Latest Odisha News

ମହାରାଷ୍ଟ୍ରରେ ସ୍ଥିତି ଟଳମଳ, ସେପଟେ ଦେଶର ସଂଗଠନ ସଜାଡୁଛନ୍ତି ସିନ୍ଦେ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆସନ, ଦଳୀୟ ଚିହ୍ନ ଓ ମୂଳ ଶିବସେନାକୁ ନିଜ ଆଡକୁ ଆଣିବାକୁ ସମର୍ଥ ହୋଇଥିବା ଏକନାଥ ସିନ୍ଦେ ଏବେ ଦେଶବ୍ୟାପୀ ଦଳକୁ ସୁଦୃଢ଼ କରିବାକୁ ଲାଗି ପଡିଛନ୍ତି। ଦେଶର ୧୫ ଟି ରାଜ୍ୟର ଦଳୀୟ କାର୍ଯ୍ୟକାର୍ତ୍ତାଙ୍କ ସହ କାଶ୍ମୀରର ଶ୍ରୀନଗରରେ ବୈଠକ କରିଛନ୍ତି ସିନ୍ଦେ।

ସିନ୍ଦେ ଗୋଷ୍ଠି ଶିବସେନାର ଶକ୍ତି ବୃଦ୍ଧି ପାଇଁ ସେ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି। ସହଯୋଗୀ ବିଜେପି ସହାୟତାରେ ବିଭିନ୍ନ ରାଜ୍ୟରେ ଦଲର କଳେବର ବଢ଼ାଇବା ପାଇଁ ସିନ୍ଦେ କହିଛନ୍ତି।

ଏହି ଅବସରରେ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଆଦି ରାଜ୍ୟର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ସିନ୍ଦେ ବିଜେପି ସରକାରର ବର୍ଷେ ପୂର୍ତ୍ତି ଅବସରରେ ସାରା ଦେଶରେ ଥିବା ଶିବସେନାର ସଂଗଠନ ଉପରେ ନିଜର ପ୍ରଭାବ ବିସ୍ତାର କରିବାକୁ ଏକନାଥ ଉଦ୍ୟମ କରୁଥିବା କୁହାଯାଇଛି।

ଯାହାକୁ ନେଇ ଏବେ ଶିବସେନା ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ଶିବସେନାକୁ ନେଇ ଉଦ୍ଧବ ଓ ସିନ୍ଦେ ଗୋଷ୍ଠି ମଧ୍ୟରେ ଲଢେ଼ଇ ଏବେ ବି ଚାଲିଛି। ଏପରିକି ସିନ୍ଦେଙ୍କ ସମେତ ସିନ୍ଦେ ଗୋଷ୍ଠୀର ମୋଟ ୧୬ ଜଣ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ବିଚାରାଧୀନ ରହିଛି।

ଏଭଳି ସ୍ଥିତିରେ କିନ୍ତୁ ଦେଶରେ ଥିବା ଦଳର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଛନ୍ତି ସିନ୍ଦେ। ଶିବସେନାର ସଂଗଠନ ଏବେ ଦୁଇଫଳ ହୋଇ ରହିଛି। ବହୁ ନେତା, କାର୍ଯ୍ୟକର୍ତା ଓ କର୍ମୀ ଉଦ୍ଧବଙ୍କ ସପକ୍ଷରେ ରହିଥିବା ବେଳେ ବହୁ ସିନ୍ଦେଙ୍କ ପକ୍ଷରେ ରହିଛନ୍ତି।

ଏପରିକି ବିଜେପି ସହ ଆଗାମୀ ନିର୍ବାଚନରେ ଆସନ ବୁଝାମଣାକୁ ନେଇ ମଧ୍ୟ ମଝିରେ ବିବାଦ ଦେଖାଯାଇଥିଲା । ଅବଶ୍ୟ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ପ୍ରସଙ୍ଗ କିଛିଟା ଥମିଛି ।

କିନ୍ତୁ ସିନ୍ଦେ ବିଜେପି ସରକାରକୁ ବର୍ଷେ ପୂରି ଯାଇଥିଲେ ମଧ୍ୟ ଏ ଯାଏ ସଂପୂର୍ଣ ମନ୍ତ୍ରୀମଣ୍ଡଳ ଗଠନ ହୋଇପାରି ନାହିଁ । ଯେଉଁଥିପାଇଁ ସିନ୍ଦେ ଏବଂ ବିଜେପି ଗୋଷ୍ଠୀ ନେତାଙ୍କ ମନରେ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ସିନ୍ଦେଙ୍କ ଦଳୀୟ ସଂଗଠନ ସୁଦୃଢ କରିବାର ପ୍ରୟାସକୁ ନେଇ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି ।

Comments are closed.