Latest Odisha News

ଆଜି ପବିତ୍ର ଶ୍ରୀପଞ୍ଚମୀରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ

ପୁରୀ: ଆଜି ବସନ୍ତ ପଞ୍ଚମୀ । ଅବସରରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବାର ପରମ୍ପରା ରହିଛି।

ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା ମା ସରସ୍ବତୀଙ୍କ ନିକଟରେ କରାଯିବାପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ।

ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ । ତେବେ ଆସନ୍ତା ରାମନବମୀ ତିଥିରେ ଅନୁକୂଳ କରାଯାଇ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବ । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୬୯ ଖଣ୍ଡ କାଠ ମହଜୁଦ ଅଛି ଓ ଅବଶିଷ୍ଟ ୭୯୬ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡ ରୁ ଅଣାଯିବ।

ସେହିପରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ମଧ୍ୟ କାଠ ଆଜି ଅନୁକୂଳ ହେବ। ସେବାୟତ ମାନଙ୍କ ଗହଣରେ ସନ୍ଧ୍ୟାରେ ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରାଯିବା ସହ ସେଠାରେ କାଠ ଚିରା ଅନୁକୂଳ କରାଯିବ।

Leave A Reply

Your email address will not be published.