Latest Odisha News

BREAKING NEWS

ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍‌କୁ ମିଳିଲା ଅନୁମୋଦନ: ଲୋକସଭା, ବିଧାନସଭାରେ ୫୦% ସିଟ୍ ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲକୁ ମଞ୍ଜୁରୀ ମିଳିଥିବା ବେଳେ ମହିଳା ସଂରକ୍ଷଣ ସମ୍ପର୍କିତ ସଂଶୋଧନକୁ ମଧ୍ୟ ଅନୁମୋଦନ ମିଳିଛି। ଲୋକସଭା ଓ ବିଧାନସଭାରେ ବଢିବ ୫୦ ପ୍ରତିଶତ ସିଟ୍। ଆସନ ବୃଦ୍ଧିକୁ ୨୫ ବର୍ଷ ପର୍ଯ୍ୟନ୍ତ ସ୍ଥିର ରଖାଯିବା ନେଇ ମିଳିଛି ଅନୁମୋଦନ। କେନ୍ଦ୍ର କ୍ୟାବିନେଟଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ସଦ୍ୟତମ ସୀମା ପୁନଃନିର୍ଦ୍ଧାରଣ (Delimitation) ପ୍ରସ୍ତାବ ଅନୁଯାୟୀ, ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୨୧ରୁ ବୃଦ୍ଧି ପାଇ ୩୧ କିମ୍ବା ୩୨ ହୋଇପାରେ। ଅର୍ଥାତ୍ ଓଡ଼ିଶାକୁ ୧୦ରୁ ୧୧ଟି ଅତିରିକ୍ତ ସାଂସଦ ଆସନ ମିଳିବାର ସମ୍ଭାବନା ରହିଛି।

ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ଲୋକସଭା ଆସନ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ରାଜ୍ୟଗୁଡ଼ିକ (ବିଶେଷକରି ଦକ୍ଷିଣ ଭାରତୀୟ ରାଜ୍ୟ ଓ ଓଡ଼ିଶା) ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି, ସେଥିପାଇଁ ୨୦୫୧ ମସିହା ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକର ବର୍ତ୍ତମାନର ଆନୁପାତିକ ପ୍ରତିନିଧିତ୍ୱ (Proportional share) ବଜାୟ ରଖିବାକୁ ଏହି ପ୍ରସ୍ତାବରେ ବ୍ୟବସ୍ଥା କରାଯାଇଛି। ଏହି ସମ୍ବିଧାନ ସଂଶୋଧନ ପ୍ରସ୍ତାବ ମାଧ୍ୟମରେ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରିପୋର୍ଟ ଅନୁଯାୟୀ, ଆସନ୍ତା ନଭେମ୍ବର ୩୦ ତାରିଖରୁ ଲୋକସଭାର ଏବଂ ଡିସେମ୍ବର ୨ ତାରିଖରୁ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ସଂଶୋଧିତ ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ହୋଇ ଆଲୋଚନା ହେବାର ସମ୍ଭାବନା ରହିଛି। ବିଲ୍‌ର ସମ୍ପୂର୍ଣ୍ଣ ବିବରଣୀ ଆସିବା ପରେ ବିଜୁ ଜନତା ଦଳ (BJD) ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି କହିଛି। ଦଳର ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର ଓ ମାନସ ମଙ୍ଗରାଜ କହିଛନ୍ତି ଯେ ସଂସଦରେ ଓଡ଼ିଶାର ବର୍ତ୍ତମାନର ଆନୁପାତିକ ପ୍ରତିନିଧିତ୍ୱ ଏବଂ ରାଜ୍ୟର ସ୍ୱାର୍ଥ ଯେପରି କୌଣସି ମତେ କ୍ଷୁଣ୍ଣ ନ ହୁଏ, ତାହା ଦଳର ମୁଖ୍ୟ ପ୍ରାଥମିକତା ରହିବ।

Leave A Reply

Your email address will not be published.