାବିତ ହୁଅନ୍ତି ଯେ, ସେ ବ୍ୟାଧକୁ ଅଭିଶାପ ଦିଅନ୍ତି । ଗୋଟିଏ ମୁହୂର୍ତ୍ତ ପରେ ସେ ତାଙ୍କର ଅଭିଶାପର ବାକ୍ ରୂପ ଏକ ପଦ୍ୟର ରୂପ ନେଇଛି ବୋଲି ସଚେତନ ହୁଅନ୍ତି ।
ଅର୍ଥାତ୍, ତାଙ୍କର ଶୋକର ଛନ୍ଦ ଏକ ନୂଆ ଶ୍ଳୋକର ଛନ୍ଦକୁ ଜନ୍ମ ଦେଇଛି । ସେ ରାମଙ୍କର କାର୍ଯ୍ୟାବଳୀ ଉପରେ ପର୍ଯ୍ୟବେଶିତ ମହାକାବ୍ୟକୁ ଏହି ଛନ୍ଦରେ ଲେଖିବାର ନିଷ୍ପତ୍ତି ନିଅନ୍ତି । ପରକାଳର କାବ୍ୟ ବିଚାରରେ ଏହି ଘଟଣାଟି ସମସ୍ତ କାବ୍ୟିକ ଉଚ୍ଚାରଣ ନିମନ୍ତେ ଏକ ପ୍ରବାହର ରୂପ ନିଏ । ତାହା ହେଲା ଯେ, ଭାବରୁ ଏପରି ଏକ କଳାତ୍ମକ ରୂପ, ଅର୍ଥାତ ଛନ୍ଦ, ତିଆରି କରିବା ଯାହା ତାହାର ବ୍ୟାପ୍ତିକରଣରେ ସାହାଯ୍ୟ କରିବ । ବାଲ୍ମିକୀଙ୍କର କାବ୍ୟର ଆରମ୍ଭରେ ଏହି ଘଟଣାଟି ଏହାକୁ ଏକ ନାନ୍ଦନିକ ଆତ୍ମସଚେତନତା ପ୍ରଦାନ କରେ । ଘଟଣାଟିଏ ପ୍ରବାଦିକ ପାଠକୁ ଆମ୍ଭେ ଆହୁରି ଆଗକୁ ନେଇପାରିବା – ପକ୍ଷୀଟିର ମୃତ୍ୟୁ ତଥା ପ୍ରେମାସ୍ପଦଠାରୁ ବିଚ୍ଛେଦ, ଏହି ରାମକଥା ପାଇଁ ଏକ ଉପଚିହ୍ନ ଭାବରେ କାର୍ଯ୍ୟ କରେ ।
ଆମେ ବାଲ୍ମିକୀଙ୍କର ରାମକଥାରେ କେତେକ ଗୁରୁତ୍ୱ ମୁହୂର୍ତ୍ତମାନଙ୍କରେ ଗୋଟିଏ ପଶୁ ମରିବାର ଛନ୍ଦକୁ ଲକ୍ଷ୍ୟ କରିପାରିବା । ଉଦାହରଣ ସ୍ୱରୂପ, ଦଶରଥ ଗୋଟିଏ ହାତୀକୁ ବଧ କରୁଛନ୍ତି ଭାବି ନିଜର ଶବ୍ଦଭେଦି ଶର ପଠାନ୍ତି । ମାତ୍ର ଶବ୍ଦଟି ଏକ ହାତୀଟିର ନ ଥିଲା । ଶବ୍ଦ କରୁଥିଲା ମାଠିଆରେ ଜଳ ଭରି ଆସିଥିବା ଏକ ଯୁବକ ଯୋଗୀ । ମାଠିଆଟି ହାତୀ ପାଣି ପିଇବା ଭଳି ଶବ୍ଦ କରୁଥିଲା । ଏହାଫଳରେ ଦଶରଥଙ୍କୁ ଅଭିଶାପ ମିଳେ ଯେ, ତାଙ୍କର ପ୍ରିୟ ପୁତ୍ରଙ୍କୁ ବନବାସ ଭୋଗିବାକୁ ପଡ଼ିବ ଏବଂ ତାଙ୍କୁ ପୁତ୍ର ବିଚ୍ଛେଦର ବେଦନା ସହିବାକୁ ପଡ଼ିବ ।
ଯେତେବେଳେ ରାମ ସ୍ୱର୍ଣ୍ଣପ୍ରାୟ ମୃଗର ରୂପ ଧରିଥିବା ରାକ୍ଷସ ମରିଚକୁ ଗୋଡ଼ାଇ ବଧ କରନ୍ତି, ସେତେବେଳେ ନିଜର ଶେଷ ନିଶ୍ୱାସରେ ସେ ରାମଙ୍କର ସ୍ୱରରେ ‘ହା ଲକ୍ଷ୍ମଣ’ ବୋଲି ଚିତ୍କାର କରେ । ଏହା ଫଳରେ ଲକ୍ଷ୍ମଣଙ୍କୁ ସୀତାଙ୍କୁ ଅସୁରକ୍ଷିତ ଭାବରେ ଛାଡ଼ିଯିବାକୁ ହୁଏ ଓ ରାବଣଙ୍କୁ ସୀତାଙ୍କୁ ଅପହରଣ କରିବାକୁ ସୁଯୋଗ ମିଳେ । ରାବଣ ସୀତାଙ୍କୁ ହରିନେଉଥିବା ବେଳେ ପକ୍ଷୀ ଜଟାୟୁ ତାହାର ବିରୋଧ କରେ ଓ ରାବଣର ଖଣ୍ଡାରେ ପ୍ରାଣ ହରାଏ । କାବ୍ୟର ଆରମ୍ଭରେ ପକ୍ଷୀଟିର ମୃତ୍ୟୁ ଏବଂ ବଞ୍ଚି ଯାଇଥିବା ତା’ର ସାଥିର ଚିତ୍କାର, କାବ୍ୟରେ ଛାଇ ହୋଇଥିବା ଭାଇ ଭାଇ ଭିତରେ, ମାତା ପିତାଙ୍କକର ସନ୍ତାନ ସହିତ, ତଥା ସ୍ୱାମୀ ସ୍ତ୍ରୀ ମଧ୍ୟରେ, ବିଚ୍ଛେଦର ନାନା ଘଟଣାମାନଙ୍କ ମଧ୍ୟରେ ଏକ ଉପଯୁକ୍ତ ସ୍ୱରର ସର୍ଜନା କରେ ।
ଅତଏବ ପ୍ରତ୍ୟେକ ମୁଖ୍ୟ ରାମକଥାର ପ୍ରାରମ୍ଭିକ ବିଭାଗଟିମାନ ପୂରାକାବ୍ୟଟି ପାଇଁ ଏକ ସମତାଳିକ ସ୍ୱରରୂପ ସୃଷ୍ଟି କରେ ତଥା ବିଷୟବସ୍ତୁ ଓ ରୂପକଳ୍ପ ଆଦିର ଏକ ନିର୍ଦ୍ଧିଷ୍ଟ ଛନ୍ଦକଳ୍ପ ତିଆରି କରେ । କମ୍ବରଙ୍କର ତାମିଲ କାବ୍ୟ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଆରମ୍ଭ ହୁଏ । ଆମେ ଏଠାରେ କିଛି ପଦ ଉଲ୍ଲେଖ କରି ହିଁ ସେ ବିଷୟରେ ଏକ ଉଚିତ ଧାରଣା ଦେଇପାରିବା ।
ନଦୀ
ଜଳଦ ଏକ ପଶୁପତି / ସମ ସେ ସାଗରୁ ଉତ୍ପତି
ଗୌରାଙ୍ଗ ପିନ୍ଧିଣ ଧବଳ / ଆକାଶ କରଇ ସୁନ୍ଦର
ଯେସନେ ପ୍ରଭୁ ମହାଦେବ/ ହୋଇଣ ଆପଣେ ଉଦ୍ଭବ
ଧରନ୍ତି ଦକ୍ଷିଣ ପାଶ୍ୱର୍ରେ / ସୁନ୍ଦରୀ ଉମାଙ୍କୁ ଆତୁରେ [୨]
ମେଘ ସେ ସାଗରୁ ଆସିଲା / ଉତ୍ତର ଦିଗକୁ ବହିଲା
ଭେଟିଲା ଯାଇ ହିମାଳୟେ / ଉଷା ସେ ଦିଶଇ କଣଏ
ସମ ସେ ଭାବି ଗିରିମାଳ / ଛାଡ଼ିଲେ ବର୍ଷାର ଶୃଙ୍ଖଳ
ଯେମନ୍ତେ ଦାନବୀର ମାନ / ଦାନକୁ ସୁସଞ୍ଚ କରିଣ
ଅପାର ବସ୍ତୁମାନ ଦ୍ୟନ୍ତି / ସେମନ୍ତେ ମେଘ ବରଷନ୍ତି [୧୫]
ଜଳ ବହୁଳେ ବନ୍ୟା ହୋଇ / ନଦୀର କୂଳମାନ ଡେଇଁ
ମହତ ଦଣ୍ଡଧାରୀ ରାଜା / ଅଭ୍ରାନ୍ତେ ଯିଏ ପାଳେ ପ୍ରଜା
ରାଜଛତ୍ରର ଛାୟା ତଳେ / ଶାସନ କରେ ଧର୍ମ ବଳେ
ତା’ର ଅଶେଷ ଯଶ ସମ / ଜଳ ବ୍ୟାପନ୍ତି ଦେଶ ଗ୍ରାମ [୧୬]
ରକ୍ଷିତା ଯେପରି ଆତୁରେ/ ପ୍ରେମ କରନ୍ତି ଆଗଭରେ
ପ୍ରେମିକ କେବା କେଶପାଶ / ଅଙ୍ଗରେ କରନ୍ତି ସ୍ପରଶ
ଧନ ଅପାର ନେଇଯାନ୍ତି / ହସ୍ତରେ ଅଳପ ରଖନ୍ତି
ଧନର ଧାରା କମିଗଲେ / ପ୍ରେମିକେ ଛାଡ଼ିଯାନ୍ତି ଭଲେ
ସେପରି ବର୍ଷା ଧାରାମାନ / ପର୍ବତୁ ଆସିଣ ବହନ
ଉପତ୍ୟକାର ଗ୍ରାମ ଦେଶେ / ଅଳପ ଦିଅନ୍ତି ବିଶେଷେ [୧୭]
ଯେସନେ ବଣିକ ସନ୍ତତି / ବଣିଜ ଧରିଣ ଗମନ୍ତି
ସୁବର୍ଣ୍ଣ ମୟୁରର ପକ୍ଷ / ମୁକ୍ତା ସୁଗନ୍ଧଯୁକ୍ତ କାଷ୍ଠ
ହସ୍ତୀର ଦନ୍ତ ଧରିକରି / ହୁଅନ୍ତି ଯେ ସେ ଦେଶାଚାରି [୧୮]
ସେପରି ବନ୍ୟା ଆସେ ମାଡ଼ି / ନଦୀର ବନ୍ଧକୁ କରଡ଼ି
ବଙ୍କାଏ ଧନୁ ପରି ସେ ଯେ / ଜଳର ବଳର ସାହାଯ୍ୟେ
ବୃକ୍ଷରୁ ପଡ଼ି ପୁଷ୍ଠ ଗଣ / କରନ୍ତି ଜଳକୁ ରଙ୍ଗିଣ
ସୁବର୍ଣ୍ଣ ପୀତ ଯେ କେଶର / ଭାଷଇ ଜଳର ଉପର
ଯେସନେ ମଧୁ ଯାଏ ବହି / ହସ୍ତୀର କାମ ରଙ୍ଗ ପରି
ସମସ୍ତ ମିଶିଣ ଦିଶଇ/ ଇନ୍ଦ୍ରଧନୁ ଯେ ଉଭା ହୋଇ [୧୯]
ଗିରି ପର୍ବତ ତାଡ଼ି କରି/ ପ୍ରଳୟ ସମ ଜଳ ବହି
ଯେସନେ ମର୍କଟର କୁଳ / ସମ୍ମୁଖେ ଦେଖିଣ ସାଗର
ସେତୁ ସେ ଉଚ୍ଛନେ ଖୋଜନ୍ତି / ଜଳ ତେସନେ ପ୍ରବାହନ୍ତି [୨୦]
ମତ୍ତ ବଳିଷ୍ଠ ହସ୍ତୀଗଣ / ତୁରଙ୍ଗମାନଙ୍କ ଗହଣ
ଯୁଦ୍ଧର ନାଦେ ବାୟୁ ଭରି / ପତାକାମାନ ଉଚ୍ଚ କରି
ଯୁଦ୍ଧର ନିମନ୍ତେ ବାହାରି / ସମୁଦ୍ର ସଙ୍ଗେ ଆଣ୍ଟକରି
ଏମନ୍ତ ରୂପେ ବନ୍ୟାଜଳ / ଧାବନ୍ତି ସାଗରର କୂଳ [୨୨]
ଯେସନେ ସୂର୍ଯ୍ୟବଂଶେ ଜନ୍ମ / ଅଶେଷ ସୁଗୁଣ ରାଜନ
ତେମନ୍ତ ସମୁଦ୍ରର ପାଶେ / ନଦୀ ବିଭାଜନ୍ତେ ଅଶେଷେ
ମାତାର ଦୁଗ୍ଧ ପୁଷ୍ଟି ସମ / ପୋଷେ ସେ ସର୍ବ ଜନ ପ୍ରାଣ [୨୩]
ପାର୍ବତ୍ୟ ଦେଶେ ତସ୍କରଙ୍କ / ଗ୍ରାମର ଉପରେ ଆତଙ୍କ
ରମଣୀ ତୀର ଓ ତୁରିଣ / ଧରିଣ କରନ୍ତି ଗମନ
ରାଜାର ସେନା ପରି ଜଳ / ଗ୍ରାମଙ୍କୁ ଧ୍ୱଂସନ୍ତି ପ୍ରବଳ [୨୫]
କାଳୀୟ ଦଳନେ ଗୋପାଳ / ଗୋପୀଙ୍କ ସଙ୍ଗେ ହୋଇ ମେଳ
କରନ୍ତି ଆନ ଲୀଳାମାନ / ଚୋରାଇ ବସ୍ତ୍ର ଓ କଙ୍କଣ
ଦୁଗ୍ଧ ଓ ଚହ୍ଲା ସେ ଚୋରାନ୍ତି / ଶିକାରୁ ଘିଅ ସେ ଘେନନ୍ତି
ଲବଣି ଖାଇ ମତ୍ତ ହୋଇ / ମରୁତ ଉପରେ ଢଳାଇ
ଚପଳ ଯେପରି ହୁଅନ୍ତି / ଜଳ ସେପରି ପ୍ରସରନ୍ତି [୨୬]
ପଡ଼ିଆ କରନ୍ତି ଜଙ୍ଗଲ / ବାଲିଚରଟି ହୁଏ ବିଲ
କ୍ଷେତକୁ ଅରଣ୍ୟ କରନ୍ତି / ସୀମାକୁ ବଦଳାଇ ଦ୍ୟନ୍ତି
ଭୂମି-ରୂପକୁ ବଦଳାଇ / ପ୍ରମତ୍ତ ବାଇ ପ୍ରାୟ ହୋଇ
ଗରଜନ୍ତି ଯେ ଜଳମାନ / ଅତୀତ କର୍ମଫଳମାନ
ଯେସନେ ଜୀବକୁ ଗୋଡ଼ାଇ / ତେମନ୍ତ ଜଳଧାରା ହୋଇ [୨୮]
ହିମାଳୟରୁ ହୋଇ ଜାତ / ସମୁଦ୍ର ସହିତ ମିଶ୍ରିତ
ବିସ୍ତାର ଲଭନ୍ତି ତୁରିତ / ଏକରୁ ହୋଇ ସେ ଅନେକ
ଯେସନ ପୁରୁଷ ପ୍ରଥମ / ଯାହାର ନାମ ଗୁଣମାନ
ମାପିବା ପାଇଁ ଚେଷ୍ଟା କରି / ବେଦ ବି ନ ପାରନ୍ତି ସାରି [୩୦]
ପୁଷ୍ପିତ ତୋଟାମାନଙ୍କରେ / ଚମ୍ପକ ବୃକ୍ଷର ବନରେ
ପଙ୍କଜ ହ୍ରଦମାନ ଦେଇ / ନବ ବାଲୁକା ସ୍ଥାନ ଭେଇ
ଲତା ବେଷ୍ଟିତ ପୁଷ୍ପ କୁଞ୍ଜେ / ଜୀବନେ ଯେସନେକ ଖଞ୍ଜେ
ପଶିଣ ନାନାଦି ଶରୀର / ପୁଣି ସେ ହୁଅଇ ବାହାର
ସେପରି ନଦୀ ଯାଏ ବହି / ତାହାର ରୂପ କେହୁ କହି [୩୧]
ଏହି ଖଣ୍ଡଟି କମ୍ବର ରାମାୟଣରେ ଆମେ ନିଆରା ଭାବରେ ପାଇବା । ବାଲ୍ମିକୀ ରାମାୟଣରେ ଏହା ନାହିଁ । ଏହା ସମୁଦ୍ରର ଜଳକଣାମାନ ଏକତ୍ରିତ ହୋଇ ମେଘମାନଙ୍କର ନିର୍ମାଣ ଏବଂ ବର୍ଷାପାତ ଜନିତ ବନ୍ୟା ଭାବରେ ରାମଙ୍କ ରାଜ୍ୟର ରାଜଧାନୀ ଅଯୋଧ୍ୟା ଆଡ଼କୁ ସରଯୁ ନଦୀର ବନ୍ୟାର ପ୍ଲାବନର ବର୍ଣ୍ଣନା କରେ । ଏହା ଦ୍ୱାରା କମ୍ବର ନିଜର ସମସ୍ତ ବିଷୟବସ୍ତୁ ଓ ଚରିତ୍ରମାନଙ୍କର ପରିଚୟ ଆମକୁ ଦିଅନ୍ତି । ଉର୍ବରତା ବିଷୟରେ ତାଙ୍କର ଚିନ୍ତା, ରାମଙ୍କର ବଂଶ ତଥା ପିତୃପୁରୁଷଙ୍କର ପରିଚୟ, ତଥା ରାମାୟଣରେ ଭକ୍ତିକୁ ନେଇ ତାଙ୍କ ଦୃଷ୍ଟି, ଏସବୁ ବିଷୟରେ ଆମେ ଜାଣିବାକୁ ପାଉ ।
ଏଠାରେ ଉପମା ତଥା ସଙ୍କେତ ଆଦି ଦ୍ୱାରା ଗଳ୍ପର ଭିନ୍ନଭିନ୍ନ ଅଙ୍ଗ ତଥା ରାମାୟଣର ବିଶ୍ୱର ଏକକ, ଯେପରି ବାନର ଆଦିଙ୍କର ପରିଚୟ ମଧ୍ୟ ଆମକୁ ଦିଏ । ଶାସ୍ତ୍ରୀୟ ତାମିଳ କବିତାର ପାଞ୍ଚଟିଯାକ ଭୂମିକଳ୍ପର ଉଦାହରଣ ମଧ୍ୟ ଆମେ ଏଠାରେ ଦେଖିବାକୁ ପାଇବା । ଜୀବନ ଓ ଉର୍ବରତାର ଉତ୍ସ ଜଳ ଉପରେ ଗୁରୁତ୍ୱ ହିଁ ତାମିଳ ସାହିତ୍ୟିକ ପରମ୍ପରାର ଏକ ସୁସ୍ପଷ୍ଟ ଅଂଶ ଅଟେ । ‘କୁରାଳ’ (ଯାହାକୁ ତାମିଳମାନଙ୍କର ବାଇବେଲ ବୋଲି କୁହାଯାଏ) ଏକ ଶିକ୍ଷାଦାୟକ ଗ୍ରନ୍ଥ ଅଟେ । ଏହା ଉତ୍ତମ ଜୀବନର ଲକ୍ଷ୍ୟ ତଥା ସେହି ଲକ୍ଷ୍ୟରେ ପହଞ୍ଚିବାର ପଥର ଚର୍ଚ୍ଚା କରେ । ଏହା ଈଶ୍ୱରଙ୍କ ଉପରେ ଏକ ଶ୍ଳୋକ ସହିତ ଆରମ୍ଭ ହୁଏ । ଠିକ୍ ଏହାର ପରେପରେ ହିଁ ଏଥିରେ ବର୍ଷା ପ୍ରତି ଏକ ଉତ୍ସବମୂଳକ ଗୀତ ଆମେ ଦେଖିବାକୁ ପାଇବା (ତିରୁକୁରାଳ ୨) ।
ବିଭିନ୍ନ ରାମାୟଣରେ ଗୋଟିଏ ବଡ଼ ପ୍ରଭେଦ ହେଲା, ଭିନ୍ନ ଭିନ୍ନ ଚରିତ୍ରଙ୍କ ଉପରେ ଗୁରୁତ୍ୱ ପ୍ରଦାନ । ବାଲ୍ମିକୀ ରାମ ଏବଂ ତାଙ୍କ ଇତିହାସ ଉପରେ ତାଙ୍କ ରାମାୟଣର ପ୍ରାରମ୍ଭିକ ବିଭାଗମାନଙ୍କରେ ଗୁରୁତ୍ୱ ଦିଅନ୍ତି । ବିମଳସୁରିଙ୍କର ଜୈନ ରାମାୟଣ ତଥା ଥାୟୀ ରାମକୀର୍ତ୍ତି ରାମଙ୍କ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ । ବରଞ୍ଚ, ସେମାନେ ରାବଣର ବଂଶାବଳୀ ତଥା କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦିଅନ୍ତି । କନ୍ନଡ଼ ଗ୍ରାମ୍ୟକଥାଟି ସୀତା, ତାଙ୍କର ଜନ୍ମ, ତାଙ୍କର ବିବାହ ତଥା ତାଙ୍କର ଦୁଃଖ ଉପରେ ଗୁରୁତ୍ୱ ଦିଏ ।
ପର ସମୟର କେତେକ ଗ୍ରନ୍ଥ ଯଥା ‘ଅଦ୍ଭୁତ ରାମାୟଣ’ ତଥା ‘ଶତକଣ୍ଠରାବଣ’ (ଏକ ତାମିଳ ଗଳ୍ପ) ଆଦିରେ, ସୀତା ନିଜେ ଜଣେ ବୀରାଙ୍ଗନା । ଦଶଶିର ରାବଣର ବଧ ପରେ ସହସ୍ରଶିର ବିଶିଷ୍ଟ ଆଉ ଏକ ରାବଣ ଜନ୍ମ ହୁଏ । ଏହି ରାବଣର ଉପଦ୍ରବକୁ ରାମ ସମ୍ଭାଳି ପାରନ୍ତି ନାହିଁ । ଶେଷକୁ ସୀତା ହିଁ ଯୁଦ୍ଧ କରି ଏହି ନୂଆ ରାକ୍ଷସର ବଧ କରନ୍ତି (ଶୁଲ୍ମାନ୍ ୧୯୭୯) ।
ସାନ୍ତାଳ ଜନଜାତି ନିଜର ବହୁଳ ମୌଖିକ ପରମ୍ପରା ପାଇଁ ଜଣାଶୁଣା । ସେମାନଙ୍କର କେତେକ ରାମକଥା ବାଲ୍ମିକୀ ଏବଂ କମ୍ବର ପଢ଼ିଥିବା କେତେକ ହିନ୍ଦୁମାନଙ୍କ ପାଇଁ ବିରକ୍ତି ତଥା ଘୃଣାର କାରଣ ହୋଇପାରେ । ସେମାନଙ୍କର କେତେକ ରାମକଥାରେ ସୀତା ଅବିଶ୍ୱସ୍ତ ତଥା ଉଭୟ ରାବଣ ଏବଂ ଲକ୍ଷ୍ମଣଙ୍କ ଦ୍ୱାରା ସେ ନିଜର ସତୀତ୍ତ୍ୱ ହରାନ୍ତି । ଆମେ ଆଗରୁ ଦେଖିଛେ ଯେ, କେତେକ ଦକ୍ଷିଣପୂର୍ବ ଏସୀୟ ଗ୍ରନ୍ଥରେ ହନୁମାନ ଏକ ମାଙ୍କଡ଼ମୁହାଁ ବ୍ରହ୍ମଚାରି ଭକ୍ତ ନୁହନ୍ତି । ବରଂ, ସେ ଅନେକ ପ୍ରେମଗଳ୍ପର ଏକ କାମିନୀରଙ୍କା ନାୟକ । କମ୍ବର ଏବଂ ତୁଳସୀଦାସଙ୍କର ରାମକଥାରେ ରାମ ଜଣେ ଦେବତା ।
ମାତ୍ର ଜୈନଗ୍ରନ୍ଥମାନଙ୍କରେ ସେ କେବଳ ଜଣେ ସୁବିହିତ ଜୈନମାନବ ମାତ୍ର, ଯେ କି ଶେଷ ଜନ୍ମ ନେଇଥିବା ରାବଣଙ୍କୁ ବଧ ମଧ୍ୟ କରିପାରିବେ ନାହିଁ । ଏହି ଗ୍ରନ୍ଥମାନଙ୍କରେ ରାମ ଜଣେ ଆର୍ଯ୍ୟାବତାର ଓ ରାବଣ ନିଜର କର୍ମବଳ ଦ୍ୱାରା ବାଧ୍ୟ ହୋଇ ସୀତାଙ୍କ ନିମନ୍ତେ ହୃଦୟ ହାରି ଶେଷକୁ ମୃତ୍ୟୁବରଣ କରନ୍ତି । ଅନ୍ୟ ଅନେକ ଗ୍ରନ୍ଥରେ ରାବଣ ମୂଳତଃ ଏକ ରାକ୍ଷସ ମାତ୍ର । ଏଣୁ ପ୍ରତ୍ୟେକଟି ମୁଖ୍ୟ ଚରିତ୍ରମାନଙ୍କ କଳ୍ପନାରେ ଭିନ୍ନ ଭିନ୍ନ ରାମକଥାମାନଙ୍କ ମଧ୍ୟରେ କେତେକ ମୌଳିକ ପ୍ରଭେଦଟିମାନ ରହିଛି ।
ଚରିତ୍ରମାନଙ୍କୁ ନେଇ ଏହି ପରିକଳ୍ପନାଗୁଡ଼ିକ ପରସ୍ପରଠାରୁ ଏପରି ଭାବରେ ଭିନ୍ନ ଯେ, ଚରିତ୍ର ବିଷୟରେ ଗୋଟିଏ ଧାରଣା ଥିବା ଏକ ଗୋଷ୍ଠୀ, ଅନ୍ୟ ଏକ ଗୋଷ୍ଠୀ ନିମନ୍ତେ ଘୃଣାର ପାତ୍ର ହୋଇପାରେ । ଆମେ ଏହି ପ୍ରଭେଦ ଗୁଡ଼ିକରେ ଆହୁରି ଅନେକ ଯୋଡ଼ିପାରିବା – ଯଥା ସୀତାଙ୍କର ବନବାସର କାରଣ, ତାଙ୍କର ଦ୍ୱିତୀୟ ପୁତ୍ରର ଅଲୌକିକ ଜନ୍ମ ତଥା ରାମ ଏବଂ ସୀତାଙ୍କର ସର୍ବଶେଷ ପୁର୍ନମିଳନର ପଛରେ ଥିବା କାରଣ ବିଷୟରେ, ଭିନ୍ନ ଭିନ୍ନ ଗ୍ରନ୍ଥ ଆମକୁ ଭିନ୍ନ ଭିନ୍ନ ଉପାଖ୍ୟାନଟିମାନ ଦିଅନ୍ତି । ଏହି କାରଣ ଏବଂ ଉପାଖ୍ୟାନମାନଙ୍କୁ ଆମେ ଏକାଧିକ ଗ୍ରନ୍ଥ, ଗ୍ରାନ୍ଥିକ ଜନଗୋଷ୍ଠୀ (ହିନ୍ଦୁ, ଜୈନ, ବୌଦ୍ଧ) ଏବଂ ଅଞ୍ଚଳରେ ପାଇବା ।
ବର୍ତ୍ତମାନ ଆମେ ଏହି ପ୍ରଶ୍ନ ପଚାରିପାରିବା ଯେ, କେବଳ କେତେକ ସମ୍ପର୍କ (ଯଥା ରାମ, ତାଙ୍କର ଭାଇ, ତାଙ୍କର ସ୍ତ୍ରୀ ତଥା ତାଙ୍କର ପ୍ରତିଦ୍ୱନ୍ଦୀ ରାବଣ ଯେ ସୀତାଙ୍କୁ ଅପହରଣ କରନ୍ତି) କୁ ଛାଡ଼ିଦେଲେ ରାମକଥା ମାନଙ୍କର ଏକ ସାଧାରଣ ମଞ୍ଜ ଅଛି କି, ବା ଦାର୍ଶନିକ ଉଇଟଗେନଷ୍ଟାଇନ କହିଲା ଭଳି, ଏହି ଗଳ୍ପଗୁଡ଼ିକ ପରସ୍ପର ସହିତ ଏକ ପାରିବାରିକ ସାଦୃଶ୍ୟ ସାହାଯ୍ୟରେ ଛନ୍ଦି ହୋଇଛନ୍ତି କି ? ବା ବ୍ୟାପାରଟି ଆରିଷ୍ଟଟଲଙ୍କର ଛୁରି ପରି କି ?
ଆରିଷ୍ଟଟଲ ନିଜେ ଜାଣିଥିବା ଏକ ବୃଦ୍ଧ ବଢ଼େଇକୁ ପଚାରିଲେ ଯେ, ତାଙ୍କ ପାଖରେ ଥିବା ଛୁରିଟି କେତେ ପୁରୁଣା । ବଢ଼େଇ ଜଣକ କହିଲେ, ‘ଓ, ଏଇଟା ତ ମୋ ପାଖରେ ତିରିଶ ବର୍ଷ ହେଲା ରହିଲାଣି । ମୁଁ ଏହାର ପାତକୁ କିଛି ଥର ବଦଳାଇଛି, ତଥା ବେଣ୍ଟକୁ ଆଉ କେତେ ଥର । ମାତ୍ର ଛୁରିଟି ସେଇ ଏକା ଛୁରି ।’ ଏହି ସମସ୍ତ କଥାକୁ ନେଇ ଗୋଟିଏ ସମ୍ପର୍କିତ ଢାଞ୍ଚାର ଛାୟା ଏହା ଦାବୀ କରେ ଯେ, ଏ ସବୁଗୁଡ଼ିକ ରାମାୟଣ । ମାତ୍ର ଟିକିଏ ନିରିଖେଇକରି ଦେଖିଲେ ଜଣାପଡ଼େ ଯେ, ଗୋଟିଏ କଥା ଅନ୍ୟଟି ଭଳି ନୁହେଁ । ଏକା ନାଁ ଥିବା ଅନେକ ଲୋକଙ୍କର ଗୋଟିଏ ଗୋଷ୍ଠୀ ଭଳି, ସେମାନେ ବୋଧେ ନାମକୁ ମାତ୍ର ଏକ ଶ୍ରେଣୀ ।
ଅନୁବାଦ – ଶୈଲେନ ରାଉତରାୟ
Comments are closed.