Latest Odisha News

BREAKING NEWS

ଜରୁରୀକାଳୀନ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ନୀତି ଆୟୋଗର ଅନୁଧ୍ୟାନ ରିପୋର୍ଟ

ନୂଆଦିଲ୍ଲୀ : ନୀତି ଆୟୋଗ ପକ୍ଷରୁ ଦେଶର ଦ୍ବିତୀୟ ଓ ତୃତୀୟସ୍ତର ଚିକିତ୍ସା ସେବା କ୍ଷେତ୍ର ଏବଂ ଜିଲ୍ଲାସ୍ତରର ଜରୁରୀକାଳୀନ ତଥା ଆଘାତ ଚିକିତ୍ସା ସେବା ସମ୍ପର୍କରେ ଦୁଇଟି ଆକଳନ ରିପୋର୍ଟ ପ୍ରକାଶ କରାଯାଇଛି । ଏହି ରିପୋର୍ଟ ଦୁଇଟିରେ ବ୍ୟାପକ ତଥ୍ୟାବଳୀ ରହିଛି । ଗୋଟିଏ ରିପୋର୍ଟରେ ମାଧ୍ୟମିକ ଓ ତୃତୀୟକ ସ୍ୱାସ୍ଥ୍ୟ ସେବା ସୁବିଧା ସମ୍ପର୍କରେ ହୋଇଥିବା ବେଳେ, ଅନ୍ୟଟି ଜିଲ୍ଲାସ୍ତରୀୟ ଜରୁରୀ ଓ ଆଘାତଜନିତ ଚିକିତ୍ସା ସେବା ଯୋଗାଣ ତଥା ଯତ୍ନ ଉପରେ ପ୍ରସ୍ତୁତ କରାଯାଇଛି । ଏହି ରିପୋର୍ଟରେ ସମ୍ପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଯୋଗାଣର ପରିସର, ସ୍ଥିତି, ଏହା ଉପରେ ନିର୍ଭର କରୁଥିବା ରୋଗୀଙ୍କ ବୋଝ, ବିଶେଷକରି ଜରୁରୀ ଚିକିତ୍ସା ଚାହୁଁଥିବା ରୋଗୀଙ୍କ ସଂଖ୍ୟା, ଆମ୍ବୁଲାନ୍ସ ସେବା ଯୋଗାଣରେ ଥିବା ଅଭାବ, ସ୍ବାସ୍ଥ୍ୟଭିତ୍ତି ଭୂମିର ଅଭାବ ଅସୁବିଧା, ଆବଶ୍ୟକ ମାନବସମ୍ବଳ ଓ ଚିକିତ୍ସା ଉପକରଣର ଅଭାବ ଆଦି ସମ୍ପର୍କରେ ତଥ୍ୟ ରହିଛି ।

ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ. ପଲ, ଅତିରିକ୍ତ ସଚିବ ଡକ୍ଟର ରାଜେଶ ସରୱାଲ ଅତିଥିଙ୍କ ଉପସ୍ଥିତିରେ ଏହି ଦୁଇ ରିପୋର୍ଟ ଆଜି ନୂଆଦିଲ୍ଲୀରେ ଉନ୍ମୋଚିତ ହୋଇଛି । ନୀତି ଆୟୋଗର ସହାୟତାରେ ନୂଆଦିଲ୍ଲୀ ସ୍ଥିତ ଏମ୍‌ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରର ଏମରେଜେନ୍ସି ମେଡିସିନ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇ ଏହି ଦୁଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ନୂଆଦିଲ୍ଲୀ ଏମସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ସମଗ୍ର ଦେଶ ପାଇଁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଣ ବ୍ୟବସ୍ଥା ସୃଷ୍ଟି ଉପରେ ଗୁରୁତ୍ବ ଦେଇଛନ୍ତି । ଏହି ଚିକିତ୍ସା ବ୍ୟବସ୍ଥାରେ ହୃଦ୍‌ରୋଗ, ହୃଦ୍‌ଘାତ, ଶ୍ବାସ ପ୍ରଶ୍ବାସ ଜନିତ ରୋଗ, ଗର୍ଭବତୀ, ପ୍ରସୂତି ଓ ଶିଶୁରୋଗ ତଥା ଆଘାତ ଜନିତ ଜରୁରୀ ଚିକିତ୍ସା ପରାମର୍ଶ ଓ ସେବା ଯୋଗାଇ ଦେବାର ବିଶେଷ ଆବଶ୍ୟକତା ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି । ଏହି ସମନ୍ବିତ ସେବା ଓ ଚିକିତ୍ସାର ଅଭାବ ଯୋଗୁଁ ଦେଶରେ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି ଓ ଦୁର୍ଘଟଣା ଆଦି କାରଣରୁ ଉପଯୁକ୍ତ ଚିକିତ୍ସା ନ ପାଇଁ ଅଧିକ ଲୋକ ପଙ୍ଗୁ ହେଉଥିବା ସେ ଦର୍ଶାଇଛନ୍ତି ।

ଦେଶର ୧୦୦ ସରକାରୀ ଓ ବେସରକାରୀ ଏମର୍ଜେନ୍ସି ଓ କେୟାର ଚିକିତ୍ସା କେନ୍ଦ୍ରର ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଏଥିରେ ଦେଶର ୩୪ଟି ଜିଲ୍ଲା ଅନ୍ତର୍ଭୁକ୍ତ । ସମ୍ପୃକ୍ତ ଅନୁଧ୍ୟାନରୁ ପ୍ରାପ୍ତ ତଥ୍ୟକୁ ଭଲଭାବେ ପରୀକ୍ଷା ନିରୀକ୍ଷା କରାଯାଇ ଜରୁରୀ ଚିକିତ୍ସା ଓ ସେବା ଯୋଗାଣ କ୍ଷେତ୍ରରେ ଥିବା ପ୍ରମୁଖ ଅଭାବ ଅସୁବିଧା ଗୁଡିକୁ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.