Latest Odisha News

BREAKING NEWS

ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ମହାବାହୁ

ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଯାଇଛି । ରଥଯାତ୍ରା ନୀତି ଗୁଡ଼ିକ ସୁପରିଚାଳିତ ଭାବେ ଅନୁଷ୍ଠିତ ହୋଇପାରିଥିବାରୁ ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ଜାରି ରହିଛି । ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି।

ପ୍ରଭୁ ସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଛନ୍ତି। ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲା ଶ୍ରୀଜିଉ। ବଡ଼ଦାଣ୍ଡରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି।

ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ପହଣ୍ଡି ଅପରାହ୍ନ ଅଢ଼େଇଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି।ଅପରାହ୍ନ ୪ଟାରେ ଛେରାପହଁରା ଓ ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି।ଘଣ୍ଟଘଣ୍ଟାରେ କମ୍ପୁଛି ସିଂହଦ୍ୱାର, ବଡଦାଣ୍ଡ । ଲୋକାରଣ୍ୟ ବଡଦାଣ୍ଡ । ବଡଠାକୁର ଆସିବା ଶୁଣି କୃତାର୍ଥ ହୋଇଛନ୍ତି, ଭକ୍ତ, ବଡଦାଣ୍ଡ, ରଥ, ପଥ ସବୁକିଛି । ଏବେ ନୀତିକାନ୍ତି ଓ ଛେରାପହଁରା ନୀତି ପାଇଁ ଅପେକ୍ଷା କରିଛନ୍ତି ଭକ୍ତ।

Comments are closed.