Latest Odisha News

BREAKING NEWS

ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ନୀତି, ଅଣସର ଘରେ ମହାପ୍ରଭୁଙ୍କ ଚାଲିଛି ଉପଚାର

ପୁରୀ: ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଶ୍ରୀଜିଉ। ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ। ଏଥିପାଇଁ ଚାଲିଛି ଗୋପନ ନୀତି।

ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦା ବସ୍ତ୍ର ଶ୍ରୀଅଙ୍ଗରୁ ଫିଟିବା ପରେ କିଛିଟା ଆରାମ ଅନୁଭବ କରିଛନ୍ତି ମହାପ୍ରଭୁ। ତଥାପି ଛାଡୁନାହିଁ ଜ୍ୱର। ଏଥିପାଇଁ ମହାପ୍ରଭୁଙ୍କୁ ଛପନ ଭୋଗ ଖୁଆଇବା ବଦଳରେ ପଥି ଖାଇବାକୁ ଦିଆଯାଉଛି। ନାନଦି ଫଳମୂଳ ସହ କ୍ଷୀର, ସର, ଛେନା ଆଦିରେ ପ୍ରସ୍ତୁତ ଚକଟା ଭୋଗ ଲାଗି ହେଉଛି। ଅଣସର ଘରେ ବିଶ୍ରାମରେ ଥିବା ମହାପ୍ରଭୁଙ୍କ ଶରୀର ସୁସ୍ଥ ହେବାରେ ଯେପରି କୌଣସି ବିଘ୍ନ ନଘଟେ ସେନେଇ ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ବାଜିବା ନିଷେଧ କରାଯାଇଛି।

ସେହିପରି ଘନ ଅନ୍ଧକାରରେ ଏକମାତ୍ର ଦୀପର ଆଲୋକରେ ଦଇତାପତି ସେବକମାନେ ଏହି ଗୋପନ ନୀତି ସଂପନ୍ନ କରୁଛନ୍ତି। ଅଣସର ପାଇଁ ମହାପ୍ରଭୁ ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ବେଳେ ଦଇତାପତି ସେବକମାନେ ବି ଶକ୍ଳ ବସ୍ତ୍ର ପରିଧାନ କରିଛନ୍ତି। ଠାକୁରଙ୍କ ନିକଟରେ ଲାଗି ହେଉଛି ଧଳାଫୁଲ। ଅଣସର ସମୟରେ ଗର୍ଭଗୃହରେ ପଟିଦିଅଁ ପାଉଛନ୍ତି ପୂଜା। ଅସୁସ୍ଥତା ଲାଗି ମହାପ୍ରଭୁଙ୍କ ପ୍ରିୟ ତୁଳସୀ ଲାଗି ହୋଇନାହିଁ। ବରିଷ୍ଠ ଦଇତାପତି କହିଛନ୍ତି, ଠାକୁରଙ୍କର ଗୋପନ ନୀତି ଚାଲିଛି। ଅନବସରର ପଞ୍ଚମ ତିଥିରେ ମହାପ୍ରଭୁଙ୍କଠାରେ ଲାଗି ହେବ ଫୁଲୁରି ତେଲ। ଅଣସର ପଣା ବି ଠାକୁରଙ୍କୁ ଲାଗି ହେବ।

Comments are closed.