Latest Odisha News

ମା’ ବିମଳାଙ୍କ ମହାଷ୍ଟମୀ ପୂଜା

ପୁରୀ : ଶ୍ରୀକ୍ଷେତ୍ରରେ ଅଧିଷ୍ଟାତ୍ରୀ ଦେବୀ ମା’  ବିମଳାଙ୍କ ଆଜି ପବିତ୍ର ମହାଷ୍ଟମୀ । ଷୋଡଶ ଉପଚାର ସହ ହେଉଛି ମା’ ଙ୍କ ଗୁପ୍ତ ପୂଜାନୀତି । ଆଜି  ବିମଳାଙ୍କ ନିକଟରେ ଛାଗ ବଳି ପଡ଼ିବାର ପରମ୍ପରା ମଧ୍ୟ ରହିଛି । ଅନ୍ୟପଟେ ଆଜି ଶ୍ରୀକ୍ଷେତ୍ରରେ ଅଷ୍ଟଶକ୍ତିପୀଠ ସହିତ ସମସ୍ତ ଗୋଷାଣିଙ୍କ ମହାଅଷ୍ଟମୀ ପାଳିତ ହେଉଥିବା ବେଳେ ପୂଜା ମଣ୍ଡପ ଗୁଡିକରେ ସପ୍ତମୀ ନୀତି ପାଳିତ ହେଉଛି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ କୋଭିଡ୍ କଟକଣାରେ ମା’ ପୂଜା ପାଉଛନ୍ତି ।

ମା ବିମଳାଙ୍କ ପୂଜାର୍ଚ୍ଚନା ଭକ୍ତିପୁତ ପରିବେଶ ମଧ୍ୟରେ ମହା ନିଡାମ୍ବର ସହକାରେ ପାଳିତ ହେଉଛିା ଅନ୍ୟପଟେ ମା ବିମଳାଙ୍କ ଚଳନ୍ତି ପ୍ରତିମା ମା କାକୁଡିଖାଇଙ୍କ ଆଜି ସନ୍ଧିପୂଜା ସହ କାକୁଡି ବଳି ଦିଆଯିବ। ଆଜ୍ଞାମାଳ ଆସିବା ପରେ ମା ଙ୍କ ନିକଟରେ ତିନିଦିନ ଧରି ମାଛ ଭୋଗ ହେବ । ଛାଗ ବଳି ପଡ଼ିବାର ପରମ୍ପରା ମଧ୍ୟ ରହିଛି ।

 

ସେପଟେ ଅଷ୍ଟଶକ୍ତି ମଧ୍ୟରୁ ଅନ୍ୟତମ ମା ବାଙ୍କୀମୁହାଁଣ ରାମଚଣ୍ଡୀଙ୍କ ଆଜି ମହିଷାମର୍ଦ୍ଧିନୀ ବେଶ କରାଯାଇଛି । ରାତିରେ ମାଙ୍କ ପୋଡା ମାଛ ବଳି ଦିଆଯିବ। ତେବେ ମାଙ୍କ ଦର୍ଶନ କରି ଭକ୍ତ ଶ୍ରଦ୍ଧାଳୁ ଭାବବିହ୍ୱଳ ହୋଇପଡିଥିବା ବେଳେ ସଂସାରର ମଙ୍ଗଳ କାମନା ସହ ନିଜ ପରିବାରର ମଙ୍ଗଳ କାମନା ଓ ସାରା ବିଶ୍ୱରୁ କରୋନା ମହାମାରୀ ଖୁବଶୀଘ୍ର ଦୂର ହେବା ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସେପଟେ ପୂଜାମଣ୍ଡପ ଗୁଡିକରେ ମଧ୍ୟ ମାଙ୍କ ମୃଣ୍ମୟୀ ମୂର୍ତ୍ତି ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ପୂଜା ପାଉଛନ୍ତି। ସମସ୍ତ ପୂଜାମଣ୍ଡପ ଗୁଡିକରେ ଚାରିଫୁଟ ମୂର୍ତ୍ତି ପୂଜା ପାଉଥିବା ବେଳେ ଭକ୍ତଙ୍କ ଭିଡ କମ୍ ପରିଲକ୍ଷିତ ହୋଇଛି। ଶାରଦୀୟ ଦୁର୍ଗାପୂଜା ଅବସରରେ ପୁରୀର ବିଭିନ୍ନ ପୂଜାମଣ୍ଡପ ଗୁଡିକରେ କୋଭିଡ୍ ଗାଇଡଲାଇନ୍ କୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଉଥିବା ବେଳେ ପୂଜାମଣ୍ଡପରେ ପୂଜା ପାଉଛନ୍ତି ମା ଦୁର୍ଗା।

 

Comments are closed.