Latest Odisha News

BREAKING NEWS

Weather Update: ଆଜି ଅବପାତର ରୂପ ନେଇପାରେ ଲଘୁଚାପ: ୪୮ ଘଣ୍ଟା ଭିତରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା!

ଭୁବନେଶ୍ୱର: ମଲାକ୍କା ଷ୍ଟ୍ରେଟ୍‌ ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ରବିବାର ଏକ ସୁଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ସୋମବାର ଅର୍ଥାତ୍ ଆଜି ଏହା ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।

ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ ଆକଳନ ଚାଲିଥିବାବେଳେ ଏଥିଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ କହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଆହୁରି ଆଗକୁ ବଢ଼ିବା ସହ ପରବର୍ତ୍ତୀ ୪୮ ଘଣ୍ଟା ଅର୍ଥାତ୍ ୨୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।

ବାତ୍ୟା ସୃଷ୍ଟି ହେବା ନେଇ ଆଇଏମଡିର ଆକଳନ ଆସି ସାରିଛି । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ସେନ୍ୟାର । ଏହାର ଗତିପଥ ନେଇ ଏପର୍ଯ୍ୟନ୍ତ ସଠିକ ଆକଳନ ହୋଇନି । ତେବେ ଆନ୍ଧ୍ର ପ୍ରଦେଶରୁ ମ୍ୟାମାର ପର୍ଯ୍ୟନ୍ତ ଏହାର ପ୍ରଭାବ ରହିପାରେ। ଅର୍ଥାତ ଆନ୍ଧ୍ରରୁ ଆରମ୍ଭ ହୋଇ ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଓ ମ୍ୟାମାରରେ କେଉଁ ଆଡ଼େ ମଧ୍ୟ ଗତି କରିପାରେ ସମ୍ଭାବ୍ୟ ବାତ୍ୟା ।

୨୫ ତାରିଖ ସନ୍ଧ୍ୟା ଠାରୁ ସମୁଦ୍ର ଭିତରେ ବାତ୍ୟାର ପ୍ରକୋପ ବଢ଼ିବ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୭୦ କିଲୋମିଟର ରହିବ । ୨୬ ତାରିଖ ସକାଳୁ ପବନର ଘଣ୍ଟାପ୍ରତି ବେଗ ୬୦ରୁ ୭୦ କିଲୋମିଟର ଏବଂ ସ୍ଥଳବିଶେଷରେ ସର୍ବାଧିକ ୮୦ କିଲୋମିଟର ରହିପାରେ । ବାତ୍ୟାରେ ପରିଣତ ହେଲା ପରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୦୦ କିମି ରହିବ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।

Comments are closed.