Latest Odisha News

ଅନୁବାଦ କବିତା : ଚନ୍ଦ୍ରାହତ

ମୂଳ ବଙ୍ଗଳା: ଜୟ ଗୋସ୍ୱାମୀ

ଚନ୍ଦ୍ର ଦେହରେ ଉଲକା ମାଡ଼ର ଗାତ
ଚନ୍ଦ୍ର ଉପରେ ବହୁବର୍ଷର
ଉଲକା ଗୁଣ୍ଡର ଧୂଳି
ଶରୀରରେ ହଜାର ମାଇଲର
କଟା ଦାଗ ଏବଂ ତା ମସ୍ତିସ୍କରେ
ଶୁଖି ବାଲି ହୋଇଯାଇଥିବା ସମୁଦ୍ର।

ଛାତ ଉପରେ ଚନ୍ଦ୍ରାହତ ମଣିଷ
ତାର ନାକ, କାନ, ମୁହଁ ଦେଇ
କ୍ରମାଗତ ବହି ପଡୁଛି
ଧୂଳି ଝର ଝର।

ଏଇ ବାଲି ମଝିରେ ଦିନେ ଆସି
ଶୋଇଥିଲା ଏକ ନାରୀ
କହୁଣୀରେ ଭରା ଦେଇ
ଦେହରୁ ଜ୍ୟୋସ୍ନାର ଲୁଗାପଟା
ଖୋଲି ଖୋଲି ବାଲିରେ
ଦେଉଥିଲା ପକାଇ,
ସେଇଦିନ ବାଲି ଉପରେ
ପ୍ରଚଣ୍ଡ ଗର୍ଜନ କରି
ସମୁଦ୍ରରେ ଉଠିଥିଲା ଜୁଆର
ଜଳସ୍ତମ୍ବ ଛିଡା ହୋଇ ପଡ଼ିଥିଲା
ହଜାର ଫୁଟର।

ସେଇ ନାରୀ, ସମୁଦ୍ର ସହିତ
ଯାଇଛି ଉଭେଇ
ପାଣି ଓ ପବନର ଫୁତ୍କାର
ତାକୁ ନେଇଛି ଉଡ଼ାଇ।

ଆଜିକାଲି ମଝିରେ ମଝିରେ
ସେଇ ଲୋକଟିର ନାକ ମୁହଁ ଦେଇ
ଝରି ପଡୁଥିବା ବାଲି ସହିତ
ବାହାରି ଆସି ମାଟିରେ ପଡେ
ଏକ ଚାହାଁଣୀ, ଲାଗେ ଖୁବ୍ ଆତୁର
କେବେ ଅବା ଏକ ଚୁମା
ପୁଣି କେବେ ହାତର ଏକ ଭଙ୍ଗିମା
କେବେ ପୁଣି ଚିପା ଓଠରୁ ହସର ଲହର।

କଦାଚିତ ପୁଣି ଏକ ପୀଡିତ ଜଘନ
ଖସି ପଡେ ମାଟି ପରେ
ଅବା ସିଧା ସଳଖ ଯାଇ
ମାଟିରେ ଥିବା କବିତାର ବିଛଣାରେ
ନିଜକୁ ଦିଏ ଲେଉଟାଇ।

କବିତା ଦେହରେ ଉଲକା ମାଡ଼ର କ୍ଷତ
କବିତା ଭିତରେ ଧୂଳି ହୋଇ ଯାଇଥିବା
ସବୁ ନାରୀ ଗୋଟିଏ ଗୋଟିଏ ଉଲକା।

ଅନୁବାଦ: ମନୋରଞ୍ଜନ ହୋତା

Leave A Reply

Your email address will not be published.