Latest Odisha News

BREAKING NEWS

ଭୁବନେଶ୍ୱର ଲୋକସଭା ଆସନ: ଅପରାଜିତାଙ୍କୁ ଟକ୍କର ଦେବେ ଶ୍ରୀମୟୀ !

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଭୁବନେଶ୍ୱର ଦେଖିପାରେ ଜୋରଦାର ଲଢେଇ। ବିଜେଡ଼ିରୁ ଶ୍ରୀମୟୀ ମିଶ୍ର ଓ ବିଜେପିର ଅପରାଜିତା ଷଡଙ୍ଗୀଙ୍କ ନାଁ ସାଂସଦ ପ୍ରାର୍ଥୀ ପାଇଁ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ମଧ୍ୟ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ବିଜେଡ଼ିର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ର ଓ ବିଜେପିର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗଙ୍କୁ ନେଇ ରାଜଧାନୀ ଭୁବନେଶ୍ୱରରେ ରାଜନୀତି ବେଶ ଉଷ୍ମ ହୋଇ ପଡ଼ିଛି। ରାଜଧାନୀ ଭୁବନେଶ୍ୱରରୁ ରାଜ୍ୟ ରାଜନୀତିର ଦିଗ ହିଁ ଚୂଡାନ୍ତ ହୁଏ। ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ଯୋଜନା, ପରିକଳ୍ପନା ଆଉ ରୂପରେଖ ରାଜଧାନୀ ଭୁବନେଶ୍ୱରରୁ ହିଁ ହୋଇଥାଏ। କାରଣ ତିନୋଟି ପ୍ରମୁଖ ଦଳର ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ହିଁ ରହିଛି। ତେବେ ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ରାଜଧାନୀର ଗଳିକନ୍ଦିରେ ଏବେ ରାଜନୀତିର ଚର୍ଚ୍ଚା ଜୋର ଧରିଲାଣି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ନେଇ ଦଳ ଆଶା ବାନ୍ଧିଛି। ପୋଲିସ ପ୍ରଶାସକ ରୁ ରାଜନେତା ପାଲଟିଥିବା ଅରୁପ ପଟ୍ଟନାୟକଙ୍କ ବଦଳରେ ଏଥର ଶ୍ରୀମୟୀଙ୍କୁ ନିର୍ବାଚନ ରଣାଙ୍ଗନକୁ ପ୍ରାର୍ଥୀ କରି ଛାଡ଼ିବ ବୋଲି କଳ୍ପନା ଜଳ୍ପନା ଜୋର ଧରିଛି। ଶାଣିତ ବକ୍ତବ୍ୟ ବଳରେ ଚର୍ଚ୍ଚାରେ ରହୁଥିବା ଶ୍ରୀମୟୀ ମଧ୍ୟ ଏବେଠାରୁ ମଞ୍ଚା ବାନ୍ଧିବା ଆରମ୍ଭ କରିଦେଇଛନ୍ତି। ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ସଭାସମିତିରେ ଏକ ପ୍ରକାର ପ୍ରଚାର ଆରମ୍ଭ କରିଦେଇଥିବା ଦେଖିବାକୁ ମିଳୁଛି।

ଅରୁପ ପଟ୍ଟନାୟକ ଗତ ୨୦୧୯ ନିର୍ବାଚନରେ ମୋଟ ୪୬୩୧୫୨ ଖଣ୍ଡ ଭୋଟ ପାଇଥିଲେ। ନିର୍ବାଚନରେ ଅରୁପଙ୍କୁ ପ୍ରାର୍ଥୀ କରି ବିଜେଡ଼ି ୨୦୧୪ ତୁଳନାରେ ୩ ପ୍ରତିଶତ ଭୋଟ ହରାଇଥିଲା। ବିଜେପିରୁ ପ୍ରାର୍ଥୀ ହୋଇଥିବା ଅପରାଜିତାଙ୍କ ଆଗରେ ଅରୁପ ଲୋକଙ୍କ ବିଶ୍ୱାସ ଜିତି ପାରିବାରେ ବିଫଳ ହୋଇଥିଲେ। ଫଳରେ ଆଗାମୀ ନିର୍ବାଚନରେ ଅରୁପଙ୍କ ବଦଳରେ ଶ୍ରୀମୟୀଙ୍କ ଉପରେ ଦଳ ଭରଷା କରିପାରେ। ଶ୍ରୀମୟୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳ ମଧ୍ୟରେ ବେଶ ଚର୍ଚ୍ଚା ଜୋର ଧରିଛି।

ସେପଟେ ବିଜେପି ଟାର୍ଗେଟରେ ରହିଛି ଓଡ଼ିଶା। ବର୍ତ୍ତମାନ ବିଜେପିର ଆଠଟି ଲୋକସଭା ଆସନ ଓଡ଼ିଶାରେ ରହିଛି। ଉପକୂଳ ଓଡ଼ିଶାରୁ ସେଥିରୁ ଦୁଇଟି ଆସନରେ ବିଜେପି ଗତ ନିର୍ବାଚନରେ ବାଜିମାତ କରିଥିଲା। ଏହି ଆସନ ହେଉଛି ରାଜଧାନୀ ଭୁବନେଶ୍ୱର ଏବଂ ବାଲେଶ୍ୱର। ଭୁବନେଶ୍ୱର ଆସନଟିକୁ ନିଜ କବଜରେ ରଖିବା ପାଇଁ ବିଜେପି ଏବେଠାରୁ ରଣନୀତି ପ୍ରସ୍ତୁତ ଆରମ୍ଭ କରିଦେଲାଣି। ଅପରାଜିତାଙ୍କ ଉପରେ ଭରସା କରିପାରେ ବୋଲି କୁହାଯାଉଛି। ଗତ ନିର୍ବାଚନ ପରଠାରୁ ଅପରାଜିତା ତୃଣମୂଳ ସ୍ତରରେ କାର୍ଯ୍ୟ କରିଆସୁଛନ୍ତି। ଭୁବନେଶ୍ୱର ଲୋକସଭା ଆସନର ଉନ୍ନୟନ କରିବା ସହିତ ଲୋକଙ୍କ ସହିତ ସିଧାସଳଖ ଯୋଡ଼ି ହେବାରେ ସଫଳ ହୋଇଛନ୍ତି ଅପରାଜିତା। ତୃଣମୂଳ ସ୍ତରରେ ନିଜର ସଂଗଠନକୁ ମଜବୁତ କରିବା ସହିତ ନିଜର ଭୋଟବ୍ୟାଙ୍କକୁ ବଢାଇଥିବା ନେଇ ସ୍ଥାନୀୟ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ମଧ୍ୟରେ ଚର୍ଚ୍ଚା ଜୋର ହେଉଛି। ଗତ ନିର୍ବାଚନରେ ଅପରାଜିତା ସର୍ବାଧିକ ୪,୮୬,୯୯୧ ଖଣ୍ଡ ଭୋଟ ହାତେଇ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ିର ସାଂସଦ ପ୍ରାର୍ଥୀ ଅରୁପ ପଟନାୟକଙ୍କୁ ହରାଇ ଦେଇଥିଲେ। ସେପଟେ ଅପରାଜିତା ଭୁବନେଶ୍ୱର ଲୋକଙ୍କ ଆସ୍ଥା ଜିତିବାରେ ସଫଳ ହୋଇଥିଲେ। ଅପରାଜିତାଙ୍କୁ ପ୍ରାର୍ଥୀ କରି ୨୦୧୪ ତୁଳନାରେ ୨୦.୪୫ ପ୍ରତିଶତ ଭୋଟ ଅଧିକ ପାଇବାରେ ସମର୍ଥ ହୋଇଥିଲା ବିଜେପି। ୨୦୧୪ ମସିହାରେ ବିଜେଡିର ପ୍ରଶନ୍ନ ପାଟଶାଣୀ ୧,୮୯,୪୭୭ ଖଣ୍ଡ ଭୋଟରେ ବିଜେପିର ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପରାସ୍ତ କରିଥିଲେ। ଏହି ନିର୍ବାଚନରେ ବିଜେଡ଼ି ପ୍ରଶନ୍ନଙ୍କୁ ପ୍ରାର୍ଥୀ କରି ୪,୩୯,୨୫୨ ଖଣ୍ଡ ଭୋଟ ହାତେଇ ପାରିଥିଲା। ଅନ୍ୟ ପକ୍ଷରେ ବିଜେପିର ପୃଥ୍ୱୀରାଜ ହରିଚନ୍ଦନଙ୍କ ଖାତାରେ ମାତ୍ର ୨,୪୯,୭୭୫ ଖଣ୍ଡ ଭୋଟ ପଡ଼ିଥିଲା।

ଆଗାମୀ ନିର୍ବାଚନରେ କିନ୍ତୁ କଂଗ୍ରେସର ରଣନୀତିରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯୋଜନା କରୁଥିବା ଜଣାପଡିଛି। ଗତ ୨୦୧୯ ନିର୍ବାଚନରେ ବାମପନ୍ଥିଙ୍କୁ ଆସନ ଛାଡ଼ିଥିଲା କଂଗ୍ରେସ। କିନ୍ତୁ ଆଗାମୀ ନିର୍ବାଚନରେ ଏହି ଆସନକୁ ନିଜ କବଜାରେ ରଖିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଗତଥର ସିପିଆଇ ନେତା ଜନାର୍ଦ୍ଦନ ପତିଙ୍କୁ ପ୍ରାର୍ଥୀ କରି ଅମାନତ ହରାଇବା ଭଳି ସ୍ଥିତିର ସାମ୍ନା କରିଥିଲା କଂଗ୍ରେସ ନେତୃତ୍ୱାଧିନ ମେଣ୍ଟ। ଗତ ନିର୍ବାଚନରେ ଜନାର୍ଦ୍ଦନ ମାତ୍ର ୨୩୦୨୬ ଖଣ୍ଡ ଭୋଟ ହାତେଇବାରେ ସକ୍ଷମ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ନ ଦେବା ଅପରାଜିତାଙ୍କୁ ଫାଇଦା ହୋଇଥିଲା ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦିଅନ୍ତି। ଏଥର ଏହି ଗୁରୁତର ଭୁଲକୁ ସୁଧାରି ନିଜେ ପ୍ରାର୍ଥୀ ଦେବାକୁ ଯୋଜନା ଚଳାଇଛି କଂଗ୍ରେସ। ସେପଟେ ବିଜେପିର ଲୋକସଭା ଆସନ ହ୍ରାସ କରିବା ପାଇଁ କଂଗ୍ରେସ ପ୍ରାଥମିକତା ଦେଉଥିବା ଦଳୀୟ କ୍ୟାମ୍ପରେ ଜୋରଦାର ଆଲୋଚନା ହେଉଛି। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭାରୁ କଂଗ୍ରେସ ଶକ୍ତିଶାଳୀ ପ୍ରାର୍ଥୀତ୍ୱ ଜାହିର କରିବାକୁ ଚାହୁଁଛି। ଶ୍ରୀମୟୀ ଓ ଅପରାଜିତାଙ୍କୁ ନେଇ ଉଭୟ ଦଳର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ କଂଗ୍ରେସ ମଧ୍ୟ ଭାଗ୍ୟ ପରୀକ୍ଷା କରିବା ପାଇଁ ବରିଷ୍ଠ ନେତାଙ୍କ ତାଲିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି। ସେପଟେ ମାର୍ଚ୍ଚ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ନେଇ ଚର୍ଚ୍ଚା ହେଉଛି। ଭୁବନେଶ୍ୱର ଲୋକସଭା ଆସନ ଅଧିନରେ ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ବିଧାନସଭା ଆସନ ରହିଛି। କେବଳ ଜଟଣୀକୁ ଛାଡ଼ିଦେଲେ ଅନ୍ୟ ୬ଟିରେ ବିଜେଡ଼ି ନିଜ ଅଧିନରେ ରହିଛି। ଜଟଣୀରେ କଂଗ୍ରେସର ସୁରେଶ ରାଉତରାୟ ବିଜୟ ହାସଲ କରିଥିଲେ। କୁହାଯାଏ ସୁର ନିଜ ଲୋକପ୍ରିୟତା ବଳରେ ବିଜୟ ହାସଲ କରିଆସିଥିଲେ।

Leave A Reply

Your email address will not be published.