Latest Odisha News

BREAKING NEWS

ମହାପ୍ରଭୁ ଆଜି କୃଷ୍ଣ ବଳରାମ ବେଶରେ ଦର୍ଶନ ଦେବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ମହାପ୍ରଭୁ ଶ୍ରୀମନ୍ଦିରରେ  ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ କୃଷ୍ଣ ବଳରାମ ବେଶରେ ଦର୍ଶନ ଦେବେ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଓ ବଳଭଦ୍ରଙ୍କୁ ବଳରାମ ଭାବରେ ସୁସଜ୍ଜିତ କରାଯିବ । ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରିବେ ।

ଉଭୟ କୃଷ୍ଣ (ଜଗନ୍ନାଥ) ଏବଂ ବଳରାମ (ବଳଭଦ୍ର) କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିବେ । ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଥାଏ । ବଳରାମଙ୍କ ଡାହାଣ ହାତରେ ଶିଙ୍ଘା ଓ ବାମ ହସ୍ତରେ ପଦ୍ମ ଫୁଲ ଥାଏ । କିରୀଟ ଉପରେ ସୋଲରେ ନିର୍ମିତ ସପ୍ତଫେଣିଆ ସର୍ପ ବିରାଜମାନ କରିଥାଏ । ହସ୍ତ ମଧ୍ୟ କାଠରେ ତିଆରି ହୋଇଥାଏ ।

ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ୱୟ କିରୀଟଯୁକ୍ତ ହୋଇଥାଏ । ରତ୍ନ ସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କ୍ଷୁଦ୍ରକାଷ୍ଠ ନିର୍ମିତ ତଥା ଜରି ଜମ୍ବୁରାରେ ଆଚ୍ଛାଦିତ ସିଂହାସନରେ ଚକାମୁଣ୍ଡି ପକାଇ ପ୍ରଭୁ (ପଦ୍ମାସନ) ଉପନିବଶ କରନ୍ତି ।

ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ବ ଫୁଲ ଶୋଭାପାଏ । ଶ୍ରୀପୟର, ପାଉଁଜି,ବାଙ୍କି,ପାହୁଡ଼, ଗୋଡ଼ମୁଦି,ମଲ୍ଲୀକଢ଼,ଚନ୍ଦ୍ର, ଚିତା,ନାକଚଣା,ହାତଫେର,ଖଡୁ ଇତ୍ୟାଦିରେ ସାରା ଶରୀର ଶୋଭା ପାଇଥାଏ

Leave A Reply

Your email address will not be published.