ରାୟଗଡ଼ା: ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ୨୦୨୧ ମସିହାର ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବଳରାମ ଯୋଗୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏହି ରାୟ ଶୁଣାଇଛନ୍ତି। ୨୦ ବର୍ଷ ଜେଲ୍ ଦଣ୍ଡ ସହିତ ଅଭିଯୁକ୍ତ ଉପରେ ବିଭିନ୍ନ ଦଫାରେ ମୋଟ ୧୨,୦୦୦ ଟଙ୍କା (ଆଇପିସି ଧାରା ୪୫୨ ଅଧୀନରେ ୧୦,୦୦୦ ଟଙ୍କା ଏବଂ ଧାରା ୩୨୩ ଅଧୀନରେ ୨,୦୦୦ ଟଙ୍କା) ଜରିମାନା ଲଗାଯାଇଛି ।
ପୋକ୍ସୋ ଆଇନର ଧାରା ୩୩(୮) ଅନୁଯାୟୀ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ୨୦୨୧ ମସିହା ଅଗଷ୍ଟ ୧୦ ତାରିଖରେ ରାୟଗଡ଼ା ଥାନାରେ ଏ ନେଇ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିବା ପରେ କୋର୍ଟ ପୀଡ଼ିତା ଓ ଅଭିଯୋଗକାରୀଙ୍କ ସମେତ ମୋଟ ୧୬ ଜଣ ସାକ୍ଷୀଙ୍କ ବୟାନ ଏବଂ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
