ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ୍ଡାଉନର ଆଜି ଶେଷ ଦିନ । କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ଲକ୍ ଡାଉନ ଅବଧିକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି । ତେବେ ଏହି ଲକ୍ ଡାଉନରେ ଲୋକେ ଘରେ ରହି ବୋର ହେବା ଅପେକ୍ଷା କଣ କଲେ ନିଜକୁ ଅଧିକ ଖୁସି ମିଳି ପାରିବ ତାର ବାଟ କାଢିଛନ୍ତି । କିଏ ଗୀତ ବୋଲି ଖୁସି ହେଉଛି ତ କିଏ ନୃତ୍ୟ କରି ଆଉ କିଏ ବିଭିନ୍ନ ପ୍ରକାର ପେଣ୍ଟିଂ କରୁଛନ୍ତି । ତେବେ ଏହି ଲକଡାଉନରେ କିଏ କଣ ସ୍ୱତନ୍ତ୍ର କରୁଛନ୍ତି ତାହା ଜାଣିବା ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକଡାଉନ ଡାଏରୀରେ ।
ଲକଡାଉନ ଡାଏରୀରେ ଜାଣିବା ଓଡିଶୀ ନୃତ୍ୟଶିଳ୍ପୀ ସୋନାଲିକାଙ୍କର କେମିତି କଟୁଛି ସମୟ । ସେ କହନ୍ତି, ‘ଏହି ଲକଡାଉନ ସମୟରେ ମୁଁ ଓ ମୋ ଝିଅ ଶ୍ରୀନିକା ଅଧିକରୁ ଅଧିକ ସମୟ ଓଡିଶୀ ନୃତ୍ୟଭ୍ୟାସ କରୁଛୁ । ’
ଶ୍ରୀନିକାଙ୍କୁ ଓଡିଶାର ବିସ୍ମୟ ବାଳିକାର ଆଖ୍ୟା ମିଳିଛି । ବର୍ତ୍ତମାନ ଘରେ ରହୁଥିବା ବେଳେ ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରୁଛନ୍ତି । ସେ ଅଙ୍ଗଶୁଦ୍ଧି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।
ବର୍ତ୍ତମାନ ବେଙ୍ଗାଳୁରୁରେ ଅଛନ୍ତି ସୋନାଲିକା ଓ ତାଙ୍କ ଝିଅ । ତେବେ ଲକ୍ ଡାଉନର ପ୍ରଥମ ସପ୍ତାହରେ ଫ୍ଲାଟ ଭିତରେ ସେମାନେ ବେଶୀ ନୃତ୍ୟ ଅଭ୍ୟାସ କରିପାରୁ ନ ଥିବାରୁ ବିରକ୍ତ ହୋଇଯାଇଥଲେ ।
ପରେ ଆପାର୍ଟମେଣ୍ଟର ମ୍ୟାନେଜରଙ୍କଠାରୁ ହାଉସିଂ କମ୍ପେ୍ଲକ୍ସ ପାର୍କରେ ବ୍ୟାୟାମ ପାଇଁ ଅନୁମତି ଆଣିଲେ । ତେଣୁ ଭୋରରୁ ପାର୍କକୁ ଯାଇ ସାମାଜିକ ଦୂରତ୍ୱ ବଜାୟ ରଖି କିଛି ବ୍ୟାୟମ ସହ ନୃତ୍ୟାଭ୍ୟାସ ମଧ୍ୟ କରିଥାନ୍ତି ।
ସୋନାଲିକାଙ୍କର ବେଙ୍ଗାଳୁରୁରେ ଏକାଗ୍ର ଏକାଡେମୀ ନାମରେ ଏକ ଓଡିଶୀ ନୃତ୍ୟ ସ୍କୁଲ ରହିଛି । ଏବେ ଲକ୍ଡାଉନ ଚାଲିଥିବାରୁ ଛାତ୍ରୀମାନଙ୍କ ପାଇଁ ସୋନାଲିକା ଅନଲାଇନ କ୍ଲାସର ବ୍ୟବସ୍ଥା କରିଛନ୍ତି । ଏ ନେଇ ସେ କହିଛନ୍ତି, ‘ପିଲାମାନଙ୍କୁ ନିୟମିତ ବ୍ୟବଧାନରେ ନୃତ୍ୟାଭ୍ୟାସ ନ କରାଇଲେ ସେମାନେ ଷ୍ଟେପ୍ସ ଭୁଲିଯିବେ । ଓଡିଶୀ ଏପରି ଏକ କଳା ଯାହାର ନିୟମିତ ଅଭ୍ୟାସ ଦରକାର । ’
୧୦ ବର୍ଷର ଶ୍ରୀନିକା ମାଆଙ୍କୁ ଘର କାମରେ ମଧ୍ୟ ସାହାଯ୍ୟ କରନ୍ତି । କାମ ଜଲଦି ସରିଗଲେ ମାଆଙ୍କ ସହ ମିଶି ସେ ଡ୍ରଇଁ କରିଥାନ୍ତି ।
ଲକଡାଉନ ସମୟରେ ବାହାରର କିଛି କାମ ରହୁ ନ ଥିବା ସୋନାଲିକା ଶ୍ରୀନିକାଙ୍କୁ ଓଡିଆ ପଢାଇପାରୁଛନ୍ତି । ଝିଅବି ଓଡିଆ ବହି ପଢିପାରିଲାଣି ବୋଲି ସେ କହିଛନ୍ତି ।
ଶ୍ରୀନିକାଙ୍କର ପାଞ୍ଚବର୍ଷର ଭାଇ ମଧ୍ୟ ଅଛି । ସମୟ ପାଇଲେ ଭାଇ ଭଉଣୀ ଖେଳିବା ସହ ସାଙ୍ଗ ହୋଇ ପାଠ ମଧ୍ୟ ପଢୁଛନ୍ତି ।
ଏତଦବ୍ୟତୀତ ସୋନାଲିକା ନିଜର ଡ୍ୟାନ୍ସ ଭିଡିଓ ୟୁଟ୍ୟୁବରେ ମଧ୍ୟ ଅପଲୋଡ କରୁଛନ୍ତି । ଏ ଦିଗରେ ତାଙ୍କ ସ୍ୱାମୀ ତାଙ୍କୁ ସାହାଯ୍ୟ କରିଥିବା ସେ କହିଛନ୍ତି । ମୋଟାମୋଟି ଭାବେ ସେ ଓ ତାଙ୍କ ପରିବାର ଏବେ ଲକଡାଉନକୁ ଉପଭୋଗ କରୁଥିବା କହିଛନ୍ତି ।
Comments are closed.