‘ଗୋଟିଏ ସମ୍ପ୍ରଦାୟକୁ ପ୍ରାଥମିକତା’: ବିଚାରପତିଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ସିଜେଆଇ ଗଭାଇ, ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନ ବିଚାରପତି (CJI) ଜଷ୍ଟିସ୍ ବି.ଆର୍. ଗଭାଇ (B.R. Gavai) ନଭେମ୍ବର ୨୭, ୨୦୨୬ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ପତ୍ର ଲେଖି ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତି ନିଯୁକ୍ତି ଓ ବଦଳି ପ୍ରକ୍ରିୟାରେ ‘ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ପ୍ରାଥମିକତା’ ଦିଆଯାଉଥିବା ଅଭିଯୋଗ କରିଛନ୍ତି। ୩ ପୃଷ୍ଠା ବିଶିଷ୍ଟ ଏହି ପତ୍ରରେ ସେ ସୁପ୍ରିମକୋର୍ଟ କଲେଜିୟମର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି।
କୌଣସି ସମ୍ପ୍ରଦାୟର ନାମ ନନେଇ ଜଷ୍ଟିସ୍ ଗଭାଇ ଉଲ୍ଲେଖ କରିଛନ୍ତି ଯେ, ଦେଶର ମୋଟ ଜନସଂଖ୍ୟାର ୫ ପ୍ରତିଶତରୁ କମ୍ ଭାଗ ଥିବା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କୁ ନିକଟ ଅତୀତରେ ସୁପ୍ରିମକୋର୍ଟରେ ୪୦ ପ୍ରତିଶତରୁ ଅଧିକ ପ୍ରତିନିଧିତ୍ୱ ମିଳିଛି। ଏହାଦ୍ୱାରା ଅନ୍ୟ ସାଧାରଣ ବର୍ଗର ଯୋଗ୍ୟ ପ୍ରାର୍ଥୀମାନେ ମଧ୍ୟ ଉପେକ୍ଷିତ ହେଉଥିବା ସେ କହିଛନ୍ତି।
ମାର୍ଚ୍ଚ ୨୦୨୫ରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟସଭାରେ ଦିଆଯାଇଥିବା ତଥ୍ୟକୁ ଆଧାର କରି ସେ ଦର୍ଶାଇଛନ୍ତି ଯେ, ୨୦୧୮ ପରଠାରୁ ନିଯୁକ୍ତ ହୋଇଥିବା ୭୧୫ ଜଣ ହାଇକୋର୍ଟ ବିଚାରପତିଙ୍କ ମଧ୍ୟରୁ କେବଳ ୨୨ ଜଣ ଅନୁସୂଚିତ ଜାତି (SC), ୧୬ ଜଣ ଅନୁସୂଚିତ ଜନଜାତି (ST), ୮୯ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ଏବଂ ୩୭ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଟନ୍ତି। ଜାନୁଆରୀ ୨୦୨୧ରୁ ଜାନୁଆରୀ ୨୦୨୬ ମଧ୍ୟରେ ହୋଇଥିବା ନିଯୁକ୍ତିରେ ପ୍ରାୟ ୮୦ ପ୍ରତିଶତ ବିଚାରପତି କେବଳ ଉଚ୍ଚ ବା ସାଧାରଣ ବର୍ଗରୁ ଆସିଥିବା ବେଳେ, ଜନସଂଖ୍ୟାର ୪୦-୫୦ ପ୍ରତିଶତ ଥିବା OBC ବର୍ଗଙ୍କୁ ୧୪ ପ୍ରତିଶତରୁ କମ୍ ପ୍ରତିନିଧିତ୍ୱ ମିଳିଛି।
ସେ ଅଭିଯୋଗ କରିଛନ୍ତି ଯେ, ଜଣେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପୂର୍ବରୁ ଛୋଟ ହାଇକୋର୍ଟକୁ ବଦଳି କରାଯାଇଥିବା ବେଳେ, କେବଳ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ପୁରସ୍କାର ସ୍ୱରୂପ ଏକ ପ୍ରମୁଖ ହାଇକୋର୍ଟକୁ ବଦଳି କରାଯାଇଛି। ଅନ୍ୟପଟେ, ତାଙ୍କ ପାଇଁ ବାଟ ଛାଡ଼ିବାକୁ ଯାଇ ଜଣେ ଦକ୍ଷ ଓ ପରିଶ୍ରମୀ ମୁଖ୍ୟ ବିଚାରପତିଙ୍କୁ ଏକ ଛୋଟ ହାଇକୋର୍ଟକୁ ପଠାଇ ଦିଆଯାଇଛି। ସମ୍ବିଧାନର ଧାରା ୧୨୪(୨) ଅନୁଯାୟୀ ବିଚାରପତି ନିଯୁକ୍ତି କ୍ଷମତା ରାଷ୍ଟ୍ରପତିଙ୍କ ନିକଟରେ ନ୍ୟସ୍ତ ଥିବାରୁ, ନ୍ୟାୟପାଳିକାରେ ବିବିଧତା, ସାମାଜିକ ନ୍ୟାୟ ଏବଂ ଯୋଗ୍ୟତା ବଜାୟ ରଖିବା ପାଇଁ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜଷ୍ଟିସ୍ ବି.ଆର୍. ଗଭାଇ ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରି ନଭେମ୍ବର ୨୦୨୫ରେ ଅବସର ଗ୍ରହଣ କରିଥିଲେ।
