Latest Odisha News

BREAKING NEWS

ଝାରସୁଗୁଡା ଶୁଖାସୋଡ଼ାରେ ଉଚ୍ଛୁଳା ପାଣି ବଦଳରେ ବାଲି, ମରିଯିବ କି ମହାନଦୀ ?

ଭୁବନେଶ୍ୱର: ଖରା ଦିନରେ ଓଡିଶା ପଟରେ ମହାନଦୀ ଶୁଖିଲା ପଡିଛି । ଅଣ ମୌସୁମୀ ସମୟରେ ମହାନଦୀରେ ଯେଉଁ ଜଳ ପ୍ରବାହ ରହିବା କଥା, ତାହା ନ ରହିବା ଚିନ୍ତାଜନକ ବିଷୟ । ଝାରସୁଗୁଡା ଜିଲ୍ଲା ଶୁଖାସୋଡ଼ାରେ ମରୁଭୂମିର ଚିତ୍ର ସାମ୍ନାକୁ ଆସିବାପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ପ୍ରଦୀପ ପୂରୋହିତ ।

ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା କାରଣରୁ ରାଜ୍ୟ ସରକାର କେବଳ ଚୁପ ବସିଲେ ହେବନାହିଁ । ରାଜ୍ୟ ସରକାର ଷ୍ଟେକ୍ ହୋଲଡରଙ୍କ ସହ କଥାବାର୍ତା କରି ଓଡିଶାରେ ମହାନଦୀରେ ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ବ୍ୟବସ୍ଥା କରିବା ଜରୁରୀ ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ପୁରୋହିତ କହିଛନ୍ତି ଯେ ମହାନଦୀ ଜଳ ବିବାଦକୁ ନେଇ ନିର୍ବାଚନ ପୂର୍ବରୁ ନାରାବାଜି କରୁଥିବା ବିଜେଡି ଓଡିଶାର ସ୍ୱାର୍ଥ ରକ୍ଷା ପ୍ରସଙ୍ଗରେ ଏବେ ନିରବଦ୍ରଷ୍ଟା କାହିଁକି? ଶାସକ ଦଳ ବିଜେଡି ୨୦୧୬ ମସିହା ଠାରୁ ୨୦୧୭ ତ୍ରିସ୍ତରୀୟ ପଂଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ମହାନଦୀ ଜଳ ବିବାଦକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲା । ମାତ୍ର ନିର୍ବାଚନୀ ବୈତରଣୀ ପାର୍ କରିବା ପରେ ଏହାକୁ ଭୁଲି ଗଲେ । ଟ୍ରିବ୍ୟୁନାଲ ଗଠନ ପରେ ରାୟ ଆସିବାରେ ସମୟ ଲାଗିପାରେ । କେବଳ ଟ୍ରିବ୍ୟୁନାଲ ଉପରେ ଭରସା କଲେ ଖରା ଦିନେ ଜଳ ପାଇଁ ଓଡିଶାର ସ୍ୱାର୍ଥ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବେଦାନ୍ତ  ମାମଲା ହେଉ କିମ୍ବା କେନ୍ଦୁଝର ଜିଲ୍ଲାପାଳ ଏସଟି କମିଶନରେ ହାଜର ନ ହେବା ନେଇ ବଡ ଓକିଲ ରାଜ୍ୟ ସରକାର ନିଯୁକ୍ତ କରୁଛନ୍ତି । କିନ୍ତୁ ଟ୍ରିବ୍ୟୁନାଲରେ ଲଢିବା ପାଇଁ ସରକାର ବଡ ଓକିଲ କାହିଁକି ନିଯୁକ୍ତ କରୁନାହାନ୍ତି? ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ଭୋଟ୍ ବ୍ୟାଙ୍କ୍ ରାଜନୀତି କରୁଛି ।

ଅପରପକ୍ଷରେ ଟ୍ରିବ୍ୟୁନାଲ ରାୟ ସାଧାରଣତଃ ଲମ୍ବା ସମୟ ପର୍ଯ୍ୟନ୍ତ ବିଳମ୍ବିତ ହେଉଥିବା କାରଣରୁ ଅଣ ମୌସୁମୀ ସମୟରେ ଓଡିଶାକୁ ପୂର୍ବ ଦଶନ୍ଧି ମାନଙ୍କ ପରି ଜଳ ପ୍ରବାହ ଆଗାମୀ ବର୍ଷ ମାନଙ୍କରେ କିପରି ଚାଲୁ ରହିବ ରାଜ୍ୟ ସରକାର ସେଥିପାଇଁ ଆପୋଷ ଆଲୋଚନାର ରାସ୍ତାକୁ ଆପଣାଇବା ଭଳି ଦେଖାଯାଉ ନାହିଁ । ଛତିଶଗଡ ପଟୁ ଆସୁଥିବା ମହାନଦୀର ପାଣି ସହ ଓଡିଶାର କେତୋଟି ଅଂଚଳର ଜଳ ସେଚନ ଓ ପାନୀୟ ଜଳର ସମ୍ବନ୍ଧ ଅଛି ରାଜ୍ୟ ସରକାର ତାହାର ସ୍ପଷ୍ଟୀକରଣ ରଖନ୍ତୁ । ହୀରାକୁଦର ତଳ ମୁଣ୍ଡରେ ୫ଟି ରିଜରଭର ନିର୍ମାଣର ପ୍ରତିଶ୍ରୁତିର ଅଗ୍ରଗତି ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖିବା ପାଇଁ ପ୍ରଦୀପ ପୁରୋହିତ ଦାବି କରିଛନ୍ତି ।

ହୀରାକୁଦର ତଳ ମୁଣ୍ଡରେ ତେଲ, ଇବ ଓ ହାତୀ ଆଦି ନଦୀରୁ ଆରମ୍ଭ କରି ତଳମୁଣ୍ଡରେ କାଠଯୋଡି, ଦେବୀ ଓ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ବିଭିନ୍ନ ଶାଖା ନଦୀ ଗୁଡିକରେ ବର୍ଷା ଦିନେ ସମୁଦ୍ରକୁ ବହିଯାଉଥିବା ପାଣିକୁ ସୁବିନିଯୋଗ କରି ଅଣ ମୌସୁମୀ ସମୟରେ ଚାଷୀଙ୍କ କାମରେ ଲଗାଇବା ପାଇଁ କଣ ବ୍ୟବସ୍ଥା ହୋଇଛି ? ରାଜ୍ୟ ସରକାର, ଏହାର ଉତର ରଖନ୍ତୁ ବୋଲି ଦଳ ଦାବି କରିଛି।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡା ଜିଲ୍ଲା ଶୁଖାସୋଡ଼ାର ଚିତ୍ର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ତଥା ଶାସକ ଦଳ ନିରବ ରହିଛି । ଅନ୍ୟପଟେ ବିରୋଧୀ ବିଜେପି କେନ୍ଦ୍ରରେ ସରକାରରେ ରହିଥିବାବେଳେ ଅନ୍ୟତମ ବିରୋଧୀ କଂଗ୍ରେସ ସରକାର ଛତିଶଗଡରେ ରହିଛି । ସେହିପରି ଓଡିଶାରେ ବିଜେଡି ସରକାର ରହିଛି । ତେଣୁ ରାଜନୈତିକ ପତିଆରା ଲଢେଇ କରିବାକୁ ମହାନଦୀକୁ ପ୍ରସଙ୍ଗ କରାଯାଉଛି। ଉଦ୍ଦେଶ୍ୟ ଯଦି ତିନି ଦଳର ସକାରାତ୍ମକ ରହିବ ତାହେଲେ ମହାନଦୀରେ ଏପରି ଚିତ୍ର କେବେ ଆସି ନଥାନ୍ତା ବୋଲି ବିଶେଷଜ୍ଞ କହିଛନ୍ତି।

Leave A Reply

Your email address will not be published.