Latest Odisha News

ଲକ୍‌ଡାଉନ ଡାଏରୀ : ଘର, ଘରଣି ଓ ଘରକାମରେ ବ୍ୟସ୍ତ ବ୍ୟଙ୍ଗ କବି ଜ୍ଞାନ ହୋତା

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ସମସ୍ତେ ଏବେ ଘରେ । ନା ଅଛି ଅଫିସ ଯିବାର ଟେନ୍‌ସନ୍ ନା ଘରୁ ବାହାରକୁ ବାହାରିବାର ମଉକା । ସକାଳୁ ରାତି ଯାଏଁ ଘରେ ବିତୁଛି । ତେବେ ବର୍ତ୍ତମାନ ପରିସ୍ଥିତିରେ କେମିତି କଟୁଛି ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କ ଲକ୍‌ଡାଉନ୍ ବେଳା ଆଜି ଜାଣିବା ଲକ୍ ଡାଉନ ଡାଏରୀରେ ।

ଆଗରୁ ଅଫିସ ଛଡା ବ୍ୟଙ୍ଗ କବି ଆସର ଓ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି, ନ ହେଲେ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ଖଟିରେ ସମୟ କାଟୁଥିବା ବ୍ୟଙ୍ଗ ଶିରୋମଣୀ ଜ୍ଞାନ ହୋତା ଏବେ ଘର ଭିତରେ ଲକ୍ । ୨୪ ଘଣ୍ଟା ଘରେ ରହୁଥିବାରୁ ସଭିଙ୍କୁ ହସାଉଥିବା ବ୍ୟଙ୍ଗ କବି ନିଜେ ଅନୁଭବ କରିସାରିଲେଣି ଘରେ କେତେ ସାରା କାମ ରହିଛି । ଏହାକୁ ଦେଖି ପତ୍ନୀଙ୍କୁ ଘର କାମରେ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି ।

ବିଶେଷ କରି ସେ ରୋଷେଇ ଓ ଅନ୍ୟାନ୍ୟ ଘର କାମରେ ପତ୍ନୀଙ୍କୁ ସାହାଯ୍ୟ କରୁଥିବା କହିଛନ୍ତି ଜ୍ଞାନ । ଆଗରୁ ମାନଚିତ୍ର ଆକାରର ରୁଟି ତିଆରି କରଥିୁବା ବେଳେ ଏ ଲକ୍‌ଡାଉନ ପିରିୟଡ ଭିତରେ ସେ ଗୋଲ୍ ଗୋଲ୍ ରୁଟି ବେଲିବା ଶିଖିଗଲେଣି ।

ଏଥି ସହ ନିମ୍ବ କଢ ବାଛି ଦେବା, ରସୁଣ ଛଡାଇବା, ଶାଗ ବାଛିବା, ପରିବା ଧୋଇଦେବା, ଗଛରେ ପାଣି ଦେବା, ଲୁଗାପଟା ଇସ୍ତ୍ରୀ କରିବା ଇତ୍ୟାଦି ମଧ୍ୟ ସେ କରୁଛନ୍ତି । ତେବେ ଜ୍ଞାନ ହୋତାଙ୍କ ଭାଷାରେ ‘ଲକ୍‌ଡାଉନ୍ ଯୋଗୁଁ ଲସ୍ ତ ଅନେକ ହେଇଛି କିନ୍ତୁ ଲାଭ ବି ହେଉଛି ।’

ପତି ପତ୍ନୀ ଉଭୟ ଉଭୟଙ୍କୁ ସହଯୋଗ କଲେ ସବୁ ବଢିଆ ହେବ ବୋଲି କହୁଥିବା ଜ୍ଞାନ ହୋତା ଏବେ ଲୁଗାପଟା କାଚି ଦେଲେ ପତ୍ନୀ ଶୁଖାଇ ଦେଉଛନ୍ତି । ପତ୍ନୀ ଚା କରିଦେଲେ ସେ କପ୍ ପ୍ଲେଟ ଧୋଇଦେଉଛନ୍ତି । ତେଣୁ ଏବେ ସେମାନେ ବାସ୍ତବରେ ମେଡ୍ ଫର୍ ଇଚ୍ ଅଦର ବା ଜଣେ ଅନ୍ୟଜଣଙ୍କ ପାଇଁ ହୋଇଯାଇଥିବା କୁହନ୍ତି ଜ୍ଞାନ ।

ତେବେ ସବୁ କଥାରେ ବ୍ୟଙ୍ଗର ଛୁଙ୍କ ଦେଉଥିବା ଜ୍ଞାନଙ୍କ ଏହି ମେଡ୍ ଫର୍ ଇଚ୍ ଅଦର୍ ରେ ମଧ୍ୟ ରହିଛି ବ୍ୟଙ୍ଗର ତଡ୍‌କା । ତାଙ୍କ କହିବା ଅନୁଯାୟୀ ଆଗରୁ ଇଂରାଜୀରେ ‘made for each other’ ପତି ପତ୍ନୀ ଏବେ ଲକ୍‌ଡାଉନ୍‌ରେ ଟିକିଏ ବଦଳି ‘maid for each other’ ହେଇଯାଇଛନ୍ତି । ଅର୍ଥାତ୍ ଏବେ ଲକ୍‌ଡାଉନ୍ ରେ ଘରକାମ କରୁଥିବା କାମବାଲୀ ଆସୁନଥିବାରୁ ଦୁହେଁ ଦୁହିଁଙ୍କ ପାଇଁ କର୍ମଯୋଗୀ ବା ସହଯୋଗୀ ହୋଇଯାଇଛନ୍ତି ।

ତେବେ ଏସବୁ ଭିତରେ ମଧ୍ୟ ସଭିଙ୍କ ପ୍ରିୟ ଜ୍ଞାନ ଭାଇ ନିଜ ଲୁକ୍ସ କୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରଖିଥିବା ବେଳେ ସମସ୍ତଙ୍କୁ ହସାଇବା ମଧ୍ୟ ଜାରି ରଖିଛନ୍ତି । ସୋସିଆଲ୍ ମିଡିଆରେ ନିତିଦିନିଆ ଘଟଣାବଳୀକୁ ନେଇ ତାଙ୍କ ଛୋଟ ଛୋଟ ଭିଡିଓ ଓ ଦୁଇ ଚାରି ଧାଡିର ବ୍ୟଙ୍ଗ ବାଣୀ ଲକ୍‌ଡାଉନ୍ ସମୟରେ ଚିନ୍ତାରେ ରହିଥିବା ଲୋକଙ୍କୁ କିଛି ମୂହୂର୍ତ୍ତର ହସଖୁସି ଭେଟିଦେଉଛି ।

Leave A Reply

Your email address will not be published.