ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ଶୀର୍ଷକ ଆଧାରିତ ତିନିଗୋଟି ଶବ୍ଦ ସମାର୍ଥବୋଧକ । ଭୋଗ ଲାଗେ, ନୈବେଦ୍ୟ ଅର୍ପଣ କରାଯାଏ ଓ ମଣୋହି- ଏକ ସମ୍ଭ୍ରାନ୍ତ ଶବ୍ଦ, ଯାହା ରାଜା ଦେବତା ପ୍ରଭୃତିଙ୍କ ଖାଦ୍ୟ ଗ୍ରହଣ ବିଧିକୁ ସୂଚାଇ ଥାଏ । ଶ୍ରୀମନ୍ଦିରରେ ଏହି ତିନୋଟିଯାକ ଶବ୍ଦ ଯଥା ଉପାୟରେ ବ୍ୟବହାର ହୁଏ ତେବେ ମହାପ୍ରଭୁଙ୍କ ଭୋଗ ନୀତିକୁ ଧୂପ କୁହାଯାଏ । ଲୋକମୁଖରେ ଭୋଗ ଶବ୍ଦର ବ୍ୟବହାର ବହୁଳ । ଧୂପ ଉଠିଲାଣି ବା ଭୋଗ ବାହାରିଗଲାଣି ବୋଲି କୁହାଯାଇଥାଏ । ନୈବେଦ୍ୟ, ଏକ ଭୋଗ ପାଇଁ ଉଦ୍ଦିଷ୍ଟ ସାମଗ୍ରୀକୁ ବୁଝାଇବା ସହ ପୂଜା ସମୟରେ ମନ୍ତ୍ରରେ ପୂଜକଙ୍କ ତୁଣ୍ଡରେ ଉଚ୍ଚାରିତ ହୋଇଥାଏ । ‘ନୈବେଦ୍ୟମ୍ ସମର୍ପୟାମି’ ।
ମହାପ୍ରଭୁଙ୍କ ଭୋଗ ବିଷୟରେ ଆଲୋଚନା କଲାବେଳେ ‘ମଣୋହି’ ଶବ୍ଦ ଆପେ ଆପେ ସାମ୍ନାକୁ ଆସେ । ଶ୍ରୀମନ୍ଦିରରେ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଭୋଗ ସମର୍ପଣ କ୍ଷେତ୍ରରେ ‘ମଣୋହି’ ବୋଲି କୁହାଯାଏ । ଶ୍ରୀମନ୍ଦିର ଶବ୍ଦାବଳୀରେ ‘ମଣୋହି’ ଶବ୍ଦ ବିଭିନ୍ନ
ପ୍ରକାରେ ବ୍ୟବହାର କରାଯାଇଛି ।
୧. ଅମୃତ ମଣୋହି :- ଶ୍ରୀଜଗନ୍ନାଥଙ୍କ ନାମରେ ଭୋଗ ପାଇଁ ଉତ୍ସର୍ଗୀକୃତ ଭୂସମ୍ପତ୍ତି ।
୨. ଅଶୋକା ମଣୋହି :- ଅଶୋକାଷ୍ଟମୀରେ ଭଣ୍ଡାର ଲୋକନାଥଙ୍କୁ ଶ୍ରୀ ଜଗନ୍ନାଥ ବଲ୍ଲଭଠାରେ ଅର୍ପିତ ନୈବେଦ୍ୟ ।
୩. ଚକ୍ର ମଣୋହି :- ଶ୍ରୀ ନୀଳଚକ୍ର ଆଡ଼କୁ ଟେକି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପିତ ନୈବେଦ୍ୟ ।
୪. ବିମ୍ବଳୀ ମଣୋହି :- ଦୁର୍ଗୋତ୍ସବରେ ମା’ ବିମଳାଙ୍କ ତ୍ରିକାଳ ପୂଜା ଅବସରରେ ଅର୍ପିିତ ମହାପ୍ରସାଦ । ଅନ୍ୟ ଦିନରେ କେବଳ ଶ୍ରୀ ବଳଭଦ୍ରଙ୍କ ପ୍ରସାଦ ସମର୍ପିତ ହୁଏ ।
୫. ବୀର ମଣୋହି :- ରାଜାମାନେ ରାଜ୍ୟ ଜୟକରି ଫେରିବା ପରେ ବିଜୟୋତ୍ସବରେ ଆୟୋଜିତ ଭୋଜିସଭା ।
୬. ଶୀତଳ ମଣୋହି :- ନିଃଶଙ୍ଖୁଡ଼ି ଦ୍ରବ୍ୟ ଓ ଫଳାଦି ନୈବେଦ୍ୟ ।
୭. ସର୍ପା ମଣୋହି :-ମହାପ୍ରଭୁଙ୍କ ଅଧର ସ୍ଥାନରେ ସମର୍ପିତ ଭୋଗ । ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କ ଭୋଗକ୍ଷେତ୍ର ଭାବେ ପରିଚିତ ।
ଭାରତ ବର୍ଷରେ ପ୍ରସିଦ୍ଧ ଚାରିଧାମ ମଧ୍ୟରୁ ଅନ୍ୟ ତିନିଧାମ ଯଥା ହିମାଦ୍ରିର ବଦ୍ରିଧାମ ହିଁ ତ୍ୟାଗକ୍ଷେତ୍ର, ରାମେଶ୍ୱରମ୍ ହିଁ କର୍ମକ୍ଷେତ୍ର, ଦ୍ୱାରିକାଧାମ ଐଶ୍ୱର୍ଯ୍ୟର କ୍ଷେତ୍ର । ସନାତନ ଧର୍ମରେ ଏହି ସ୍ୱୀକୃତି ପୁରୀଠାରେ ପ୍ରମାଣିତ ହୋଇଛି । ଅଷ୍ଟମ ଶତାବ୍ଦୀରେ ଶ୍ରୀକ୍ଷେତ୍ରକୁ ଆଦିଶଙ୍କରାଚାର୍ଯ୍ୟଙ୍କ ଆଗମନ କାଳରେ ଶ୍ରୀମନ୍ଦିରରେ ଅନେକ ରୀତିନୀତି ଶୃଙ୍ଖଳିତ ହେବା ସହିତ ଭୋଗ ବ୍ୟବସ୍ଥା ପରିବର୍ଦ୍ଧିତ ହୋଇଥିଲା । ସେଇ ସକାଶେ ସ୍ଥାନୀୟ ଅନ୍ୟତମ ଶୈବ ମଠ ଶଙ୍କରାନନ୍ଦ ମଠକୁ ଭୋଗବର୍ଦ୍ଧନ ମଠ ଭାବରେ ନାମିତ କରାଯାଇଛି । ପୂର୍ବରୁ ସତ୍ୟନାରାୟଣଙ୍କ ମନ୍ଦିର ପଶ୍ଚାତ୍ଭାଗରେ ଥିବା ମେର୍ଦ୍ଦା ରୋଷଘରେ ସ୍ୱଳ୍ପ ପରିମାଣରେ ସଙ୍ଖୁଡ଼ିଭୋଗ ରନ୍ଧାଯାଇ ଆଦିନୃସିଂହଙ୍କ ମନ୍ଦିରରେ ଭୋଗ ଲାଗୁଥିଲା । ଆଦିଶଙ୍କରାଚାର୍ଯ୍ୟ ନିଜେ ମୁକ୍ତି ମଣ୍ଡପରେ ବସି ପୂଜା ପଦ୍ଧତି ତଦାରଖ କରିଥିବାର ଜନଶ୍ରୁତି ରହିଛି । ତା’ପରେ ଚତର୍ଦ୍ଧାମୂତ୍ତିଙ୍କୁ ଅନ୍ନ ଭୋଗ ପରମ୍ପରା ବ୍ୟବସ୍ଥିତ ହୋଇଥିଲା । କାଳକ୍ରମେ ସେହି ଧାରାରେ ଶ୍ରୀମନ୍ଦିରରେ ପୂଜା ପଦ୍ଧତି ପରିମାର୍ଜିତ ହୋଇଥିଲା ଏବଂ ଭୋଗର ପରିମାଣ ବୃଦ୍ଧି ପାଇବା ସହିତ ବହୁ ନୂତନ ପ୍ରକାରର ଭୋଗ ମଧ୍ୟ ଆରମ୍ଭ ହୋଇଥିଲା ।
ରତ୍ନ ସିଂହାସନରେ ଉପବିଷ୍ଟ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅନ୍ୟାନ୍ୟ ନୀତିକାନ୍ତି ସହିତ ଦୈନିକ ଛ’ଥର ଭୋଗ ଅର୍ପଣ କରାଯାଏ । ଏହିସବୁ ଭୋଗରେ ଅର୍ପିତ ନୈବଦ୍ୟକୁ ଛପନ ପ୍ରକାରରେ ତାଲିକାଭୁକ୍ତ କରାଯାଇଛି ଯଥା ୧.କାନିକା ୨.ଅଦାହେଙ୍ଗୁ ଖେଚୁଡ଼ି ୩. ଘିଅଅନ୍ନ ୪.ସାଧାଅନ୍ନ ୫. ହଳଦୀ ଖେଚୁଡ଼ ୬.ଖେଚୁଡ଼ି ୭.ମିଠାଡ଼ାଲି ୮.ଫାଳମୁଗ, ୯. ବଳିବାମନମୁଗ ୧୦. ଡାଲମା ୧୧. ବିରିଡାଲି, ୧୨. ମହୂର ୧୩.ବେସର ୧୪.ଶାଗ ୧୫.ମଧୁରୁଚି ୧୬. ଖୀରୀସା ୧୭. ମରିଚପାଣି ୧୮. ଶାକର ୧୯. ମେଥିପିତା ୨୦. ଗଜା ୨୧. ଖଜା ୨୨. ଖଇରଚୂଳ ୨୩. ଖୁରୁମା ୨୪. ମନୋହର ୨୫. କାକରା ୨୬. କେଳି ୨୭. ପାପୁଡ଼ି ୨୮. ପାପୁଡ଼ି ଖଜା ୨୯.ପାରିଜାତକ ୩୦. ତ୍ରିପୁରି ୩୧. ତିପୁରି ଶାକର ୩୨. ଶୃଙ୍ଗୀ ଶାକର ୩୩. ଫେଣି, ୩୪. ଲକ୍ଷ୍ମୀବିଳାସ ୩୫. ଶ୍ୱେତ ଫେଣୀ, ୩୬. ବିରିକଚୋରୀ ୩୭.ବଲ୍ଲବ ୩୮. କୋରା ୩୯. ବଡ଼ିଖିରିସା ୪୦. କ୍ଷୀରୀ ୪୧ ରସାବଳୀ ୪୨. ମାଣ୍ଡୁଅ ୪୩. ଛେନା ଖଇ ୪୪. ଲୁଣି ଖୁରୁମା ୪୫ ଗୋଟା ସୋଲା, ୪୬. ନଳି କାକରା, ୪୭. ମହନ ଭୋଗ, ୪୮. ଚଢ଼େଇନେଦା, ୪୯. ହଂସ କେଳି, ୫୦ . ଛତୁ ୫୧ . ଟାକୁଆ, ୫୨. ପାତିଖୁଦିନଡ଼ିଆ ୫୩ ମଗଜ ଲଡ଼ୁ ୫୪. ଦହିପଖାଳ ୫୫. ମିଠା ପଖାଳ ୫୬. ନବଗ୍ରହ ଖେଚୁଡ଼ି
ଉପରୋକ୍ତ ଭୋଗସବୁ ଚାରପ୍ରକାର ଶାସ୍ତ୍ରୀୟ ପାକଶୈଳୀରେ ପ୍ରସ୍ତୁତ ହୋଇଥାଏ ଯଥା ୧. ନଳପାକ, ୨. ଶଉରୀ ପାକ, ୩. ଗଉରୀ ପାକ, ୪. ଭୀମ ପାକ । ଏଥି ମଧ୍ୟରୁ କେଉଁ ପାକ ପଦ୍ଧତିରେ କେଉଁ ବ୍ୟଞ୍ଜନ ପ୍ରସ୍ତୁତ ହେବ ତାହା ମଧ୍ୟ ନିର୍ଦ୍ଧାରିତ ।
ସେହିଭଳି ପିଠା ବ୍ୟଞ୍ଜନ ସମୁହକୁ ମଧ୍ୟ ଦୁଇପ୍ରକାରରେ ବିଭାଗୀକରଣ କରାଯାଇଛି ଯଥା ବଗଡ଼ା ଓ ସାରେୟା । ପ୍ରତ୍ୟହ କୋଠ ଭୋଗରେ ଉପରୋକ୍ତ ଭୋଗ ଅର୍ପିତ ହେଉଥିଲେ ମଧ୍ୟ ବରାଦ ଅନୁସାରେ ଶଙ୍ଖୁଡ଼ି ବ୍ୟଞ୍ଜନରେ ଆହୁରି ଅନେକ ଭୋଗ ସୁଆରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଲାଗିଥାଏ । ସେଗୁଡ଼ିକ ହେଲା ଅନ୍ନରେ ଘିଅନ୍ନ, ମିଷ୍ଟାନ୍ନ, ଅନ୍ନ ରସାବଳି ତଥା ଡାଲିରେ ମସଲା ଡାଲମା, ଗୋଟା ସୋଲା, ଫାଳ ସୋଲା, ତଡ଼୍କା ବୋଲି କୁହାଯାଉଥିବା ଗୋଟା ମୁଗ ଓ ତରକାରୀରେ ବଡ଼ି ଓ କଞ୍ଚା କଦଳୀ ବେସର, ପୋଟଳ ରସା, ଗୋଟି ବାଇଗଣ ଓ ଜହ୍ନିରାଇ ଇତ୍ୟାଦି ସ୍ୱତନ୍ତ୍ର ବ୍ୟଞ୍ଜନ ଭୋଗ ଲାଗୁଅଛି ।
କେବଳ ସୀମିତ ପ୍ରକାରର ପରିବା ମହାପ୍ରସାଦରେ ବ୍ୟବହୃତ ହୋଇଥାଏ । ସେହି ସବୁକୁ ନେଇ ନୂଆ ବ୍ୟଞ୍ଚନ ସୃଷ୍ଟି କରିବାରେ ସୁଆରମାନେ ତାଙ୍କର ପାରଦର୍ଶିତା ଦେଖାଇ ଆସିଛନ୍ତି ।
ରୋଷଘରେ ମହାପ୍ରସାଦ ପ୍ରସ୍ତୁତିଠାରୁ ଆରମ୍ଭ କରି ଭୋଗ ବଢ଼ା ହେବା ତଥା ଆନୁଷ୍ଠାନିକ ପୂଜା ପରେ ଲୋକେ ଭୋଜନ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ନୀତି ନିୟମ ଅନୁସାରେ ହୋଇଥାଏ । ଭୋଗ ରନ୍ଧନ ଆରମ୍ଭ ହେବା ପୂର୍ବରୁ ସ୍ୱଚ୍ଛତା ରକ୍ଷା ପ୍ରତି ଦୃଷ୍ଟି ଦେବା ପାଇଁ ନିର୍ଦ୍ଦିଷ୍ଟ ସେବକ ରହିଥାଆନ୍ତି । ଏଥିରେ ଧୋପଖାଳଙ୍କ କାମ ରୋଷ ପାଇକ ତଦାରଖ କରି ପାଳିଆ ମହାସୁଆରଙ୍କୁ ଜଣାଇଲେ ସେ ପୂଜାପଣ୍ଡାଙ୍କୁ ହୋମ କରିବା ପାଇଁ ଅନୁମତି ଦିଅନ୍ତି । ତା’ପରେ ସୁଆରମାନେ ରନ୍ଧନ କାର୍ଯ୍ୟ ଆରମ୍ଭ କରନ୍ତି । ଭୋଗ ଛେକରେ ବୁହାହେବା ବେଳେ ତଥା ନିର୍ଦ୍ଧାରିତ ସ୍ଥାନରେ ବଢ଼ା ହେଲାବେଳେ ମଧ୍ୟ ସେହିଭଳି ପବିତ୍ରତା ରକ୍ଷାକରାଯାଏ । ଭୋଗକୁ କେହି ଅଣସେବକ ସ୍ପର୍ଶ କଲେ ଭୋଗ ମାରା ହୁଏ । ପୂଜା ବସିଥିବା ସମୟରେ ମନ୍ଦିର ଭିତରେ କୌଣସି ସ୍ଥାନରେ ଛେପ, ରକ୍ତ, ମଳ, ମୂତ୍ର ଇତ୍ୟାଦି ପଡ଼ିଥିବା ଦେଖାଗଲେ ପୂଜାରେ ବିଘ୍ନ ହୁଏ, ଭୋଗସବୁ ପୋତା ହୁଏ ଏବଂ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥାଏ । ମହାପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଛ’ପ୍ରକାର ଭୋଗର ବିବରଣୀ ନିମ୍ନରେ ପ୍ରଦାନ କରାଗଲା :-
୧. ଗୋପାଳ ବଲ୍ଳଭ ଭୋଗ – ଶ୍ରୀ ବିଗ୍ରହମାନଙ୍କ ଉଦ୍ଦେଶ୍ୟରେ ଅର୍ପିତ ପ୍ରାତଃକାଳୀନ ନୈବେଦ୍ୟକୁ ଗୋପାଳବଲ୍ଲଭ କୁହାଯାଏ । ଏହି ନୀତି ମଙ୍ଗଳା ଆଳତି ଓ ଅବକାଶ ପରେ କଳାହାଟ ଦୁଆର ନିକଟସ୍ଥ ଅଣସର ପିଣ୍ଡିଠାରେ ଅନୁଷ୍ଠିତ କରାଯାଏ । ଏଥିରେ ନଡ଼ିଆ କୋରା, ପାଗଖଇ, ପାଚିଲା କଦଳୀ, ନଡ଼ିଆପାତି, ସର ରାବିଡ଼ି, ଖୁଆମଣ୍ଡା ଆଦି ଭୋଗ କରାଯାଏ । ପ୍ରଥମ
ଭୋଗ ଗୋପଳବଲ୍ଲଭରେ ମହାସୁଆର ଭୋଗ ବାଢ଼ନ୍ତି । ଏହି ଭୋଗରେ ପାଳିଆ ମହାସୁଆର, ସୁଆରବଡ଼ୁ, ପନ୍ତିବଡ଼ୁ, ବଲ୍ଲଭ ଯୋଗାଣିଆ ସୁଦୁସୁଆର, ପ୍ରଧାନୀ ଓ ଗରାବଡ଼ୁ ଆଦି ସେବକଙ୍କ ସମ୍ପୃକ୍ତି ରହିଥାଏ ।
୨. ସକାଳ ଧୂପ – ଶ୍ରୀ ବିଗ୍ରହମାନଙ୍କର ପ୍ରଥମ ଅନ୍ନଭୋଗ ହେଉଛି ସକାଳ ଧୂପ । ଏହା ଷୋଡ଼ଶ ଉପଚାର ବିଧିରେ ରତ୍ନସିଂହାସନ ଉପରେ ଅନୁଷ୍ଠିତ ହୁଏ । ଏଥିରେ ବହୁ ବର୍ଗର ସେବକଙ୍କ ସମ୍ପୃକ୍ତି ରହିଥାଏ । ଏହାକୁ ରାଜଭୋଗ ବା କୋଠଭୋଗ ମଧ୍ୟ କୁହାଯାଏ । ଏଥିରେ ଥାଳି ଖେଚୁଡ଼ି, ଶାଗ, ଭଜା, ଅଦା ପାଚେଡ଼ି ସହିତ କେତେ ପ୍ରକାରର ପିଠା ଭୋଗ କରାଯାଇଥାଏ । ସକାଳ ଧୂପରେ ପ୍ରଥମେ ମହାସୁଆର କାନ୍ତି ବାଢ଼ନ୍ତି । ତା’ପରେ ପନ୍ତିବଡ଼ୁ ଖେଚୁଡ଼ି ବାଢ଼ନ୍ତି ଏବଂ ତାଙ୍କ ପରେ
ତୋଳାବଡ଼ୁ ପିଠା ଛେକ ନିଅନ୍ତି ।
୩. ଭୋଗ ମଣ୍ଡପ – ବିିଭିନ୍ନ ମଠବାଡ଼ି ତଥା ସର୍ବସାଧାରଣଙ୍କ ପକ୍ଷରୁ ବରାଦ ଅନୁସାରେ ସୁପକାରମାନଙ୍କ ନିଜ ଖର୍ଚ୍ଚରେ ବ୍ୟବସାୟିକ ସୂତ୍ରରେ ଏହି ଭୋଗ ଅନୁଷ୍ଠିତ ହେଇଥାଏ ।
ଭୋଗମଣ୍ଡପରେ ତିନି ବାଡ଼ରେ ତିନିଜଣ ପୂଜାପଣ୍ଡା ପଞ୍ଚୋପଚାର ବିଧିରେ ନୈବେଦ୍ୟ ଅର୍ପଣ କରିଥାନ୍ତି । ଏଥିରେ ସେମାନଙ୍କୁ ପ୍ରତିହାରୀ, ମହାସୁଆର, ସୁଆରବଡ଼ୁ, ଗରାବଡ଼ୁ, ସୁଆର ତଥା ଚର୍ଚ୍ଚା କର୍ମଚାରୀମାନେ ସହାୟତା କରିଥାଆନ୍ତି । କେତେକ ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ ଓ ଉତ୍ସବାଦିମାନଙ୍କରେ ଭକ୍ତ ସଂଖ୍ୟା ଅଧିକ ହେଲେ ଚାହିଦା ଅନୁସାରେ ଏକାଧିକ ବାର ଭୋଗମଣ୍ଡପ ଅନୁଷ୍ଠିତ ହୋଇପାରେ ।
ମଧ୍ୟାହ୍ନ ଧୂପ : – ଏହା ଦେଉଳ ଭାଷାରେ ଦି’ପହର ଧୂପ ନାମରେ ଜଣାଯାଏ । ଏଥିରେ ଅଧିକ ପରିମାଣର ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପୋଖରିଆରେ ବଢାଯାଏ ଏବଂ ରତ୍ନସିଂହାସନରେ ତିନିଜଣ ପୂଜାପଣ୍ଡାଙ୍କ ଦ୍ୱାରା ଷୋଡ଼ଶ ଉପଚାରରେ ଅର୍ପଣ କରାଯାଏ । ଏଥିରେ ଅନ୍ୟ ସେବକଙ୍କ ସହିତ ଘଣ୍ଟୁଆ, ଝାଞ୍ଜପିଟା ଓ ବଜନ୍ତ୍ରୀ ମଧ୍ୟ ସାମିଲ ହୋଇଥାନ୍ତି । ପ୍ରାୟ ୩୬ ପ୍ରକାରର ନୈବେଦ୍ୟ ଅର୍ପଣ ଏହି ଧୂପର ବିଶେଷତ୍ୱ । ଭୋଗ ପାଇଁ ଛେକ ବୁହାହେବା ବେଳେ ପ୍ରଥମେ ଚର୍ଚ୍ଚା ସେବକ ଡାକଦେଇ ଯାଆନ୍ତି । ତାଙ୍କ ପଛରେ ଲେଙ୍କା ଓ ପ୍ରଧାନୀଙ୍କ ପରେ ପ୍ରତିହାରୀ ବେତ ସାହାଯ୍ୟରେ ବାଟ କଢ଼ାଇ ଭୋଗ ବଢ଼ାହେବା ସ୍ଥାନ ପର୍ଯ୍ୟନ୍ତ ଯାଆନ୍ତି । ତାଙ୍କ ପଛରେ ଛେକ ସବୁ ବୁହାହେଇ ଯାଏ । ଭୋଗ ବେଳେ ମହାସୁଆର ଉପସ୍ଥିତ ରୁହନ୍ତି ।
ସନ୍ଧ୍ୟା ଧୂପ :- ରତ୍ନ ସିଂହାସନରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଆଳତୀ ହେଲା ପରେ ମଇଲମ ଓ ବେଶ ଇତ୍ୟାଦି ହୋଇ ସନ୍ଧ୍ୟା ଧୂପ ସିଂହାସନ ଉପରେ ପୂଜାପଣ୍ଡା ତିନିଜଣଙ୍କ ଦ୍ୱାରା ସମ୍ପୃକ୍ତ ସେବକମାନଙ୍କ ସହାୟତାରେ ଷୋଡ଼ଷୋପଚାର କରାଯାଇଥାଏ । ସତ୍ତ୍ଵଲିପି ଅନୁସାରେ ଏହି ଭୋଗର ୪୪ ପ୍ରକାର ନୈବେଦ୍ୟ ଅର୍ପଣ କରାଯିବାର ବିଧି ଥିଲେ ମଧ୍ୟ ଏବେ ମାତ୍ର ଦଶ ପ୍ରକାରର ବ୍ୟଞ୍ଜନ ଅର୍ପଣ କରାଯାଉଅଛି ।
ବଡ଼ ସିଂହାର ଭୋଗ :- ଶ୍ରୀବିଗ୍ରହମାନଙ୍କ ବଡ଼ ସିଂହାର ବେଶ ଲାଗି ହେବା ପରେ ଦିବସର ଶେଷ ଭୋଗ ଭାବରେ ଏହି ଭୋଗ ସିଂହାସନ ତଳେ ପଞ୍ଚୋପଚାରରେ କରାଯାଇଥାଏ । ମଧ୍ୟାହ୍ନ ଧୂପ ଭଳି ଅନ୍ୟ ସେବକମାନେ ଏଥିରେ ସହାୟତା କରିଥାଆନ୍ତି । ବିଭିନ୍ନ ପିଷ୍ଟକ ଜାତୀୟ ବ୍ୟଞ୍ଜନ ମଧ୍ୟରେ କଦଳୀ ବଡ଼ା, ମିଠା ପଖାଳ, କ୍ଷୀରୀ ଓ କାଞ୍ଜି ପ୍ରଭୃତି ଅର୍ପଣ କରାଯାଇଥାଏ । ଏହି ଧୂପ ପ୍ରଶାସନ ଦ୍ୱାରା କୋଠଭୋଗ ଆକାରରେ କରାଯାଇଥାଏ ।
ଭୋଗ କ୍ଷେତ୍ରରେ ମହାପ୍ରଭୁଙ୍କ ଭୋଗ ବ୍ୟବସ୍ଥା ଆହୁରି ବିସ୍ତୃତ ଓ ବ୍ୟବସ୍ଥିତ । ପ୍ରତ୍ୟହ ଛ’ ଭୋଗ ନୀତି ଯଥାରୀତି ଅନୁଷ୍ଠିତ ହେବା ସହିତ ବିଭିନ୍ନ ପର୍ବପର୍ବାଣୀ ତଥା ନିର୍ଦ୍ଦିଷ୍ଟ ଅବଧିରେ କେତେଗୋଟି ସ୍ୱତନ୍ତ୍ର ସାମୟିକ ଭୋଗର ବ୍ୟବସ୍ଥା ରହିଛି ।
୧. ମକର ସଂକ୍ରାନ୍ତି : ଏହି ଦିନ ମହାପ୍ରଭୁଙ୍କୁ ୮୪ ପ୍ରକାରର ମୁଖ୍ୟତଃ ପିଠା ଭୋଗ ଅର୍ପଣ କରାଯାଏ । ଏଥିରେ କେତେଗୋଟି ବିଲୁପ୍ତପ୍ରାୟ ବ୍ୟଞ୍ଜନ ଯଥା ଅନ୍ତରୀକ୍ଷ ମଣ୍ଡା, ଚାଟି ଭାତ, ଧର୍ମଶରଣ, ନହୁଣିଆ ମଣ୍ଡା, ପଣସୁଆ, ଲହୁଣିଆ ପ୍ରଭୃତି ଅନ୍ତର୍ଭୁକ୍ତ । ଏହା ସହିତ ମା’ଲକ୍ଷ୍ମୀ ବାପଘରୁ ଫେରିଥିବାରୁ ସାଙ୍ଗରେ ଆଣିଥିବା ଦ୍ରବ୍ୟରେ ପ୍ରସ୍ତୁତ ସୁସ୍ୱାଦୁ ମକର ଚାଉଳ ମଧ୍ୟ ଭୋଗ ଲାଗିଥାଏ ।
୨. ଜେଉଡ଼ ଭୋଗ : ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଜନ୍ମବିଧି ପୂର୍ବଦିନ ସନ୍ଧ୍ୟାଧୂପ ପରେ ପିଣ୍ଡିରେ ଗର୍ଭର୍ଉଦକ ଭାବରେ ପ୍ରସବ ବେଦନା ଲାଘବ କରିବା ଉଦ୍ଦେଶ୍ୟରେ କରାଯାଏ । ଏଥିରେ ଓରିଆ, ତୁଣ, ଆରିସା, କଦଳୀ ଭଜା ଓ ଝିଲି ଆଦି ବଢ଼ାଯାଏ ।
୩. ଚାଚେରୀ ଭୋଗ: ଚାରେରୀ ବେଶ ପରେ ଅର୍ପିତ ସ୍ୱତନ୍ତ୍ର ଭୋଗ । ଏହି ଭୋଗରେ ଆରିସା, ଧଉଳା, ଖଇଚ ଚୂଳ ଆଦି ଅନେକ ପ୍ରକାର ପିଠା ଓ କ୍ଷୀରି ଆଦି ଭୋଗ ହୁଏ ।
୪. ଷୋ’ଳଶାସନ ଭୋଗ : ପ୍ରତି ବର୍ଷ କାତ୍ତିକ ଶୁକ୍ଳ ସପ୍ତମୀ ଦିନ ମୁକ୍ତି ମଣ୍ଡପ ପକ୍ଷରୁ ଆୟୋଜିତ ବୃହତ୍ ଭୋଗ । ଏଥିରେ ବିଶେଷକରି ବ୍ରାହ୍ମଣ ଶାସନମାନଙ୍କର ସମ୍ପୃକ୍ତି ରହିଥାଏ । ପାଟ ଅଗଣାରେ ଶହ ଶହ ସଂଖ୍ୟାରେ ଲୋକେ ମହାପ୍ରସାଦ ଗ୍ରହଣ
କରିଥାଆନ୍ତି ।
୫. ସାତପୁରି ଭୋଗ: ସାତପୁରି ଅମାବାସ୍ୟା ଦିନ ଅଠରନଳା ନିକଟସ୍ଥ ମା’ ଅଳମ୍ବା ବା ଆଲାମ ଚଣ୍ଡୀଙ୍କ ମନ୍ଦିରରୁ ସାତପୁରି ତାଡ଼ ଦେଉଳକୁ ଯାଇଥାଏ । ଏଥିରେ ସାତପୁରି ଛଣାପିଠା ମହାପ୍ରଭୁଙ୍କୁ ଲାଗି ହୋଇଥାଏ ।
୬. ଅଧରପଣା : ରଥଯାତ୍ରା ଶେଷ ପର୍ଯ୍ୟାୟରେ ଠାକୁରମାନେ ରଥଉପରେ ଥିବା ବେଳେ ସୁଉଚ୍ଚ ତୁମ୍ବ ସଦୃଶ ହାଣ୍ଡିମାନଙ୍କରେ ପଣା ଭୋଗ ଲାଗିଥାଏ । ଏଥିରେ କ୍ଷୀର ସର, ନବାତ, କଦଳୀ, ଅଳେଇଚ, ଗୋଲମରିଚ, କର୍ପୂର ଓ ଜାଇଫଳ ଚୂର୍ଣ୍ଣ ଇତ୍ୟାଦି ମିଶ୍ରଣରେ ପ୍ରସ୍ତୁତ ଏହି ପଣା ଅର୍ପଣ ସରିଲେ ହାଣ୍ଡି ଭାଙ୍ଗି ରଥତଳେ ଥିବା କ୍ଷୁଧ୍ୟାର୍ତ୍ତ ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଢ଼ାଳିଦିଆଯାଏ । ଲୋକ ବିଶ୍ୱାସରେ ଚଣ୍ଡିଚାମଣ୍ଡାଙ୍କୁ ଅର୍ପିତ ଭୋଗ କେହି ପାଆନ୍ତି ନାହିଁ ।
୭. ପହିଲି ଭୋଗ: ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପ୍ରତ୍ୟହ ପ୍ରତ୍ୟୁଷରେ ଗୋପାଳ ବଲ୍ଲଭ ସହିତ ଏହି ଭୋଗ ହୋଇଥାଏ । ଏହା ସାଧାରଣତଃ ପୌଷ ମାସରେ ପଡ଼େ । ଏଥିରେ ଅନେକ ପ୍ରକାରର ପିଠା, ଝିଲି, ବଡ଼ି, ବଡ଼ା, କାକରା,
ଖଇରଚୂଳ, ଗଇଣ୍ଠା, ମଣ୍ଡା, ଛତୁ, ଚୁଡ଼ାପୁଆ ପ୍ରଭୃତି ବଢ଼ାଯାଏ । ଏହି ଅବଧିରେ ଶ୍ରୀମନ୍ଦିରରେ ରୀତିନୀତି ସହଳ ବଢ଼େ । ସଙ୍ଖୁଡ଼ି ଭୋଗ ସହିତ ଆନନ୍ଦ ବଜାରରେ ମୂଳା ରାଇତା ମିଳେ । ଦେଉଳରୁ ବାହାରି ଏହି ପହିଲି ଭୋଗ ପୁରୀର ଯେଗା ଆଖଡ଼ା ତଥା ଅନ୍ୟ ଦେବଦେବୀଙ୍କ ମନ୍ଦିରରେ ମଧ୍ୟ ଗୋଟିଏ ଦିନ ପାଳିତ ହୁଏ ।
୮. ବିମ୍ବଳାଇ ଭୋଗ : ଶାରଦୀୟ ଦୂର୍ଗୋତ୍ସବ ଅବସରରେ ପ୍ରତ୍ୟେକ ଧୂପମାନଙ୍କରେ ଏକ ପିଙ୍ଗଣରେ ପିଠା ଆଦି ଭୋଗ ଲାଗି ହେବା ପରେ ବିମଳାଙ୍କ ମନ୍ଦିରକୁ ସମର୍ପଣ ପାଇଁ ଯାଇଥାଏ । ଏହି ଭୋଗ ପ୍ରଥମେ ବାହାରିବା ପରେ ଅନ୍ୟ ଭୋଗ ସବୁ
ବାହାରିଥାଏ ।
୯. ମଇଲମ ଭୋଗ: ଏହା ଅଣସର ଅବଧିର ଭୋଗ । ଧୁଆମୁଗ, କୋରା ନଡ଼ିଆ ଓ ଚିନି ଏହି ଭୋଗରେ ଲାଗେ । ଚକଟା ଭୋଗ ଅଣସରର ଏକ ବିଶେଷ ଭୋଗ । ଏଥିରେ ଛେନା, ସର, ରାବିଡ଼ି ସହି ଦେଶୀ କଦଳୀ ଚକଟା ଯାଇ ଭୋଗ ହୁଏ ।
୧୦. ବେଶ କ୍ଷୀରି: ମହାପ୍ରଭୁଙ୍କ ପଦ୍ମବେଶ ଓ ଗଜଉଦ୍ଧାରଣ ବେଶ ଦିନ ସନ୍ଧ୍ୟାଧୂପରେ ଭୋଗ ଲାଗୁଥିବା କ୍ଷୀରି । ଏହା ସହିତ ଅମାଲୁ ଓ ବଳିବାମନ ଓ ବଳିବାମନ ମୁଗ ଇତ୍ୟାଦି ମଧ୍ୟ ଭୋଗ ଲାଗିଥାଏ ।
୧୧. ଚନ୍ଦନ ଭୋଗ : ଚନ୍ଦନ ଯାତ୍ରାବେଳେ ଚନ୍ଦନ ଘରେ ବିଜେ ପ୍ରତିମାମାନଙ୍କୁ ଛେନା ମାଣ୍ଡୁଅ ସହିତ ପିଠା, କୋରା, ଫଳମୂଳ ଭୋଗ ଲାଗେ ।
୧୨. ବାଳ ଭୋଗ : ଆଶ୍ୱିନ କୃଷ୍ଣ ଏକାଦଶୀ ତିଥିଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଭୋଗ ବାଳଧୂପ ନାମରେ ଜଣାଯାଏ । ଏଥିରେ ଦୋଭଜା ଲିଆ, ନଡ଼ିଆ ପାତି, କୋରା, ସୋଲାଭଜା ଓ ଫଳ ଇତ୍ୟାଦି ବଢ଼ାଯାଏ ।
୧୩. ରସଗୋଲା ଭୋଗ : ନିଳାଦ୍ରି ବିଜେ ଦିନ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ଭିତରକାଠ ପାଖରେ ଲକ୍ଷ୍ମୀଙ୍କ ସହିତ ମହାପ୍ରଭୁଙ୍କୁ ଭୋଗ ଲାଗେ । ରସଗୋଲା ଏବେ ବହୁ ଚର୍ଚ୍ଚିତ, ବହୁ ଆଦୃତ ଭୋଗରେ ପରିଣତ ହୋଇଛି । ସ୍ୱତ୍ତ୍ୱଲିପିରେ ଏହି ଭୋଗ ବିଷୟ କିଛି ସୂଚନା ନଥିଲେ ମଧ୍ୟ ଏହା ଏକ ପରମ୍ପରାରେ ପରିଣତ ହୋଇଛି । ପୂର୍ବେ ଭିତରର୍ଛ ମହାପାତ୍ର ନିଳାଦ୍ରି ବିଜେ ଅବସରରେ ଏହି ଭୋଗ କରୁଥିଲେ ମାତ୍ର ଏବେ ତାହା ସାର୍ବଜନିନ ହୋଇ ଏହି ମିଷ୍ଟାନ୍ନର ପ୍ରାଚୀନତା ପ୍ରମାଣିତ ପ୍ରମାଣିତ ହୋଇଛି ।
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯
Comments are closed.